ସମ୍ପାଦକୀୟ/ଯୋଜନାର ପୁନଃ ସମୀକ୍ଷା

ଓଡ଼ିଶାରେ ପିଲାବିକ୍ରି କଥା ଉଠିଲେ ଗତ ଶତାବ୍ଦୀର ୮୦ ଦଶକ କଥା ମନେପଡ଼େ। ଦାରିଦ୍ର୍ୟ ଯୋଗୁ କଳାହାଣ୍ଡି ଜିଲାରେ ଲୋକେ ପିଲାଙ୍କୁ ବିକ୍ରି କରିଦେଉଥିଲେ। ସେଥିପାଇଁ ସେତେବେଳେ ବାହାରେ ଓଡ଼ିଶା ଏକ ଗରିବ ରାଜ୍ୟ ଭାବେ କୁଖ୍ୟାତି ଅର୍ଜନ କରିଥିଲା। ଏବେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଯୋଜନା କରାଯାଇଛି। ଶିଶୁଟିଏ ଜନ୍ମ ହେବାଠାରୁ ବୟସ୍କଙ୍କ ମୃତ୍ୟୁ ଯାଏ ଅନେକ କାର୍ଯ୍ୟକ୍ରମ ମେଲାଇ ଦିଆଯାଇଛି। ବିଭିନ୍ନ ଯୋଜନା ମାଧ୍ୟମରେ ସରକାରୀ ସାହାଯ୍ୟ ପହଞ୍ଚୁଥିବାରୁ ବିଗତ ଦଶନ୍ଧିଠାରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଏଭଳି ପିଲାବିକ୍ରି ଖବର ଶୁଣାଯାଉ ନ ଥିଲା। ବିଶେଷକରି ଟଙ୍କିକିଆ ଚାଉଳ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ବୋଲି କୁହାଯାଇପାରେ। ଅବଶ୍ୟ ସେହି ଯୋଜନାର ଅନେକ ସମାଲୋଚକ ସୃଷ୍ଟି ହୋଇଛନ୍ତି। ସେମାନଙ୍କର ମୁଖ୍ୟ ବିରୋଧୀ ଯୁକ୍ତି ହେଉଛି ଯେ, ଟଙ୍କିକିଆ ଚାଉଳ ଯୋଗୁ କର୍ମକୋଢ଼ ସୃଷ୍ଟି ହୋଇଯାଉଛନ୍ତି। ଅପରପକ୍ଷରେ ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସର୍ବନିମ୍ନ ସ୍ତରର ସ୍ବାର୍ଥକୁ ଜଗିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ହୋଇଥାଏ। ବିବାଦ ମଧ୍ୟରେ ଥିବା ସତ୍ତ୍ୱେ ଏହି ଯୋଜନାକୁ କେହି ବି ସକ୍ରିୟ ଭାବେ ବିରୋଧ କରିନାହାନ୍ତି। ଏବେ ହଠାତ୍‌ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଗତ ୧୫ ଦିନ ମଧ୍ୟରେ ବାଲେଶ୍ୱର ପରି ଉପକୂଳ ଜିଲାରେ ଦୁଇଟି ଘଟଣା ଘଟିଯାଇଛି। ଅଗଷ୍ଟ ୨୭ରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ଅଞ୍ଚଳରେ ଦାରିଦ୍ର୍ୟର ତାଡ଼ନା ସହି ନ ପାରି ଜଣେ ମହିଳା ତାଙ୍କର ୫ ଦିନର ଶିଶୁକନ୍ୟାଙ୍କୁ ଲାଳନପାଳନ କରିବାରେ ଅସମର୍ଥ ହୋଇ ଶେଷରେ ତାହାକୁ ଦାନ କରି ଦେଇଥିଲେ। ସେହିପରି ୧୩ ସେପ୍ଟେମ୍ବରରେ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ଦରଘାପଡ଼ିଆ ଅଞ୍ଚଳରେ ଦମ୍ପତି ସେମାନଙ୍କ ୭ ଦିନର ପୁଅକୁ ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଦୁଇ ମାସ ତଳେ ସୋନପୁର ଜିଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲରେ ଆଈ ତାଙ୍କ ନାତିକୁ ବିକ୍ରି କରିଦେବା ଘଟଣା ରାଜ୍ୟରେ ଚହଳ ପକାଇଥିଲା।
ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପିଲାବିକ୍ରି ହେଉଥିବା ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ପ୍ରଶାସନ ଏହିସବୁ ଘଟଣାକୁ କେତେ ଗୁରୁତ୍ୱ ଦେଉଛି, ତାହା ପଦାରେ ଜଣାପଡୁନାହିଁ। କିନ୍ତୁ ଏହିଭଳି ଖବର ମିଳିବା ଏକ ସତର୍କଘଣ୍ଟି ବୋଲି ପ୍ରଶାସନ ବୁଝିବା ଦରକାର। ମନେହେଉଛି ଯେପରି ସବୁ ଉତ୍ତମ ଉଦ୍ଦେଶ୍ୟ ଥିବା ସତ୍ତ୍ୱେ ଆଭ୍ୟନ୍ତରୀଣ କାର୍ଯ୍ୟରେ ଉଇ ଲାଗିଗଲାଣି। ଗରିବ ଓ ଅସହାୟ ଜନସାଧାରଣଙ୍କ ପାଖରେ ପହଞ୍ଚୁଥିବା ସରକାରୀ ଯୋଜନା ପାଇଁ ଓଡ଼ିଶା ଅନେକ ଥର ପ୍ରଶଂସିତ ହୋଇଥିଲା। ଏବେକାର ଏହିଭଳି ଘଟଣାର ଖବର ଧାରଣା ସୃଷ୍ଟି କରିପାରେ ଯେ ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ସେହିସବୁ ଯୋଜନାର ସାମଗ୍ରୀ ଓ ଅର୍ଥ ଅଯୋଗ୍ୟଙ୍କ ପାଖକୁ ପଳାଇଯାଉଛି। ଦୁର୍ନୀତି ହୋଇଛି ବୋଲି କହିବା କଷ୍ଟକର, କାରଣ ତା’ର ପ୍ରମାଣ ଯୋଗାଡ଼ କରିବା ଅସମ୍ଭବ।
ଯଦି ଗୋଟିଏ ପଟେ ଅତ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଅତ୍ୟାବଶ୍ୟକ ଯୋଜନା ଠିକରେ ପହଞ୍ଚତ୍ ପାରୁନାହିଁ, ସରକାରଙ୍କ ଦ୍ୱାରା ଘୋଷିତ ହେଉଥିବା ଭିନ୍ନ ଧରଣର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି। ନିକଟରେ ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିବାହ ବିଚ୍ଛେଦ ପାଇଁ ସ୍ତ୍ରୀ ଓ ସ୍ବାମୀ କୋର୍ଟରେ ଆବେଦନ କରୁଛନ୍ତି। କିନ୍ତୁ ଏହି ଆବେଦନର ଫଏସଲା ହେବାକୁ ଦୀର୍ଘ ବର୍ଷ ଲାଗିଯାଇଥାଏ। ଏହି ସମୟରେ ଖର୍ଚ୍ଚ ତୁଲାଇବା ସକାଶେ ସମ୍ପୃକ୍ତ ମହିଳାଙ୍କ ନିକଟରେ କୌଣସି ସମ୍ବଳ ନ ଥାଏ ବୋଲି କୁହାଯାଉଛି। ତେଣୁ ସେଭଳି ସ୍ଥଳେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପେନ୍‌ସନ ଯୋଗାଇ ଦେବାକୁ ସରକାର ବିଚାର କରୁଛନ୍ତି। ଏମିତି ଦେଖିଲେ ମଧୁବାବୁ ପେନ୍‌ସନ ଯୋଜନାରେ ପରିତ୍ୟକ୍ତ ବୟସ୍କ ଓ ପରିତ୍ୟକ୍ତ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଅନେକ ସମୟରେ ଅଭିଯୋଗ ଆସିଥାଏ ଯେ, ବୟସ୍କ ବ୍ୟକ୍ତିମାନେ ଯୋଜନାର ସୁଫଳ ପାଇପାରୁନାହାନ୍ତି। ତେଣୁ ସବୁବେଳେ ଯେ ଆର୍ଥିକ ସ୍ବଚ୍ଛଳ ଅବସ୍ଥାରେ ସ୍ବାମୀ ରହିଥାଏ ଏବଂ ସ୍ତ୍ରୀ ଅନଟନର ଶିକାର ହେଉଥାଏ, ଭାବିବା ମଧ୍ୟ ବାସ୍ତବ ହୋଇ ନ ପାରେ। ଅନେକ ଘଟଣାରେ ବିଭିନ୍ନ କାରଣରୁ ଛାଡ଼ପତ୍ର ପରିସ୍ଥିତି ଉପୁଜେ, ଯେଉଁଥିରେ କେବଳ ସ୍ବାମୀ କିମ୍ବା ସ୍ତ୍ରୀ ଦାୟୀ ବୋଲି ସ୍ପଷ୍ଟ ଜଣାପଡ଼େନାହିଁ। ଏଭଳି ପରିସ୍ଥିତିରେ ସରକାରଙ୍କ ଅଭିନବ ଯୋଜନା ମହିଳାଙ୍କ ପାଇଁ ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ ବାଟମାରଣା ହେବାର ସୁଯୋଗ ସୃଷ୍ଟି କରୁଛି। ତେବେ ୧୬ ସେପ୍ଟେମ୍ବରରେ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ଏବେ ଆଧାର ସଂଯୋଗ ନ ଥିବା ଯୋଗୁ ୧ ଲକ୍ଷ ୮୪ ହଜାର ୯୫୦ ପରିବାରର ୧୮ ଲକ୍ଷ ୬୭ ହଜାର ୮୦୩ ବ୍ୟକ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରୁ ବାଦ୍‌ ପଡ଼ିପାରନ୍ତି। ଫଳରେ ସେମାନେ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଅଯୋଗ୍ୟ ସାବ୍ୟସ୍ତ ହେବେ। ଫଳରେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ସେଥିପାଇଁ ନୂଆ ଯୋଜନା କରିବା ପରିବର୍ତ୍ତେ କ୍ରମଶଃ ବିଫଳ ହେବାର ସଙ୍କେତ ମିଳୁଥିବା ଯୋଜନା ବା କାର୍ଯ୍ୟକ୍ରମଗୁଡ଼ିକର ପୁନଃ ମୂଲ୍ୟାୟନ ଏବଂ ସମୀକ୍ଷା କରାଯାଇ ସେଗୁଡ଼ିକର ନୂତନ ଭାବେ କାର୍ଯ୍ୟକାରିତା ଦିଗକୁ ଦୃଷ୍ଟି ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri