ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ
ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)। ଏହି ଶ୍ରଦ୍ଧା ଓ ବିଶ୍ୱାସ ପ୍ରକୃତି, ପରିବେଶ ଓ ପର୍ଯ୍ୟାବରଣ କାହାପ୍ରତି ମଧ୍ୟ ପ୍ରଯୁଜ୍ୟ ହୋଇପାରେ। ଏହା ଶ୍ରଦ୍ଧାର ବୃହତ୍ତର ଦର୍ଶନ। ଏହି ଦର୍ଶନ ହେଉଛି- ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ’ର। କିନ୍ତୁ ସମସ୍ତେ ସୁଖୀ ସେତେବେଳେ ହେବେ, ଯେତେବେଳେ ଆମେ ଶ୍ରଦ୍ଧାକୁ ଜୀବନର ଯଜ୍ଞ ଭାବେ ଗ୍ରହଣ କରିନେବା। ଏଥିପାଇଁ ପୂର୍ବପୁରୁଷଙ୍କ ଭାବନାକୁ ମଧ୍ୟ ସମ୍ମାନ କରିବା ଜରୁରୀ। ପିତୃପକ୍ଷ ଏପରି ଏକ ପର୍ବ ଯାହା ଆମର ସଂରକ୍ଷଣ କରୁଥିବା ପ୍ରତ୍ୟେକଙ୍କ ପ୍ରତି ଶ୍ରଦ୍ଧାଭାବ ସୃଷ୍ଟି କରେ। କିନ୍ତୁ ପରମ୍ପରା କ୍ରମଶଃ ସଙ୍କୁଚିତ ହେବା ଯୋଗୁ ଆମେ ଧରି ନେଇଛୁ କେବଳ ପୂର୍ବଜମାନେ ହିଁ ଶ୍ରଦ୍ଧାର ପାତ୍ର। ଶ୍ରଦ୍ଧା ଶବ୍ଦ ସଂସାର ପରି ବ୍ୟାପକ। ଯଦି ସଂସାର ପ୍ରତି ଶ୍ରଦ୍ଧା ନ ରହେ, ତା’ହେଲେ ଜୀବନ ପ୍ରତି କେମିତି ରହିବ। ଶ୍ରଦ୍ଧୟା ଦିୟତେ ଯତ୍‌ ତତ୍‌ ଶ୍ରାଦ୍ଧଃ, ଅର୍ଥାତ୍‌ ଶ୍ରଦ୍ଧାରେ ଯାହା ଦିଆଯାଏ ତାହା ଶ୍ରାଦ୍ଧ।
ବେଦରେ ଶ୍ରାଦ୍ଧ ବିଷୟରେ ଦେଢ଼ହଜାର ମନ୍ତ୍ର ରହିଛି। ପୁରାଣ, ସ୍ମୃତି ଏବଂ ଅନ୍ୟ ପ୍ରାଚୀନ ଗ୍ରନ୍ଥରେ ଶ୍ରଦ୍ଧାକୁ ଜନାଗତ କୁହାଯାଇଛି। ଏହା କନ୍ୟାର୍କଗତ ଶବ୍ଦର ଅପଭ୍ରଂଶ। ଏହାର ଅର୍ଥ ସୂର୍ଯ୍ୟ (ଅର୍କ) କନ୍ୟା ରାଶିକୁ ଯିବା। ପିତୃପକ୍ଷରେ ସୂର୍ଯ୍ୟ କନ୍ୟା ରାଶିରେ ଥାଆନ୍ତି। ଶ୍ରାଦ୍ଧରେ ପ୍ରକୃତିର ସଂରକ୍ଷଣ ଅଛି। ଅନ୍ୟ ପକ୍ଷୀମାନଙ୍କ ତୁଳନାରେ କାଉକୁ ନିମ୍ନ ମନେ କରାଯାଏ। କିନ୍ତୁ ପିତୃପକ୍ଷରେ ଦହିରେ ବୁଡ଼ାଇ ପୁରି ସର୍ବପ୍ରଥମେ କାଉ ଉଦ୍ଦେଶ୍ୟରେ ଦିଆଯାଏ। କାଉ ଏବଂ ଅଶ୍ୱତ୍‌ଥ ଗଛ ପିତୃପୁରୁଷଙ୍କ ପ୍ରତୀକ। ପିତୃପକ୍ଷର ୧୬ ଦିନରେ କାଉକୁ ଖାଦ୍ୟ ଏବଂ ଅଶ୍ୱତ୍‌ଥ ଗଛରେ ଜଳ ପ୍ରଦାନ କରାଯାଇ ପିତୃପୁରୁଷଙ୍କୁ ତୃପ୍ତ କରାଯାଏ। ଶ୍ରାଦ୍ଧ ପିତୃପୁରୁଷଙ୍କ ପ୍ରତି ଆମ ଶ୍ରଦ୍ଧାର ପ୍ରତୀକ। ଯଦି ଆମେ ପରଲୋକରେ ଥିବା ପୂର୍ବଜମାନଙ୍କ ପ୍ରତି ଏତେ ଶ୍ରଦ୍ଧା ବ୍ୟକ୍ତ କରୁଛୁ, ତା’ହେଲେ ଜୀବିତ ବୟସ୍କ ପିତାମାତା, ଜେଜେବାପା, ଜେଜେମାଆ, ଅଜା, ଆଈ ଆଦି ଆହୁରି ଅଧିକ ଶ୍ରଦ୍ଧାର ପାତ୍ର। ଜୀବିତାବସ୍ଥାରେ ସେମାନେ ଆମର ଶ୍ରଦ୍ଧାର ଅଭାବରେ ଯନ୍ତ୍ରଣା ପାଇବା ଏବଂ ମୃତ୍ୟୁ ପରେ ସେମାନଙ୍କ ପାଇଁ ଶ୍ରାଦ୍ଧ ଅର୍ପଣ କରିବାର କୌଣସି ଯଥାର୍ଥତା ନାହିଁ। ତେଣୁ ଶ୍ରଦ୍ଧା ସବୁ ବୟସ୍କଙ୍କ ପ୍ରତି ରହିବା ଆବଶ୍ୟକ, ସେ ଜୀବିତ ହୁଅନ୍ତୁ ବା ମୃତ।
ସାଧାରଣତଃ ଲୋକେ ଭାବନ୍ତି, ଆମେ ଜୀବନରେ କାହାର କ୍ଷତି କରିନୁ, ତେଣୁ ଆମର କ୍ଷତି କାହିଁକି ହେଉଛି? ଗ୍ରହମାନଙ୍କ ପ୍ରଭାବ ଅନୁକୂଳ, ରାଜଯୋଗ ରହିଛି, ତଥାପି ବ୍ୟକ୍ତି ଅଭିଶପ୍ତ ଜୀବନ କାହିଁକି ଜିଉଛି? ପ୍ରକୃତରେ କେବେକେବେ ପୂର୍ବଜଙ୍କ କର୍ମଦୋଷ ବ୍ୟକ୍ତି ପାଇଁ ଅଭିଶାପ ହୋଇଯାଏ। ଆଉ କେତେକ ସ୍ଥାନରେ ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ପୂର୍ବଜଙ୍କୁ କଷ୍ଟ ଦେଇ ଅଭିଶପ୍ତ ଜୀବନ ପାଇଁ ରାସ୍ତା ଖୋଲିଦିଏ। ଏହାକୁ ପିତୃଦୋଷ କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ପିତୃଦୋଷ କେମିତି ଦୂର ହେବ। ଚନ୍ଦ୍ରମା ପୃଥିବୀକୁ ୨୭ଦିନ ୭ ଘଣ୍ଟା ୪୫ ମିନିଟ୍‌ରେ ପରିକ୍ରମା କରନ୍ତି। ଉଲ୍ଲେଖନୀୟ ଯେ, ଚନ୍ଦ୍ରମାର ଗୋଟିଏ ଅଂଶ ପୃଥିବୀ ଆଡ଼କୁ ରୁହେ, ଅନ୍ୟ ଅଂଶ ପୃଥିବୀ ଆଡ଼କୁ କେବେ ବି ଆସେ ନାହିଁ। ଚନ୍ଦ୍ରମାର ଏହି ଅଦୃଶ୍ୟ ଅନ୍ଧକାରମୟ ଅଂଶ ଯାହା ପୃଥିବୀ ଆଡ଼କୁ କେବେ ବି ଆସେ ନାହିଁ ତାହାକୁ ପିତୃଲୋକ କୁହାଯାଏ। ଚନ୍ଦ୍ରମାର ଭୌଗୋଳିକ ଏବଂ ଖଗୋଳୀୟ ସ୍ଥିତି ଆଧାରରେ ଏଠାରେ ଗୋଟିଏ ମାସ ଦିନ ଓ ରାତି ହୁଏ। ଏହାକୁ ଅହୋରାତ୍ର କୁହାଯାଏ।
ସୂର୍ଯ୍ୟସିଦ୍ଧାନ୍ତ ଗ୍ରନ୍ଥର ମାନ୍ୟତା ଅନୁଯାୟୀ ଯେତେବେଳେ ପୃଥିବୀରେ ଅମାବାସ୍ୟା ହୁଏ ସେତେବେଳେ ଚନ୍ଦ୍ରମାର ଅଦୃଶ୍ୟ ଅଂଶ ସୂର୍ଯ୍ୟଙ୍କ ଆଡ଼କୁ ଥିବାରୁ ପିତୃଲୋକରେ ମଧ୍ୟାହ୍ନ ହୁଏ। ସେମିତି ଯେତେବେଳେ ପୃଥିବୀରେ ପୂର୍ଣ୍ଣିମା ହୁଏ, ସେତେବେଳେ ଚନ୍ଦ୍ରମାର ଏହି ଅଂଶ ସୂର୍ଯ୍ୟଙ୍କଠାରୁ ଦୂରେଇ ଯାଉଥିବାରୁ ପିତୃଲୋକରେ ମଧ୍ୟରାତ୍ର ହୋଇଥାଏ। କୃଷ୍ଣପକ୍ଷ ଅଷ୍ଟମୀରେ ସୂର୍ଯ୍ୟୋଦୟ ଏବଂ ଶୁକ୍ଳପକ୍ଷ ଅଷ୍ଟମୀରେ ସୂର୍ଯ୍ୟାସ୍ତ ହୁଏ। ଶାସ୍ତ୍ର ଅନୁଯାୟୀ ପୃଥିବୀରେ ଅମାବାସ୍ୟା ସମୟରେ ପିତୃଲୋକରେ ମଧ୍ୟାହ୍ନ ହୁଏ, ଏହା ପୂର୍ବଜଙ୍କ ଭୋଜନର ସମୟ। ଜନ୍ମକୁଣ୍ଡଳୀରେ ଗ୍ରହସ୍ଥିତି ଆଧାରରେ ପିତୃଋଣ ବା ପିତୃଦୋଷ ସମ୍ପର୍କରେ ଜଣାପଡ଼େ। ଭାରତୀୟ ଜ୍ୟୋତିଷ ବିଜ୍ଞାନରେ ସୂର୍ଯ୍ୟ ପିତୃକାରକ ଏବଂ ଚନ୍ଦ୍ର ମାତୃକାରକ ଗ୍ରହ ଭାବରେ ସ୍ବୀକୃତ। ପିତୃଦୋଷର ମୁଖ୍ୟ କାରକ ଏହି ଉଭୟ ଗ୍ରହ। ଏମାନେ ରାଶିଚକ୍ରରେ ରାହୁ ସହିତ ଥିଲେ କିମ୍ବା ରାହୁ ସହ ସୁସମ୍ପର୍କ ଥିଲେ ପିତୃଦୋଷ ବ୍ୟକ୍ତ କରେ। ସୂର୍ଯ୍ୟ ଓ ଶନି ଉପରେ ରାହୁର କୁପ୍ରଭାବ ବ୍ୟକ୍ତିକୁ ଭୀଷଣ କଷ୍ଟ ଓ ନାନା ଅବରୋଧର ସାମ୍ନା କରାଏ। ଚାତୁର୍ମାସ୍ୟ ବ୍ରତ ପାଳନ ଓ ମହାଳୟା ଶ୍ରାଦ୍ଧ ଦ୍ୱାରା ଏହି ଅବରୋଧ ଦୂର ହୁଏ।
ହରିଶୟନୀ ଏକାଦଶୀରୁ ଆରମ୍ଭ ହୋଇଥିବା ଶୃଙ୍ଖଳାର ଉତ୍ସବ ଶେଷ ହୁଏ ଦେବୋତ୍ଥାପନୀ ଏକାଦଶୀରେ। ଏହି ଚାରିମାସକୁ ନିଷ୍ଠା, ପବିତ୍ରତା, ସଂକଳ୍ପ ଓ ଭକ୍ତିର ଦିବ୍ୟ ମୁହୂର୍ତ୍ତ ଭାବେ ବିଚାର କରାଯାଏ। ଏହି ସମୟରେ ଚାଷବାସ କାମ ବନ୍ଦ ଥାଏ। ଏହି ପୂଜାରେ ସର୍ବପ୍ରଥମେ ଗଣେଶଙ୍କୁ ଆବାହନ କରାଯାଏ। ଏହି ଉତ୍ସବର ଦ୍ୱିତୀୟ ପର୍ବରେ ଗଣେଶ ପୂଜା ପଡ଼ିଥାଏ। ଗଣେଶଙ୍କ ପରେ ଯଜ୍ଞରେ ପିତୃପୁରୁଷଙ୍କୁ ଆବାହନ କରାଯାଏ। ଏହା ପରେ ପଡ଼ିଥାଏ ପିତୃପକ୍ଷ। ଯେଉଁମାନେ ପୂର୍ବଜଙ୍କୁ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ପବିତ୍ର ଓ ସମର୍ପିତ ହୃଦୟରେ ପିଣ୍ଡ ପ୍ରଦାନ କରିଥାନ୍ତି ବା ଶ୍ରାଦ୍ଧ, ତର୍ପଣ ଓ ଦାନଧର୍ମ କରିଥାନ୍ତି, ସେମାନଙ୍କ ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ରହିଥାଏ।
(ମହାଳୟା ଉପଲକ୍ଷେ)
ପାରାଦୀପ, ମୋ-୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri