ବିପଜ୍ଜନକ ବର୍ଷ

ଆକାର ପଟେଲ
ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ ଦୃଢ଼ ନିଷ୍ପତ୍ତି ଆଗରେ ଦେଶ ସାରା ପ୍ରଦର୍ଶିତ ପ୍ରତିବାଦ ଅର୍ଥହୀନ ହୋଇପଡ଼ିଲା। ଏହି ଆଇନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଯୋଧ୍ୟା ଓ କଶ୍ମୀର ପ୍ରସଙ୍ଗରେ କୋର୍ଟ ଯେପରି ରାୟ ଦେଲେ, ସେଥିରୁ ମନେହେଉଛି ଏହି ରାୟ ମଧ୍ୟ ସରକାରଙ୍କ ଚାହିଁବା ମୁତାବକ ହେବ।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଆକ୍ରମଣ ଘଟଣାରେ ଛାତ୍ରୀମାନଙ୍କ ଉପରେ, ବିଶେଷତଃ ଛାତ୍ର ସଂସଦ ନେତାଙ୍କ ଉପରେ ଆକ୍ରମଣ କରାଗଲା। ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଦାବି ହେଉଛି। କିନ୍ତୁ ବାସ୍ତବରେ ଯିଏ ଆକ୍ରମଣର ଶିକାର ହୋଇଛନ୍ତି, ତାଙ୍କୁ ହିଁ ପୋଲିସ ଦୋଷୀ ବୋଲି କହିବା ସହ ଆକ୍ରମଣକାରୀମାନଙ୍କୁ କ୍ଳିନ୍‌ଚିଟ୍‌ ଦିଆଯାଇଛି। ପୋଲିସକୁ ପ୍ରଶାସନଠାରୁ ଅଲଗା ବୋଲି ବିବେଚନା କରାଯାଏ, ମାତ୍ର ବାସ୍ତବରେ ତାହା ସତ ନୁହେଁ। ଥିଓରୀ ଅନୁସାରେ ବି ପୋଲିସ ଆଉ ପ୍ରଶାସନଠାରୁ ଅଲଗା ନୁହେଁ। ସରକାର ଯାହା କହିବେ ପୋଲିସ ସେଇଆ କରିବ। ଯେହେତୁ ଦିଲ୍ଲୀ ପୋଲିସ ସ୍ଥାନୀୟ ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ, ବରଂ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରୁଛନ୍ତି, ତେଣୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସାରାରେ ହିଁ ଦିଲ୍ଲୀ ପୋଲିସ କାର୍ଯ୍ୟ କରୁଛି। ଯେତେବେଳେ ଜମ୍ମୁ ଓ କଶ୍ମୀରକୁ ଅଲଗା କରାଗଲା ଏବଂ ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ପଇଁତରା ମାରୁଥିଲେ, ସେତେବେଳେ ମୁଁ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ପଚାରିଲି, ଏବେ କେନ୍ଦ୍ର ସରକାରଙ୍କ ରଣନୀତି କ’ଣ। ସେ କହିଲେ ଯେ, କିଛି ନୂଆ କଥା ନାହିଁ, କିନ୍ତୁ କେନ୍ଦ୍ରୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କଠାରୁ ସ୍ଥାନୀୟ ଲୋକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି। ସେଇଆ ବାସ୍ତବରେ ଘଟିଛି। ବିନା ଅଭିଯୋଗ ବା ବିନା ଅପରାଧରେ ରାଜ୍ୟର ନେତାମାନଙ୍କୁ ଅଟକ ରଖାଯାଇଛି। ଅନେକ ସାଧାରଣ ନାଗରିକଙ୍କୁ ବି ଅଟକ ରଖାଯାଇଛି। ସେମାନଙ୍କ ସ୍ବାଧୀନ ଗତିବିଧିକୁ ବନ୍ଦ କରିଦିଆଯାଇଛି। ସେମାନଙ୍କର ଶାନ୍ତିପୂର୍ଣ୍ଣ ଭାବେ ମେଳି କରିବାର ଅଧିକାର ନାହିଁ। ସେମାନଙ୍କର ସବୁ ଯୋଗାଯୋଗ ସୁବିଧାକୁ ବନ୍ଦ କରିଦିଆଯାଇଛି। ସେମାନଙ୍କ ଦରଜା ବାହାରେ ସଶସ୍ତ୍ର ବାହିନୀ ସର୍ବଦା ପହରା ଦେଉଛନ୍ତି। ଭବିଷ୍ୟତରେ ଏ କଟକଣା ହଟାଇଦିଆଯିବାର କୌଣସି ପ୍ରତିଶ୍ରୁତି ବା କାର୍ଯ୍ୟାନୁଷ୍ଠାନ ବି ନାହିଁ। ଅଥଚ ଏ ପ୍ରସଙ୍ଗକୁ ଭାରତୀୟମାନେ ତଥା ବିଶ୍ୱ ସମୁଦାୟ କେଉଁ ଦୃଷ୍ଟିରେ ଦେଖିବେ ତାହାକୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ହିଁ ପରିଚାଳନା କରୁଛନ୍ତି। ନାଗରିକତ୍ୱ ପ୍ରସଙ୍ଗ ଉପରେ ମୋଦି ଓ ଶାହାଙ୍କ ବକ୍ତବ୍ୟରୁ ଆମେ ସେମାନଙ୍କ ଆଭିମୁଖ୍ୟ ସହଜରେ ବୁଝିପାରିବା। ପ୍ରତିବାଦ ଜୋରଦାର ହେବା ଦେଖି ମୋଦି ତାହାକୁ ରୋକିବା ପାଇଁ କହିଲେ ଯେ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଆଲୋଚନା କରାଯାଇ ନାହିଁ। କିନ୍ତୁ ଏହା ଲାଗୁ ହେବନାହିଁ ବୋଲି ସେ କହି ନ ଥିଲେ। ଯେଉଁମାନେ ଆସାମ ପରି ସବୁ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରାଯିବା ନେଇ ଉଦ୍‌ବିଗ୍ନ ଥିଲେ ଏହା ସେମାନଙ୍କୁ ଆଶ୍ୱସ୍ତି ଦେଇ ନ ଥିଲା। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଭାରତର ସୁନାମରେ ଯେଉଁ ଆଞ୍ଚ ଆସୁଛି ତାକୁ ହଜମ କରିଦେବା ପାଇଁ। ତାଙ୍କର ଅନୁମୋଦନ ମିଳି ନ ଥିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର ଆମେରିକାରେ ଅନୁଷ୍ଠିତ ବୈଠକରୁ ଉଠିଆସି ନ ଥାନ୍ତେ। ଆଗକୁ ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସକାଶେ ତଥ୍ୟ ସଂଗ୍ରହ ପାଇଁ କର୍ମଚାରୀମାନେ ଘର ଘର ବୁଲିବେ, ଯାହା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବାର ପ୍ରଥମ ପଦକ୍ଷେପ। ଯେତେବେଳେ ଲକ୍ଷ ଲକ୍ଷ ଲୋକ ନିଜର ନାଗରିକତ୍ୱ ଓ ସ୍ବାଧୀନତା ଚାଲିଯିବା ନେଇ ଭୟଭୀତ ହୋଇପଡ଼ିବେ, ସେତେବେଳେ ବର୍ତ୍ତମାନ ଦେଖାଯାଉଥିବା ପ୍ରତିବାଦଠାରୁ ପ୍ରତିକ୍ରିୟା ଆହୁରି ଭୟଙ୍କର ହୋଇଉଠିବ। ସେତେବେଳେ ବିଶ୍ୱ ସମୁଦାୟ ଚୁପ୍‌ ହୋଇ ବସିବ ନାହିଁ।
ଡୋନାଲ୍‌ଡ ଟ୍ରମ୍ପ ହୁଏତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ନ ହୋଇପାରନ୍ତି ଏବଂ ଏ ବର୍ଷ ହେବାକୁ ଥିବା ନିର୍ବାଚନରେ ଜଣେ ଡେମୋକ୍ରାଟ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ଭାରତ ନିଜ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ମମ ଆଚରଣ କରୁଥିବା ଦେଖି ସେ ମୋଦି ତଥା ଭାରତ ସହ ବନ୍ଧୁଭାବାପନ୍ନ ନ ହୋଇପାରନ୍ତି। ତା’ପରେ କ’ଣ ହେବ? ବର୍ତ୍ତମାନ ସରକାର ଭାବୁଛନ୍ତି, ଏବେ ଯାହାକିଛି ଘଟୁଛି ତା’ ଉପରେ ତାଙ୍କର ନିୟନ୍ତ୍ରଣ ଅଛି। ଉତ୍ତରପ୍ରଦେଶରେ ପୋଲିସ ଏକ ଡଜନରୁ ଊର୍ଦ୍ଧ୍ୱ ମୁସଲମାନ ପ୍ରତିବାଦକାରୀଙ୍କୁ ହତ୍ୟା କରିଥିବା ବେଳେ ସାଧାରଣ ସମ୍ପତ୍ତି ନଷ୍ଟ ହେବାକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜେଏନ୍‌ୟୁଠାରୁ ଆରମ୍ଭ କରି କଶ୍ମୀର ପର୍ଯ୍ୟନ୍ତ ନାଗରିକଙ୍କ ଅଧିକାର ଉପରେ ମୋଦି ସରକାର ନିଜର ଅଧିକାର ଜାହିର କରୁଛନ୍ତି। ତେବେ ତାଙ୍କ ପାଇଁ ଭଲକଥା ହେଲା ମୋଦିଙ୍କୁ ବିରୋଧ କରିବା ପାଇଁ ତାଙ୍କ ସରକାରରେ କେହି ନାହାନ୍ତି। ସେ ଯାହା କହୁଛନ୍ତି ବା କରୁଛନ୍ତି, ୩୦୦ରୁ ଊର୍ଦ୍ଧ୍ୱ ଲୋକ ସଭା ଏମ୍‌ପି ତାହାର ସମର୍ଥନ ଓ ପ୍ରଶଂସା କରୁଛନ୍ତି। ସୁପ୍ରିମ୍‌କୋର୍ଟ ଏ ନେଇ ଉଦ୍‌ବେଗ ପ୍ରକାଶ କରିବାର କୌଣସି କାରଣ ନାହିଁ, ଯାହା ଆମେ ଦେଖିଆସୁଛୁ। ତେବେ ମୋଦି ସରକାର ନିଜର ଆଦର୍ଶଗତ କାର୍ଯ୍ୟସୂଚୀ ଦେଶ ଉପରେ ଥୋପିବାକୁ ଚେଷ୍ଟା କରୁଥିବା ବେଳେ ପୀଡ଼ିତ ନାଗରିକମାନେ ନିଜର ସୁରକ୍ଷା ପାଇଁ ଯାହା ଇଚ୍ଛା କରିପାରନ୍ତି ଏବଂ ଏହି କାରଣରୁ ୨୦୨୦ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri