ଆଜିର ଅର୍ଥନୀତି/ ମୋରାଟୋରିୟମ୍‌ ବୃଥା

ସଦ୍ୟତମ ଆର୍ଥିକ ପଦକ୍ଷେପ ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାରରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଭାରତ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିବା ବେଳେ ତାହା ଉପରେ ପୁଣି ଏହି ହ୍ରାସ କରାଯାଇଛି। ଲକ୍‌ଡାଉନ୍‌ ୪.୦ ମେ ୩୧ ପର୍ଯ୍ୟନ୍ତ ଚାଲିବ। ସରକାର ମେ ୩୧ ପରେ ଲକ୍‌ଡାଉନ୍‌ ବାବଦରେ କ’ଣ ନିଷ୍ପତ୍ତି ନେବେ ତାହା ଆମେ ବର୍ତ୍ତମାନ ସୁଦ୍ଧା ଜାଣିନାହୁଁ। କେବଳ ରେପୋ ହାର (ଯେଉଁ ହାରରେ ଆର୍‌ବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ) ହ୍ରାସ କରିଚାଲିବା ଭୂତାଣୁ-ଜନିତ ଆର୍ଥିକ ଦୁରବସ୍ଥାକୁ ଦୂର କରିବା ପାଇଁ ରାମବାଣ ନୁହେଁ। ଲୋକମାନେ ତ ପୂର୍ବରୁ ହିଁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଦୁଃଖ ଭୋଗି ଆସୁଛନ୍ତି। ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ପ୍ରଦାନକୁ ସହଜ କରିବା ପାଇଁ ଆର୍‌ବିଆଇ ପର୍ଯ୍ୟାୟକ୍ରମେ ରେପୋ ହାର ହ୍ରାସ କରିଆସୁଛି, ଯାହାଫଳରେ ଲୋକମାନେ ଶସ୍ତା ଦରରେ ଋଣ ପାଇପାରିବେ ଏବଂ ଅଧିକ ଖର୍ଚ୍ଚ କରିପାରିବେ। ମାର୍ଚ୍ଚ ପୂର୍ବରୁ ହୋଇଥିବା ସମସ୍ତ ହ୍ରାସ ବିଭିନ୍ନ ଜିନିଷ କିଣାରେ ଜନସାଧାରଣଙ୍କ ଖର୍ଚ୍ଚ ବୃଦ୍ଧି କରିବା ଏବଂ ଶିଳ୍ପସଂସ୍ଥାଗୁଡ଼ିକର କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଗତ ଦୁଇମାସ ମଧ୍ୟରେ ହୋଇଥିବା ହ୍ରାସ କୋଭିଡ୍‌-୧୯ ଜନିତ ଝଟ୍‌କାକୁ ଲାଘବ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଗତବର୍ଷ ଫେବୃୟାରୀରୁ ରେପୋ ହାରରେ ମୋଟ କ୍ରମିକ ହ୍ରାସ ୨୦୦ ବେସିସ୍‌ ପଏଣ୍ଟରୁ ଅଧିକ ହୋଇଛି। ରେପୋ ରେଟ୍‌ରେ ଏପରି ବିରାଟ କାଟର ସୁଫଳ ଜନସାଧାରଣଙ୍କୁ ବାସ୍ତବରେ ସମ୍ପୂର୍ଣ୍ଣ ରୂପେ ମିଳିପାରି ନାହିଁ। ସଦ୍ୟତମ ହ୍ରାସ ପରେ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି। ବ୍ୟାଙ୍କଗୁଡିକ କ୍ଷତିରେ କଦାପି ଋଣ ଦିଅନ୍ତି ନାହିଁ। ବ୍ୟାଙ୍କଗୁଡ଼ିକ ତାଙ୍କ ପୁଞ୍ଜିର ଏକ ବଡ଼ ଅଂଶ ଲୋକମାନଙ୍କ ଜମାରୁ ଆଣିଥାନ୍ତି। ତେଣୁ ବ୍ୟାଙ୍କଗୁଡିକର ସୁଧ ହାର ସେମାନଙ୍କ ଜମା ହାର ସହିତ ସର୍ବଦା ଜଡିତ। ଜମା ସୁଧହାରରେ ଅନୁରୂପ ହ୍ରାସ ନ ହେବା ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଋଣ ସୁଧହାର କଦାପି ହ୍ରାସ କରିପାରିବେ ନାହିଁ। ଆମେ ଦେଖିଛୁ ସବୁବେଳେ ଜମା ହାରରେ ହ୍ରାସ ପୂର୍ବରୁ କିମ୍ବା ପରେ ରେପୋ ହାରରେ ହ୍ରାସ କରାଯାଏ। ମାର୍ଚ୍ଚ ୧୨ ତାରିଖରେ ଏସ୍‌ବିଆଇ ଏହାର ଜମା ସୁଧହାରରେ ୨୦ ପଏଣ୍ଟ ହ୍ରାସ କରିଛି। ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଜମା ହାରକୁ ମାର୍ଚ୍ଚ ସୁଦ୍ଧା ୭୦ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଜମା ସୁଧହାରରେ କୌଣସି ହ୍ରାସ କରାଗଲେ ତାହା ସିଧାସଳଖ ଜମାକାରୀ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବୃଦ୍ଧ ଓ ପେନସନଭୋଗୀ। ତେଣୁ ସରକାର ବୁଝିବା ଦରକାର ଯେ ବାରମ୍ବାର ରେପୋ ରେଟ୍‌ କମାଇବା ଦ୍ୱାରା ଏଭଳି ସଙ୍କଟ ସମୟରେ ଲୋକଙ୍କ ସମସ୍ୟା ଦୂର ହେବ ନାହିଁ। ସେଥିପାଇଁ ଏକ ଦୀର୍ଘକାଳୀନ ସ୍ଥାୟୀ ଉପାୟ ବାହାର କରିବାକୁ ପଡ଼ିବ।
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଛଅମାସର ଦୁଇଟି ମୋରାଟୋରିୟମ୍‌ ଘୋଷଣା ହେଉଛି ବ୍ୟାଙ୍କର ଏକ ଆତ୍ମ-ପରାଜୟମୂଳକ ରଣନୀତି। ପ୍ରଥମତଃ ଏହା ବ୍ୟାଙ୍କଗୁଡ଼ିକର ମେରୁଦଣ୍ଡକୁ ଭାଙ୍ଗିବ, କାରଣ ସେମାନେ ସେମାନଙ୍କ ଋଣରୁ ଆୟ ପାଇବା ବନ୍ଦ କରିବେ। ଏକ ବ୍ରୋକିଂ ହାଉସର ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ଯେ, ବ୍ୟାଙ୍କ ଅଫ୍‌ ବରୋଦାରୁ ଋଣ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୦ ପ୍ରତିଶତ ମୋରାଟୋରିୟମ୍‌ର ସୁବିଧା ଲାଭ କରିଥିବାବେଳେ ଏସ୍‌ବିଆଇ ପାଇଁ ଏହି ହାର ୨୦ ପ୍ରତିଶତ ରହିଛି। ଅଧିକାଂଶ ଋଣ ନେଇଥିବା ବ୍ୟକ୍ତି ମୋରାଟୋରିୟମ୍‌ ପରେ ବକେୟା ଇଏମ୍‌ଆଇ ପରିଶୋଧ କରିବେ କି ନା, କି ସେମିତି ଖିଲାପି ହୋଇ ରହିଯିବେ ତାହା କେହି ଜାଣନ୍ତି ନାହିଁ। ଯଦି ସେମିତି ହୁଏ, ତେବେ ଏହା ବ୍ୟାଙ୍କଗୁଡ଼ିକର ମେରୁଦଣ୍ଡ ଭାଙ୍ଗିଦେବ ଏବଂ ଏହା ସରକାରଙ୍କ ପାଇଁ ଏକ ନୂତନ ଦାୟରେ ପରିଣତ ହେବ। ଅତୀତରେ ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟିକସଦାତାଙ୍କ ଟଙ୍କା ବ୍ୟବହୃତ ହୋଇଥିଲା। ଦୁର୍ବଳ ବ୍ୟାଙ୍କଗୁଡିକୁ ପୁନଃପୁଞ୍ଜୀକୃତ କରିବା ପାଇଁ ପ୍ରତିବର୍ଷ କେନ୍ଦ୍ର ବଜେଟରେ ହଜାର ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଉଛି। ବ୍ୟାଙ୍କଗୁଡ଼ିକ ଟଙ୍କା ହରାଇବା ଦ୍ୱାରା ଯୋଗ୍ୟ ଋଣଗ୍ରହୀତା, କର୍ପୋରେଟ୍‌ ପ୍ରଭୃତିଙ୍କୁ ଋଣ ଦେବା ପାଇଁ ଅର୍ଥର ଅଭାବ ହେବ। ଗ୍ରାହକଙ୍କ ଦୃଷ୍ଟିରୁ ଦେଖିଲେ ମଧ୍ୟ ସେମାନେ ଏହିପରି ବଢ଼ାଯାଇଥିବା ମୋରାଟୋରିୟମ୍‌ରୁ କିଛି ଲାଭ ପାଇବେ ନାହିଁ। ମୋରାଟୋରିୟମ୍‌ର ଅର୍ଥ ହେଉଛି ବ୍ୟାଙ୍କଗୁଡିକ କେବଳ ଋଣଗ୍ରହୀତାମାନଙ୍କୁ ସେମାନଙ୍କ ମିଆଦୀ ଋଣରେ ଇଏମ୍‌ଆଇ ଦେବାରେ ବିଳମ୍ବ କରିବାକୁ ଅନୁମତି ଦେବା ଏବଂ ଏହି ବିଳମ୍ବକୁ ଡିଫଲ୍ଟ ବା ଖିଲାପି ଭାବେ ବିବେଚନା କରାଯିବ ନାହିଁ। ମାତ୍ର ମୋରାଟୋରିୟମ୍‌ ଅବଧି ସମାପ୍ତ ହୋଇଗଲେ, ଋଣ ନେଇଥିବା ବ୍ୟକ୍ତିମାନେ ପୂର୍ବ ଇଏମ୍‌ଆଇକୁ ସୁଧ ସହିତ ଭରିବାକୁ ବାଧ୍ୟ ହେବେ। ଯଦି ଋଣଗ୍ରହୀତାଙ୍କୁ ସୁଧ ଉପରେ ସୁଧ ଦେବାକୁ କୁହାଯିବ, ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବର୍ତ୍ତମାନ ସମସ୍ତେ ସନ୍ଦେହରେ ଅଛନ୍ତି ଯଦି ଲକ୍‌ଡାଉନ୍‌ ୫.୦ ଲାଗୁ ହୁଏ ତେବେ ଏହା କେତେ ଦିନ ଚାଲିବ। ସରକାର ଲକ୍‌ଡାଉନ୍‌ ନିୟମରେ ଅନେକ କୋହଳ କରିଛନ୍ତି, କିନ୍ତୁ ଏହା କୋହଳ ନ ହୋଇ ଯେତେ କଡ଼ାକଡ଼ି ହେଲେ ବି ଭୂତାଣୁ ସହ ଆମକୁ ବଞ୍ଚିବାକୁପଡ଼ିବ। ମହାମାରୀକୁ ରୋକିବା ପାଇଁ କୌଣସି ଟିକା ବା ଔଷଧ ବାହାରିବା ଉପରେ ନିଶ୍ଚିତତା ନ ଥିବାରୁ ଆମେ ପ୍ରକୃତରେ ଜାଣି ନାହୁଁ ଯେ ଆମେ କେତେ ଦିନ ଲକ୍‌ଡାଉନ୍‌ରେ ରହିବୁ ଏବଂ ଏପରି ପରିସ୍ଥିତିରେ ଆର୍‌ବିଆଇ ବା ସରକାର ବ୍ୟାଙ୍କଗୁଡ଼ିକୁ କେତେ ଥର ମୋରାଟୋରିୟମ୍‌ ପାଇଁ ଅନୁମତି ଦେବାକୁ କହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?