ଅସୁରକ୍ଷିତ ମାନବାଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ବାଧୀନତା, ଆତ୍ମସମ୍ମାନ, ସମାନତା, ସ୍ବାଧୀନ ଚିନ୍ତା ପରି ମୂଲ୍ୟବୋଧ ଉପରେ ଆଧାରିତ ଏହି ଅଧିକାରଟି ଜଣେ ମଣିଷର ଜନ୍ମସିଦ୍ଧ ଅଧିକାର, ଯାହାକୁ ତା’ଠାରୁ କଦାପି ବିଚ୍ଛିନ୍ନ କରାଯାଇ ନ ପାରେ। କିନ୍ତୁ ଅନେକ କ୍ଷେତ୍ରରେ ମଣିଷକୁ ତା’ର ଏହି ଅଧିକାରରୁ ବଞ୍ଚିତ କରାଯାଉଛି।
ଶାସକ ଶ୍ରେଣୀର ଶୋଷଣ ଓ ନିର୍ଯାତନାରୁ ମୁକ୍ତ ହୋଇ ଏକ ସ୍ବାଧୀନ ତଥା ସମ୍ମାନଜନକ ଜୀବନ ଯାପନ ପାଇଁ ମଣିଷର ଆକାଂକ୍ଷା ଓ ସଂଗ୍ରାମ ହିଁ ବିଶ୍ୱରେ ମାନବିକ ଅଧିକାରର ଧାରଣାଟିକୁ ଜନ୍ମ ଦେଇଛି। ବିଶେଷ କରି ୟୁରୋପରେ ଶିଳ୍ପବିପ୍ଳବ ସମୟରେ ସମାଜରେ ସାମନ୍ତବାଦୀ ଶାସନ ବିରୋଧରେ ଯେଉଁ ବିଦ୍ରୋହ ସୃଷ୍ଟି ହୋଇଥିଲା ତା’ର ଅନ୍ତରାଳରେ ଥିଲା ମାନବିକ ଅଧିକାରର ଧାରଣା। କିନ୍ତୁ ସେମାନଙ୍କ ସେହି ଅଧିକାର ମଧ୍ୟରେ ଲୋକଙ୍କର ଅର୍ଥନୈତିକ ଅଧିକାରଟି ସ୍ଥାନ ପାଇପାରି ନ ଥିଲା। ବିଶ୍ୱରେ ଶ୍ରମିକ ଶ୍ରେଣୀର ଆନ୍ଦୋଳନ ଗତିଶୀଳ ହେବା ପରେ ବିଶେଷ କରି ରୁଷର ସମାଜବାଦୀ ବିପ୍ଳବ ପରେ ହିଁ ଅର୍ଥନୈତିକ ଅଧିକାର ବି ମାନବିକ ଅଧିକାର ଭାବେ ସ୍ବୀକୃତି ଲାଭ କଲା।
ବିଶ୍ୱରେ ମାନବିକ ଅଧିକାରର ଧାରଣାଟି ପୁରୁଣା ହେଲେ ବି ତା’ ଉପରେ ଆନୁଷ୍ଠାନିକ ଆଲୋଚନା ବେଶି ପୁରୁଣା ନୁହେଁ। ବିଶେଷ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଟି କୋଟି ସାଧାରଣ ମଣିଷଙ୍କ ଉପରେ ହୋଇଥିବା ଅତ୍ୟାଚାର, ହତ୍ୟାର ଲୋମହର୍ଷଣକାରୀ ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ମାନବିକ ଅଧିକାର ନେଇ ଆଲୋଚନାକୁ ବ୍ୟାପକ କରିବା ସହିତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଦେଶଗୁଡ଼ିକୁ ବାଧ୍ୟ କରିଥିଲା। ଏହି କ୍ରମରେ ୧୯୪୮ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଆହୂତ ବୈଠକରେ ବିଶ୍ୱର ଅନେକ ଦେଶର ମୁଖ୍ୟ ଅଂଶଗ୍ରହଣ କରି ମାନବିକ ଅଧିକାରର ସୁରକ୍ଷା ପାଇଁ ଏକ ସାର୍ବଜନୀନ ଘୋଷଣା ପତ୍ରରେ ସ୍ବାକ୍ଷର କରିବା ସହିତ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ମାନବ ଅଧିକାର ଦିବସ ରୂପେ ପାଳନ କରିବାକୁ ସହମତି ହୋଇଥିଲେ।
ଆମଦେଶରେ ମଧ୍ୟ ମାନବିକ ଅଧିକାରର ଧାରଣାଟି ସର୍ବପ୍ରଥମେ ଉପନିବେଶ ବିରୋଧୀ ସଂଘର୍ଷ ମଧ୍ୟରୁ ଜନ୍ମ ନେଇଥିଲା। ବ୍ରିଟିଶ ଶାସନ ଦ୍ୱାରା ସ୍ବାଧୀନତା ଆନ୍ଦୋଳନ ଉପରେ ବ୍ୟାପକ ଦମନ, ରାଓଲଟ୍‌ ଆଇନ, ଧାରା ୧୪୪, ଦେଶଦ୍ରୋହ ପରି କଳା ଆଇନର ପ୍ରଣୟନ ଜନଗଣ ବିଶେଷ କରି ଶିକ୍ଷିତ ଭାରତୀୟଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା।
୧୯୪୭ରେ ବ୍ରିଟିଶମାନେ ଯିବା ପରେ ଦେଶରେ କ୍ଷମତାସୀନ ଶାସକମାନେ କେବଳ ବ୍ରିଟିଶ ସରକାରର ପୋଲିସ, ସେନା ଓ ପ୍ରଶାସନ ପରି ଦମନକାରୀ ରାଷ୍ଟ୍ରଯନ୍ତ୍ରକୁ ଅବ୍ୟାହତ ରଖିଲେନି ବରଂ ସେମାନଙ୍କ କଳା ଆଇନ ଓ ଦମନ ନୀତିକୁ ଗୋଟାପଣେ ଆପଣେଇବା ଦେଖିବାକୁ ମିଳିଲା। ପୂର୍ବଭଳି ଦେଶଦ୍ରୋହ ଆଇନ ପରି ସବୁ କଳା ଆଇନକୁ ଅବ୍ୟାହତ ରଖିବା ସହ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫ୍‌ସ୍ପା, ଜାତୀୟ ନିରାପତ୍ତା ଆଇନ, ପବ୍ଳିକ୍‌ ସେଫ୍ଟି ଆଇନ, ପ୍ରତିଷେଧକମୂଳକ ଅଟକ ଆଇନ, ପୋଟା ବା ସେପରି ଭଳିକି ଭଳି କଳା ଆଇନ ତିଆରି କରି ତା’ ଜରିଆରେ ଜନଗଣଙ୍କ ଉପରେ ଦମନକୁ ବଢ଼ାଇବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରର କଣ୍ଠରୋଧ କଲେ। ନିକଟରେ ଏନ୍‌ଆଇଏ ଆଇନ ଓ ୟୁଏପିଏ ଆଇନରେ ସଂଶୋଧନ କରି ତାକୁ ଅଧିକ କଠୋର କରି ପୋଲିସର କ୍ଷମତାକୁ ବଢ଼ାଇବା ଏହି ପ୍ରକ୍ରିୟାର ହିଁ ଅଂଶ ବିଶେଷ ବୋଲି କୁହାଯାଇପାରେ। ଅତୀତରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀ ପରିସ୍ଥିତିର ଘୋଷଣା ଏବଂ ବିରୋଧୀ ରାଜନୈତିକ କର୍ମୀ ଓ ଗଣମାଧ୍ୟମ ଉପରେ ରାଷ୍ଟ୍ର ପ୍ରାୟୋଜିତ ଦମନ ଏକ ଦେଶରେ ମାନବିକ ବା ନାଗରିକ ଅଧିକାର ଉପରେ ଆକ୍ରମଣର ଏକ ବଡ଼ ଘଟଣା ଥିଲା। ସେତେବେଳେ ରାଷ୍ଟ୍ର ସନ୍ତ୍ରାସ ବିରୋଧରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନ ବ୍ୟାପକ ହେବା ସହ ପ୍ରଥମ ଥର ପାଇଁ ଦେଶରେ ଏକ ମାନବିକ ଅଧିକାର ସଂଗଠନ ପିୟୁସିଏଲ୍‌ ଗଠିତ ହୋଇଥିଲା।
ଦିନଥିଲା ମାନବିକ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ ବୁଝାଯାଉ ଥିଲା। କିନ୍ତୁ ସମାଜର ବିକାଶ ସହିତ ମାନବିକ ଅଧିକାରର ଏହି ପରିଭାଷା ଓ ପରିସୀମା ମଧ୍ୟ ବଦଳି ଅଧିକ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ ଅଧିକାର, ବାସଗୃହ ଅଧିକାର, ପ୍ରଦୂଷଣମୁକ୍ତ ପରିବେଶର ଅଧିକାର, ଲିଙ୍ଗଗତ ବିଭେଦରୁ ମୁକ୍ତିର ଅଧିକାର, ଜାତିଗତ ନିର୍ଯାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁ ଅଧିକାର ଏପରି କି ସମଲିଙ୍ଗୀମାନଙ୍କ ଅଧିକାର ବି ମାନବିକ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ସୀମାକୁ ପ୍ରସାରିତ କରିପାରିଛି।
ତେବେ ଆଜି ଆମ ଦେଶରେ ମାନବିକ ଅଧିକାରର ସ୍ଥିତି ଉଦ୍‌ବେଗଜନକ। ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟସେବା ପରି ମାନବିକ ଅଧିକାର କ୍ଷେତ୍ରରେ ଆମେ ବିଶ୍ୱର ଅନେକ ପଛୁଆ ଦେଶଠାରୁ ବି ପଛରେ ରହିଛୁ। ନିକଟରେ ଆନ୍ତର୍ଜାତିକ ମାନବିକ ଅଧିକାର ସଂସ୍ଥା ‘ହ୍ୟୁମାନ ରାଇଟସ୍‌ ୱାଚ୍‌’ର ରିପୋର୍ଟ ଅନୁସାରେ ଭାରତରେ ମାନବିକ ଅଧିକାର ଅତି ଭୟଙ୍କର ସ୍ଥିତିରେ ରହିଛି। ଦେଶରେ ଅନେକ କଳା ଆଇନ ଅବ୍ୟାହତ ଥିବା ବେଳେ ପୋଲିସ ଏବଂ ସାମରିକ ବାହିନୀ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନର ହଜାର ହଜାର ଘଟଣା ସାମନାକୁ ଆସୁଛି। ଅନ୍ୟପଟେ ଦେଶରେ ପୋଲିସ ଓ ସେନା ହାଜତରେ ହତ୍ୟା ଘଟଣା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ମାଓବାଦୀ ଓ ଉଗ୍ରବାଦୀ ନାଁରେ ଅବିଚାରିତ ଗିରଫଦାରି ଏବଂ ଏନ୍‌କାଉଣ୍ଟରରେ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ନିକଟରେ ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ହେପାଜତରେ ଥିବା ଚାରିଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ନାଁରେ ହତ୍ୟା କରିବା ପୋଲିସ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନର ସଦ୍ୟତମ ଉଦାହରଣ।
(ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ)
ମୋ- ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?