ଆଜିର ଅର୍ଥନୀତି/ ଜିଏସ୍‌ଟି ସରଳ କର

ସର୍ବ କ୍ଷମତାଶାଳୀ ଜିଏସ୍‌ଟି କାଉନ୍‌ସିଲ ବୈଠକ ବୁଧବାର ବସି ସ୍ଥିର କରାଗଲା ଯେ ବର୍ତ୍ତମାନ ଯାହା ଜିଏସ୍‌ଟି ଦର ଓ ସ୍ଲାବ୍‌ ରହିଛି ତାହା ଅପରିବର୍ତ୍ତିତ ରହିବ। ଏପରି ସମୟରେ ବୈଠକ ବସିଥିଲା, ଯେତେବେଳେ କି ରାଜସ୍ବ ଆୟ ଆଶାନୁରୂପ ହୋଇ ନ ଥିଲା ଏବଂ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଲୋକେ ବିଶ୍ୱାସ କରୁଥିଲେ ଯେ କାଉନ୍‌ସିଲ ଜିଏସ୍‌ଟି ଦର ଓ ସ୍ଲାବ୍‌ରେ ପରିବର୍ତ୍ତନ କରି ତାକୁ ବୃଦ୍ଧି କରିବ। କିନ୍ତୁ ଭଲ କଥା, ତାହା ସରକାର କରିନାହାନ୍ତି। କେନ୍ଦ୍ର ସରକାରଙ୍କ ଉପରେ ରାଜସ୍ବ ଚାପ ଅଧିକ ପଡ଼ୁଥିବା ମଧ୍ୟ ସରକାର ସ୍ବୀକାର କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରି ନାହିଁ। ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩,୨୮,୩୬୫ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟ ଥିଲା ୫,୨୬,୦୦୦ କୋଟି, ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟରୁ ୪୦ ପ୍ରତିଶତ ଜିଏସ୍‌ଟି କମ୍‌ ଆଦାୟ ହୋଇଛି। ସେଥିପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଏହି ବିଳମ୍ବ ପାଇଁ ରାଜ୍ୟଗୁଡ଼ିକରୁ ଚାପ ପଡ଼ିବା ପରେ ସରକାର ଚଳିତ ସପ୍ତାହ ପ୍ରାରମ୍ଭରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩୫,୨୯୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାର ପାଇଛନ୍ତି ୧,୦୪୬ କୋଟି ଟଙ୍କା। ଏହି ଟଙ୍କା ଗତ ଅଗଷ୍ଟ ମାସରୁ ମିଳିବାର ଥିବାବେଳେ ଯାହା ମିଳିଛି ତାହା ବହୁତ କମ୍‌ ଓ ବିଳମ୍ବରେ ମିଳିଛି। ରାଜ୍ୟଗୁଡ଼ିକୁ ଜିଏସ୍‌ଟି ଭାଗ ପ୍ରଦାନରେ ବିଳମ୍ବ ହେତୁ ଖର୍ଚ୍ଚ ହ୍ରାସ ପାଇଛି ଏବଂ ଚାହିଦା ବି ସଂକୁଚିତ ହୋଇଛି। ରାଜ୍ୟଗୁଡ଼ିକ ଯେଉଁ ଟିକସ ଆଦାୟ କରୁଥିଲେ ଜିଏସ୍‌ଟି ଲାଗୁ ହେବା ପରେ ତାହା ବନ୍ଦ ହୋଇଗଲା, ତାହାର କ୍ଷତିପୂରଣ ନିମିତ୍ତ ରାଜ୍ୟଗୁଡ଼ିକୁ ଆଦାୟ ଜିଏସ୍‌ଟିର ୧୪ ପ୍ରତିଶତ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସ୍ଥାନୀୟ ଟିକସ ଜିଏସ୍‌ଟି ସହ ମିଶିଯିବା ପରେ ସମ୍ବିଧାନ ସଂଶୋଧନ କରାଯାଇ ରାଜ୍ୟଗୁଡ଼ିକୁ ପ୍ରାରମ୍ଭିକ ବର୍ଷଗୁଡ଼ିକରେ କ୍ଷତିର ଭରଣା କରାଯିବ ବୋଲି କୁହାଯାଇଥିଲା। ତେବେ କେନ୍ଦ୍ର ସରକାର ଏକ ସାର୍ବଭୌମ ତ୍ରୁଟି କରିଛନ୍ତି। ଆଗାମୀ ଚାରିମାସ ଭିତରେ ମାସିକ ୧.୧ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହେବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରାଜସ୍ବ ସଚିବ ଟିକସ ଆଦାୟ ବୃଦ୍ଧି କରିବାକୁ ଅଫିସରମାନଙ୍କୁ କହିଛନ୍ତି। ବୁଧବାର ଅନୁଷ୍ଠିତ ହୋଇଥିବା ବୈଠକ ପୂର୍ବରୁ ଅର୍ଥନୀତିଜ୍ଞମାନେ ଜିଏସ୍‌ଟି ହାର ଓ ସ୍ଲାବ୍‌ରେ ବୃଦ୍ଧି କରାଯିବ ବୋଲି ଅନୁମାନ କରୁଥିଲେ। କିନ୍ତୁ ଟିକସ ବୃଦ୍ଧି କରାଗଲେ ଆର୍ଥିକ ମାନ୍ଦାବସ୍ଥା ସମୟରେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆହୁରି ଅଧିକ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା।
ସେଥିପାଇଁ ଜିଏସ୍‌ଟି କାଉନ୍‌ସିଲ ଜିଏସ୍‌ଟି ହାର ବୃଦ୍ଧି ନ କରିବା ପାଇଁ ନିଷ୍ପତ୍ତି ନେଲେ। ଏହା ଜିଏସ୍‌ଟି ହାରରେ ପରିବର୍ତ୍ତନ ନ କରି କେବଳ ଲଟେରି ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଦେଶ ସାରା ଲାଗୁ କରିବାକୁ ସୁପାରିସ କରିଛି। ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସ୍ବରୂପ କାଉନ୍‌ସିଲ ବାର୍ଷିକ ଜିଏସ୍‌ଟି ରିଟର୍ନ ଦାଖଲର ତାରିଖ ଜାନୁୟାରୀ ୩୧, ୨୦୨୦କୁ ଘୁଞ୍ଚାଇବା ସହିତ ଜୁଲାଇ ୨୦୧୭ରୁ ନଭେମ୍ବର ୨୦୧୯ ମଧ୍ୟରେ ରିଟର୍ନ ଦାଖଲ କରି ନ ଥିବା ଟିକସଦାତାଙ୍କ ଉପରୁ ବିଳମ୍ବଜନିତ ଦେୟ ଛାଡ଼ କରିଛନ୍ତି। କିନ୍ତୁ କାଉନ୍‌ସିଲ ବୁଣାହୋଇଥିବା ଓ ବୁଣାହୋଇ ନ ଥିବା ବ୍ୟାଗ୍‌ ଉପରେ ଜିଏସ୍‌ଟି ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଶିଳ୍ପ ପାର୍କ ପ୍ରତିଷ୍ଠାକୁ ସୁଯୋଗ ଦେବା ଲାଗି ଶିଳ୍ପ ଜମିଗୁଡ଼ିକର ଦୀର୍ଘକାଳୀନ ଲିଜ୍‌ ଉପରେ କାଉନ୍‌ସିଲ ଟିକସ ଛାଡ଼ କରିଛନ୍ତି। ଯାହା କୁହାଯାଉ ବା କରାଯାଉ ନା କାହିଁକି ଜିଏସ୍‌ଟି କାଉନ୍‌ସିଲ ବୁଧବାର ବୈଠକରେ ବ୍ୟବସାୟୀଙ୍କ ଉପରେ ଟିକସ ବୋଝ ବୃଦ୍ଧି କରିନାହାନ୍ତି, ଯାହା ସ୍ବାଗତଯୋଗ୍ୟ।
କିନ୍ତୁ ସରକାର ଜିଏସ୍‌ଟି ଉପରେ ଅଧିକ କିଛି କରିବାର ଆବଶ୍ୟକତା ରହିଛି। କାଉନ୍‌ସିଲ ଜିଏସ୍‌ଟିର ବ୍ୟବସ୍ଥା ଓ ଢାଞ୍ଚାର ସରଳୀକରଣ କରିବେ ବୋଲି ଆମେ ଆଶା କରୁଛୁ। ତାହାର ଗୋଟିଏ ଉପାୟ ହେଉଛି ଜିଏସ୍‌ଟିର ସ୍ଲାବ୍‌ ସଂଖ୍ୟା କମାଇ ତାରି ଭିତରେ ଜିଏସ୍‌ଟି ହାରର ସମେକନ କରିବା। ତା’ ସହ କାଉନ୍‌ସିଲ ଟିକସ ବୋଝ ଲଦିବା ପରିବର୍ତ୍ତେ ଟିକସ ଠକାମିକୁ ରୋକିବା ଉପରେ ଗୁରୁତ୍ୱ ଦେଇ ଜିଏସ୍‌ଟି ଆଦାୟକୁ ସୁନିଶ୍ଚିତ କରିବା ଦରକାର। ବୈଷୟିକ ବିଦ୍ୟାର ଉପଯୋଗ କରି କାଉନ୍‌ସିଲ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଆଗାମୀ ବଜେଟରେ ସରକାର ବ୍ୟକ୍ତିଗତ ଆୟକର କୋହଳ କରିବା କଥା ଚିନ୍ତା କରୁଥିବା ସୂଚନା ମିଳିଛି। ଉଦ୍ଦେଶ୍ୟ ହେଉଛି ଟିକସଦାତାଙ୍କ ହାତରେ ଯେପରି ଖର୍ଚ୍ଚ କରିବା ପାଇଁ ଅଧିକ ଟଙ୍କା ରହେ ତା’ର ବ୍ୟବସ୍ଥା କରିବା। ଏହିପରି ସମୟରେ ଲୋକଙ୍କ ଉପରେ ଅଧିକ ଟିକସ ବୋଝ ଲଦିଲେ ତାହା କୁଫଳ ପ୍ରଦାନ କରିପାରେ, ଯାହା କି ସରକାର ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri