ସତରେ କ’ଣ ଆମେ ଭୋକରେ ରହୁଛେ

ଇଂ. ବିଦ୍ୟାଧର ପଣ୍ଡା

ଦଶହରା ପର୍ବରେ ଗାଁକୁ ଯାଇ ମନ୍ଦିର ଛକ ଜଳଖିଆ ଦୋକାନର ଘୋଡାପଟା ଉପରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମୁଁ ବିନମ୍ରତାର ସହ ପ୍ରଶ୍ନ କଲି, ‘ସତରେ କ’ଣ ଆମେ ଭୋକରେ ରହୁଛେ?’ ସେ କହିଲେ, ଅସମ୍ଭବ। ଆଜିକାଲି ଖାଦ୍ୟାଭାବରୁ ଭୋକରେ ରହୁଥିବା କଥା କେହି ସହଜରେ ବିଶ୍ୱାସ କରିବେନି। କାରଣ କଳ କାରଖାନା ବଢିଛି। ଟଙ୍କିକିଆ ଚାଉଳ ମିଳୁଛି। ମଝିରେ ମଝିରେ ଅଟା, ଡାଲି ଓ ତେଲ ପାଇଁ ବି ସରକାର ସାହାଯ୍ୟ କରୁଛନ୍ତି। କେମିତି କିଏ କାହିଁକି ବା ଭୋକରେ ରହିବ? କିନ୍ତୁ ମୁଁ ଇଣ୍ଟରନେଟରୁ ଏମିତି ଜାଣିବାକୁ ପାଇଲି ବୋଲି କହି ଅଧିକ ତଥ୍ୟ ପ୍ରଦାନ କଲି। ୨୦୧୭ ଅକ୍ଟୋବରରେ ଅନ୍ତର୍ଜାତୀୟ ଖାଦ୍ୟ ନିୟମ ଅନୁସନ୍ଧାନ ସଂସ୍ଥା ଦ୍ୱାରା ପ୍ରକାଶିତ ଅନ୍ତର୍ଜାତୀୟ ଭୋକିଲା ଦେଶଗୁଡ଼ିକର ସୂଚକାଙ୍କକୁ ଆମେ ସନ୍ଦେହ କରିବା ଅନୁଚିତ। ଏହି ରିପୋର୍ଟ ଅନୁସାରେ ଭାରତ କ୍ରମିକ ସଂଖ୍ୟା ୧୦୦ରେ ଥିବାବେଳେ ପଡୋଶୀ ବାଂଲାଦେଶ ଓ ଇରାକ ୭୮ରେ ଅଛନ୍ତି। ସମୁଦାୟ ୧୧୯ଟି ଦେଶର ସର୍ଭେ ଭିତରେ ଆମ ଦେଶ ୧୦୦ତମ ସ୍ଥାନରେ ରହିବା ଲଜ୍ଜାକର ନୁହେଁ! ଚଳିତ ବର୍ଷ କରାଯାଇଥିବା ଅନ୍ୟ ଏକ ସର୍ବେକ୍ଷଣ ରିପୋର୍ଟରେ ଭାରତ ତିନି ପାଦ ଉପରକୁ ଉଠିଛି। ଶିକ୍ଷକ ଜଣକ ମୋ କଥାକୁ ହଜମ ନ କରିପାରି ଗୁଣୁ ଗୁଣଉଥିଲେ, କାହିଁ ମୋ ନଜରରେ ଏମିତି ଖାଦ୍ୟାଭାବରୁ କିଏ ଭୋକଓପାସରେ ଶୋଉଥିବା କଥା କେବେ ଆସିନି। କାହାଠାରୁ ମୁଁ ଏକଥା ଏଯାଏ କେବେ ଶୁଣିନି। ଏ ବିଷୟରେ ଅଧିକ କିଛି ଜାଣିବା ପାଇଁ ମୋତେ ପଚାରିଲେ, ଆଉ କ’ଣ ସବୁ ଲେଖାଯାଇଥିଲା ସେ ରିପୋର୍ଟରେ। ସେତେବେଳକୁ ଏ ଆଲୋଚନା ଜମି ସାରିଥିଲା। ଅନ୍ୟ କେତେଜଣ ଆମ କଥାକୁ କାନ ଡେରୁଥିଲେ। ଏପରି ଏକ ଗାଉଁଲି ସୁନ୍ଦର ପରିବେଶରେ ମୁଁ ପଢିଥିବା ସମ୍ପୂର୍ଣ୍ଣ ରିପୋର୍ଟକୁ ନିଃସଙ୍କୋଚରେ ପ୍ରକାଶ କରିବାରେ ବହୁତ ଆନନ୍ଦ ଆସିଲା।
ଏହା ପୂର୍ବଥର ସର୍ଭେ ସମୟରେ ଭାରତର କ୍ରମସଂଖ୍ୟା ୫୫ଥିଲା। କିନ୍ତୁ ୨୦୧୪ ପରେ ଏହା ୪୫କ୍ରମ ତଳକୁ ଖସିଛି ବୋଲି ରିପୋର୍ଟରେ ଲେଖା ଅଛି। କିଛି ନେତା କହୁଛନ୍ତିି ଯେ, ଅନ୍ୟଦେଶ ପାଇଁ ଏବକାର ଡାଟା ବ୍ୟବହାର କରାଯାଇଥିବା ବେଳେ ଆମ ଦେଶର ପୁରୁଣା ୨୦୧୨-୧୩ ମସିହାର ଡାଟା ବ୍ୟବହାର କରି ଏପରି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଛାଡନ୍ତୁ ସେ ତର୍କ ବିତର୍କ କଥା। ସେ ରିପୋର୍ଟରେ ଆମ ଭାରତର ସ୍କୋରିଂ ୨୧.୯ ଥିବାବେଳେ ଆମ ରାଜ୍ୟର ୩୧.୪ ଅଛି। ଆମ ତଳକୁ ବିହାର ଅଛି। ନୀତିନିୟମ ତିଆରି କରିବା ଅଧିକାଂଶ ଲୋକ ସହରରେ ରହୁଥିବାରୁ ଆମ ଲୋକେ କିଛି ଭୋକରେ ରହୁଥିବା କଥା ତାଙ୍କର ଆଦୌ ବିଶ୍ୱାସ ହେଉନି। ଆଗରୁ ଯାହା ଥିଲା ଥିଲା, କିନ୍ତୁ କରୋନା ପରେ ଗାଁ ଗହଳିର ଅବସ୍ଥା ଏବେ ଶୋଚନୀୟ। ଅନେକଙ୍କୁ ତିନିଓଳି ପେଟପୂରା ଖାଇବାକୁ ମିଳୁନି। ଦିନ ମଜୁରିଆମାନେ ପ୍ରାୟ ତିନିମାସେ ଘରେ ବସିଯାଇଥିଲେ, ସେମାନଙ୍କୁ ଯାହା ସରକାରୀ ସାହାଯ୍ୟ ମିଳିଲା ତାହା ପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ। ଆମ ଗାଁର ଟିକିନିଖି ଖବର ଜଣାଥିବାରୁ ମୁଁ ପାଠକମାନଙ୍କ ଅବଗତି ନିମନ୍ତେ ପ୍ରକାଶ କରିପାରେ ଯେ ଏବେ ବି ଆମ ଗହଣରେ କିଛି ଲୋକ ଭୋକରେ ଶୋଇବା ଦୃଷ୍ଟାନ୍ତ ନିଶ୍ଚିତ ଭାବରେ ରହିଛି। କଳକାରଖାନାରେ ଦିନମଜୁରିଆ ଭାବେ କାମ କରି ଚଳୁଥିଲେ। ହଠାତ୍‌ କଳକାରଖାନା ବନ୍ଦ ହୋଇଯିବା ପରେ ସେମାନେ ହାତବାନ୍ଧି ଘରେ ବସିଗଲେ। ତେଣୁ ପରିବାରର ଆର୍ଥତ୍କ ଅବସ୍ଥା ବିିଗିଡିଗଲା। ଏବେ ନା ଚାଷ କରିପାରୁଛନ୍ତି ନା କଳକାରଖାନାରେ କାମ ମିଳୁଛି। କେତେକ କାରଖାନା କାମ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପୁରୁଣା ଅବସ୍ଥାକୁ ଏପର୍ଯ୍ୟନ୍ତ ଫେରିପାରିନି।
ବୋଝ ଉପରେ ନଳିତା ବିଡା ପରି ଆକାଶଛୁଆଁ ଦରଦାମ୍‌ ଏବେ ଲୋକମାନଙ୍କୁ ବେଶି ହଇରାଣ କରୁଛି। ପରିବାପତ୍ରର ଦାମ୍‌ ଦୁଇ ତିନିଗୁଣ ବଢିଯାଇଛି। ଗରିବଙ୍କ ପ୍ରମୁଖ ପରିବା ଆଳୁ କିଲୋ ଚାଳିଶଟଙ୍କା, ପିଆଜ ସତୁରି ଟଙ୍କା, କଞ୍ଚାଲଙ୍କା ପଚାଶ ଗ୍ରାମକୁ ଦଶଟଙ୍କା। ନିକଟ ଭବିଷ୍ୟତରେ ଏହା ତଳକୁ ଆସିବା ପରି ଦିଶୁନି। ସାଧାରଣ ଜିନିଷ ସହ ପିଆଜ ରସୁଣ ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ୍‌ ନିୟନ୍ତ୍ରଣ କଲେ ଗରିବ ଲୋକମାନଙ୍କର ଦୁଃଖ ଅନେକାଂଶରେ ଲାଘବ ହୁଅନ୍ତା। ବିଶ୍ୱବ୍ୟାଙ୍କର ତଥ୍ୟାନୁସାରେ ଏବେ ଆମ ଦେଶରେ ୧୨ ପ୍ରତିଶତ ଏପରି ଅଛନ୍ତି, ଯାହାଙ୍କର ଖାଦ୍ୟାଭ୍ୟାସ ଭିନ୍ନ। ପୁଷ୍ଟିକର କି ନୁହେଁ ତାହା ପରକଥା, ସେଥିରେ କିଛି ଅଖାଦ୍ୟ ଚାକୁଣ୍ଡାଶାଗ, ଟାକୁଆ ଯାଉ ପରି ଜିନିଷ ମଧ୍ୟ ଅଛି। ୨୦୧୫ରେ ଅନ୍ତର୍ଜାତୀୟ ସଂସ୍ଥା ‘ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ଡେଭ୍‌ଲପ୍‌ମେଣ୍ଟ ସର୍ଭିସେସ୍‌’ ସର୍ଭେ କରି ତଥ୍ୟ ରଖିଛନ୍ତିି, ଯାହା କି ଚିନ୍ତାଜନକ। ବିଶେଷକରି ଏହା ଅନୁନ୍ନତ ପଛୁଆ ପାହାଡି ଅଞ୍ଚଳ ଏବଂ ଅନୁସୂଚିତ ଜନଜାତିଙ୍କୁ ଅତ୍ୟଧିକ ପ୍ରଭାବିତ କରୁଛି। ସମନ୍ବିତ ଶିଶୁ ବିକାଶ ଯୋଜନା ଏବଂ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଆଦି ଏବେ ଭଲ କାମ କରୁଛନ୍ତିି, ତଥାପି ତାଙ୍କ ଅଗୋଚରରେ ନଗଡା ପରି ଅନେକ ଜାଗା ଏବେ ବି ରହିଯାଉଛି। ଯଦି ଖାଦ୍ୟଶସ୍ୟଗୁଡିକର ଦରଦାମ୍‌ ଏମିତି ଆଗକୁ ସବୁଦିନ ପାଇଁ ରହେ, ତେବେ ଆମ ଦେଶରେ ଆହୁରି ଅନେକ ଲୋକ ଭୋକିଲା ଚିଠାରେ ଆପେ ଆପେ ଯୋଡି ହୋଇଯିବେ। ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ କିଛି ପଦକ୍ଷେପ ଏବେ ନିଆଯିବା ଅନିବାର୍ଯ୍ୟ।
୨୦୧୭ରେ ନୀତି ଆୟୋଗ ଜାତୀୟ ପୁଷ୍ଟିକରଣ ରଣନୀତି ମାଧ୍ୟମରେ ଲୋକମାନଙ୍କର ପୌଷ୍ଟିକ ଖାଦ୍ୟର ବିବରଣୀ ସଂଗ୍ରହ କରିବାକୁ ଆରମ୍ଭ କରି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଲୋକଲୋଚନକୁ ଆଣିଲେ। ଏହା ଅନେକ ଜାଗାରେ ଫଳପ୍ରଦ ହେବାରୁ ଶିଶୁମୃତ୍ୟୁ ହାରରେ ମଧ୍ୟ ଫରକ ପଡିଲା। ଗର୍ଭବତୀ ମହିଳାମାନେ ଅନେକାଂଶରେ ଉପକୃତ ହେବାର ଦେଖାଗଲା। ଆଶାଦିଦିମାନେ କେବଳ ମହିଳା ଏବଂ ଛୁଆଙ୍କ ପାଇଁ କାର୍ଯ୍ୟକରି ସେମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ। ଏବେ ଜାତୀୟ ସ୍ତରରେ ୨୦୨୨ ଭିତରେ କୁପୋଷଣମୁକ୍ତ ଭାରତ ନିର୍ମାଣ କରିବା ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଶା କରାଯାଉଛି ଆମେ ଦେଶର ସମସ୍ତ ଜଣସାଧାରଣଙ୍କ ପାଇଁ ଖାଦ୍ୟ ସୁରକ୍ଷା ଦେବାକୁ ସମର୍ଥ ହେବା। ୨୦୨୨ ସରିବାକୁ ମାତ୍ର ଦୁଇବର୍ଷ ବାକି ଅଛି। ଯଦିଓ ଅସମ୍ଭବ ବୋଲି କିଛି ନାହିଁ, ତଥାପି ଏ କରୋନା କାଳର ଅବ୍ୟବସ୍ଥା ଏବଂ ଗତିବିଧି ଦେଖିଲା ପରେ ମନରେ ସନ୍ଦେହ ହେଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୨୦୧୭ ନଭେମ୍ବର ୩୦ରେ ଏକ ଜାତୀୟ ପୁଷ୍ଟିକରଣ ଲକ୍ଷ୍ୟ ନାଁରେ ନଅ ହଜାର ଛୟାଳିଶ କୋଟି ସତର ଲକ୍ଷ ଟଙ୍କାର ବଜେଟ ସଂରକ୍ଷିତ ରଖାଯାଇ କାମ ଚାଲିଛି। ଗତବର୍ଷ ସୁଦ୍ଧା ତିନିଶହ ପନ୍ଦର ଜିଲାରେ ସୁଫଳ ଆସିଛି ବୋଲି ସରକାରଙ୍କ ତରଫରୁ ଦାବି କରାଯାଉଛି, ଯାହା ପ୍ରାୟ ଅର୍ଦ୍ଧାଧିକ। ବାକି ଅଧାକୁ ଟିକେ ମନ ଲଗେଇ ବାବୁମାନେ ପରିଶ୍ରମ କଲେ ସମ୍ଭବ ହୋଇପାରେ।
୨୦୧୩ ସେପ୍ଟେମ୍ବରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାରିତ ହୋଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଏହା ଥିଲା ପ୍ରଥମ ବଡ଼ ପଦକ୍ଷେପ। ଏହି ଆଇନର ମହତ ଉଦ୍ଦେଶ୍ୟ ଥାଇ ମଧ୍ୟ ସବୁ ରାଜନୈତିକ ଦଳର ଶତ ପ୍ରତିଶତ ସହଯୋଗ ମିଳିଲାନି। କିଛି ପରିବାର ଯୋଗ୍ୟ ଥାଇ ମଧ୍ୟ ସେମାନଙ୍କୁ ଏହି ଆଇନର ପରିସର ଭିତରେ ରଖି ଯଥୋଚିତ ସାହାଯ୍ୟ କରିବାରେ ପ୍ରଶାସନ ସମର୍ଥ ହେଲାନି। ତେଣୁ ସେମାନେ ପ୍ରକୃତ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଫଳରେ ଦେଶର ଭୋକିଲା ଏବଂ ପୁଷ୍ଟିହୀନତା ସୂଚକାଙ୍କଗୁଡ଼ିକ ପ୍ରଭାବିତ ହେବା ସ୍ବାଭାବିକ। ଆଜିର ବିଶ୍ୱ ମାନଚିତ୍ରରେ ଭାରତକୁ ଏକ ଉନ୍ନତ ଦେଶ ବୋଲି ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ପ୍ରତ୍ୟେକ ନାଗରିକଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରି ସୁଷମ ଖାଦ୍ୟର ବିଶେଷ ଅଧିକାର ଦେବା ଅନିବାର୍ଯ୍ୟ। ଆମ ଦେଶରେ ନୀତି ନିୟମ ଯଥେଷ୍ଟ ଅଛି, କିନ୍ତୁ ଏହାକୁ ଲାଗୁକରିବାରେ ସେମିତି ଆନ୍ତରିକତା ଦେଖାଯାଉନି। ଫଳରେ ଭଲ ନିୟମଗୁଡିକର ସୁଫଳ ଆମକୁ ମିଳୁନି। ଓଡିଶାର ଗରିବୀ ସୂଚୀରେ ଏବେ ୩୨.୫୯ଅଙ୍କ, ଯାହା କି ଭାରତ ସନ୍ଦର୍ଭରେ ୨୧.୯୨। ବିହାରରେ ଏହି ସଂଖ୍ୟା ଆମଠାରୁ ଆହୁରି ଖରାପ, ତାହା ୩୩.୭୪। ନେତାମାନେ ଗାଁକୁ ଗଲେ ଏସବୁ ବିଷୟରେ ନିଚ୍ଛକ ସତର ଆଭାସ ମିଳିବ, ଯାହା କି ସେମାନଙ୍କୁ ନୀତି ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହେବ। ଏମିତିରେ ସାଧାରଣ ଲୋକଙ୍କର ପ୍ରକୃତ ଅବସ୍ଥା ଜଣାଗଲେ, ସେମାନେ ଉଚିତ ରଣନୀତି ବାହାର କରି ଦେଶକୁ କୁପୋଷଣ ଏବଂ ଭୋକରୁ ମୁକ୍ତ କରିପାରିବେ।
ଏଲ୍‌-୧୭/୧୫, ପଞ୍ଚସଖା ନଗର, ଡୁମୁଡୁମା, ଖଣ୍ଡଗିରି, ମୋ- ୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦାରିଦ୍ର୍ୟ ଜୀବନ ବିତାଉଥିବା ଝାଡ଼ଖଣ୍ଡର ଶବର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ସୁଚିତ୍ରା ସିହ୍ନା। ସେ ୩୦୦ ଶବର ପରିବାରକୁ...

ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ...

ଏଇ ଭାରତରେ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ମାସଶ୍ରେଷ୍ଠର ମହକ

ଉପେନ୍ଦ୍ର ବିଶ୍ୱାଳ ବର୍ଷକ ବାରମାସ ମଧ୍ୟରୁ ଶ୍ରେଷ୍ଠମାସ ମାର୍ଗଶିର। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି- ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‌ ମାସଗୁଡ଼ିକ ମଧ୍ୟରେ ମୁଁ ହେଉଛି...

ଏଇ ଭାରତରେ

ଝାଡୁଦାର ଭାବେ କାମ କରୁଥିବା ଜଣେ ମହିଳା ରାଜସ୍ଥାନ ପ୍ରଶାସନିକ ସେବା (ଆର୍‌ଏଏସ୍‌)ରେ କୃତକାର୍ଯ୍ୟ ହେବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ...

ପାରାମାନଙ୍କ ଅବଦାନ

ମାନେକା ଗାନ୍ଧୀ ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍‌...

ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର...

ମଙ୍ଗଳର ମାର୍ଗଦର୍ଶିକା

ମଙ୍ଗଳ ମାଟିରେ ପର୍ସିଭରେନ୍ସ ରୋଭର ୧୮ ଫେବୃୟାରୀ ୨୦୨୧ରେ ପହଞ୍ଚତ୍ ଆମେରିକାର ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ (ନାସା)ର ସଫଳତା ପୃଷ୍ଠାରେ...

Advertisement
Archives

Model This Week