ବିଚକ୍ଷଣ ଜନନାୟକ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୬ତମ ପୁଣ୍ୟ ତିଥି। ଇତି ମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ପ୍ରାୟ ୮୩ ବର୍ଷ ଅତିକ୍ରାନ୍ତ ହେଲାଣି। ସମଗ୍ର ପୂର୍ବଭାରତରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି। ଏପରି ଅନେକ କିଛି ଘଟଣା ଘଟିଯାଇଛି। କିନ୍ତୁ ଏକଥା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କାୟମନୋବାକ୍ୟରେ ନିଜକୁ ହଜାଇ ଦେଇଥିବା ମଧୁବାବୁଙ୍କର ଅନେକ ସ୍ବପ୍ନ ଅଧୁରା ହୋଇ ରହିଯାଇଛି। ଷଢ଼େଇକଳା-ଖରସୁଅଁା, ମେଦିନୀପୁର, ବାଙ୍କୁଡ଼ା, ସିଂହଭୂମି, ଚକ୍ରଧରପୁର ଇତ୍ୟାଦି ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏବେ ବିଚ୍ଛାନ୍ନାଞ୍ଚଳ ହୋଇ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚିନ୍ତାମଣି ଆଚାର୍ଯ୍ୟ କହନ୍ତି- ”ମୁଁ କଲିକତାରେ ଆଇନ କଲେଜରେ ପଢ଼ିଲା ବେଳେ ସମୟେ ସମୟେ ସାର୍‌ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଘରକୁ ଯାଉଥିଲି। ଆଇନ କଲେଜ ଛାତ୍ରଙ୍କ ପାଇଁ ସାର୍‌ ଆଶୁତୋଷଙ୍କ ଦ୍ୱାର ଉନ୍ମୁକ୍ତ ଥିଲା। ଯଦି ଜାଣୁଥିଲେ କୌଣସି ଛାତ୍ର ଓଡ଼ିଶାରୁ ମଧୁବାବୁଙ୍କ ପ୍ରଦେଶରୁ ଆସି ଆଇନ କଲେଜରେ ପଢ଼ୁଛନ୍ତି, ତେବେ ସେ ନାନା କୌତୂହଳମୟ ପ୍ରଶ୍ନ କରୁଥିଲେ। ସାର୍‌ ଆଶୁତୋଷ ଦିନେ ମତେ ପଚାରିଲେ ତୁମେ କେଉଁଠାରେ ଓକିଲାତି କରିବ? ଯେତେବେଳେ ସେ ଶୁଣିଲେ ମୁଁ କଟକରେ ଓକିଲାତି କରିବି, ମୋତେ ଉପଦେଶ ଛଳରେ କହିଲେ ତା’ ହେଲେ ମୋର ଗୁରୁଦେବ ମଧୁସୂଦନ ଦାସଙ୍କ ପାଖରେ ସହକାରୀ ହୋଇ କାମ ଶିଖିବ।“ ତାଙ୍କ ଉପଦେଶ ମାନି ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କର ଜୁନିୟର ଥିଲେ। ପ୍ରାଚୀନ କାଳରେ ଗୁରୁ ଗୃହରେ ଛାତ୍ର ରହି ଶିକ୍ଷା କଲାପରି ମଧୁବାବୁ ଛାତ୍ରର ନିଷ୍ଠା ପରୀକ୍ଷା କରୁଥିଲେ। ସାମାନ୍ୟ କୌଣସି କଥାରେ ଗୋଟିଏ ଭୁଲ୍‌ ଭ୍ରାନ୍ତି ଘଟିଗଲେ ଆଉ ରକ୍ଷା ମିଳେ ନାହିଁ। ଖୁବ୍‌ ଗାଳିଦିଅନ୍ତି। କିନ୍ତୁ ଉଦାର ହୃଦୟର ମଧୁବାବୁ ତହିଁ ପରଦିନ ଜୁନିୟର ଘରେ ପ୍ରତ୍ୟୁଷରୁ ହାଜର ହୁଅନ୍ତି ଏବଂ କୁହନ୍ତି