ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର
ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେମାନେ ଦରିଦ୍ର ପଦବାଚ୍ୟ। ବିଶ୍ୱସ୍ତରୀୟ ସଂଜ୍ଞା କହେ, ଦୈନିକ ୧.୯୦ ଡଲାର ବା ମୁଣ୍ଡପିଛା ପ୍ରାୟ ୧୩୫ ଟଙ୍କାରୁ କମ୍‌ ଆୟ କରୁଥିବା ବ୍ୟକ୍ତି ଦରିଦ୍ର। କିନ୍ତୁ ଭାରତରେ ବର୍ଷକୁ ୨୭,୦୦୦ ଟଙ୍କାରୁ କମ୍‌ ଆୟ କରୁଥିବା ବ୍ୟକ୍ତି ଦରିଦ୍ର ସୀମାରେଖାର ତଳେ ବୋଲି ସ୍ଥିର କରାଯାଇଛି। ଦାରିଦ୍ର୍ୟ ନିର୍ଦ୍ଧାରଣ କରିବା ଏକ ପ୍ରବଞ୍ଚନାମୟ କୌଶଳ। ଏକ ନିର୍ଦ୍ଦିଷ୍ଟ ଅଙ୍କର ଆୟକୁ ନେଇ ଦାରିଦ୍ର୍ୟ ନିର୍ଦ୍ଧାରଣ ହୁଏ ତ ସହଜ ହୋଇପାରେ, ମାତ୍ର ଗ୍ରାମ ଓ ସହରାଞ୍ଚଳରେ ବାସ କରୁଥିବା ଦରିଦ୍ର, ନିରକ୍ଷର ବ୍ୟକ୍ତିମାନଙ୍କର ଆୟର କୌଣସି ସ୍ଥିରତା ନାହିଁ। ସମାଜର ସର୍ବନିମ୍ନ ସ୍ତରରେ ବାସ କରୁଥିବା ଏହି ଲୋକମାନଙ୍କର ନା ଅଛି କୌଣସି ସ୍ଥିର ଆୟର ଉତ୍ସ ନା ଆୟର ମୂଲ୍ୟାଙ୍କନ ପାଇଁ ସେପରି ବଳିଷ୍ଠ ପ୍ରମାଣପତ୍ର। ସରକାରୀ କିମ୍ବା ବେସରକାରୀ ଉଦ୍ୟୋଗରେ ଚାକିରି କରୁଥିବା ବ୍ୟକ୍ତିଙ୍କର ଆୟ ଆକଳନ କରିବା ସହଜ। କାରଣ ସେମାନଙ୍କର ଆୟ ସ୍ଥିର ଏବଂ ଆୟର ଉତ୍ସ ମଧ୍ୟ ନିର୍ଦ୍ଦିଷ୍ଟ। ସାଧାରଣ ବ୍ୟକ୍ତିଟିଏ ଅଧିକ ଆୟ କରି ସ୍ବଳ୍ପ ଆୟକାରୀ ବୋଲି ଦର୍ଶାଇଲେ, ତା’ର ସତ୍ୟତା ପରଖିବାର କୌଣସି ଉପାୟ ନାହିଁ। ଶ୍ରମଜୀବୀମାନଙ୍କ ମଧ୍ୟରେ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ଅଛନ୍ତି, ଯେଉଁମାନଙ୍କର ଆୟ ପରସ୍ପରଠାରୁ ଭିନ୍ନ। ତଥାପି ସରକାର ବିପିଏଲ୍‌ ଶ୍ରେଣୀ ସୃଷ୍ଟି କରିଛନ୍ତି, ଯାହାଙ୍କୁ କିଛି ସରକାରୀ ସାହାଯ୍ୟର ବ୍ୟବସ୍ଥା କରାଯାଇଛି। ଏହି ସାମାନ୍ୟ ସୁବିଧା ଗଣ୍ଡାକ ହାତେଇବା ପାଇଁ ଥିଲାବାଲାଙ୍କର ପ୍ରତିଯୋଗିତା ଦେଖି ମନରେ କ୍ଷୋଭ ଜାତ ହୁଏ। ମଣିଷ ସାମାନ୍ୟ ସ୍ବାର୍ଥ ପାଇଁ ଏତେ ତଳକୁ ଖସିଯାଇପାରେ କିପରି?
କିନ୍ତୁ ଧାର୍ମିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ଦେଖିଲେ ଅନେକ ଧର୍ମଗୁରୁ ଅଛନ୍ତି, ଯେଉଁମାନେ ତମାମ ଜୀବନ ଦାରିଦ୍ର୍ୟର କଷଣ ମଧ୍ୟରେ ଜିଇ ଆସିଛନ୍ତି। ଗୁରୁ ନାନକ, ସନ୍ଥ କବୀର, ତୁକାରାମ ଓ ଆଉ ଅନେକେ ଉତ୍କଟ ଦାରିଦ୍ର୍ୟକୁ ସାମ୍‌ନା କରି ମଧ୍ୟ ତାଙ୍କ ସାଧନାପଥରୁ ବିଚ୍ୟୁତ ହୋଇନାହାନ୍ତି। ରାମକୃଷ୍ଣ ପରମହଂସ, ଠାକୁର ଅନୁକୂଳଚନ୍ଦ୍ର ମଧ୍ୟ ଏହି ଶ୍ରେଣୀର ଜଣେ ଜଣେ ଆଧ୍ୟାତ୍ମିକ ଗୁରୁ, ଯେଉଁମାନେ ଅର୍ଥ ପାଇଁ ସମ୍ପୂର୍ଣ୍ଣ ଉଦାସୀନ। ରାମକୃଷ୍ଣଙ୍କ ଜୀବନର ଏକ କ୍ଷୁଦ୍ର କାହାଣୀ ଏହାର ବଳିଷ୍ଠ ପ୍ରମାଣ। ଥରେ ରାତିରେ ବିଛଣାରେ ଶୋଇବାମାତ୍ରେ ହଠାତ୍‌ ଉଠିପଡ଼ି ‘ବିଛା ବିଛା’ ବୋଲି ଚିତ୍କାର କଲେ। ଶିଷ୍ୟମାନେ ତାଙ୍କ ପାଖକୁ ଆସିବାରୁ ସେ ସେମାନଙ୍କୁ ବିଛଣା ଝାଡ଼ିବାକୁ ନିର୍ଦ୍ଦେଶ ଦେଇ କହିଲେ, ”ବିଛଣା ପ୍ରସ୍ତୁତ କରିବା ପୂର୍ବରୁ ଟିକେ ଭଲକରି ଝାଡ଼ିଦେଲ ନାହିଁ, ଏଥିରେ ବିଛାଟିଏ ରହି ମୋତେ ଦଂଶନ କରୁଛି।“ ଶିଷ୍ୟମାନେ ବିଛଣା ଝାଡ଼ିଦେବାରୁ ତହିଁରୁ ମୁଦ୍ରାଟିଏ ବାହାରିଲା ଓ ତା’ପରେ ଗୁରୁଜୀ ଆରାମରେ ଶୋଇଲେ। ସେହି ଆଧ୍ୟାତ୍ମିକ ଗୁରୁମାନଙ୍କୁ ଅର୍ଥ ଠିକ୍‌ ବିଛା ପରି ଦଂଶନ କରନ୍ତି। ସେମାନଙ୍କ ପାଇଁ ଅର୍ଥ ହେଉଛି ଅର୍ଥହୀନ। ସେ ସମୟର ପ୍ରତ୍ୟେକ ଆଧ୍ୟାତ୍ମିକ ଗୁରୁ ଠିକ୍‌ ଏହିପରି ଅର୍ଥ ପ୍ରତି ନିରାସକ୍ତ ଥିଲେ। ସେମାନେ କାମିନୀକାଞ୍ଚନଠାରୁ ଦୂରରେ ରହିବାକୁ ଉପଦେଶ ଦେଉଥିଲେ, ଯାହା ଆଜିର ଗୁରୁମାନଙ୍କଠାରେ ବ୍ୟତିକ୍ରମ।
ଶ୍ରୀମଦ୍ଭାଗବତର ଅନୁଶୀଳନ ମଧ୍ୟ ଅନୁରୂପ। ଥରେ ଉଦ୍ଧବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହିଲେ, ଜଣେ ଦରିଦ୍ର ଅର୍ଥଶୂନ୍ୟ ବ୍ୟକ୍ତି ସେ ନୁହେଁ ଯାହାର ଧନ ନାହିଁ। ସେ ହିଁ କେବଳ ଦରିଦ୍ର ଯେ ସଦା ଅସନ୍ତୁଷ୍ଟ। ଦାରିଦ୍ର୍ୟ ଏକ ମାନସିକ ସ୍ଥିତି। ଯାହା ଆମକୁ ପ୍ରାପ୍ତ ହେଉଛି ତାହା ଈଶ୍ୱରଙ୍କ ଦାନ ଭାବି ସନ୍ତୁଷ୍ଟ ହେବାକୁ ପଡ଼ିବ। ତହୁଁ ଅଧିକ ଆଶା କିମ୍ବା ପ୍ରୟାସ କରିବା କେବଳ ପାପ ନୁହେଁ, ଭଗବାନଙ୍କୁ ଅସମ୍ମାନ କରିବା ସଙ୍ଗେ ସମାନ। ପ୍ରାପ୍ୟଠାରୁ ଅଧିକ ଆଶା କରିବା ଓ ଆଶା ଫଳବତୀ ନ ହେଲେ ମନରେ କ୍ଷୋଭ ଜାତହେବା ଦୁଇଟିଯାକ ଈଶ୍ୱରୀୟ ଚିନ୍ତନର ପରିପନ୍ଥୀ। ମହାତ୍ମା ଗାନ୍ଧୀ କୁହନ୍ତି, ଧରିତ୍ରୀ ମା’ ତା’ର ସମସ୍ତ ସନ୍ତାନର ଜୀବନ ଧାରଣ ପାଇଁ ବ୍ୟବସ୍ଥା କରିଛି କିନ୍ତୁ ଲୋଭ ଚରିତାର୍ଥ କରିବା ପାଇଁ ନୁହେଁ- ‘ଦି ଆର୍ଥ ପ୍ରୋଭାଇଡ୍ସ ଏନଫ୍‌ ଟୁ ସାର୍ଟିସ୍‌ଫାଏ ଏଭ୍ରି ମ୍ୟାନ୍‌ସ ନିଡ୍‌, ବଟ୍‌ ନଟ୍‌ ଏଭ୍ରି ମ୍ୟାନ୍‌ସ ଗ୍ରିଡ୍‌’। ଜଣେ ବ୍ୟକ୍ତିର ଧନର ପୂର୍ଣ୍ଣତା ଅର୍ଥ ଅନ୍ୟ କେତେକଙ୍କର ଧନର ଶୂନ୍ୟତା। ଅଳ୍ପ କିଛି ବ୍ୟକ୍ତିଙ୍କର ଅସୀମ ଧନସମ୍ପତ୍ତି ବହୁଲୋକଙ୍କ ଦାରିଦ୍ର୍ୟର କାରଣ। ଭାରତର ଏକ ପ୍ରତିଶତ ଲୋକଙ୍କ ହାତରେ ସମୁଦାୟ ସମ୍ପତ୍ତିର ୭୩ ପ୍ରତିଶତ ଠୁଳ ହୋଇଛି। ଗୋଟିଏ ଜାଗାରେ ମାଟି ଗଦା କରିବା ଅର୍ଥ ଅନ୍ୟ ସ୍ଥାନରେ ମାଟି ଖୋଳି ଗାତ ତିଆରି କରିବା। ଠିକ୍‌ ସେହିପରି ଜଣକର ବିଳାସବ୍ୟସନ ଅନ୍ୟ କେତେକଙ୍କର ଦାରିଦ୍ର୍ୟର କାରଣ ହୋଇଥାଏ। ମହାତ୍ମା ଗାନ୍ଧୀ ପୁଣି କୁହନ୍ତି, ”ଆମେ ଉତ୍ପାଦନକୁ ଗୁରୁତ୍ୱ ନ ଦେଇ ସୁଷମ ବଣ୍ଟନକୁ ଗୁରୁତ୍ୱ ଦେବା ଉଚିତ। କିଛି ଲୋକଙ୍କଠାରେ ଧନ ଗଚ୍ଛିତ ରହି ଆଉ କିଛି ନିରନ୍ନ ରହିଲେ, ଏହାକୁ କଦାପି ପ୍ରଗତିର ଶୁଭ ଲକ୍ଷଣ ବୋଲି ମନେ କରାଯାଇପାରିବ ନାହିଁ।“ ତେଣୁ ଧନର ବିକେନ୍ଦ୍ରୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧନୀ ମଧ୍ୟ ଦାନ କରିବାର ମାନସିକତା ଆହରଣ କରିବା ଏକ ମହତ୍ତ୍ୱପୂର୍ଣ୍ଣ ଗୁଣ। ଚାଣକ୍ୟ କୁହନ୍ତି- ଦାନ, ଉପଭୋଗ ଓ ବିନାଶ ଏହିପରି ଧନର ତିନୋଟି ଗତି ଅଛି। ଯେ ଦାନ କରେ ନାହିଁ, ଭୋଗ କରେ ନାହିଁ, ତା’ର ତୃତୀୟାଗତି ଅର୍ଥାତ୍‌ ନାଶ ହୋଇଯାଏ।
ଦାନ ଏକ ସ୍ବର୍ଗୀୟ ଗୁଣ। ଶ୍ରୀମଦ୍ଭାଗବତ କହେ, ‘ଦାନମୀଶ୍ୱରଭାବଶ୍ଚ’-ଦାନ ଏକ ମହାନ ଈଶ୍ୱରୀୟ ଗୁଣ, ଯାହାକୁ ଜାତି ଧର୍ମ ନିର୍ବିଶେଷରେ ଗ୍ରହଣ କରିବା ବିଧେୟ। ଇସ୍‌ଲାମ ଓ ଖ୍ରୀଷ୍ଟଧର୍ମ ମଧ୍ୟ ଦାନ ଉପରେ ଗୁରୁତ୍ୱ ଦିଅନ୍ତି। ଆଧ୍ୟାତ୍ମିକ ଗୁରୁମାନେ ମତଦିଅନ୍ତି ଯେ, ମଣିଷ ପଛେ ଆର୍ଥିକ ଦୃଷ୍ଟିରୁ ଦରିଦ୍ର ହୋଇଥାଉ, ମାତ୍ର ନୀତି ନୈତିକତାରେ ଦରିଦ୍ର ନ ହେଉ। ପାର୍ଥିବ ସୁଖପ୍ରାପ୍ତି ମଣିଷ ପକ୍ଷେ ସହଜ ହୋଇପାରେ। ମାତ୍ର ଈଶ୍ୱରୀୟ ସୁଖପ୍ରାପ୍ତି ସହଜ ନୁହେଁ। ପାର୍ଥିବ ସୁଖପ୍ରାପ୍ତି ନିମନ୍ତେ ମନୁଷ୍ୟର ପ୍ରୟାସ ଯେତେ ପ୍ରଗାଢ଼, ତା’ର କିୟଦଂଶ ଯଦି ଈଶ୍ୱରୀୟ ସୁଖପ୍ରାପ୍ତି ନିମନ୍ତେ କରାଯାନ୍ତା ତେବେ ଭଗବତ୍‌ କରୁଣା ବିଡ଼ମ୍ବିତ ହୁଅନ୍ତା ନାହିଁ। ପାର୍ଥିବ ସମ୍ପତ୍ତି ବ୍ୟୟରେ କ୍ଷୟ ହୁଏ, କିନ୍ତୁ ଈଶ୍ୱରୀୟ ସମ୍ପତ୍ତି ବ୍ୟୟରେ ବୃଦ୍ଧିପ୍ରାପ୍ତ ହୁଏ। ଧନର ଚୌର୍ଯ୍ୟ ଭୟ ଅଛି, କିନ୍ତୁ ଈଶ୍ୱରୀୟ ଧନ ବ୍ୟକ୍ତିସତ୍ତାର ବିଲୋପ ପରେ ମଧ୍ୟ ଉଜ୍ଜୀବିତ ଥାଏ। ଈଶ୍ୱରୀୟ ପୁଞ୍ଜିର ରକ୍ଷଣାବେକ୍ଷଣ ପାଇଁ କୌଣସି ବ୍ୟାଙ୍କ କିମ୍ବା ଜଗୁଆଳିର ଆବଶ୍ୟକତା ପଡ଼ି ନ ଥାଏ। ହୃଦୟରୂପକ ବ୍ୟାଙ୍କରେ ବିନା ଜଗୁଆଳିରେ ଏହା ଛାଏଁ ଛାଏଁ ପରିବର୍ଦ୍ଧିତ ହେଉଥାଏ। ଭକ୍ତର ୧୦ଟି ଲକ୍ଷଣ ଯଥା ଅକ୍ରୋଧ, ବୈରାଗ୍ୟ, ଜିତେନ୍ଦ୍ରିୟ, କ୍ଷମା, ଦୟା, ସର୍ବଜନପ୍ରିୟତା, ନିର୍ଲୋଭ, ଦାନ, ଭୟଶୂନ୍ୟତା ଓ ଶୋକଶୂନ୍ୟତା (ଅଚ୍ୟୁତାନନ୍ଦଙ୍କ ଭକ୍ତିରସ ମାଳିକା) ଥିଲେ ମନୁଷ୍ୟ ଈଶ୍ୱରୀୟ ସତ୍ତାର ନିକଟବର୍ତ୍ତୀ ହୁଏ।
ଆଧ୍ୟାତ୍ମିକତା ଦୃଷ୍ଟିରୁ ଦାରିଦ୍ର୍ୟ ଏକ ଆପେକ୍ଷିକ ଶବ୍ଦ। ଅର୍ଥଶୂନ୍ୟତା ଦାରିଦ୍ର୍ୟ ନୁହେଁ। ମାନସିକ ଆବେଗର ଅନୁପସ୍ଥିତି ହିଁ ଦାରିଦ୍ର୍ୟ। ଏପରି ଜ୍ଞାନୋଦୟ ହେଲେ ଅର୍ଥ ତୋସରପାତ ମନୋବୃତ୍ତିରୁ ନିବୃତ୍ତି ମିଳେ ଓ ଈଶ୍ୱରୀୟ ସାନ୍ନିଧ୍ୟ ପାଇଁ ସ୍ବର୍ଗୀୟ ଲାଳସା ଜାତ ହୁଏ। ପାର୍ଥିବ ଧନସମ୍ପତ୍ତି ଆହରଣଜନିତ ସୁଖ ଅଳିକ ଓ କ୍ଷଣସ୍ଥାୟୀ। ପାର୍ଥିବ ସୁଖ କେବଳ ଧୂମ ସଦୃଶ, ଯାହା କିୟତ୍‌କାଳ ସ୍ଥାୟୀ। ଏକ କ୍ଷଣରେ ପ୍ରତିଭାତ ହୋଇ ଅନ୍ୟ କ୍ଷଣରେ ଉଭେଇଯାଏ। ମାତ୍ର ବାସ୍ତବ ସୁଖ ଚିରନ୍ତନ। ଜୀବନ ହେଉଛି ଜନ୍ମ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ। ଜନ୍ମ ପୂର୍ବରୁ ଓ ମୃତ୍ୟୁ ପରେ ସମସ୍ତେ ସମାନ। ଜୀବଦ୍ଦଶାରେ କେବଳ ଦେଖାଦିଏ ଧନୀ ନିର୍ଦ୍ଧନର ପାର୍ଥକ୍ୟ। ଜୀବନକୁ ଉପଲବ୍ଧି କରିବାରେ ନିହିତ ରହିଛି ସକଳ ସୁଖର ଆଦିସତ୍ତା। ଏପରି ବୋଧଶକ୍ତିର ଅବର୍ତ୍ତମାନରେ ଅସାଧୁତାର ଜନ୍ମ। ଅସାଧୁତାରୁ ଜନ୍ମ ନିଏ ଚଞ୍ଚକତା, ଅନ୍ୟକୁ ଠକିବାର ମନୋବୃତ୍ତି। ସାଧାରଣ ସ୍ତରରେ ବିପିଏଲ୍‌ ଅନ୍ତର୍ଭୁକ୍ତ ହେବା, ରାଶନ କାର୍ଡ ଖଣ୍ଡେ ହାତେଇବା, କାଳିଆ ଯୋଜନାରୁ ଅନୁଚିତ ଫାଇଦା ଉଠାଇବା ଯେପରି ଏକ ନୀଚ ପ୍ରବୃତ୍ତି, ସେହିପରି ସାଧାରଣ ବଣ୍ଟନ ସାମଗ୍ରୀ ଲୁଣ୍ଠନ କରିବା, ସରକାରୀ ଅର୍ଥ ତୋସରପାତ କରିବା ଓ ଅସାଧୁ ଉପାୟରେ ଧନ ସଂଗ୍ରହ କରିବା ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri