ଆସ ମଙ୍ଗଳରେ ଘର କରିବା

ଇଂ. ମାୟାଧର ସ୍ବାଇଁ

ଅନେକ ବର୍ଷ ପୂର୍ବେ ବିଜ୍ଞାନ ଉପନ୍ୟାସଗୁଡ଼ିକରେ ପୃଥିବୀ ବାହାରେ ବିଭିନ୍ନ ଗ୍ରହରେ ବସବାସ କରିବାର କଳ୍ପନା କରାଯାଇଥିଲା। ବିଶେଷ ଭାବେ ଆମର ପଡ଼ୋଶୀ ଲୋହିତ ଗ୍ରହ ମଙ୍ଗଳ ଏହାର କେନ୍ଦ୍ରବିନ୍ଦୁ ଥିଲା। ଏପରି କି ସେଠାରେ ପୃଥିବୀଠାରୁ ଅଧିକ ବିକଶିତ ପ୍ରାଣୀ ଥିବାର ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଆଜି ଆମେ ମହାକାଶ ଯୁଗରେ ପହଞ୍ଚିଛେ। ମଙ୍ଗଳ ଓ ଅନ୍ୟ ଗ୍ରହ ପାଖକୁ ମହାକାଶ ଯାନ ପଠାଇ ସେଗୁଡ଼ିକ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରାଯାଇଛି। ମଙ୍ଗଳ ପୃଷ୍ଠାକୁ ରୋବୋଟ ପଠାଯାଇ ସେଠାରେ ବିଭିନ୍ନ ପରୀକ୍ଷା କରାଯାଇଛି। ସେଠାରେ ଜୀବଜଗତ ନ ଥିବାର ସ୍ପଷ୍ଟ ହୋଇଛି। ଗତ ଅଗଷ୍ଟରେ ନାସା ସେଠାକୁ ଗୋଟିଏ ହେଲିକପ୍ଟର ପଠାଇଛି। ମଙ୍ଗଳକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ହୋଇଛି।
ପୃଥିବୀର ଏକମାତ୍ର ବେସରକାରୀ ମହାକାଶ ସଂସ୍ଥା ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ‘ସ୍ପେସ୍‌ଏକ୍‌ସ’ ମହାକାଶକୁ ରକେଟ ସାହାଯ୍ୟରେ ନିଜର ମହାକାଶ ଯାନ ପଠାଇଛି। ଏହାର ମହାକାଶ ଯାନ ଡ୍ରାଗନରେ ଆମେରିକାର ଦୁଇଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଛନ୍ତି। ଏହାର ମାଲିକ ହେଉଛନ୍ତି ଏଲନ ମସ୍କ। ସେ ମଙ୍ଗଳ ଗ୍ରହରେ ଏକ ବସତି ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି। ଅନ୍ୟ କେତେକ ବେସରକାରୀ ସଂସ୍ଥା ମଧ୍ୟ ମଙ୍ଗଳରେ ଘର କରି ଲୋକମାନଙ୍କୁ ରଖିବା ପାଇଁ ଚିନ୍ତା କରୁଛନ୍ତି। ଏପରି କି କେତେକ ସଂସ୍ଥା ମଙ୍ଗଳରେ ଜମି ବିକ୍ରୟ କରିବା ଆରମ୍ଭ କଲେଣି ଏବଂ କେତେକ ଲୋକ ଅଧିକ ମୂଲ୍ୟ ଦେଇ ଏହା କଣିଲେଣି। ‘ଅନ୍ତର୍ଜାତୀୟ ମନୁଷ୍ୟ ଗ୍ରାହିକ ଅଭିଯାନ ସଂଘ’ ନାମରେ ଏକ ସଂସ୍ଥା ଏହି କିଣାବିକାର ଦଲିଲ ରେଜିଷ୍ଟ୍ରେସନ କରୁଛି। ଅବଶ୍ୟ ଏହି ସଂସ୍ଥା ଆଇନସମ୍ମତ ନୁହେଁ। ତଥାପି ମଙ୍ଗଳରେ ଜମି କିଣିବା ପାଇଁ ଲୋକଙ୍କର ଆଗ୍ରହ ରହୁଛି। ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକ ମଙ୍ଗଳରେ ଜାଗା କିଣି ଏହାର ଦଲିଲକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ମଙ୍ଗଳ ବ୍ୟତୀତ ଚନ୍ଦ୍ରରେ ମଧ୍ୟ ଜାଗା ପାଇଁ କେତେକ ଲୋକ ଆଗ୍ରହୀ। ମଙ୍ଗଳ ତୁଳନାରେ ଚନ୍ଦ୍ର ଆମର ନିକଟରେ ଅଛି। ଏଠାକୁ ଗୋଟିଏ ଦିନରେ ଯାଇ ହେଉଥିବା ବେଳେ ମଙ୍ଗଳକୁ ଯିବା ପାଇଁ ନଅ ମାସରୁ ଅଧିକ ସମୟ ଲାଗେ। ଚନ୍ଦ୍ରରେ ୧୯୬୯ରେ ପ୍ରଥମେ ମନୁଷ୍ୟର ପାଦ ପଡ଼ିଛି। ସେଠାରେ କେତେକ ଦୁର୍ମୂଲ୍ୟ ଖଣିଜ ଥିବାର ଜଣାପଡ଼ିଛି। ଏହା ବ୍ୟତୀତ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ଥିବା ଗ୍ରହାଣୁ ପୁଞ୍ଜର ଅନେକ ଗ୍ରହାଣୁରେ ମୂଲ୍ୟବାନ ଖଣିଜ ପଦାର୍ଥ ଥିବାର ଜଣାପଡ଼ିଛି। ଏହି ଖଣିଜ ଉତ୍ତୋଳନ କରି ପୃଥିବୀକୁ ଆଣିବା ପାଇଁ ଚିନ୍ତା କରାଯାଉଛି।
ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ର, ମଙ୍ଗଳ କିମ୍ବା ଗ୍ରହାଣୁଗୁଡ଼ିକୁ କିଏ ଅଧିକାର କରିପାରିବ? ଷୋଡ଼ଶ ଶତାବ୍ଦୀରେ ସ୍ପେନ, ଇଂଲଣ୍ଡ, ପର୍ତ୍ତୁଗାଲ, ଫ୍ରାନ୍ସ ଆଦି ୟୁରୋପୀୟ ଦେଶ ଜଳଯାତ୍ରାରେ ଯାଇ ଉତ୍ତର ଓ ଦକ୍ଷିଣ ଆମେରିକା(ନୂତନ ପୃଥିବୀ)ସମେତ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଅନେକ ଦ୍ୱୀପ ଆବିଷ୍କାର କରିଥିଲେ।
ଯେଉଁ ଦେଶର ଅଭିଯାନକାରୀ ଯେଉଁ ଦେଶ ଆବିଷ୍କାର କଲେ, ତାହା ତାଙ୍କ ଅଧୀନକୁ ଆସିଗଲା।
ଏପରି କି ସେଠାକାର ସ୍ଥାନୀୟ ଅଧିବାସୀଙ୍କୁ ହତ୍ୟା କରାଗଲା ଓ ଅନେକଙ୍କୁ ସେମାନଙ୍କ ଜାଗାରୁ ବାହାର କରି ଦିଆଗଲା। ସେମାନଙ୍କୁ ଚାକର ଭାବେ ରଖାଗଲା। ଏଥିଯୋଗୁ ପ୍ରାଚୀନ ମାୟା ସଭ୍ୟତାକୁ ଧ୍ୱଂସ କରିଦିଆଗଲା। ଯଦି ଏହି ନିୟମ ରହେ, ତାହା ହେଲେ ଯେଉଁ ଦେଶ ଚନ୍ଦ୍ର, ମଙ୍ଗଳ ଓ କୌଣସି ଗ୍ରହାଣୁର ଯେଉଁ ଅଞ୍ଚଳରେ ନିଜର ମହାକାଶଚାରୀଙ୍କୁ ଅବତରଣ କରାଇବ, ତାହା ସେହି ଦେଶର ଅଧିକାରଭୁକ୍ତ ହୋଇଯିବ।
କିନ୍ତୁ ଏକବିଂଶ ଶତାବ୍ଦୀରେ ଏହା ସମ୍ଭବ ନୁହେଁ।
୧୯୬୭ରେ ବାହ୍ୟ ମହାକାଶ ଚୁକ୍ତି ପ୍ରସ୍ତୁତ ହୋଇଛି। ୧୧୦ଟି ଦେଶ ଏହାକୁ ସ୍ବୀକୃତି ଦେଇଛନ୍ତି ଏବଂ ଅନ୍ୟ ୮୯ଟି ଦେଶ ଏଥିରେ ସ୍ବାକ୍ଷର କରିଥିଲେ ସୁଦ୍ଧା ସ୍ବୀକୃତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ।
ଏହା ୧୯୬୭ ଅକ୍ଟୋବର ୧୦ରୁ କାଯର୍‌ୟ କରୁଛି। ଏହି ଚୁକ୍ତି ଅନୁଯାୟୀ କୌଣସି ଦେଶ ପୃଥିବୀ ବାହାରେ କୌଣସି ଜ୍ୟୋତିର୍ବିଦୀୟ ପିଣ୍ଡରେ କିମ୍ବା ଏହାର ବକ୍ଷରେ ଆଣବିକ, ଜୈବିକ ଓ ରାସାୟନିକ ଅସ୍ତ୍ର ରଖିପାରିବ ନାହଁି ଏବଂ ମହାକାଶ କେବଳ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହେବ। ଏଥିରେ ଦର୍ଶାଯାଇଛି ଯେ, ମହାକାଶକୁ କୌଣସି ଦେଶର ନାଗରିକ ଯାଇପାରିବେ, କିନ୍ତୁ ଏହାକୁ ପ୍ରଦୂଷିତ କିମ୍ବା କ୍ଷତି କରିପାରିବେ ନାହିଁ।
ଏହି ଚୁକ୍ତିରେ ସମ୍ପତ୍ତି ଅଧିକାର ବିଷୟରେ ଉଲ୍ଲେଖ ନାହିଁ। ସେତେବେଳେ କେହି ଚିନ୍ତା କରି ନ ଥିଲେ ଯେ ପୃଥିବୀ ଲୋକ ଯାଇ ବାହ୍ୟଜଗତରେ ବସତି ସ୍ଥାପନ କରିବେ। ୧୯୮୪ରେ ‘ଚନ୍ଦ୍ର ଚୁକ୍ତି’ ନାମରେ ଅନ୍ୟ ଗୋଟିଏ ରାଜିନାମା ହୋଇଛି ଓ ଏଥିରେ ୧୮ଟି ଦେଶ ସ୍ବାକ୍ଷର କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ଆର୍ଟେମିସ୍‌ କାର୍ଯ୍ୟକ୍ରମରେ ୨୦୨୪ ସୁଦ୍ଧା ପୁନଶ୍ଚ ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା କରିଛି। ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ମହାକାଶଚାରୀ ଭାଗ ନେବେ। କେତେକ ବେସରକାରୀ ସଂସ୍ଥା ସମେତ ଅନେକ ଦେଶ ମହାକାଶ ଅଭିଯାନ କାର୍ଯ୍ୟକ୍ରମ କରୁଥିବାରୁ ଏହି ଅଭିଯାନଗୁଡିକୁ ଓ ବାହ୍ୟମହାକାଶ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଷ କେତୋଟି ନିୟମ ଥିବା ଆର୍ଟେମିସ୍‌ ରାଜିନାମା ପ୍ରକାଶ ପାଇଛି । ପୃଥିବୀର ସମସ୍ତ ଦେଶ ପାଇଁ ମହାକାଶରେ ଅଭିଯାନ, ବିଜ୍ଞାନ ଗବେଷଣା ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ସମାନ ସୁବିଧା ଦେବା ହେଉଛି ଏହାର ଲକ୍ଷ୍ୟ।
ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଇରାନ, ଜାପାନ, ଇଂଲଣ୍ଡ, ଲକ୍‌ ସମବର୍ଗ ଓ ସଂଯୁକ୍ତ ଆରବ ରାଷ୍ଟ୍ର ସ୍ବାକ୍ଷର କରିଛନ୍ତି। ମହାକାଶକୁ ବିବାଦମୁକ୍ତ କରିବା ଏବଂ ଶାନ୍ତିପୂର୍ଣ୍ଣ ମହାକାଶ ଅଭିଯାନ ପାଇଁ ଅନ୍ତର୍ଜାତୀୟ ସହଯୋଗ ସ୍ଥାପନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହାର ଅନ୍ୟ ଉଦ୍ଦେଶ୍ୟଗୁଡିକ ହେଉଛି ମହାକାଶ ବିଜ୍ଞାନ ତଥ୍ୟକୁ ସମସ୍ତଙ୍କ ପାଇଁ ପ୍ରକାଶ କରିବା, ମହାକାଶ ଐତିହ୍ୟ ସଂରକ୍ଷଣ (ଉଦାହରଣ ସ୍ବରୂପ, ମନୁଷ୍ୟର ପ୍ରଥମ ଚନ୍ଦ୍ର ପଦାର୍ପଣସ୍ଥଳ), ମହାକାଶ ସମ୍ପଦକୁ ୧୯୬୭ର ବାହ୍ୟ ମହାକାଶଚୁକ୍ତି ଅନୁଯାୟୀ ଆହରଣ କରିବା ଏବଂ ମହାକାଶକୁ ପ୍ରଦୂଷଣମୁକ୍ତ ରଖିବା।
ଏହି ରାଜିନାମାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଅନ୍ୟ ପ୍ରମୁଖ ମହାକାଶ ଶକ୍ତି ରାଷ୍ଟ୍ରଗୁଡିକ ଯଥା: ରୁଷିଆ, ଚାଇନା, ଭାରତ, ଫ୍ରାନ୍ସ, ଜର୍ମାନୀ ଏଥିରେ ସ୍ବାକ୍ଷର କରିନାହାନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ଏହି ରାଜିନାମା ମଧ୍ୟ ବାହ୍ୟ ଗ୍ରହ ଓ ଉପଗ୍ରହରେ ଜମି ଅଧିକାର ସମ୍ବନ୍ଧରେ ନୀରବ ଅଛି। ଏଣୁ ମଙ୍ଗଳରେ ଘର କରିବା ଆଶା କେତେକ ଲୋକଙ୍କର ବଢିଯାଇଛି। ଦେଖାଯାଉ ଏହା କେବେ ସଫଳ ହେଉଛି।
୭୦, ଲକ୍ଷ୍ମୀବିହାର ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri