ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା

କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଏଭଳି କଡ଼ା ପଦକ୍ଷେପ ନେଉଛନ୍ତି ଏବଂ ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକାନ୍ତ ଆବଶ୍ୟକ। ଏପର୍ଯ୍ୟନ୍ତ କରୋନାର କୌଣସି ଭାକ୍‌ସିନ୍‌ କିମ୍ବା ଔଷଧ ଆବିଷ୍କାର ହୋଇ ନ ଥିବାରୁ ଏକାନ୍ତ ବାସ ବା ସଙ୍ଗରୋଧ ତଥା ସାମାଜିକ ଦୂରତା ଏହାର ଏକମାତ୍ର ପ୍ରତିଷେଧକ ବୋଲି କୁହାଯାଉଛି। ଗଣମାଧ୍ୟମଗୁଡ଼ିକରେ ଲୋକେ ଘରୁ ନ ବାହାରିବା ପାଇଁ ବ୍ୟାପକ ଭାବରେ ବାରମ୍ବାର ପ୍ରଚାର କରୁଛନ୍ତି। ସ୍ବେଚ୍ଛାକୃତ ଭାବେ ସରକାରଙ୍କ ଅନୁରୋଧକୁ ନ ମାନୁଥିବା ଲୋକଙ୍କ ପାଇଁ ଏବେ ଏସବୁ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ପୋଲିସ ଓ ପ୍ରଶାସନର ସହାୟତା ନିଆଯାଉଛି। ନିଜାମୁଦ୍ଦିନ ମରକଜ ସମାବେଶକୁ ଦେଶର ବିଭିନ୍ନ ପ୍ରଦେଶରୁ ଏବଂ ବିଦେଶରୁ ଆସିଥିବା ମୌଲବୀ ତଥା ପ୍ରତିନିଧିମାନେ ସମଗ୍ର ଦେଶରେ ବିଛାଇ ହୋଇଯାଇଥିବା କାରଣରୁ ସଂକ୍ରମଣ ବଢ଼ିବା କଥା ତଥ୍ୟଗତ ଭାବେ ପ୍ରମାଣିତ ହେଲାଣି। ଆକ୍ରାନ୍ତ ଅଞ୍ଚଳରୁ ଏବଂ ବିଦେଶରୁ ଆସିଥିବା ବ୍ୟକ୍ତି ଓ ଶ୍ରମିକମାନଙ୍କୁ ପଞ୍ଜୀକୃତ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକୁ ପଠାଯାଉଛି। ଯେଉଁ କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଶକ୍ତିଶାଳୀ ଆମେରିକା ଏବଂ ୟୁରୋପର ଅନେକ ରାଷ୍ଟ୍ର ବିଫଳ ହୋଇଥିବା ବେଳେ ଆନୁପାତିକତା ଦୃଷ୍ଟିରୁ ଏହାର ସଂକ୍ରମଣ ଭାରତରେ ଅପେକ୍ଷାକୃତ କମ୍‌, କାରଣ ହେଲା ଆମ ସରକାରମାନଙ୍କ କଠୋର ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କରୋନା ଯୋଧ୍ୟାମାନେ ଧନ୍ୟବାଦର ପାତ୍ର।
ବିଶ୍ୱ ଇତିହାସରେ କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ସମ୍ପର୍କରେ ଉଲ୍ଲେଖ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀରେ ପ୍ଲେଗ୍‌ ମହାମାରୀରେ ୟୁରୋପର ସତୁରି ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ। ସେହିଭଳି ୧୮୧୫ ମସିହାରେ ଭାରତର ବଙ୍ଗ ଓ ବମ୍ବେ ପ୍ରଦେଶର ହଜାର ହଜାର ନାଗରିକ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହାର ଅନେକ ବର୍ଷ ପରେ ଅର୍ଥାତ୍‌ ୧୯୯୪ ସେପ୍ଟେମ୍ବରରେ ଗୁଜରାଟର ସୁରଟ୍‌ ନଗରୀରେ ପ୍ଲେଗ୍‌ ମହାମାରୀରେ ହଜାର ହଜାର ଲୋକ ପୋକମାଛି ପରି ମଲେ। ସେଠାରେ ସୂତାକଳରେ ଶ୍ରମିକ ଭାବରେ କାମ କରୁଥିବା ଓଡ଼ିଆ, ବଙ୍ଗାଳୀ, ବିହାରୀ ଶ୍ରମଜୀବୀମାନେ ଭୟରେ ନିଜ ନିଜ ରାଜ୍ୟକୁ ପଳାୟନ କରିବା ପରେ ସେଠାରେ ମଧ୍ୟ ପ୍ଲେଗ୍‌ ବ୍ୟାପିଲା। ସେତେବେଳେ ଭାରତରୁ ୟୁରୋପକୁ ଯାଉଥିବା ଯାତ୍ରୀବାହୀ ବିମାନଗୁଡ଼ିକୁ ପ୍ଲେଗ୍‌ ପ୍ଲେନ୍‌ କୁହାଯାଉଥିଲା।
୧୮୭୬ ଏବଂ ୧୮୯୮ରେ ପ୍ଲେଗ୍‌ ପୁଣି ଦେଶରେ ତା’ର କାୟା ବିସ୍ତାର କଲା। ଏହା ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଜୀବନ ନାଶ କରୁଥିଲା। ପ୍ରଥମେ ଗୁଜରାଟ ଏବଂ ପରେ ବଙ୍ଗ ଓ ମହାରାଷ୍ଟ୍ର ଏହି ସଂକ୍ରମଣର ଶିକାର ହେଲା। ଅବଶ୍ୟ ଶୀଘ୍ର ପ୍ଲେଗ୍‌ ନିୟନ୍ତ୍ରଣ ପାଇଁ ଟିକା ଓ ଆଣ୍ଟିବାୟୋଟିକ୍‌ର ଆବିଷ୍କାର ହେଲା। ୧୯୪୦ରେ ଯେତେବେଳେ ଦେଶରେ ସ୍ବାଧୀନତା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା, କଲେରାର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାକୁ ଲାଗିଲା। ସେତେବେଳେ ଦୁଇ ଦୁଇଟି ସଂଗ୍ରାମ ଚାଲିଲା, ଗୋଟିଏ ଇଂରେଜ ଶାସନ ବିରୋଧରେ ଏବଂ ଅନ୍ୟଟି ହଇଜା ବିରୋଧରେ। ଅସ୍ବଚ୍ଛ ବା ଅପରିଷ୍କାର ଜଳ ପିଇବା କାରଣରୁ ଏହି ରୋଗ ବ୍ୟାପିଥିଲା। ତେଣୁ ହଇଜା ପୀଡ଼ିତ ଅଞ୍ଚଳରେ ପୁଷ୍କରିଣୀ ପାଣିରେ କ୍ଲୋରିନ୍‌ ପକାଇ ଏହାର ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ କରାଗଲା। ହଇଜା ଆକ୍ରାନ୍ତ ପ୍ରାୟତଃ କ୍ରମାଗତ ଝାଡ଼ା ବାନ୍ତିର ଶିକାର ହୁଅନ୍ତି। ବାରମ୍ବାର ଝାଡ଼ାବାନ୍ତି କାରଣରୁ ଶରୀରରେ ଥିବା ପାଣି ବାହାରି ଆସେ। ଏହାର ସିଧା ପ୍ରଭାବ ବ୍ଲଡ୍‌ପ୍ରେସର ଉପରେ ପଡ଼େ। ବ୍ଲଡ୍‌ ପ୍ରେସର ଲୋ’ ହୋଇଯାଏ ଏବଂ ସମୟାନୁସାରେ ଚିକିତ୍ସା ନ ହେଲେ ରୋଗୀର ମୃତ୍ୟୁ ହୁଏ। କୁହାଯାଏ ୧୯୭୫ରେ ବଙ୍ଗୋପସାଗରର ତଟବର୍ତ୍ତୀ ଅଞ୍ଚଳରେ ପୁଣି ଥରେ ହଇଜା ତା’ର ପ୍ରକୋପ ଦେଖାଇବା ଆରମ୍ଭ କରିଥିଲା। ୧୯୯୦ରେ ହଇଜା ପ୍ରତିଷେଧକ ଟିକା ଆବିଷ୍କାର ହେବା ପରେ ସମଗ୍ର ବିଶ୍ୱରେ ଏବେ ହଇଜାର ପ୍ରଭାବ ନାହିଁ କହିଲେ ଚଳେ। ଗତ ଚାରି ଦଶକ ଧରି କ୍ଷୁଦ୍ର ଏବଂ ବିକାଶଶୀଳ ଦେଶମାନଙ୍କରେ ଏହାର ବ୍ୟାପକତା ଦେଖିବାକୁ ମିଳୁଥିଲା।
ହଇଜା ବ୍ୟତୀତ ବସନ୍ତ ଓ ମିଳିମିଳା ପରି ସଂକ୍ରାମକ ରୋଗ ଉପରେ ମଧ୍ୟ ଏବେ ନିୟନ୍ତ୍ରଣ ହାସଲ କରାଯାଇପାରିଛି। ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ବସନ୍ତ ମହାମାରୀରେ ପାଖାପାଖି ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟରୁ ଜଣାପଡ଼େ। ସ୍ଲଲ୍‌ ପକ୍ସ ଓ ଚିକନ୍‌ ପକ୍ସ ନାମରେ ପରିଚିତ ଏହି ରୋଗ ୧୯୬୦ ଦଶକରେ ଭାରତରେ ମହାମାରୀର ରୂପ ନେଇଥିଲା। ଏଥିରେ ଅନେକଙ୍କର ପ୍ରାଣହାନି ହୋଇଥିଲା।
ଶତାଧିକ ବର୍ଷ ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପୃଥିବୀର ପ୍ରାୟ ଦୁଇ କୋଟି ଲୋକ ମୃତ୍ୟୁବରଣ କରିଥିଲେ। ଏହି ଯୁଦ୍ଧ ଆତଙ୍କକୁ ଦୁନିଆ ଭୁଲି ନ ଥିବା ବେଳେ ଆଉ ଏକ ଭୟାନକ ସଙ୍କଟ ଫ୍ଲୁ ପ୍ରକୋପରେ ବିଶ୍ୱ ଥରିଲା। ସ୍ପେନିଶ୍‌ ଫ୍ଲୁ ନାମରେ ପରିଚିତ ଏହି ମହାମାରୀ ସୈନ୍ୟ ପ୍ରଶିକ୍ଷଣ ଶିବିରରୁ ତା’ର ଯାତ୍ରା ଆରମ୍ଭ କରିଥିଲା। ଅପରିଷ୍କାର ପରିବେଶ ହିଁ ଥିଲା ଏହାର ଅନିୟନ୍ତ୍ରିତ ବୃଦ୍ଧିର କାରଣ। ୧ ନଭେମ୍ବର ୧୯୧୮ରେ ଯୁଦ୍ଧ ସମାପ୍ତ ହେଲା। ସେଠାରୁ ନିଜ ନିଜ ଦେଶକୁ ଫେରୁଥିବା ସୈନିକମାନଙ୍କ ଦ୍ୱାରା ଏହି ରୋଗ ବ୍ୟାପିଲା। କୁହାଯାଏ ଫ୍ଲୁ ମହାମାରୀ ବିଶ୍ୱର ୫ କୋଟି ଲୋକଙ୍କ ଜୀବନ ନେଲା। କେବଳ ସାମାଜିକ ଦୂରତା ଏବଂ ସଚେତନତା ଦ୍ୱାରା ହିଁ ଏହି ମହାମାରୀକୁ ନିୟନ୍ତ୍ରିତ କରାଯାଇ ପାରିଥିଲା। ବିଶ୍ୱଯୁଦ୍ଧ ବିଜୟ ଉଲ୍ଲସିତ ଫିଲା ଡେଲ୍‌ଫିଆ ଓ ପେନ୍‌ସିଲ୍‌ଭାନିୟାରେ ଏହି ରୋଗରେ ଦଶ ହଜାର ଲୋକ ମରିଥିବା ବେଳେ ସେଣ୍ଟଲୁଇ ଓ ଆମେରିକାରେ ମାତ୍ର ୭ ଶହ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହାର ମୂଳ କାରଣ ସେଣ୍ଟଲୁଇ ଓ ଆମେରିକା ଲିବର୍ଟି ଗ୍ରାଣ୍ଡ୍‌ ପରେଡ୍‌ ସମାରୋହକୁ ବାତିଲ କରିଥିଲା ବେଳେ ଅନ୍ୟ ଦୁଇଟି ଦେଶ ଲକ୍ଷାଧିକ ଲୋକଙ୍କ ସମାବେଶରେ ଏହାକୁ ମହାସମାରୋହରେ ପାଳନ କରିଥିଲା।
ଏବେ ଭାରତ ଏବଂ ଓଡ଼ିଶା ପରି ଅନ୍ୟ ପ୍ରଦେଶମାନେ ସାମାଜିକ ଦୂରତା କଠୋର ଭାବେ ପାଳନ କରୁଥିବା ବେଳେ ତବଲିଗୀ ଜମାତର ଏକଚ୍ଛତ୍ରବାଦୀ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ କାନ୍ଧଲାନୀ ଏବଂ ତାଙ୍କର ସୁନ୍ନି ସମ୍ପ୍ରଦାୟ ଅନୁଗାମୀମାନେ କେଉଁ କାରଣରୁ ଜାଣିଶୁଣି କରୋନା-ବାହକ ସାଜିଛନ୍ତି ତାହା ଜଣାପଡୁ ନାହିଁ। ଜଣାପଡ଼ିଲେ ବି ସାମ୍ପ୍ରଦାୟିକ ସଦ୍‌ଭାବ ନାଁରେ ମୁହଁ ବନ୍ଦ କରିବାକୁ ପଡୁଛି। ପରନ୍ତୁ ଜ୍ଞାତସାରରେ କରୋନା ମହାମାରୀ ପ୍ରସାରଣରେ ଯେଉଁମାନେ ଭାଗୀ ହେବେ ସେମାନଙ୍କୁ ଏକ ପ୍ରକାର ଦେଶଦ୍ରୋହୀ କହିବାରେ ସଂକୋଚ କରିବା ଉଚିତ ନୁହେଁ। କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସଙ୍କ ଉପରେ ବାରମ୍ବାର ଆକ୍ରମଣ, ଅଶୋଭନୀୟ ଏବଂ ଅଶ୍ଳୀଳ ଆଚରଣ, ଜାଣିଶୁଣି ଥୁକିବା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଏସବୁ ଆତ୍ମଘାତୀ ବୋମା ବିସ୍ଫୋରଣଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସରକାର ଏବଂ ଜନସାଧାରଣ ଏ ଦିଗ ପ୍ରତି କଠୋରତମ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।
କରୋନା ମହାମାରୀ କାରଣରୁ ଆଗାମୀ ଦିନରେ ବିଶ୍ୱର ୫୦ କୋଟି ଲୋକ ଅତି ଗରିବ ହୋଇଯିବେ ବୋଲି ମିଳିତ ଜାତିସଂଘ ଆଗୁଆ ସତର୍କବାଣୀ ଶୁଣାଇଲାଣି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ଅବସ୍ଥାକୁ ଆସିଗଲାଣି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତା ବିଶେଷକରି ଦିନମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଚାଷୀ, ସ୍ବଳ୍ପ ଆୟକାରୀ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଭବିଷ୍ୟତ କେବଳ ଅନ୍ଧାର ହିଁ ଅନ୍ଧାର। ବଡ଼ ବଡ଼ ବିପର୍ଯ୍ୟୟ ପରେ ମଧ୍ୟ ଦେଶ ଛିଡ଼ା ହୋଇଛି। ନଅଙ୍କ ଦୁର୍ଭିକ୍ଷ ପରି ପ୍ରକୃତିର କରାଳ ଗ୍ରାସରେ ବିନଷ୍ଟ ହୋଇଯାଇଥିବା ଓଡ଼ିଶା ପୁଣିଥରେ ଛିଡ଼ା ହୋଇ ଆଗକୁ ବଢ଼ିଛି। ପ୍ରଖର ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ ଓ ଗଭୀର ରାଷ୍ଟ୍ରଭକ୍ତିର ଭାବୋଚ୍ଛ୍ବାସରେ ସମଗ୍ର ଜାତିକୁ ଜାଗତ୍ର ହେବାର ବେଳ ଉପନୀତ। ତେଣୁ ନୈରାଶ୍ୟ ତ୍ୟାଗ କରି ଉଠ, ଜାଗ, ଗତିଶୀଳ ହୁଅ।
ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର,
୧୩୪୮/୪ସି, ସେକ୍ଟର-୬
ମର୍କତନଗର (ସିଡିଏ), କଟକ
ମୋ: ୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri