ସମ୍ପାrଦକୀୟ/ପିଆଜ ଲୁହ

ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ ମତ ଦେଇଥିଲେ ଯେ ପାକିସ୍ତାନ ଅର୍ଥନୀତି ଦବିଯିବା ଓ ଭାରତରୁ ରପ୍ତାନି ବନ୍ଦ ହୋଇଯିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଏବେ ଭାରତରେ ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ପିଆଜ କିଲୋ ପ୍ରତି ୮୦ ଟଙ୍କା ଛୁଇଁଥିଲା ବେଳେ ଓଡ଼ିଶାରେ ୬୦ ଟଙ୍କା ହେଲାଣି। ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ପିଆଜ ଉତ୍ପାଦନ ଅଧିକ ପରିମାଣରେ ହୋଇଥାଏ। ଏହିସବୁ ରାଜ୍ୟରେ ମୌସୁମୀ ବର୍ଷା ଅତ୍ୟଧିକ ହେବାରୁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ଏହା ଆମଦାନୀ ହୋଇଥାଏ। ଏହାଛଡ଼ା ଆନ୍ଧ୍ରପ୍ରଦେଶ ଓ କର୍ନାଟକରୁ ମଧ୍ୟ ପିଆଜ ଅଣାଯାଇଥାଏ। ପିଆଜ ପରିବହନ ବେଳେ ବର୍ଷା ପାଣି ପଶି ସେଗୁଡ଼ିକୁ ନଷ୍ଟ କରିଦେଉଥିବାରୁ ଯୋଗାଣକାରୀମାନେ ଅନ୍ୟ ରାଜ୍ୟକୁ ପଠାଇପାରୁ ନାହାନ୍ତି। ଫଳରେ ଏହାର ସୁଯୋଗ ନେଇ ମହଜୁଦକାରୀମାନେ କଳାବଜାର ଆରମ୍ଭ କରିଦେଉଛନ୍ତି। ନୂଆ ପିଆଜ ବଜାରକୁ ଆସିବା ପର୍ଯ୍ୟନ୍ତ ପରିସ୍ଥିତିରୁ ଅଧିକ ଲାଭ ଉଠାଇବା ପାଇଁ ବ୍ୟବସାୟୀମାନେ ସୁଯୋଗ ଖୋଜିଚାଲିବେ।
ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ୍‌ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ୨୦୧୫ରେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ରଖିବାର ବ୍ୟବସ୍ଥା କରାଯାଇଥିଲା। କୁହାଯାଇଥିଲା, ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଡାଲିଜାତୀୟ ଶସ୍ୟ ଗଚ୍ଛିତ ରଖିବେ। ଯେତେବେଳେ ଅଭାବ ପରିସ୍ଥିତି ଦେଖାଦେବ, ସେତେବେଳେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡ଼ାଯିବ। ଇତିମଧ୍ୟରେ ପାଣ୍ଠି ଗଠନ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉ ନାହିଁ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏଭଳି ପାଣ୍ଠି ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବିଶେଷକରି ପଚନଶୀଳ ଦ୍ରବ୍ୟର ଦର ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର। ମଧ୍ୟସ୍ଥ ବ୍ୟବସାୟୀ ସିଧାସଳଖ ଚାଷୀଙ୍କୁ ଋଣ ଆକାରରେ ଆଗୁଆ ଅର୍ଥ ଯୋଗାଇ ସେମାନଙ୍କ ସମ୍ପୂର୍ଣ୍ଣ ଉତ୍ପାଦକୁ କିଣିନିଅନ୍ତି। ବର୍ଷା କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଯେତେବେଳେ ଚାଷୀର କ୍ଷତି ଘଟେ, ସେତେବେଳେ ଏହି ବ୍ୟବସାୟୀମାନେ ମଧ୍ୟ କ୍ଷତିର ସମ୍ମୁଖୀନ ହୁଅନ୍ତି। ଅନ୍ୟପଟେ ସେମାନେ ପୂର୍ବରୁ ଠୁଳ କରି ରଖିଥିବା ସାମଗ୍ରୀକୁ ଉଚ୍ଚ ଦରରେ ବିକ୍ରି କରି ଅତ୍ୟଧିକ ଲାଭ ଉଠାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହି ବ୍ୟବସାୟରେ ସରକାର କେତେ ପରିମାଣରେ ହସ୍ତକ୍ଷେପ କରିପାରିବେ, ତାହା ସ୍ପଷ୍ଟ କହିବା କଷ୍ଟକର। ଚାହିଦା ଓ ଯୋଗାଣ ଶୃଙ୍ଖଳରେ ଚାଷୀର କୌଣସି ଲାଭ ହୁଏ ନାହିଁ। ବଜାରରେ ପିଆଜ ଦର ବୃଦ୍ଧି ଘଟିଲେ କେବଳ ବେପାରୀ ଲାଭବାନ ହୋଇଥାଆନ୍ତି। ଏହାସହିତ ଚାଷରୁ ଦୂରେଇ ଯାଉଥିବା ଭାରତୀୟ ଯୁବପିଢ଼ି ଏହି ସମସ୍ୟାକୁ ଅଧିକ ଜଟିଳ କରୁଛନ୍ତି। ଆଧୁନିକତାର ସ୍ପର୍ଶ ପାଇ ଯୁବପିଢ଼ି କୃଷିରେ ଲାଭ ଦେଖୁନାହାନ୍ତି। ଯେପର୍ଯ୍ୟନ୍ତ କୃଷି ମାଧ୍ୟମରେ ଚାଷୀ ତା’ ଜୀବନର ମାନବୃଦ୍ଧି କରିବାରେ ଅସଫଳ ହେବ, ସେପର୍ଯ୍ୟନ୍ତ ଭାରତରେ ଚାଷ କରିବା ପାଇଁ ଯୁବପିଢ଼ି ଆଗ୍ରହ ଦେଖାଇବେ ନାହିଁ।
ଚାଇନା ଉତ୍ପାଦକ ରାଷ୍ଟ୍ର ଭାବେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ସହ କୃଷିକୁ କେତେ ଗୁରୁତ୍ୱ ଦେଉଛି ତାହାର ଏକ ଦୃଷ୍ଟାନ୍ତ ଏବେ ଦୃଷ୍ଟିକୁ ଆସିଛି। ସେଠାକାର କୃଷି ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପଢ଼ା ସମୟରେ ମାସେ କୃଷକଙ୍କ ଘରେ ରହି ନୂତନ ପଦ୍ଧତିର ଚାଷ ପ୍ରଣାଳୀ ଶିଖାଇବା ଲାଗି ପାଠ୍ୟକ୍ରମରେ ଏହାକୁ ସନ୍ନିବେଶିତ କରାଯାଇଛି। ଅନ୍ୟପକ୍ଷରେ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୃଷି ସଂକ୍ରାନ୍ତ ଗବେଷଣାର ଘୋର ଅଭାବ ଦେଖାଦେଉଛି। ସେଥିପାଇଁ ସୀମିତ ଜମିରେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରାଯିବା ସମ୍ଭବପର ହେଉନାହିଁ। ଏହା ସତ୍ୟ ଯେ, ଭାରତରେ ଧାନ ଏବଂ ଗହମ ଫସଲ ଯଥେଷ୍ଟ ହୋଇପାରୁଛି। ଏବେ ମଧ୍ୟ ଡାଲିଜାତୀୟ ଏବଂ ତୈଳବୀଜ ଜାତୀୟ ଖାଦ୍ୟଶସ୍ୟ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଯଦି ଆଜିକାର ପରିସ୍ଥିତି ଲାଗିରହେ, ତେବେ ଗହମ ଓ ଧାନର ଉତ୍ପାଦନ ହ୍ରାସ ପାଇବା ଏକପ୍ରକାର ନିଶ୍ଚିତ। ଏବେ ନ ହେଲେ ମଧ୍ୟ ନିକଟ ଭବିଷ୍ୟତରେ ଖାଦ୍ୟଶସ୍ୟର ଅଭାବ ଏ ଦେଶରେ ଦେଖାଦେବ। ସେଥିପାଇଁ ଶୀତଳଭଣ୍ଡାର ନିର୍ମାଣ ସହିତ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ବିଲରେ ପ୍ରୟୋଗ କରି ଚାଷୀର ଜୀବନକୁ ସହଜ କରିବା ସହିତ ସେମାନଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ଆବଶ୍ୟକ। କେବଳ ୟୁରିଆରେ ରିହାତି, କାଳିଆ, ପ୍ରଧାନମନ୍ତ୍ରୀ କିଷାନ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ, କିନ୍ତୁ ଦୀର୍ଘମିଆଦୀ ସ୍ବାବଲମ୍ବୀ କରିପାରିବ ନାହିଁ। ଯାହା ଭୋଟ ପାଇଁ ସୁଖ ଆଣିଦିଏ, ତାହା ଦୀର୍ଘ ସମୟ ପାଇଁ ଜୀବନକୁ ଦୁଃଖ ଦିଏ। ନୀତି ନିର୍ଦ୍ଧାରକମାନେ ଏଥିପ୍ରତି ଧ୍ୟାନ ଦେଉଥିବା ମନେହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri