Posted inଖେଳ

ବାବରଙ୍କ ଶତକ: ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ

ବର୍ମିଂହାମ,୨୭।୬(ପ.ଟି.)- ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଶେଷରେ ପ୍ରଥମଥର ପାଇଁ ପରାଜୟର ମୁହଁ ଦେଖିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଟୁର୍ନାମେଣ୍ଟର ୩୩ତମ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ପ୍ରଭାବୀ ବୋଲିଂ ଓ ବାବର ଆଜମଙ୍କ ଉପଯୋଗୀ ଶତକ ବଳରେ ପାକିସ୍ତାନ ୫ଟି ବଲ ବାକିଥାଇ ୬ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ତା’ର ସେମିଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂ ଦମ୍‌ ଦେଖାଇ ପାକିସ୍ତାନ ବାଜି ମାରିଛି। ବର୍ଷା ଜନିତ ଓଦା ଆଉଟ ଫିଲ୍ଡ ଯୋଗୁ ଖେଳ ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ମ୍ୟାଚ୍‌ ୫୦ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ଉଇକେଟ ହରାଇ ୨୪୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଏଥିସହ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳଫଳ ସହ ୧୧ ପଏଣ୍ଟ ପାଇ ପୂର୍ବପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ୭ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି। ୧୦୧ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିବା ବାବର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୮ ରନ ଆଭରେଜ ଟାର୍ଗେଟର ପିଛା କରି ପାକିସ୍ତାନ ଓପନର ଫଖର ଜମାନଙ୍କୁ ସଅଳ ହରାଇଥିଲା। ଜମାନ ୯ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ମାର୍ଟିନ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ୧୯ ରନ କରିଥିବା ବେଳେ ଅନ୍ୟତମ ଓପନର ଇମାମ ଉଲ ହକ୍‌ ଲୋକି ଫର୍ଗୁସନଙ୍କ ବଲ୍‌ରେ ଗୁପ୍ଟିଲଙ୍କୁ କ୍ୟାଚ୍‌ ଦେଇଥିଲେ। ଦଳର ସ୍କୋର ୧୧୦ ରନ ହୋଇଥିବା ବେଳେ ତୃତୀୟ ଉଇକେଟ ଭାବେ ମହମ୍ମଦ ହାଫିଜ ଆଉଟ ହୋଇଥିଲେ। ସେ ୩୨ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କେନ୍‌ ଓ୍ବିଲିୟମସନଙ୍କ ବଲ୍‌ରେ ଫର୍ଗୁସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ବାବର ଆଜମ ଓ ହାରିସ ସୋହେଲ ଦମ୍‌ଦାର ବ୍ୟାଟିଂ କରି ୧୪୧ ବଲରୁ ୧୨୬ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ସୋହେଲ ୭୬ ବଲରୁ ୫ ଚୌକା ଓ ୨ ଛକା ସହ ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଗୁପ୍ଟିଲଙ୍କ ଦ୍ୱାର ରନ୍‌ ଆଉଟ ହୋଇଥିଲେ। ବାବର ୧୨୭ଟି ବଲ ଖେଳି ୧୧ ଚୌକା ସହ ୧୦୨ ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ, ଫର୍ଗୁସନ ଓ ଓ୍ବିଲିୟମସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ବ୍ୟାଟିଂ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳ ୪୬ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ମହମ୍ମଦ ଅମୀର ପ୍ରଥମେ ଆଉଟ କରିଥିଲେ ମଧ୍ୟ ଅନ୍ୟତମ ଯୁବ ଦ୍ରୁତ ବୋଲର ଶାହିନା ଶାହା ଆଫ୍ରିଦୀ ୩ ଉଇକେଟ ନେଇ ଏହି ବିପର୍ଯ୍ୟୟ ଘଟାଇଥିଲେ। ଗୁପ୍ଟିଲ ୫ ରନ କରିଥିବା ବେଳେ ଅମୀରଙ୍କ ବଲ୍‌ ତାଙ୍କ ବ୍ୟାଟ୍‌ର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ପ୍ଲେଡ ଅନ୍‌ ହେବା ସହ ସେ ବୋଲ୍ଡ ହୋଇଥିଲେ। ଏହାପରେ ଅନ୍ୟତମ ଓପନର କଲିନ ମୁନରୋ ୧୨, ଅଭିଜ୍ଞ ରସ ଟେଲର ୩, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୧ ରନ କରି ଆଫ୍ରିଦୀଙ୍କ ଶିକାର ହୋଇଥିଲେ। ଏହାପରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପାଳି ପଡିଥିଲା। ସେ ୬୯ ବଲର ସମ୍ମୁଖୀନ ହୋଇ ୪ ଚୌକା ସହ ୪୧ ରନ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ ଲେଗ୍‌ ସ୍ପିନର ଶଦାବ ଖାଁଙ୍କ ବଲ୍‌ରେ ଉଇକେଟକିପର ସର୍ଫରାଜ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଫଳରେ ଦଳ ୮୩ ରେ ୫ ଉଇକେଟ ହରାଇଥିଲା। ତେବେ ଷଷ୍ଠ ଉଇକେଟରେ ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ଓ ଜିମ୍ମି ନିଶାମ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ୧୩୨ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ୭୧ ବଲରୁ ୬ ଚୌକା ଓ ୧ ଛକା ସହ ୬୪ ରନକରି ଗ୍ରାଣ୍ଡହୋମ ଅମୀରଙ୍କ ଥ୍ରୋରେ ସର୍ଫରାଜଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୨୧୫ ରନରେ ପହଞ୍ଚିଥିଲା। ସେହିପରି ନିଶାମ ୧୧୨ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୩ ଛକା ସହ ୯୭ ରନର ଇନିଂସ ଖେଳି ଅପରାଜିତ ରହିଥିଲେ। ୩ ରନ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ମିଚେଲ ସାଣ୍ଟନର ୫ ରନ କରି ଅପରାଜିତ ରହିଥିଲେ। କ୍ୟାଚ୍‌ ହାତଛଡ଼ା ପାଇଁ ପାକିସ୍ତାନ ସମାଲୋଚିତ ହୋଇଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ଖେଳାଳିମାନେ ବେଶ୍‌ ଉଚ୍ଚକୋଟୀର ଫିଲ୍ଡିଂ କରିଥିଲେ। ସର୍ଫରାଜ ୩ଟି ଗୁରୁତ୍ୱପୂର୍ଣ୍ଣ ତଥା କଷ୍ଟସାଧ୍ୟ କ୍ୟାଚ୍‌ ନେଇ ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଆଫ୍ରିଦୀ ୩, ଅମୀର ଓ ଶଦାବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ବର୍ଷାଜନିତ ଓଦା ଆଉଟ୍‌ଫିଲ୍ଡ କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ମ୍ୟାଚ୍‌ ପୂର୍ବପରି ୫୦ ଓଭର ବିଶିଷ୍ଟ ଖେଳାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୭/୬
(ନିଶାମ- ୯୭*, ଗ୍ରାଣ୍ଡହୋମ- ୬୪, ଓ୍ବିଲିୟମସନ- ୪୧, ଆଫ୍ରିଦି- ୩/୨୮, ଅମୀର- ୧/୬୭, ଶଦାବ- ୧/୪୩)।
ପାକିସ୍ତାନ ୪୯.୧ ଓଭରରେ ୨୪୧/୪
(ବାବର- ୧୦୧*, ସୋହେଲ- ୬୮, ହାଫିଜ- ୩୨, ଇମାମ- ୧୯, ବୋଲ୍ଟ- ୧/ ୪୮, ଫର୍ଗୁସନ- ୧/୫୦, ଓ୍ବିଲିୟମସନ- ୧/୩୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ: ଫର୍ମକୁ ଫେରିଲେ ପନ୍ତ, ମୟଙ୍କ

ହାମିଲଟନ, ୧୬।୨(ପି.ଟି.)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ...

ଅଧିନାୟକ କୋହଲିଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅଧିନାୟକଭାବେ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ସେ ୨୬ ରନ କରିବା ଅବସରରେ...

ପୁଅର ଭିଜା ପାଇଁ କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାନିଆ

ନୂଆଦିଲ୍ଲୀ,୩।୬: ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସାନିଆ ମିର୍ଜା ୟୁକେରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥି ଲାଗି ସେ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ...

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ...

ରୁଟ୍‌ଙ୍କୁ ନେଇ ନାସିର୍‌ ହୁସେନଙ୍କ ଭବିଷ୍ୟବାଣୀ: କହିଲେ ସେ ଭାଙ୍ଗିଦେବେ…

ଲଣ୍ଡନ,୧୦।୨: ସାଧାରଣତଃ ବ୍ୟାଟ୍ସମ୍ୟାନ୍‌ମାନେ ସ୍ପିନ୍‌କୁ ଖେଳିବାକୁ ଅସହଜ ମନେ କରିଥାନ୍ତି। ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ସ୍ପିନ୍‌ ବଲ୍‌କୁ ସାମ୍ନା କରୁଥିବା ଦେଶର ସର୍ବକାଳୀନ...

‘ଯେମିତି ହେଲେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବୁ’

ନୂଆଦିଲ୍ଲୀ, ୪।୫: ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିଙ୍କୁ ଯେମିତି ହେଲେ ଘରକୁ ପଠାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଚଳିତ ସିଜନକୁ ବାତିଲ ହେବା ପରେ...

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ...

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌: ଫୁଟବଲ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲରେ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ ହୋଇଛି। ୟୁନିଟ-୬...

Advertisement
Ten Cric Info


Archives

Model This Week