ଅଣସରରେ ଜନତା

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ସର୍ବଶ୍ରେଷ୍ଠ ଚତୁର,ବୁଦ୍ଧିମାନ ଓ ସାମାଜିକ ପ୍ରାଣୀ। ଈଶ୍ୱର ସୃଷ୍ଟି ସମୟରେ ମଣିଷକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କେବଳ ଉପଭୋଗ କରିବା ପାଇଁ ଦେଇଛନ୍ତି ଓ ସେଥିରେ ମଧ୍ୟ ଏକ ପରିସୀମାକୁ ରେଖାଙ୍କିତ କରିଛନ୍ତି, ମାତ୍ର ଚତୁର ମଣିଷ ଉପଭୋଗର ବାସ୍ନାରେ କର୍ତ୍ତବ୍ୟକୁ ଭୁଲିଯାଇ ପ୍ରକୃତିକୁ ଅତ୍ୟନ୍ତ ନିଷ୍ଠୁର ଭାବରେ ବିଦାରିତ କରିଚାଲିଲା। ସୃଷ୍ଟିର ପ୍ରାରମ୍ଭରେ ମନୁଷ୍ୟ ପ୍ରଥମେ ପୃଥିବୀ ମଧ୍ୟରେ ଥିବା ସମସ୍ତ ସୃଷ୍ଟିକୁ ଯଥାଯୋଗ୍ୟ ବ୍ୟବହାର କରୁଥିଲା, ମାତ୍ର ସମୟର ପରିବର୍ତ୍ତନରେ ନିଜର ସାର୍ଥକୁ ହାସଲ କରିବା ପାଇଁ ମଣିଷ ନିଜର ଆଧିପତ୍ୟକୁ ଧୀରେ ଧୀରେ ଅନ୍ୟମାନଙ୍କ ଉପରେ ବିସ୍ତାର କରିଚାଲିଲା। ପୃଥିବୀରେ ଥିବା ଜଳ, ସ୍ଥଳ, ଆକାଶ, ପାତାଳ ଇତ୍ୟାଦିକୁ ବ୍ୟବହାର କରି ସେଥିରୁ ନିଜର ସାର୍ଥସାଧନ କଲା। କ୍ରମେ ବ୍ୟବହାରରୁ ଆରମ୍ଭ ହେଲା ଅପବ୍ୟବହାର। ମଣିଷ ଭୂତଳ ଜଳକୁ ଅପବ୍ୟବହାର କଲା, ଭୂପୃଷ୍ଠ ଜଳକୁ ଅପବ୍ୟବହାର କଲା, ସୃଷ୍ଟିକୁ ଜୀବନ୍ତ ରଖିଥିବା ଜଙ୍ଗଲକୁ ଧଂସ କଲା, ରାସାୟନିକ ପଦାର୍ଥକୁ ବ୍ୟବହାର କରି ଅଧିକ ଅମଳ ନାଁରେ ଜଳବାୟୁକୁ ଧଂସ କଲା, ସୁରକ୍ଷା ନାଁରେ ରାସାୟନିକ କ୍ଷେପଣାସ୍ତ୍ର ପରୀକ୍ଷଣର ପ୍ରତିଯୋଗିତା କରିଚାଲିଲା ଓ ପରିଶେଷରେ ଜୀବଜନ୍ତୁ, କୀଟପତଙ୍ଗ,ପକ୍ଷୀ,ସରୀସୃପ ଆଦିଙ୍କ ଉପରେ ଅତ୍ୟାଚାର କରି ଧଂସ କରିବାକୁ ଆଗେଇଚାଲିଲା, ଯାହାର ପ୍ରତିଫଳନ ହେଉଛି ‘କରୋନା’ ଭୂତାଣୁ।
‘କରୋନାଦ’ ହେଉଛି ଏକ ଲାଟିନ ଶବ୍ଦ, ଯାହାର ଅର୍ଥ ହେଉଛି ଶୀର୍ଷ । ଏହାର ମୁଖ୍ୟ ପ୍ରତିକ୍ରିୟା ହେଉଛି ମନୁଷ୍ୟର ଶାସକ୍ରିୟାରେ ଭୂତାଣୁଗୁଡିକ ବାଧା ସୃଷ୍ଟି କରିଥାନ୍ତି ଓ ଏହା ଧୀରେ ଧୀରେ ସଂପୂର୍ଣ୍ଣ ଶରୀରରେ ସଂକ୍ରମିତ ହୋଇ ମଣିଷର ଶାସକ୍ରିୟାକୁ ବନ୍ଦ କରିଥାଏ, ଫଳରେ ମଣିଷର ମୃତ୍ୟୁ ହୋଇଥାଏ। ଏସିଆ ମହାଦେଶର ଚାଇନାର ଉହାନ ସହର ହେଉଛି ସର୍ବଶ୍ରେଷ୍ଠ ଜୀବଜନ୍ତୁର ବଜାର, ଯେଉଁଠାରେ ୧୧୨ ପ୍ରକାରରୁ ଊର୍ଦ୍ଧ୍ୱ ଜୀବଜନ୍ତୁକୁ ଜିଅନ୍ତା ଓ ମୃତ ଅବସ୍ଥାରେ ବିକ୍ରି କରାଯାଇଥାଏ। ଏଠାରେ ସାପ, ବେଙ୍ଗ, ଝିଟିପିଟିଠାରୁ ଆରମ୍ଭ କରି ମୂଷା, ଗୋରୁ, ଗଧ ଆଦି ପଶୁମାନଙ୍କ ମାଂସ ଚାଇନାବାସୀ ଅତି ଆନନ୍ଦରେ ତାହାକୁ ଭକ୍ଷଣ କରିଥାନ୍ତି। ଏହା ମଣିଷର ପଶୁପକ୍ଷୀ, ସରୀସୃପମାନଙ୍କ ପ୍ରତି କ୍ରୂରତାର ଖେଳ, ଯାହାର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରେ। ଯେତେବେଳେ ଦୁର୍ବଳ ଉପରେ ଅତ୍ୟାଚାର ବଢି ଚାଲେ ସେତେବେଳେ କିଛି ନା କିଛି ଅଘଟଣ ଆପେ ଆପେ ଘଟିଥାଏ, ଯାହା ହେଲା ଚାଇନାର ଉହାନ ସହରରେ ନିରୀହ ପଶୁପକ୍ଷୀ, ସରୀସୃପମାନଙ୍କୁ ବଧ କରି ମଣିଷ ନିଜର ଇନ୍ଦ୍ରିୟ ଲାଳସାକୁ ଚରିତାର୍ଥ କଲା ସତ, ହେଲେ ସମଗ୍ର ବିଶ୍ୱ ବର୍ତ୍ତମାନ କରୋନାର ଶିକାର ହେଲା। ବିଶ୍ୱରେ ବହୁ ଧନ ଜୀବନ ନଷ୍ଟ ହେଲା। ବିଶ୍ୱର ପ୍ରତି ଦେଶର ଅର୍ଥନୀତି ଅବସ୍ଥା ଗୁରୁତର ହେଲାଣି।
ଜୀବଜଗତରେ ବିଶେଷତଃ ତିନି ପ୍ରକାରର ପ୍ରାଣୀ ଦେଖାଯାଇଥାଏ ଓ ସେଗୁଡିକ ହେଲା- ଶାକାହାରୀ (ହର୍ଭିଭୋରସ) ବା ଯେଉଁମାନେ ଜୀବ ଜନ୍ତୁମାନଙ୍କୁ ନ ଖାଇ ତୃଣ ଓ ନିରାମିଷ ଖାଦ୍ୟ ଖାଇଥାନ୍ତି, ଅନ୍ୟ ପ୍ରକାରର ପ୍ରାଣୀ ହେଉଛନ୍ତି ଜୀବଜନ୍ତୁ ଭକ୍ଷଣ କରୁଥିବା ପ୍ରାଣୀ ବା ଯାହାକୁ କୁହାଯାଏ (କାର୍ନିଭୋରସ) ଓ ତୃତୀୟ ପ୍ରକାରର ପ୍ରାଣୀ ହେଉଛନ୍ତି ଉଭୟ ପ୍ରକାରର ଖାଦ୍ୟ ଯେଉଁମାନେ ଭକ୍ଷଣ କରିଥାନ୍ତି(ଅମିନୀଭୋରସ)। ତେଣୁ କରୋନା ଭୂତାଣୁ ହେଉଛି ଉକ୍ତ ଜୀବଜନ୍ତୁ ଭକ୍ଷଣ କରୁଥିବା (କାର୍ନିଭୋରସ) ପ୍ରାଣୀମାନଙ୍କର ନିଷ୍ଠୁର ମାନବ ସଭ୍ୟତା ପ୍ରତି ଉପହାର। ସୃଷ୍ଟିକୁ ସନ୍ତୁଳିତ କରୁଥିବା ଜୀବଜନ୍ତୁ ପ୍ରତି ନିର୍ଦ୍ଦୟର ସ୍ବରୂପ ହେଉଛି କରୋନା ଭୂତାଣୁ। ଯେଉଁ ଜୀବଜନ୍ତୁମାନଙ୍କୁ ଭକ୍ଷଣ କରି ମନୁଷ୍ୟ ଆନନ୍ଦିତ ହେଉଥିଲା ସେଇ ଜୀବଜନ୍ତୁମାନଙ୍କର ସୂକ୍ଷ୍ମ ଅଂଶରେ ସାରା ବିଶ୍ୱ ଥରହର। ଏଥିରୁ ଶିକ୍ଷା ହୋଇଥାଏ ଯେ ଦୁର୍ବଳ ପ୍ରତି ମଧ୍ୟ ସବଳ ଅନ୍ୟାୟ କଲେ ଦିନେ ନା ଦିନେ ତାହାର ପ୍ରତିଫଳନ ଭୋଗ କରିବାକୁ ପଡିବ। ସେଥିପାଇଁ ଇନ୍ଦ୍ରିୟ ସଂଯମତା ଓ ପ୍ରକୃତିକୁ ସମ୍ମାନ ଦେବାକୁ ପଡିବ। ସନ୍ତୁଳିତ ଖାଦ୍ୟ ଓ ପରିମିତ ଆହାର ହେଉଛି ସୁସ୍ଥ ଜୀବନର ରୂପରେଖ। ଏକ ବିଂଶ ଶତାବ୍ଦୀରେ ଯେତେବେଳେ ମନୁଷ୍ୟ ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ଉପଗ୍ରହମାନଙ୍କରେ ପାଦ ଥାପିବା ପାଇଁ ତତ୍ପର ସେହି ଶତାବ୍ଦୀରେ ମଣିଷକୁ ଖାଦ୍ୟର ସଚେତନତା ଓ ପରିଷ୍କାର ପରିଚ୍ଛନ୍ନତାର ଶିକ୍ଷା ମଣିଷକୁ ଜ୍ଞାନର ଆଲୋକ ଦେଖାଇବା ଭଳି ମନେହୁଏ। ସାମାନ୍ୟ ପରିଷ୍କାର ପରିଚ୍ଛନ୍ନତା ଶିକ୍ଷାରୁ ମନେହୁଏ ମଣିଷ ସୃଷ୍ଟିରୁ ଆହୁରି ବହୁତ ଶିକ୍ଷା କରିବାର ସମୟ ଆସିଛି। ଶ୍ରୀମଦ୍‌ଭଗବଦ୍‌ ଗୀତାର ସପ୍ତଦଶ ଅଧ୍ୟାୟରେ ଖାଦ୍ୟର ପ୍ରକାର ଭେଦ ଓ କେଉଁ ଖାଦ୍ୟ ଉଚିତ ଓ ଅନୁଚିତ ତାହା ବିଶଦ୍‌ ଭାବରେ ମଣିଷର ସୁସ୍ଥ ଜୀବନଯାପନ ପାଇଁ ବର୍ଣ୍ଣନା କରାଯାଇଅଛି। ତେଣୁ ଖାଦ୍ୟ ହେଉଛି ମଣିଷର ସ୍ବାସ୍ଥ୍ୟ ଓ ମସ୍ତିଷ୍କ ଉନ୍ନତିର ଆଧାର। ଖାଦ୍ୟର ପ୍ରକାର ଭେଦ ଓ ଶୈଳୀ ଯେଉଁଭଳି ହେବ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ହେବ, ଯାହା ବୈଦିକ ନୀତି ଦ୍ୱାରା ଗୃହୀତ ଓ ବିଜ୍ଞାନ ସମ୍ମତ।
ସମୟର ସଦୁପଯୋଗ ବାହାନାରେ ପ୍ରକୃତି ପ୍ରତି ସମ୍ବେଦନଶୀଳ ନ ହୋଇ ପ୍ରକୃତି ସହ ଯୁଦ୍ଧ କଲେ ମଣିଷର ହାରିବା ସୁନିଶ୍ଚିତ ବରଂ ପ୍ରକୃତିକୁ ଯଥା ଯୋଗ୍ୟ ସମ୍ମାନ ଦେଇ ସଂଯମ ଓ ଆତ୍ମସଂଯମ ହୋଇ ପରିବେଶ, ପ୍ରକୃତିରେ ସମସ୍ତଙ୍କୁ ସମାନ ଅଧିକାର ଦେଇ ଦୁର୍ବଳକୁ ଅତ୍ୟାଚାର ନ କରି ସହଯୋଗର ହାତ ବଢାଇଲେ ସମସ୍ତେ ସୁଖ ଶାନ୍ତିରେ ବାସ କରିପାରିବେ। କରୋନା ବା କରୋନା ଭଳି ଅଧିକ ବିପଜ୍ଜନକ ଭୂତାଣୁର ଉତ୍ପତ୍ତିକୁ ନିରାକରଣ କଲେ ଭୂତାଣୁର ମୁକାବିଲା କରିବାକୁ ଦରକାର ହୁଅନ୍ତା ନାହିଁ। ବର୍ତ୍ତମାନ ସାରା ବିଶ୍ୱକୁ ଗୋଟିଏ ମାତ୍ର ଭୟ ତାହା ହେଉଛି ପରିବେଶ ଓ ଭୂତାଣୁ । ମୂଷା ଦ୍ୱାରା ଭୂତାଣୁ, କୁକୁଡା ଦ୍ୱାରା ଭୂତାଣୁ, ଘୁଷୁରି ଦ୍ୱାରା ଭୂତାଣୁ, ମଶା ଦ୍ୱାରା ଭୂତାଣୁଗୁଡିକ ମଣିଷକୁ ପ୍ରତିଶୋଧ ପରାୟଣ ଭଳି ଆକ୍ରାନ୍ତ କରୁଅଛି। ଶରୀରରେ ପ୍ରତିରୋଧକ ଶକ୍ତି ମାତ୍ରା ଯଦି ସୁଷମ ଖାଦ୍ୟ ଦ୍ୱାରା ସନ୍ତୁଳିତ ହୁଏ ତେବେ ଉକ୍ତ ଭୂତାଣୁଗୁଡିକ ଆକ୍ରାନ୍ତରୁ ଆମେ ହୁଏତ ରକ୍ଷା ପାଇପାରିବା, ତେଣୁ ଏଥିପାଇଁ ଦରକାର ପରିମିତ ସନ୍ତୁଳିତ ଆହାର ଓ ସୁସ୍ଥ ପରିବେଶ। ମଣିଷ ଅନୁସରଣ, ଅନୁକରଣ, ଅନୁଶୀଳନ ଓ ଅନୁଭବରୁ ଶିକ୍ଷାଲାଭ କରିଥାଏ ଓ କରୋନା ହେଉଛି ମଣିଷ ସମାଜକୁ ପରିମାର୍ଜିତର ଏକ ଚେତାବନୀ। ସମୟ ଆସିଛି ମନୁଷ୍ୟ ସମାଜକୁ ପ୍ରକୃତି ନିକଟରୁ ଶିକ୍ଷାକରି ପ୍ରକୃତି ସହ ବନ୍ଧୁତା କରି ଉଚିତ ମାର୍ଗରେ ଜୀବନ ଅତିବାହିତ କରିବାକୁ। କରୋନାରୁ ଯଦି ଆମେ କିଛି ଶିକ୍ଷା ନ କରିପାରିବା ତେବେ ସମଗ୍ର ବିଶ୍ୱରେ ଭୂତାଣୁର ଜୟ ହେବ ଓ ସୃଷ୍ଟିର ବୁଦ୍ଧିମାନ ଚତୁର ମଣିଷ କରୋନା ଦ୍ୱାରା ଶେଷ ହୋଇଯିବ। ଜୀବଜନ୍ତୁ, ପଶୁପକ୍ଷୀ, ସରୀସୃପଙ୍କ ନିକଟରୁ ସୃଷ୍ଟି ହୋଇଥିବା ଭୂତାଣୁ ମଣିଷ ସମାଜକୁ ଏକପ୍ରକାର ଏକଘରିଆ କରି ମଣିଷର ଅହଂକାର ଓ ଔଦ୍ଧତ୍ୟକୁ ଧଂସ କରିବାକୁ ବସିଲାଣି। ବର୍ତ୍ତମାନ ମଣିଷ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଅତୀତକୁ ବିଶ୍ଳେଷଣ କରିବାକୁ ସଜାଗ ହେଉଛି। ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ସ୍ବାସ୍ଥ୍ୟ ଯେତେବେଳେ ଠିକ ନ ଥାଏ ସେତେବେଳେ ସେ ଭକ୍ତମାନଙ୍କୁ ସାକ୍ଷାତ ନ କରି ଅଣସରରେ ଥା’ନ୍ତି ।
ବର୍ତ୍ତମାନ ସମଗ୍ର ବିଶ୍ୱବାସୀ ଜଗନ୍ନାଥଙ୍କର ଅଣସର ନୀତିକୁ ପାଥେୟ କରିବାର ସମୟ ଆସିଛି। ଅଣସରରେ ରହି ଯେପରି ନିଷ୍ଠା କରାଯାଏ, ବର୍ତ୍ତମାନ ଜନତା ତାହା କରିବା ଉଚିତ। ଦୃଷ୍ଟାନ୍ତରୁ ମଣିଷର ଶିକ୍ଷା ହୋଇଥାଏ ଓ ଶିକ୍ଷାକୁ କାର୍ଯ୍ୟକାରୀ କଲେ ତାହାର ସଫଳ ରୂପାୟନ ମିଳିଥାଏ। ତେଣୁ ‘କରୋନା’ରୁ ‘କରନା’ ହେଉଛି ଆମ ପାଇଁ ଏକ ଶିକ୍ଷା, ଯାହା ଦ୍ୱାରା ଆମେ ସଂଶୋଧିତ ହୋଇ ଭୂତାଣୁର ଉତ୍ପତ୍ତିକୁ ଏଡାଇ ଦେଇପାରିବା। ଏଥିପାଇଁ ଦରକାର କେବଳ ଖାଦ୍ୟ ସଂଯମତା ଓ ପ୍ରକୃତି ପ୍ରତି ଉଦାର କର୍ତ୍ତବ୍ୟ ଓ ଅଣସର ନିଷ୍ଠା।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ୟୁନିଟ-୪, ଭୁବନେଶ୍ୱର
ମୋ-୯୯୩୭୩୪୫୯୦୦
satyanarayan-mishra2003@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?