ଅଗଷ୍ଟ ପନ୍ଦର ଯିବା ପରେ

ବିଚିତ୍ର ବିଶ୍ୱାଳ
ଓଡ଼ିଆରେ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତ ଥିଲା ‘ହେ ଫଗୁଣ ତୁମେ ଯିବା ପରେ ଅନେକ ଯାତନା ଏଠି’। ଠିକ୍‌ ସେମିତି ଅଗଷ୍ଟ ପନ୍ଦର ଯିବା ପରେ ପରେ ଦେଶର ଶାସକ ଓ ଜନସାଧାରଣଙ୍କ ସାମୟିକ ଦେଶଭକ୍ତିର ମୁଖା ତଳୁ ଉକୁଟି ଉଠେ ସ୍ବ-ଭକ୍ତି ଓ ନିଜ ସ୍ବାର୍ଥ ସାଧନର ଅସଲ ଚେହେରା। ସ୍ବାଧୀନତା ରୂପକ ସ୍ବପ୍ନର ଚିକ୍‌ମିକିଆ ଜରି ପୋଷାକଟା ଖସିଯାଇ ଆଖି ଆଗରେ ଝଲସି ଉଠେ ଦୁର୍ଭାଗ୍ୟର ନଗ୍ନ ବାସ୍ତବତା, ଯେଉଁଥିରେ ଏତେ ଟିକେ ବି ସ୍ବାଧୀନତାର ଚିହ୍ନ ନ ଥାଏ। ଅଗଷ୍ଟ ପନ୍ଦର ଦିନ ସକାଳେ ଯେଉଁସବୁ ପ୍ରତିଶ୍ରୁତିର ବନ୍ୟା ଆସେ ସଞ୍ଜ ହେଉ ହେଉ ତାହା ପ୍ରତାରଣାର ଶୁଖିଲା ଖଡ୍‌ଖଡ୍‌ ଭୂଇଁରେ ପରିଣତ ହୋଇଯାଇଥାଏ। ତେଣୁ ଅକ୍ଷୟ ମହାନ୍ତିଙ୍କ ଗୀତ ଭଙ୍ଗୀରେ ଯଦି କୁହାଯାଏ, ‘ହେ ଅଗଷ୍ଟ ପନ୍ଦର ତୁମେ ଗଲା ପରେ ତୁମ ଅସ୍ତିତ୍ୱକୁ ନେଇ ଅନେକ ସନ୍ଦେହ ଏଠି’, ତେବେ ଏଥିରେ ଟିକେ ବି ଭୁଲ୍‌ ହେବ ନାହଁି। କାରଣ ଅଗଷ୍ଟ ପନ୍ଦର ଯେଉଁ ସ୍ବାଧୀନତା ଦିବସର ସନ୍ତକ, ସତରେ କ’ଣ ସେ ସ୍ବାଧୀନତାକୁ ଆମେ ଭୋଗ କରୁଛେ? ସ୍ବାଧୀନତା ଦିବସ କହିଲେ କ’ଣ କେବଳ ପତାକା ଟାଣିବା କି ଭୋଟ୍‌ ଦେବା? ଯେଉଁ ସ୍ବାଧୀନତାକୁ ହାସଲ କରିବା ପାଇଁ ଏତେ ତ୍ୟାଗ ଓ ବଳିଦାନ ଗଲା, ସେହି ସ୍ବାଧୀନତାକୁ ବଜାୟ ରଖିବା ପାଇଁ ସତରେ କ’ଣ ଆମ ଦେଶର ଶାସକମାନେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି! ନା କଳେବଳେ କୌଶଳେ ଦେଶର ସମ୍ପଦକୁ ବିଦେଶୀଙ୍କ ପାଖରେ ବନ୍ଧା ପକେଇବା କାମରେ ଲାଗିପଡ଼ିଛନ୍ତି! ଦେଶର ଜନସାଧାରଣଙ୍କ କଷ୍ଟକୁ କମ୍‌ କରିବା ପାଇଁ ପ୍ରୟାସ କରାଯାଉଛି ନା ଜନସାଧାରଣଙ୍କ ଦୁଃଖକଷ୍ଟ ବିନିମୟରେ ମୁଷ୍ଟିମେୟ ଗୋଷ୍ଠୀ ନିଜ ଟ୍ରେଜେରି ଭରିବା କାମରେ ଲାଗିଛନ୍ତି! ଏହା ଆଜିର ସମୟରେ ଏକ ମସ୍ତବଡ଼ ପ୍ରଶ୍ନ।
ଅଗଷ୍ଟ ପନ୍ଦରରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଲେ। ଦେଶର ବିକାଶ କଥା କହିଲେ, ଅର୍ଥନୈତିକ ପ୍ରଗତି କଥା କହିଲେ ଓ ଆସନ୍ତା ଦଶ ବର୍ଷରେ ଆମ ଦେଶ କେଉଁଠି ପହଞ୍ଚିବ ସେ ବିଷୟରେ ରଙ୍ଗିନ ସ୍ବପ୍ନ ଦେଖାଇଲେ। ଯେମିତି ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଆସିବା ଏକ ଚିରାଚରିତ ଧାରା ସେମିତି ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲା ଉପରୁ ସ୍ବାଧୀନତା ଦିବସ ଭାଷଣରେ ଦେଶର ବିକାଶ ଓ ଆଗାମୀ ସମୟ ପାଇଁ ରଙ୍ଗିନ ସ୍ବପ୍ନର ଗୀତ ଗାଇବା ବି ସେମିତି ଏକ ଚିରାଚରିତ ଧାରା ହୋଇଗଲାଣି। ପ୍ରଧାନମନ୍ତ୍ରୀ ଯାହା ବି କୁହନ୍ତୁ, କିନ୍ତୁ ଯଦି ସ୍ବାଧୀନତାର ଅର୍ଥ ନିଜ ଦେଶର ସମ୍ପଦ ଯଥା ପାହାଡ଼, ପର୍ବତ, ପାଣି, ଖଣି ଉପରେ ନିଜର ଅଧିକାର ବା ସେଠାକାର ଅଧିବାସୀଙ୍କ ଅଧିକାରକୁ ବୁଝାଯାଏ, ତେବେ ଆଜିର ସମୟରେ ଏସବୁ ସମ୍ପଦକୁ ଆମେ ଦେଶବାସୀ ଛାତିରେ ହାତ ବାଡ଼େଇ ଆମର କହିପାରିବା କି? କିମ୍ବା କହିପାରୁଛେ କି? ଆମେ ଦେଖୁଛେ ଅର୍ଥନୈତିକ ବିକାଶ ନାଁରେ ଆମ ଦେଶର ସମ୍ପଦକୁ ମାଟିଗୋଡ଼ି ମୂଲ୍ୟରେ ବିଦେଶୀମାନଙ୍କ ହାତକୁ ଟେକି ଦିଆଯାଉଛି। ସରକାରଙ୍କ ଚଳିତ ବର୍ଷର ବଜେଟରେ ଯାହା ଚିତ୍ର ଦିଆଯାଇଛି, ସେଥିରୁ ସମ୍ପୂର୍ଣ୍ଣ ରୂପେ ବୁଝାପଡ଼ୁଛି ଯେ, ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲାରୁ ଓହ୍ଲେଇ ଆମ ଦେଶର ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବିଦେଶୀ ପୁଞ୍ଜି ଖଟେଇବାର ରାସ୍ତାକୁ ଆହୁରି ସୁଗମ କରିବାରେ ଲାଗିପଡ଼ିଛନ୍ତି। ବିଦେଶୀ ପୁଞ୍ଜି ଲଗାଣକୁ ଯଦି ଆଉ ଟିକେ ସ୍ପଷ୍ଟ ଭାଷାରେ କହିବା, ତେବେ ତା’ର ଅର୍ଥ ହେବ, ସରକାରୀ ଉଦ୍ୟୋଗକୁ ବିଦେଶୀମାନଙ୍କ ନିୟନ୍ତ୍ରଣକୁ ଦେଇଦେବା। ଯଦି ଏହା ବିକାଶ, ତେବେ ଆମେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଂରେଜ ସରକାରକୁ ଏତେ କଷ୍ଟ କରି ଆମ ଦେଶରୁ ହଟେଇଥିଲେ କାହଁିକି? ଆଜି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ ତା’ର ଶେଷ ନିଃଶ୍ୱାସ ଗଣୁଛି ଓ ସରକାର ଖୋଦ୍‌ ତା’ର କଫିନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଇଣ୍ଡିଆନ୍‌ ଏୟାର୍‌ ଲାଇନ୍‌ସର ଅବସ୍ଥା ବି ତଦ୍ରୂପ। ରେଳ ଚଳାଚଳ କ୍ଷେତ୍ରରେ ବି ଘରୋଇ ଓ ବିଦେଶୀ ପୁଞ୍ଜି ଲଗାଣ ପାଇଁ ରାସ୍ତା ପରିଷ୍କାର ହେଲାଣି। ଯଦି ଆମ ଦେଶର ସରକାରଙ୍କ ନିଜର ପାରଙ୍ଗମତା ଉପରେ ଭରସା ନାହଁି ଅର୍ଥାତ୍‌ ନିଜ ଅଧୀନରେ ଥିବା କମ୍ପାନୀଗୁଡ଼ିକୁ ଘରୋଇ ବହୁଦେଶୀୟ କମ୍ପାନୀଙ୍କ ହାତକୁ ଟେକି ଦେଉଛନ୍ତି, ତେବେ ଅଗଷ୍ଟ ପନ୍ଦରରେ ସେ ତ୍ରିରଙ୍ଗା ପତାକା ତଳେ ଯେଉଁ ଭାଷଣ ଦେଲେ ତାହା କ’ଣ ଥିଲା? ‘ଆମରି ଡଙ୍ଗାରେ ଆମେ ନାଉରୀ, ଆମେ ଚଳାଉଛୁ ଦେଶ ଆମରି’ର କ’ଣ ଅର୍ଥ କେବଳ ଆମ ଦେଶର ଲୋକମାନେ ନେତା-ମନ୍ତ୍ରୀ ହେବେ, ସରକାରରେ ରହିବେ କିନ୍ତୁ ଆମ ଦେଶର ଅର୍ଥନୀତି ବହୁଦେଶୀୟ କମ୍ପାନୀଙ୍କ ନିୟନ୍ତ୍ରଣରେ ରହିବ!
କେବଳ ଶାସନର ଉପର ସ୍ତରରେ ନୁହେଁ ନିମ୍ନ ସ୍ତରରେ ବି ଯେଉଁମାନେ ପତାକା ଉତ୍ତୋଳନ କରି ଆମକୁ ସ୍ବାଧୀନ ହେବାର ଭରସା ଦେଉଛନ୍ତି, ସେମାନେ ବି ପ୍ରତି ମୁହୂର୍ତ୍ତରେ ଆମ ସ୍ବାଧୀନତାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବି ପତାକା ଟାଣି ସ୍ବାଧୀନତା ଦିବସ ଉପଲକ୍ଷେ ଭାଷଣ ଦେଲେ, ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଓ ଲୋକସେବାକୁ ଉଦାହରଣ ଭାବେ ପେଶ୍‌ କଲେ। କିନ୍ତୁ ପରମୁହୂର୍ତ୍ତରେ ସେମାନେ ରାଜ୍ୟର ଖଣି, ପାଣି ଓ ପାହାଡ଼ପର୍ବତକୁ ବିଦେଶୀ କମ୍ପାନୀ ହାତକୁ ଟେକିଦେବା ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରୁଛନ୍ତି। ଲୋକମାନେ ନିଜର ଭିଟାମାଟି ରକ୍ଷାକରିବା ପାଇଁ ଯଦି ସ୍ବର ଉତ୍ତୋଳନ କରୁଛନ୍ତି, ତେବେ ଆମ ସ୍ବାଧୀନ ଦେଶର ପୋଲିସମାନେ ହଁି ତାଙ୍କ ଉପରକୁ ଲାଠି ଓ ଗୁଳି ଚଳାଉଛନ୍ତି। ଯଦି ଆମ ମା’ ମାଟିକୁ ବି ରଖିବାର ଅଧିକାର ଆମର ନାହଁି, ତା’ହେଲେ ଏ ସ୍ବାଧୀନତା ଛଳନା ନୁହେଁ ତ ଆଉ କ’ଣ! ସାଧାରଣ ସରପଞ୍ଚଟିଏ ପଞ୍ଚାୟତ ଅଫିସରେ ପତାକା ଉତ୍ତୋଳନ କରି ଆମକୁ ଅତି ତୃଣମୂଳ ସ୍ତରରେ ବି ଆମେ ସ୍ବାଧୀନ ହୋଇଥିବାର ବିଶ୍ୱାସ ଦେଲେ। କିନ୍ତୁ ପରଦିନ ସେହି ସରପଞ୍ଚ ଜଣେ ସାଧାରଣ ଲୋକଠାରୁ ଇନ୍ଦିରା ଆବାସ କରେଇଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗୁଛି। ଶାସକ ଓ ଜନସାଧାରଣ ଆମେ ସମସ୍ତେ ଏହି ସ୍ବାଧୀନତାର ମୂଲ୍ୟକୁ ବେଶ୍‌ ଭଲ ଭାବରେ ବୁଝିଯାଇଛେ। ତା’ହେଲେ ଏ ଛଳନା କିଏ କାହା ସହିତ କରୁଛି? ସ୍ବାଧୀନ ଭାରତର ଆମ ଶାସନ କଳରେ ଏହା ଅଲିଖିତ ନିୟମ ହୋଇଗଲାଣି। ପ୍ରତ୍ୟେକ କାମ ପାଇଁ ଲୋକଙ୍କୁ ପି.ସି. ଦେବାକୁ ପଡ଼ୁଛି, ନ ହେଲେ ଆମ ଗାଁ ରାସ୍ତାଠାରୁ ଆରମ୍ଭକରି ସ୍କୁଲ୍‌ ଯାଏ କିଛି ବି ହୋଇପାରିବ ନାହଁି। ପ୍ରଶାସକମାନେ ହସି ହସି ଲୋକ ଓ ଠିକାଦାରଙ୍କଠାରୁ ପି.ସି. ଆଦାୟ କରୁଛନ୍ତି। ଏସବୁ କାମ ଲୁଚାଛପାରେ ବି ଆଉ ହେଉନାହଁି। ସ୍ବାଧୀନତା ଦିବସ ପାଳନର ଠିକ୍‌ ପରେ ପରେ ଯଦି ଏପରି ସବୁ ହେବାର ଅଛି ବା ହେଉଛି, ତେବେ ବିଚରା ଅଗଷ୍ଟ ପନ୍ଦର ପାଇଁ ଏତେ ଆଡ଼ମ୍ବର କାହଁିକି?
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri