ଆଜିର ଅର୍ଥନୀତି/ ମୋରାଟୋରିୟମ୍‌ ବୃଥା

ସଦ୍ୟତମ ଆର୍ଥିକ ପଦକ୍ଷେପ ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାରରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଭାରତ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିବା ବେଳେ ତାହା ଉପରେ ପୁଣି ଏହି ହ୍ରାସ କରାଯାଇଛି। ଲକ୍‌ଡାଉନ୍‌ ୪.୦ ମେ ୩୧ ପର୍ଯ୍ୟନ୍ତ ଚାଲିବ। ସରକାର ମେ ୩୧ ପରେ ଲକ୍‌ଡାଉନ୍‌ ବାବଦରେ କ’ଣ ନିଷ୍ପତ୍ତି ନେବେ ତାହା ଆମେ ବର୍ତ୍ତମାନ ସୁଦ୍ଧା ଜାଣିନାହୁଁ। କେବଳ ରେପୋ ହାର (ଯେଉଁ ହାରରେ ଆର୍‌ବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ) ହ୍ରାସ କରିଚାଲିବା ଭୂତାଣୁ-ଜନିତ ଆର୍ଥିକ ଦୁରବସ୍ଥାକୁ ଦୂର କରିବା ପାଇଁ ରାମବାଣ ନୁହେଁ। ଲୋକମାନେ ତ ପୂର୍ବରୁ ହିଁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଦୁଃଖ ଭୋଗି ଆସୁଛନ୍ତି। ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ପ୍ରଦାନକୁ ସହଜ କରିବା ପାଇଁ ଆର୍‌ବିଆଇ ପର୍ଯ୍ୟାୟକ୍ରମେ ରେପୋ ହାର ହ୍ରାସ କରିଆସୁଛି, ଯାହାଫଳରେ ଲୋକମାନେ ଶସ୍ତା ଦରରେ ଋଣ ପାଇପାରିବେ ଏବଂ ଅଧିକ ଖର୍ଚ୍ଚ କରିପାରିବେ। ମାର୍ଚ୍ଚ ପୂର୍ବରୁ ହୋଇଥିବା ସମସ୍ତ ହ୍ରାସ ବିଭିନ୍ନ ଜିନିଷ କିଣାରେ ଜନସାଧାରଣଙ୍କ ଖର୍ଚ୍ଚ ବୃଦ୍ଧି କରିବା ଏବଂ ଶିଳ୍ପସଂସ୍ଥାଗୁଡ଼ିକର କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଗତ ଦୁଇମାସ ମଧ୍ୟରେ ହୋଇଥିବା ହ୍ରାସ କୋଭିଡ୍‌-୧୯ ଜନିତ ଝଟ୍‌କାକୁ ଲାଘବ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଗତବର୍ଷ ଫେବୃୟାରୀରୁ ରେପୋ ହାରରେ ମୋଟ କ୍ରମିକ ହ୍ରାସ ୨୦୦ ବେସିସ୍‌ ପଏଣ୍ଟରୁ ଅଧିକ ହୋଇଛି। ରେପୋ ରେଟ୍‌ରେ ଏପରି ବିରାଟ କାଟର ସୁଫଳ ଜନସାଧାରଣଙ୍କୁ ବାସ୍ତବରେ ସମ୍ପୂର୍ଣ୍ଣ ରୂପେ ମିଳିପାରି ନାହିଁ। ସଦ୍ୟତମ ହ୍ରାସ ପରେ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି। ବ୍ୟାଙ୍କଗୁଡିକ କ୍ଷତିରେ କଦାପି ଋଣ ଦିଅନ୍ତି ନାହିଁ। ବ୍ୟାଙ୍କଗୁଡ଼ିକ ତାଙ୍କ ପୁଞ୍ଜିର ଏକ ବଡ଼ ଅଂଶ ଲୋକମାନଙ୍କ ଜମାରୁ ଆଣିଥାନ୍ତି। ତେଣୁ ବ୍ୟାଙ୍କଗୁଡିକର ସୁଧ ହାର ସେମାନଙ୍କ ଜମା ହାର ସହିତ ସର୍ବଦା ଜଡିତ। ଜମା ସୁଧହାରରେ ଅନୁରୂପ ହ୍ରାସ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଋଣ ସୁଧହାର କଦାପି ହ୍ରାସ କରିପାରିବେ ନାହିଁ। ଆମେ ଦେଖିଛୁ ସବୁବେଳେ ଜମା ହାରରେ ହ୍ରାସ ପୂର୍ବରୁ କିମ୍ବା ପରେ ରେପୋ ହାରରେ ହ୍ରାସ କରାଯାଏ। ମାର୍ଚ୍ଚ ୧୨ ତାରିଖରେ ଏସ୍‌ବିଆଇ ଏହାର ଜମା ସୁଧହାରରେ ୨୦ ପଏଣ୍ଟ ହ୍ରାସ କରିଛି। ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଜମା ହାରକୁ ମାର୍ଚ୍ଚ ସୁଦ୍ଧା ୭୦ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଜମା ସୁଧହାରରେ କୌଣସି ହ୍ରାସ କରାଗଲେ ତାହା ସିଧାସଳଖ ଜମାକାରୀ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବୃଦ୍ଧ ଓ ପେନସନଭୋଗୀ। ତେଣୁ ସରକାର ବୁଝିବା ଦରକାର ଯେ ବାରମ୍ବାର ରେପୋ ରେଟ୍‌ କମାଇବା ଦ୍ୱାରା ଏଭଳି ସଙ୍କଟ ସମୟରେ ଲୋକଙ୍କ ସମସ୍ୟା ଦୂର ହେବ ନାହିଁ। ସେଥିପାଇଁ ଏକ ଦୀର୍ଘକାଳୀନ ସ୍ଥାୟୀ ଉପାୟ ବାହାର କରିବାକୁ ପଡ଼ିବ।
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଛଅମାସର ଦୁଇଟି ମୋରାଟୋରିୟମ୍‌ ଘୋଷଣା ହେଉଛି ବ୍ୟାଙ୍କର ଏକ ଆତ୍ମ-ପରାଜୟମୂଳକ ରଣନୀତି। ପ୍ରଥମତଃ ଏହା ବ୍ୟାଙ୍କଗୁଡ଼ିକର ମେରୁଦଣ୍ଡକୁ ଭାଙ୍ଗିବ, କାରଣ ସେମାନେ ସେମାନଙ୍କ ଋଣରୁ ଆୟ ପାଇବା ବନ୍ଦ କରିବେ। ଏକ ବ୍ରୋକିଂ ହାଉସର ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ଯେ, ବ୍ୟାଙ୍କ ଅଫ୍‌ ବରୋଦାରୁ ଋଣ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୦ ପ୍ରତିଶତ ମୋରାଟୋରିୟମ୍‌ର ସୁବିଧା ଲାଭ କରିଥିବାବେଳେ ଏସ୍‌ବିଆଇ ପାଇଁ ଏହି ହାର ୨୦ ପ୍ରତିଶତ ରହିଛି। ଅଧିକାଂଶ ଋଣ ନେଇଥିବା ବ୍ୟକ୍ତି ମୋରାଟୋରିୟମ୍‌ ପରେ ବକେୟା ଇଏମ୍‌ଆଇ ପରିଶୋଧ କରିବେ କି ନା, କି ସେମିତି ଖିଲାପି ହୋଇ ରହିଯିବେ ତାହା କେହି ଜାଣନ୍ତି ନାହିଁ। ଯଦି ସେମିତି ହୁଏ, ତେବେ ଏହା ବ୍ୟାଙ୍କଗୁଡ଼ିକର ମେରୁଦଣ୍ଡ ଭାଙ୍ଗିଦେବ ଏବଂ ଏହା ସରକାରଙ୍କ ପାଇଁ ଏକ ନୂତନ ଦାୟରେ ପରିଣତ ହେବ। ଅତୀତରେ ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟିକସଦାତାଙ୍କ ଟଙ୍କା ବ୍ୟବହୃତ ହୋଇଥିଲା। ଦୁର୍ବଳ ବ୍ୟାଙ୍କଗୁଡିକୁ ପୁନଃପୁଞ୍ଜୀକୃତ କରିବା ପାଇଁ ପ୍ରତିବର୍ଷ କେନ୍ଦ୍ର ବଜେଟରେ ହଜାର ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଉଛି। ବ୍ୟାଙ୍କଗୁଡ଼ିକ ଟଙ୍କା ହରାଇବା ଦ୍ୱାରା ଯୋଗ୍ୟ ଋଣଗ୍ରହୀତା, କର୍ପୋରେଟ୍‌ ପ୍ରଭୃତିଙ୍କୁ ଋଣ ଦେବା ପାଇଁ ଅର୍ଥର ଅଭାବ ହେବ। ଗ୍ରାହକଙ୍କ ଦୃଷ୍ଟିରୁ ଦେଖିଲେ ମଧ୍ୟ ସେମାନେ ଏହିପରି ବଢ଼ାଯାଇଥିବା ମୋରାଟୋରିୟମ୍‌ରୁ କିଛି ଲାଭ ପାଇବେ ନାହିଁ। ମୋରାଟୋରିୟମ୍‌ର ଅର୍ଥ ହେଉଛି ବ୍ୟାଙ୍କଗୁଡିକ କେବଳ ଋଣଗ୍ରହୀତାମାନଙ୍କୁ ସେମାନଙ୍କ ମିଆଦୀ ଋଣରେ ଇଏମ୍‌ଆଇ ଦେବାରେ ବିଳମ୍ବ କରିବାକୁ ଅନୁମତି ଦେବା ଏବଂ ଏହି ବିଳମ୍ବକୁ ଡିଫଲ୍ଟ ବା ଖିଲାପି ଭାବେ ବିବେଚନା କରାଯିବ ନାହିଁ। ମାତ୍ର ମୋରାଟୋରିୟମ୍‌ ଅବଧି ସମାପ୍ତ ହୋଇଗଲେ, ଋଣ ନେଇଥିବା ବ୍ୟକ୍ତିମାନେ ପୂର୍ବ ଇଏମ୍‌ଆଇକୁ ସୁଧ ସହିତ ଭରିବାକୁ ବାଧ୍ୟ ହେବେ। ଯଦି ଋଣଗ୍ରହୀତାଙ୍କୁ ସୁଧ ଉପରେ ସୁଧ ଦେବାକୁ କୁହାଯିବ, ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବର୍ତ୍ତମାନ ସମସ୍ତେ ସନ୍ଦେହରେ ଅଛନ୍ତି ଯଦି ଲକ୍‌ଡାଉନ୍‌ ୫.୦ ଲାଗୁ ହୁଏ ତେବେ ଏହା କେତେ ଦିନ ଚାଲିବ। ସରକାର ଲକ୍‌ଡାଉନ୍‌ ନିୟମରେ ଅନେକ କୋହଳ କରିଛନ୍ତି, କିନ୍ତୁ ଏହା କୋହଳ ନ ହୋଇ ଯେତେ କଡ଼ାକଡ଼ି ହେଲେ ବି ଭୂତାଣୁ ସହ ଆମକୁ ବଞ୍ଚିବାକୁପଡ଼ିବ। ମହାମାରୀକୁ ରୋକିବା ପାଇଁ କୌଣସି ଟିକା ବା ଔଷଧ ବାହାରିବା ଉପରେ ନିଶ୍ଚିତତା ନ ଥିବାରୁ ଆମେ ପ୍ରକୃତରେ ଜାଣି ନାହୁଁ ଯେ ଆମେ କେତେ ଦିନ ଲକ୍‌ଡାଉନ୍‌ରେ ରହିବୁ ଏବଂ ଏପରି ପରିସ୍ଥିତିରେ ଆର୍‌ବିଆଇ ବା ସରକାର ବ୍ୟାଙ୍କଗୁଡ଼ିକୁ କେତେ ଥର ମୋରାଟୋରିୟମ୍‌ ପାଇଁ ଅନୁମତି ଦେବାକୁ କହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri