ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର

ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ ପାଇଁ ସେ ନିୟମଟି ସମ୍ପୂର୍ଣ୍ଣ ବିପରୀତ। ଏଠି ଲଙ୍କା ଓ କାକୁଡି ଚୋରଙ୍କ ବିଚାର ହୋଇ ନ ପାରି ସେମାନେ ବର୍ଷ ବର୍ଷ ଧରି ଜେଲରେ ଶଢନ୍ତି, କିନ୍ତୁ କୋଟି କୋଟି ଟଙ୍କା ଚଳୁ କରି ଦେଇଥିବା ମାନନୀୟଙ୍କ ପାଇଁ ରାତି ଅଧରେ କଚେରି ବସେ। ଏଠି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ପଣ୍ଡିତ, ତାଙ୍କ ପଣ୍ଡିତିଆ ମଗଜକୁ ଖେଳାଇ ଏପରି ଇନ୍ଦ୍ରଜାଲ ରଚିଦେବେ ଯେ, ମନେହେବ ପଣ୍ଡିତ ପୁଅ ମାଙ୍କଡ଼ ମାରିନାହିଁ। କିନ୍ତୁ ମୂର୍ଖଟିଏ ଯଦି ଅଜାଣତରେ ମାଛିଟିକୁ ଆଘାତ କଲା ତେବେ, ସେହି ପଣ୍ଡିତ ଏହାକୁ ସାଂଘାତିକ ଅପରାଧର ଆଖ୍ୟା ଦେଇ ମୂର୍ଖଟିକୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଅଣ୍ଟା ଭିଡ଼େ।
ଏହା ଏମିତି ଏକ ଦେଶ, ଯେଉଁଠି ଅର୍ଥ ଦେଇ ଆପଣ ନିଜ ନାମରେ ହୋଇଥିବା ସଙ୍ଗିନ୍‌ ଅଭିଯୋଗକୁ ଲିଭାଇ ଦେଇପାରିବେ ଓ ନିର୍ଦ୍ଦୋଷକୁ ଅପରାଧୀର ଆଖ୍ୟା ଦେଇ ଆଜୀବନ କାରାଗାର ମଧ୍ୟକୁ ନିକ୍ଷେପ କରିପାରିବେ। ସମୟ ଏପରି ହେଲାଣି ଯେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶଙ୍କ ନାମରେ ଯୌନଶୋଷଣର ଅଭିଯୋଗ ଆସୁଛି। ଅବଶ୍ୟ ଆମଦେଶରେ କୌଣସି ଘଟଣାକୁ ଭିନ୍ନମୋଡ଼ ଦେବା ପାଇଁ ଦନ୍ତହୀନ ତଦନ୍ତଗୁଡିକର ଆଶ୍ରା ନିଆଯାଏ। ତେବେ ଗୋଟିଏ ଘଟଣାରୁ ଆମ ଦେଶରେ ‘ଅର୍ଥ ଦ୍ୱାରା ସବୁକିଛି ସମ୍ଭବ’ ଉକ୍ତିଟି ସତ୍ୟ ପ୍ରମାଣିତ ହୁଏ। କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହେଲା। କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ବାଢିଥିବା କଣ୍ଟ୍ରାକ୍ଟର ଜଣକ ଚଢାଉ ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀଙ୍କ ଗାଲରେ ଚଟକଣା କଷିଦେଇ ଯାଉଥିଲେ। ତେବେ ଅଫିସଟିକୁ ତନ୍ନ ତନ୍ନ କରି ଯାଞ୍ଚ କଲାପରେ କିଛି ନ ପାଇ ଭିଜିଲାନ୍ସ ଅଧିକାରୀ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ଫେରିଲା ପରେ ଥାକରୁ ଟଙ୍କା କାଢିବାର ଦେଖାଯାଇଥିଲା। ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଜେଲକୁ ପଠାଗଲା। ପରଦିନ ସରକାରୀ କର୍ମଚାରୀ ଜଣଙ୍କୁ ଲାଞ୍ଚୁଆ ଆଖ୍ୟା ଦେଇ ଭିଜିଲାନ୍ସ ବିଭାଗର ସଫଳତା ଗାନ କଲେ ଖବରକାଗଜମାନେ। ଜେଲରେ କିଛିଦିନ ରହି ଅଭିଯୁକ୍ତ ଜଣକ ଫେରିଲା ପରେ ଉକ୍ତ କୋଠରିରେ ଲଗାଯାଇଥିବା ସିସିଟିଭିରୁ ପ୍ରକୃତ ସତ୍ୟ ପଦାକୁ ଆସିଲା। ଏବେ ଭିଜିଲାନ୍ସ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ମାତ୍ର ଉକ୍ତ କର୍ମଚାରୀଙ୍କର ଯେଉଁ ମାନହାନି ହେଲା ତା’ର ଭରଣା କରିବ କିଏ?
ରାଜନୀତିଆମାନେ ହେଉଛନ୍ତି ଆଇନର ଗେହ୍ଲାପୁଅ। ଏମାନଙ୍କୁ ସାତଖୁଣ ମାଫ୍‌। ଯଦିବା ଲୋକଲଜ୍ଜା ଭୟରେ ଆଇନର ରକ୍ଷକମାନେ ଏମାନଙ୍କୁ ଧରିବାକୁ ଯାଆନ୍ତି, ତତ୍‌କ୍ଷଣାତ୍‌ ଏମାନଙ୍କ ହୃଦୟ ଯନ୍ତ୍ରଣାରେ ଜର୍ଜରିତ ହୋଇଉଠେ। ଚିକିତ୍ସକମାନେ ପ୍ରସ୍ତୁତ ହୋଇ ରହିଥାନ୍ତି। ଏହି ଗେହ୍ଲାପୁଅମାନଙ୍କୁ ଆଉ ଜେଲ୍‌ର ମାଟି ମାଡିବାକୁ ପଡେନି। ଚିକିତ୍ସାଳୟରୁ ଏମାନେ ଜାମିନ ପାଇ ଘରକୁ ଫେରନ୍ତି। ସବୁ ନୀତିନିୟମରୁ ଊର୍ଦ୍ଧ୍ୱରେ ଥିବା ଏହି ରାଜନୀତିଆମାନେ ମଳିମୁଣ୍ଡିଆଙ୍କୁ ଆଇନର ଶତାଧିକ ଫାନ୍ଦରେ ବାନ୍ଧିପକାନ୍ତି। ଏଠି ଜଣେ ସାଧାରଣ ସରକାରୀ କର୍ମଚାରୀ ଅଜାଣତରେ କାର୍ଯ୍ୟରେ ସାମାନ୍ୟ ଅବହେଳା କରିଦେଲେ ଚାକିରି ହରାଉଥିଲା ବେଳେ ସଂଖ୍ୟାଧିକ ଅପରାଧର ଅଭିଯୁକ୍ତମାନେ ନିଜେ ସରକାର ସାଜି ଆମପାଇଁ ଆଇନ ତିଆରି କରନ୍ତି।
ଦେଶର ଆଇନ-ପ୍ରଣେତାମାନଙ୍କ ଉର୍ବର ମସ୍ତିଷ୍କକୁ ଯେତେ ତାରିଫ କଲେ ବି କମ୍‌ ହେବ। ଏଠି ବିବାହ ପାଇଁ ସର୍ବନିମ୍ନ ବୟସ ଏକୋଇଶ ବର୍ଷ ଧାର୍ଯ୍ୟ କରାଯାଇଥିଲା ବେଳେ, ଦେଶର ନେତା ବାଛିବାକୁ ଦୁଇବର୍ଷ ପୂର୍ବରୁ ଯୁବକଟିଏ ଯୋଗ୍ୟ ହୋଇଯାଏ। ଯେଉଁଠି ଜଣେ ସରକାରୀ କର୍ମଚାରୀର ଷାଠିଏ ବର୍ଷ ପରେ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ତା’ର ଅବସର ନେବା ବାଧ୍ୟତାମୂଳକ, ସେଇଠି ଦେଶ ଚଳାଇବାକୁ ନବେ ବର୍ଷର ଅଜାଟି ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡ଼େ। ସାଧାରଣ କିରାଣି ଚାକିରି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିଲା ବେଳେ, ଶ୍ରୀଅକ୍ଷର ବିବର୍ଜିତଟିଏ ଶିକ୍ଷାମନ୍ତ୍ରୀ ସାଜିବାରେ କୌଣସି ପ୍ରତିବନ୍ଧକ ନ ଥାଏ।
ତେବେ ଏସବୁ ଅବ୍ୟବସ୍ଥା ପାଇଁ ଦାୟୀ କିଏ? ସବୁରି ମୂଳରେ ଆମେ, ସବଜାନ୍‌ତା-ଜନତା। ଆମ ଭିତରୁ ଅନେକେ ଟଙ୍କା ବା ମଦ ବିନିମୟରେ ଭୋଟ ଦିଅନ୍ତି। ନିଜ ପକେଟ ଖାଲିକରି ଟଙ୍କା ବାଣ୍ଟିଥିବା ପ୍ରାର୍ଥୀ ଜଣକ ଜିତିଗଲା ପରେ ନିଜ ପେଟ, ପକେଟ ଓ ପେଟିକୁ ଭର୍ତ୍ତି କରିବା ପାଇଁ ଅଣ୍ଟା ଭିଡ଼େ।
ଯେଉଁମାନଙ୍କ ଦସ୍ତଖତରେ ଗୁଡାଏ ସମସ୍ୟାର ସମାଧାନ ହୋଇପାରନ୍ତା, ସେଇସବୁ ବଡ଼ ବଡ଼ ସରକାରୀ ବାବୁମାନେ ନିଜ ପାଇଁ ପୁରସ୍କାର ଓ ପ୍ରମୋଶନ ସାଉଁଟିବାରେ ଏପରି ବ୍ୟସ୍ତ ଥାଆନ୍ତି ଯେ, ନୀତି-ନୈତିକତାର କଥା ତାଙ୍କର ମନେପଡେ ଚାକିରିରୁ ଅବସର ନେବା ପରେ। ସରକାରଙ୍କର ମରମ ବ୍ୟଥା ଏହି ବାବୁମାନେ ଆକଳନ କରିଥାଆନ୍ତି ବୋଲି ସରକାର ଏମାନଙ୍କୁ କୌଣସି କାର୍ଯ୍ୟ ନ ଥାଇ ସମସ୍ତ ସୁବିଧା ସୁଯୋଗ ମିଳୁଥିବା ପଦବୀରେ ଥଇଥାନ କରି ସନ୍ତୁଷ୍ଟ କରାଇ ଦିଅନ୍ତି।
ବାକି ରହିଲେ ବୁଦ୍ଧିଜୀବୀମାନେ, ଯେଉଁମାନଙ୍କ ସମ୍ଭ୍ରାନ୍ତ ନୀରବତା ଦେଖି ଆକଳନ କରି ହୁଏନାହିଁ ଯେ, ସେମାନେ କୌଣସି ସରକାରୀ ସୁବିଧା ପାଇବା ଲୋଭରେ ଚୁପ୍‌ ରହିଛନ୍ତି ନା ଏ ବ୍ୟବସ୍ଥା ପ୍ରତି ବୀତସ୍ପୃହ ଅଛନ୍ତି। ଆମ ଭଳି ସ୍ବଳ୍ପବୁଦ୍ଧିଙ୍କ ମସ୍ତିଷ୍କରେ କୌଣସି ଉପାୟ ନ ଦିଶିବାରୁ, ‘ନିଜ କଥା ନିଜେ ସମ୍ଭାଳ’ ନୀତିରେ ଦିନ କାଟିବାକୁ ଆମେ ବାଧ୍ୟ। ହାତେ ମାପି ଚାଖଣ୍ଡେ ଚାଲିବା ହିଁ ବୁଦ୍ଧିମାନର କାର୍ଯ୍ୟ।
୩ ଆର/୬ ବିଜେବି ନଗର,
ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri