ମୁଁ , ମୋ ବିଶ୍ୱ ଓ ଜଣେ ଫଟୋଗ୍ରାଫର

ମନ-ମାନଚିତ୍ର/ ଡ. ନରହରି ବେହେରା
‘ମୁଁ’ ଜଣେ ବ୍ୟକ୍ତି ନୁହେଁ ବରଂ ସକଳ ବିଶ୍ୱକୁ ଅବଲୋକନ କରୁଥିବା ମୋ ପରି ଅନେକ ବ୍ୟକ୍ତିଙ୍କର ସମନ୍ବିତ ଏକ ବ୍ୟକ୍ତିସତ୍ତା। ଆଜି ସେଇ ‘ମୁଁ’ ଭାବୁଛି, ଯେତେବେଳେ ଶିଶୁଟିଏ ହୋଇ ମାଆ କୋଳରେ ଦିନ କାଟୁଥିଲି ସେତେବେଳେ ମୋ ମାଆର କୋଳକୁ ନିଶ୍ଚୟ ସମଗ୍ର ବିଶ୍ୱ ବୋଲି ବିବେଚନା କରୁଥିବି। ସେତେବେଳେ ଏ ବିଶ୍ୱରେ ମୋ ପାଇଁ ମୋ ମାଆ ହିଁ ଏକମାତ୍ର ପରିଚିତ ତଥା ବିଶ୍ୱାସର ମଣିଷ ଥିବ। ମୁଁ ବଡ଼ ହେଲି, ମୋ ଚେତନାର ଚୌହଦୀ ପ୍ରସାରିତ ହୋଇଗଲା। ମାଆ କୋଳ ଛାଡ଼ି ଘରେ ବୁଲିବାବେଳେ ମୁଁ ଭେଟିଲି ଘରର ଅନ୍ୟମାନଙ୍କୁ। ସେତେବେଳେ ନିଶ୍ଚୟ ମୋର ମନେହୋଇଥିବ ଏ ସଂସାରରେ ମୋ ମାଆ ବ୍ୟତୀତ ଆହୁରି ଅନେକ ଲୋକ ଅଛନ୍ତି। ସେମାନେ ମୋର ଆତ୍ମୀୟସ୍ବଜନ, ଯେଉଁମାନଙ୍କ ପାଇଁ ଏ ବିଶ୍ୱ ମୋତେ ଆନନ୍ଦମୟ ଲାଗୁଛି। କିଛି ଦିନ ପରେ ମୁଁ ଆଉ ଟିକିଏ ବଡ଼ ହୋଇଗଲି। ଘର ଛାଡ଼ି ଦାଣ୍ଡରେ ପାଦ ଦେଲି। ସାଙ୍ଗସାଥୀ, ପଡ଼ୋଶୀଙ୍କୁ ଭେଟିଲି। ସେତେବେଳେ ମୋର ମନେହେଲା ଏ ବିଶ୍ୱ ଆହୁରି ବ୍ୟାପକ।
କାଳକ୍ରମେ ଗାଁ ଦାଣ୍ଡ ଛାଡ଼ି ଯେତେ ଆଗକୁ ବଢ଼ିଲି ଏ ବିଶ୍ୱର ବ୍ୟାପକତାକୁ ସେତେ ଅଧିକ ଅନୁଭବ କଲି। ବିଶ୍ୱ ତୁଳନାରେ ମୁଁ ନିଜକୁ ଅତି କ୍ଷୁଦ୍ର ମନେକଲି। ମାତ୍ର ମୁଁ ଜଣେ ଅଦ୍ଭୁତ ବ୍ୟକ୍ତିରେ ରୂପାନ୍ତରିତ ହୋଇଗଲି। ମୋର ସରଳ ହସ, ନିଷ୍ପାପ ମନ, ମନଖୋଲା କଥା ସବୁ କିଛି ବଦଳିଗଲା। ମାଆର କୋଳ, ଘରର ଅଗଣା, ଗାଁ ଦାଣ୍ଡ, ଭାଇବନ୍ଧୁ, ଆତ୍ମୀୟସ୍ବଜନ ସବୁ କିଛି କେବଳ ସ୍ମୃତି ହୋଇ ରହିଗଲା ସିନା ମୋ ଚେତନାକୁ ଦୋହଲାଇ ଦେଇପାରିଲାନି। ମୁଁ ଏ ବିରାଟ ବିଶ୍ୱରେ ସ୍ବତନ୍ତ୍ର ହେବାକୁ ଚାହିଁଲି। ସକଳ ବିଶ୍ୱରେ ମୁଁ ହିଁ କେବଳ ମୁଁ ହେବି- ଏହି ଭାବନା ମୋର ନିଷ୍ପାପ ସରଳ ମନକୁ କେବଳ ଚୋରି କରିନେଲା ନାହିଁ, ଅପରନ୍ତୁ ମୋର ସକଳ କୋମଳ ଚେତନାକୁ ପଥର କରିଦେଲା। ଏ ପୃଥିବୀ ମୋର, ଏ ମୋର ବଞ୍ଚତ୍ବା ପାଇଁ ସବୁ କିଛି ଯୋଗାଡ଼ କରି ରଖିଛି। ଜନ୍ମ ହେବାବେଳେ ଦି ଚାମଚ କ୍ଷୀରରେ ପେଟ ପୂରି ଯାଉଥିଲା, ଏବେ ମୁଁ କେତେ ଆନନ୍ଦରେ ଭୁରି ଭୋଜନ କରୁଛି- ଏସବୁ ତ ମୁଁ ପ୍ରସ୍ତୁତ କରି ନ ଥିଲି। ତେବେ ମୋ ପାଇଁ ଯେଉଁମାନେ ଏତେ ପ୍ରସ୍ତୁତି କଲେ, ତାଙ୍କ ପାଇଁ ମୁଁ କ’ଣ କଲି? ମୁଁ କାହଁିକି ଜଣେ ନିରନ୍ନ ଦୁଃଖୀ ମଣିଷର ଆଖି ଦେଖି ନ ପାରି କେବଳ ପଡ଼ିଶାଙ୍କ ଘର, ଗାଡ଼ି, ବ୍ୟାଙ୍କ ବାଲାନ୍‌ସ, ପଦପଦବୀ ପ୍ରଭୃତିକୁ ଦେଖିଲି? ମୁଁ ମାନବରୁ ଯନ୍ତ୍ରମାନବରେ ପରିଣତ ହୋଇଗଲି। ଜୀବନକୁ ସରଳ ସୁନ୍ଦର ଭାବରେ ନ ଗଢ଼ି ଗୋଟିଏ ହିସାବଖାତାରେ ପରିଣତ କରିଦେଲି। ମୁଁ ସମସ୍ତଙ୍କ ସହିତ ମୋ ବୁଦ୍ଧିର ଖେଳ ଆରମ୍ଭ କରିଦେଲି। କେଉଁଠି ବାବା ହୋଇ ଲୋକଙ୍କ ବିଶ୍ୱାସ ସହିତ ଖେଳିଲି ତ କେଉଁଠି ଶାସକ କି ପ୍ରଶାସକ ହୋଇ ଜନତାଙ୍କ ସହିତ ବିଶ୍ୱାସଘାତକତା କଲି।
ଏ ସୃଷ୍ଟିରେ ସବୁଠାରୁ ବିଚିତ୍ର ହେଉଛି ମଣିଷର ମନ ଓ ଚରିତ୍ର। ଚାଖଣ୍ଡେ ଭୂମିକୁ ନିଜର ବୋଲି ଦାବିକରି ଭାଇ ଭଗାରିଙ୍କ ସହିତ ଲଢ଼େଇ କରି ପ୍ରାଣ ହାରିଦେବାକୁ ପଛାଉ ନ ଥିବା ମଣିଷ ଏ ସମାଜ ଛାଡ଼ି ମଶାଣିରେ ଘର କରେ ନାହିଁ। ସେ ସେହି ମଣିଷଙ୍କ ଗହଣରେ ଘର କରି ହିଁ ରହିଥାଏ। ଏ ଜୀବନ ପ୍ରିୟ ପରିଜନଙ୍କ ବିନା ଶୁଷ୍କ ନୀରସ, ମାତ୍ର ମୁଁ କେଡ଼େ ସ୍ବାର୍ଥପର ସତେ! ଏ ସୁନ୍ଦର ବିଶ୍ୱରେ ସମସ୍ତଙ୍କୁ ପାଇ ମଧ୍ୟ ମୁଁ ଏକାକୀ କ୍ଷମତାର ତୁଙ୍ଗ ଶିଖର ଆରୋହଣରେ ମନ ବଳାଇଛି!
ମୁଁ କେବେ ବି ଭାବିନାହିଁ, ସକଳ ସୁଖସ୍ବାଚ୍ଛନ୍ଦ୍ୟକୁ ପରିହାର କରି କାହିଁକି ସିଦ୍ଧାର୍ଥ ନିଶାର୍ଦ୍ଧରେ ଗୃହ ତ୍ୟାଗ କଲେ? କାହିଁକି ବଢ଼ି ମରୁଡ଼ିରେ ନିଜର ରୋଗଗ୍ରସ୍ତ ପୁଅକୁ ଛାଡ଼ି ଗୋପବନ୍ଧୁ ପ୍ରପୀଡ଼ିତଙ୍କ ପାଖରେ ଠିଆ ହେଉଥିଲେ? କାହିଁକି ଏ ନିର୍ଜୀବ ଓଡ଼ିଆଙ୍କୁ ମୁଣ୍ଡ ଟେକି ଚାଲିବାକୁ ପ୍ରେରଣା ଦେବା ପାଇଁ ମଧୁବାବୁ ଦେବାଳିଆ ହୋଇଗଲେ? ସେମାନଙ୍କର କଥା ଶୁଣିଛି, ଗାଥା ଭଣିଛି, ତଥାପି କାହିଁକି ମୁଁ ମୋର ମୋର କହି ଅନ୍ତଃସତ୍ତାକୁ ହରାଇ ବସୁଛି? କାମନାର ସର୍ବଗ୍ରାସୀ ନିଆଁରୁ ନିଜକୁ ରକ୍ଷା କରିପାରୁନାହିଁ।
ଆଜି ସମଗ୍ର ବିଶ୍ୱକୁ ମୁଁ ଆପଣାର କରିନେବା ପାଇଁ ଚେଷ୍ଟା କରିଛି, ମାତ୍ର ବିଶ୍ୱର ମୁଁ ନିଜର ହୋଇପାରିଲିନି। ବାରମ୍ବାର କ୍ଷମତା ଏବଂ ଆଧିପତ୍ୟ ଦ୍ୱାହିରେ ଏ ବିଶ୍ୱକୁ ବିଦଳିତ କରିଦେବାକୁ ଚେଷ୍ଟା କରିଛି। ମୁଁ କେତେବେଳେ ନେପୋଲିଅନ୍‌ ହୋଇଛି ତ କେତେବେଳେ ଚେଙ୍ଗିଜ୍‌ ଖାଁରେ ରୂପାନ୍ତରିତ ହୋଇଯାଉଛି। ମାତ୍ର ବିଶ୍ୱକୁ କରାୟତ୍ତ କରିବାକୁ ଯାଇ ଆଲେକ୍‌ଜାଣ୍ଡର ଯେପରି ଶେଷ ମୁହୂର୍ତ୍ତରେ ନଶ୍ୱରତାକୁ ଅନୁଭବ କରି ପ୍ରାଣତ୍ୟାଗ କଲେ, ତାକୁ ମୁଁ ଅନୁଭବ କରିପାରୁନାହିଁ। ଯେଉଁ ବିଶ୍ୱ ମୁଁ ଜନ୍ମ ହେବା ପୂର୍ବରୁ ମୋ ପାଇଁ ସବୁକିଛି ସଜାଡ଼ି ରଖିଥିଲା, ଯେଉଁ ବିଶ୍ୱ ମୋର ପ୍ରତ୍ୟେକ ମୁହୂର୍ତ୍ତକୁ ସରସ ସୁନ୍ଦର କରିବା ପାଇଁ ଆତ୍ମୀୟସ୍ବଜନଙ୍କୁ ମୋତେ ଉପହାର ଦେଇଛି ତା’ପାଇଁ କ’ଣ କରିଛି? ମୋ ଚେତନା ସବୁବେଳେ ଅଥୟ କରେ ଏ ବିଶ୍ୱର ଆପଣାର ହେବାକୁ, କିନ୍ତୁ ମୋ ମନ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ବିବେଚନା କରିବାକୁ ଦେଉନାହିଁ। ମୁଁ ମନର ଦାସତ୍ୱ ସ୍ବୀକାର କରିସାରିଛି। ମୁକୁଳି ପାରିବାର ଉପାୟ ଖୋଜିଲେ ବି ପାଇ ପାରୁନି। ସବୁ ଦେଖୁଥିଲେ ବି କର୍ତ୍ତବ୍ୟ ଅପେକ୍ଷା ନିଜ ପ୍ରତିଷ୍ଠା ଏବଂ ଖ୍ୟାତି ପଛରେ ଧାଉଁଛି, ଠିକ୍‌ ସେଦିନର ସେହି ବିଖ୍ୟାତ ଫଟୋଗ୍ରାଫର କେଭିନ୍‌ କାର୍ଟରଙ୍କ ପରି। ସେ ସୁଦାନର ଦାରୁଣ ଦୁର୍ଭିକ୍ଷ ସମୟରେ ଗୋଟିଏ ଅସ୍ଥିକଙ୍କାଳସାର ମୃତବତ୍‌ ଶିଶୁଟିକୁ ଖାଇବା ପାଇଁ ଧାଇଁ ଆସୁଥିବା ଶାଗୁଣାର ଫଟୋ ଉଠାଇଥିଲେ। ମୃତ୍ୟୁର ଏ କରୁଣ ଚିତ୍ର ତାଙ୍କୁ ଅନେକ ପ୍ରଶଂସା ଦେଇଥିଲା। ମାତ୍ର ତା’ ସହିତ ଆଣିଥିଲା ବିଶ୍ୱର ପ୍ରତିଟି କୋଣରୁ ନିନ୍ଦା, ଅପବାଦ ଏବଂ ଅପଯଶ। କଥା ଉଠିଲା, କେଭିନ୍‌ ଶାଗୁଣା ମୁହଁରୁ ଶିଶୁଟିକୁ ରକ୍ଷା କରିଥିଲେ ହୁଏତ ଶିଶୁଟି ବଞ୍ଚତ୍ ଯାଇଥାନ୍ତା, ତାହା ନ କରି ସେ ଫଟୋ ଉଠାଇଲେ କେମିତି? ଏ ନିନ୍ଦା ଅପବାଦ ଜ୍ୱାଳାରେ ଛଟପଟ ହୋଇ ଶେଷରେ ସେ ଆତ୍ମହତ୍ୟା କଲେ।
ମୁଁ ସେହି କେଭିନ୍‌ଙ୍କ ପରି କେବଳ ଯଶଖ୍ୟାତି ପଛରେ ଧାଇଁଛି। ଖାଲି ଲୋକଦେଖାଣିଆ ନିଜକୁ ଜଣେ ସହୃଦୟ ମଣିଷର ପରିଚୟ ଦେବାକୁ ଚେଷ୍ଟା ଚଳାଇଛି। ମଣିଷପଣିଆ ଅପେକ୍ଷା ମିଥ୍ୟା ଯଶକୀର୍ତ୍ତିର ବାନା ଉଡ଼ାଇବା ପାଇଁ କଳକୌଶଳ ପ୍ରୟୋଗ କରୁଛି। ଏ ଭାରତବର୍ଷର ମୁନିଋଷିମାନେ ଉଦାତ୍ତ କଣ୍ଠରେ ଗାନ କରିଥିଲେ, ‘ସର୍ବେ ଭବନ୍ତୁ ସୁଖିନଃ’, କିନ୍ତୁ ମୁଁ କାହିଁକି ଏ ବିଶ୍ୱର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଉଛି? ନିଜ ଦେଶର ସୀମାବୃଦ୍ଧି ନିଶାରେ କାହିଁକି ଯୁଦ୍ଧଂ ଦେହି ଡାକରା ଦେଉଛି? କାହିଁକି ନଗଡ଼ାର ଶିଶୁଟିଏ ପୁଷ୍ଟିହୀନତାରେ ଶଢ଼ୁଥିବାବେଳେ ମୋ ପିଲାଟି ସରଲବଣୀକୁ ଥୁ କରି ଦେଉଛି? କାହିଁକି ଅନାକାଙ୍‌କ୍ଷିତ ଆହବ, କ୍ଷୁଧା, ଅଶିକ୍ଷା, ଅନ୍ଧବିଶ୍ୱାସରେ ଏ ବିଶ୍ୱ ସର୍ବଦା ଥରହର ହେଉଥିବା ବେଳେ ମୁଁ ସମ୍ରାଟ୍‌ ନିରୋଙ୍କ ପରି ବେଧଡ଼କ? ଏଥିପାଇଁ ଦାୟୀ ମୋ ବ୍ୟତୀତ ଆଉ କିଏ ହୋଇପାରେ? ମୋ ବିଶ୍ୱ ପାଇଁ ମୁଁ ଏକ ଅବାଞ୍ଛିତ ଉପସ୍ଥିତି ନୁହେଁ କି?
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ: ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?