କାଲି ତତେ ଗୁଡ଼ାଏ ଗାଳିଦେଲି, ତୋର ମନରେ ଭାରି କଷ୍ଟ ହୋଇଥିବ। ମୁଁ ଯାହାଙ୍କୁ ବେଶି ସ୍ନେହକରେ, ତାଙ୍କର ସାମାନ୍ୟ ଦୋଷ ଦେଖିପାରେ ନାହିଁ। ସେ ଏପରି କଥା ସ୍ନେହପୂର୍ଣ୍ଣ ଭାଷାରେ କହନ୍ତି ଯେ, ମନରୁ ସମସ୍ତ ଦୁଃଖ, ଅଭିମାନ ଓ ରାଗ ସାଙ୍ଗେ ସାଙ୍ଗେ କୁଆଡ଼େ ଉଭେଇଯାଏ।
ଚିନ୍ତା, ଚେତନା ତଥା ଆଭିମୁଖ୍ୟ ଦୃଷ୍ଟିରୁ ସେ ମହାତ୍ମା ଗାନ୍ଧୀଙ୍କଠାରୁ ଆଗୁଆ ଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଗ୍ରାମୋଦ୍ୟୋଗ ସଂଘ ପ୍ରତିଷ୍ଠା ହେବା ପୂର୍ବରୁ ମଧୁସୂଦନ ଗ୍ରାମ୍ୟ ଶିଳ୍ପର ବିକାଶ କାର୍ଯ୍ୟ ହାତକୁ ନେଇଥିଲେ। ୧୯୦୫ରେ ଲୋକମାନଙ୍କ ବିନା ଅର୍ଥ ବ୍ୟୟରେ ମଧୁସୂଦନ କଟକଠାରେ ଲୁଗାବୁଣା ଶିକ୍ଷାର ବନ୍ଦୋବସ୍ତ କରିଥିଲେ। ସେହିପରି ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ସେ ଲୁଣମରା ଅଭିଯାନ ଉପରେ ନିଜର ମତବ୍ୟକ୍ତ କରିଥିଲେ। ପରିସ୍ଥିତି ଚାପରେ ପଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଧର୍ମୀୟ ସଂକୀର୍ଣ୍ଣତାରୁ ସେ ଊର୍ଦ୍ଧ୍ୱରେ ଥିଲେ। ତା’ ନ ହୋଇଥିଲେ ଇଂରେଜ ଶାସନ କବଳରୁ ପୁରୀର ଶ୍ରୀମନ୍ଦିରକୁ ଉଦ୍ଧାର କରି ଗଜପତି ମହାରାଜାଙ୍କ ପରିବାର ହାତରେ ମନ୍ଦିରର ପ୍ରଶାସନିକ ଦାୟିତ୍ୱ ପୁନଃଅର୍ପଣ କରିବା ପାଇଁ ସେ ମୋକଦ୍ଦମା ଲଢ଼ି ନ ଥାନ୍ତେ।
ବି.ଏ. ପଢ଼ିବାବେଳେ ଗୋଟିଏ ଘଟଣା ତାଙ୍କୁ ଲୋକଲୋଚନକୁ ଆଣିଥିଲା। ସଂସ୍କୃତ ପରୀକ୍ଷାରେ ଉତ୍ତର ଦେବନାଗରୀ ନଚେତ୍‌ ନିଜ ମାତୃଭାଷା ଲିପିରେ ଲେଖିବାକୁ କଲିକତା ବିଶ୍ୱବିଦ୍ୟାଳୟର ନିୟମ ଥିଲେ ମଧ୍ୟ ସେତେବେଳେ ସଂସ୍କୃତ ପରୀକ୍ଷା ନିରୀକ୍ଷକ କେବଳ ବଙ୍ଗଳା ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣି ନ ଥିବାରୁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଲେଖିବାକୁ ଅନୁମତି ମିଳୁ ନ ଥିଲା। ମଧୁସୂଦନ ସଂସ୍କୃତ ପରୀକ୍ଷାରେ ଓଡ଼ିଆ ଲିପିରେ ଉତ୍ତର ଲେଖିବେ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଜଣାଇଲେ। ମାତ୍ର ଏହି ଦାବି ଅଗ୍ରାହ୍ୟ ହୋଇଗଲା। ପରିଶେଷରେ ମଧୁବାବୁ ବଙ୍ଗ ବିହାର ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ନର ସାର୍‌ ୱିଲିୟମ ଗ୍ରେଙ୍କ ନିକଟକୁ ଏକ ଆବେଦନପତ୍ର ପଠାଇ ଜଣାଇଲେ ଯେ, ବହୁ ଭାଷାଭାଷୀ ଅଞ୍ଚଳକୁ ନେଇ କଲିକତା ବିଶ୍ୱବିଦ୍ୟାଳୟ ଗଠିତ ହୋଇଥିବାରୁ ସବୁଭାଷାର ଜନନୀ ଭାବେ ବିଚାର କରାଯାଉଥିବା ସଂସ୍କୃତ ପରୀକ୍ଷାର ଉତ୍ତର ମଧ୍ୟ ନିଜ ମାତୃଭାଷା ଲିପିରେ ଲେଖିବା ପାଇଁ ଅନୁମତି ଦିଆଯିବା ଉଚିତ। ମଧୁସୂଦନଙ୍କ ଅକାଟ୍ୟ ଯୁକ୍ତି ଆଗରେ ଲ୍ୟୁଟନାଣ୍ଟ ଗଭର୍ନର ମୁଣ୍ଡ ନୁଅଁାଇଥିଲେ। ଏହା ସେତେବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା।
ମଧୁବାବୁଙ୍କର ସାକ୍ଷୀମାନଙ୍କୁ ଜେରା କରିବାର କୌଶଳ ଏବେ ମଧ୍ୟ ଓଡ଼ିଶାର ଓକିଲମାନଙ୍କ ମଧ୍ୟରେ ଆଲୋଚିତ ହେଉଥିବା ଶୁଣାଯାଏ। ସାକ୍ଷୀ ଯେତେ ଦମ୍ଭକରି ମିଛ କହିବାକୁ ଆସିଥିବ, ମଧୁବାବୁଙ୍କ ଆଗରେ ତା’ ପାଟିରୁ ସତକଥା ବାହାରିଯିବ। ମଧୁସୂଦନ ଦିନେ ଗୋଟିଏ ଦୋହରା ମୋକଦ୍ଦମାରେ ଜଜ୍‌ଙ୍କ ଅଦାଲତରେ ଜେରା କରୁଥାନ୍ତି। ମୋକଦ୍ଦମାଟିର ଘଟଣା ଥିଲା ଏହିପରି- ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପିଟାପିଟି ହୋଇ ଜଣେ ମୁସଲମାନ ମରିଯାଇଥାଏ। ମଧୁବାବୁ ପ୍ରମାଣ କରିବାକୁ ଚାହୁଁଥାନ୍ତି ଯେ, ମୁସଲମାନମାନେ ଆଗେ ହିନ୍ଦୁ ପକ୍ଷର ଲୋକଙ୍କୁ ମାରିବାରୁ ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିନ୍ଦୁପକ୍ଷ ମୁସଲମାନଙ୍କୁ ମାରିଛନ୍ତି। ଜଣେ ମୁସଲମାନ ସାକ୍ଷୀ ଆସିଲେ। ଜମାନବନ୍ଦୀ ଦେଲେ, ଜେରା ବେଳେ ମଧୁବାବୁ ନବାବ ଜାତି, ଅମିର ଜାତି, ବାଦଶାହଙ୍କ ବଂଶଧର ଇତ୍ୟାଦି ଅନେକ କଥା କହି ପ୍ରଥମ କେଇ ମିନିଟ୍‌ରେ ଏପରି ଟେକିଦେଲେ ଯେ ବିଚରା ମୁସଲମାନ ଭଦ୍ରବ୍ୟକ୍ତି ଜଣକ ନିଜର ସ୍ଥିତି ଭୁଲିଯାଇ ନିଜକୁ ବାଦଶାହ ବୋଲି ମନେକଲେ। ସେତିକିବେଳେ ମଧୁବାବୁ କହିଲେ, ଏ କାଫେର ହିନ୍ଦୁ ଆପଣଙ୍କୁ ଶାଲା ବୋଲି ଗାଳିଦେଲା, ଆପଣ ବରଦାସ୍ତ କଲେ କିପରି? ସାକ୍ଷୀ ସଙ୍ଗେ ସଙ୍ଗେ କହିଲା, ବରଦାସ୍ତ କାହିଁକି କରନ୍ତି, ମୁଁ ସଙ୍ଗେ ସଙ୍ଗେ ଲାଠିରେ ମାଡ଼ ଲଗାଇଲି। ମଧୁବାବୁ ଯେଉଁ ଉତ୍ତର ପାଇବାକୁ ଚାହୁଁଥିଲେ, କୌଶଳରେ ସେସବୁ ଉତ୍ତର ସାକ୍ଷୀ ମୁହଁରୁ ପାଇଗଲେ।
ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ...

କୋଭିଡ୍‌-୧୯ରୁ ଶିକ୍ଷା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ...

ଅଲୌକିକ ଦେବତା

ଡ. ତ୍ରିନାଥ ପଟ୍ଟନାୟକ ଓଡ଼ିଆ ଜାତି ଓ ଉତ୍କଳୀୟ ସଂସ୍କୃତିର ଚିର ନମସ୍ୟ ଶ୍ରୀଜଗନ୍ନାଥ। କଳିଙ୍ଗ ସାଗର ଉପକୂଳରେ ଅବସ୍ଥିତ ନୀଳଶୈଳ ଉପରେ ଶ୍ରୀଜଗନ୍ନାଥଙ୍କ ସୁଦୃଶ୍ୟ...

ଏଇ ଭାରତରେ

ଛାତ୍ର ଜୀବନରେ ଭଲ ହକି ଖେଳୁଥିଲେ ବେନେଡିକ୍ଟ କୁଜୁର । ହକି ଥିଲା ତାଙ୍କ ନିଶା। ଦେଶ ପାଇଁ ଖେଳିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ତାଙ୍କ...

ଦ୍ୱିତୀୟ ଈଶ୍ୱର

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମସ୍ତ ମାନବୀୟ ଅବିଗୁଣର ଊର୍ଦ୍ଧ୍ୱରେ ଥିବା ସତ୍ତାର ନାମ ବୋଧହୁଏ ଈଶ୍ୱର। ଈଶ୍ୱର ଚିରକାଳ ମଙ୍ଗଳମୟ। ତାଙ୍କୁ ମାନୁଥିବା...

ଯୁବ ଶକ୍ତିର ବରବାଦ

ସହଦେବ ସାହୁ ମାତ୍ର ୧୦ ବର୍ଷ ଭିତରେ ସବୁ ଓଲଟା ହୋଇଗଲା। ଚାଇନାର ଅର୍ଥନୈତିକ ଅଭିବୃଦ୍ଧିକୁ ଗତ ଅର୍ଦ୍ଧଶତାବ୍ଦୀର ବୃହତ୍ତମ ଅର୍ଥନୈତିକ ଘଟଣା ବୋଲି ଆଲୋଚକମାନେ...

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ଏଇ ଭାରତରେ

ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି। ସରକାର ତଥା ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଦୁର୍ଘଟଣା ରୋକିବା ଲାଗି ସଚେତନ କରୁଛନ୍ତି। କିନ୍ତୁ ମୁମ୍ବାଇ-ପୁଣେ...

Play 250+ Trending Games
Archives

Model This Week

Why Dharitri