ବନାଗ୍ନି ଓ ଓଡ଼ିଶା

ଅକ୍ଷୟ କୁମାର ସାହୁ
ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଶୀର୍ଷ ବୈଠକ ବା ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ୍‌ ଆକ୍ସନ ସମିଟ୍‌ରେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ପରିବେଶ ଅସନ୍ତୁଳନ ନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଶ୍ୱକୁ କିପରି ଏହି ମାନବକୃତ ଦୁର୍ବିପାକରୁ ସୁରକ୍ଷା ଦେଇହେବ, ସେ ନେଇ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତା ନିଜର ବକ୍ତବ୍ୟ ରଖିଥିଲେ।
ବୈଠକରେ ବିଶ୍ୱତାପନ ବୃଦ୍ଧିର ଅନେକ କାରଣ ଉପରେ ଆଲୋଚନା କରାଯାଇଥିଲା। ଗାଡ଼ିମୋଟର ଓ କଳକାରଖାନରୁ ନିର୍ଗତ ବିଷାକ୍ତ ସବୁଜ ଗୃହ ଗ୍ୟାସ୍‌ କିପରି ପରିବେଶକୁ କ୍ଷତି ପହଞ୍ଚାଉଛି, ସେ ନେଇ ବିଶ୍ୱନେତୃବୃନ୍ଦ ଆଲୋକପାତ କରିଥିଲେ। ଆଲୋଚନା ସମୟରେ ଅନେକ ବକ୍ତା ସବୁଜଗୃହ ଗ୍ୟାସ୍‌ ବ୍ୟତୀତ ଜଙ୍ଗଲ ନିଆଁ ବିଶ୍ୱତାପନର ଅନ୍ୟତମ କାରଣ ଭାବେ ଅବତାରଣା କରିଥିଲେ।
ଅନେକ ନେତା ନିଜ ବକ୍ତବ୍ୟ ରଖିବା ବେଳେ ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ବ୍ରାଜିଲ୍‌ରେ ଥିବା ଆମାଜନ ଜଙ୍ଗଲରେ ଗତ କିଛିଦିନ ହେଲା ଯେଉଁ ସର୍ବଗ୍ରାସୀ ନିଆଁ ଜଳୁଛି, ସେ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ରାୟ ୮୮ ହଜାର ଛୋଟବଡ଼ ନିଆଁ ଲାଗି ଏହି ଜଙ୍ଗଲ ଜଳିପୋଡି ପାଉଁଶ ହେବାରେ ଲାଗିଛି। ସେହି ବ୍ରାଜିଲ୍‌ରେ ଚେରାଡୋ ବୋଲି ଆଉ ଏକ ବନମଣ୍ଡଳ ରହିଛି। ସେଠି ମଧ୍ୟ ସେପ୍ଟେମ୍ବରରେ ଛୋଟବଡ଼ ୮ ହଜାର ବନାଗ୍ନି ଘଟଣା ଘଟିଥିବା ବ୍ରାଜିଲ୍‌ର ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଆମାଜନ ଜଙ୍ଗଲ ଜୈବବିବିଧତାରେ ବେଶ୍‌ ଭରପୂର। ଏଠାରେ ବିଶ୍ୱର ସମୁଦାୟ ବର୍ଷାଜନିତ ମଧୁର ଜଳର ଏକପଞ୍ଚମାଂଶ ମିଳିଥାଏ। ବିଶ୍ୱ ଯଦି ଏକ ଶରୀର ହୁଏ, ଆମାଜନ ଜଙ୍ଗଲକୁ ତାହାର ଅମ୍ଳଜାନ ଯୋଗାଉଥିବା ‘ଫୁସ୍‌ଫୁସ୍‌’ କୁହାଯାଏ। ଆମାଜନ ନିଆଁର ପ୍ରଭାବ ନେଇ ବିଶ୍ୱସ୍ତରରେ ବେଶ୍‌ ଉଦ୍‌ବେଗ ପ୍ରକାଶ ପାଇଛି। କାରଣ ବିଶ୍ୱର ମୋଟ ଜଙ୍ଗଲ ପରିମାଣର ୨୦ ପ୍ରତିଶତ ଆମାଜନ ଅବବାହିକାରେ ହିଁ ରହିଛି। ଏହାଛଡ଼ା ବିଶ୍ୱର ସମଗ୍ର ଭୂଭାଗର ୪ ଭାଗ ଏହି ଅଞ୍ଚଳରେ ରହିଛି।
ଜୀବଜନ୍ତୁଙ୍କ ବଞ୍ଚିବା ଶୈଳୀ ଉପରେ ଜଙ୍ଗଲର ଗଭୀର ପ୍ରଭାବ ରହିଛି। ଜଙ୍ଗଲ କ୍ଷୟ ହେଲେ ଅମ୍ଳଜାନ ପରିମାଣ ହ୍ରାସ ଘଟିବ। ଋତୁଚକ୍ରରେ ଅସନ୍ତୁଳନ ଦେଖାଯିବ। ବର୍ଷା, ଖରା ଓ ଶୀତ ପରିମାଣରେ ଭୟଙ୍କର ପାର୍ଥକ୍ୟ ଅନୁଭୂତ ହେବ। ଏହାଦ୍ୱାରା ଫସଲ ଅମଳରେ ତାରତମ୍ୟ ଦେଖାଯିବ ଏବଂ ବିଶ୍ୱର ଖାଦ୍ୟ ସୁରକ୍ଷା ବିପଦଗ୍ରସ୍ତ ହେବ। କେବଳ ସେତିକି ନୁହେଁ, ମଣିଷ ଓ ଜୀବଜନ୍ତୁ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେବେ। ପ୍ରାଣୀଜଗତର ପ୍ରଜନନ ପ୍ରକ୍ରିୟା ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହେବ।
ଗବେଷକମାନଙ୍କ ମତରେ ଆମାଜନର ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ମଣିଷକୃତ। ସେଠାକାର ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରୋକ୍ଷ ସାହାଯ୍ୟରେ ଜଙ୍ଗଲ ନିକଟରେ ଥିବା ସ୍ଥାନୀୟ ଲୋକମାନେ ନିଆଁ ଲଗାଉଛନ୍ତି। ନିଆଁ ଲଗାଇବାର କାରଣ ହେଲା ଅଧିକରୁ ଅଧିକ ଚାଷଜମି ଓ ଗୋଚାରଣ ଭୂମି ସୃଷ୍ଟି କରିବା।
ରାଷ୍ଟ୍ରପତି ବୋଲସୋନାରୋଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସମେତ ଗ୍ରୁପ୍‌-୭ର ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ର ଯଥା ଜର୍ମାନୀ, କାନାଡ଼ା, ଜାପାନ, ଇଂଲଣ୍ଡ ଓ ଇଟାଲି ଚାପ ପକାଇବାରୁ ସେ ତାଙ୍କର ଅନିଚ୍ଛା ସତ୍ତ୍ୱେ ଅଗଷ୍ଟ ୨୪ରୁ ୪୪ହଜାରରୁ ଊର୍ଦ୍ଧ୍ୱ ସାମରିକ କର୍ମଚାରୀଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି।
ଆଜି ସିନା ବ୍ରାଜିଲରେ ଆମାଜନ ଜଙ୍ଗଲ ଜଳୁଛି, କିନ୍ତୁ ଆମ ଭାରତରେ ପ୍ରାୟତଃ ପ୍ରତିବର୍ଷ ଶୀତ ଓ ଗ୍ରୀଷ୍ମ ଋତୁରେ ଅନେକ ଜଙ୍ଗଲ ଆମାଜନ ଭଳି ଦୁର୍ଭାଗ୍ୟର ସାମ୍ନା କରି ଜଳିପୋଡ଼ି ପାଉଁଶ ହୋଇଯାଆନ୍ତି। ପାହାଡ଼ ଉପରେ ଥିବା ଜଙ୍ଗଲ ଓ ସମତଳ ଜଙ୍ଗଲରେ ମଣିଷକୃତ ନିଆଁ ବିକଟାଳ ଆଁ କରି ଗିଳିପକାଏ ଅନେକ ବୃକ୍ଷଲତା ଓ ବିରଳ ଜୀବଜନ୍ତୁଙ୍କୁ। ସାଧାରଣ ସଚେତନ ନାଗରିକର ମନ ଦୋହଲିଯାଏ, ଚହଲିଯାଏ ବିବେକ। ଆମ ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ଶୀତ ଓ ଗ୍ରୀଷ୍ମଋତୁରେ ହଜାର ହଜାର ଏକର ଜଙ୍ଗଲ ଜଳିଯାଉଛି। ପ୍ରଶ୍ନ ଉଠୁଛି, ଏହି ମାନବକୃତ ଦୁର୍ବିପାକର କ’ଣ ସ୍ଥାୟୀ ପ୍ରତିକାର ନାହିଁ? ସରକାର ବା ଜଙ୍ଗଲ ବିଭାଗ କ’ଣ ଯଥୋଚିତ ପଦକ୍ଷେପ ନେଉଛନ୍ତି?
୨୦୧୮ ନଭେମ୍ବର ପହିଲାରୁ ୨୦୧୯ ମାର୍ଚ୍ଚ ୩୧ସୁଦ୍ଧା ଓଡ଼ିଶାରେ ୫,୩୩୨ଟି ଜଙ୍ଗଲ ନିଆଁ ଘଟଣା ରେକର୍ଡ କରାଯାଇଥିଲା। ତା’ର ପରବର୍ତ୍ତୀ ସଂଖ୍ୟା ଯଦି ହିସାବକୁ ନିଆଯିବ, ତା’ହେଲେ ଏହି ସଂଖ୍ୟା ଢେର ଅଧିକ ହେବ। ଗତ ମାର୍ଚ୍ଚରେ ସର୍ବାଧିକ ୪,୪୯୫ଟି ଜଙ୍ଗଲ ନିଆଁ ଘଟଣା ସାମ୍ନାକୁ ଆସିଥିଲା।
ଓଡ଼ିଶାରେ ଜଙ୍ଗଲ କ୍ଷୟର ପ୍ରଭାବ ବିଶେଷ ଅନୁଭୂତ ହେଉଛି। ଅତୀତରେ ଯେଉଁସବୁ ପାହାଡ଼ ସବୁଜିମାଭରା ଥିଲା, ସେଗୁଡ଼ିକ ଏବେ ଲଣ୍ଡା ପଥରଗଦାରେ ପରିଣତ ହୋଇଛି। ଅନେକ ସମତଳଭୂମି ଜଙ୍ଗଲ ମରୁଭୂମି ପାଲଟିଯାଇଛନ୍ତି। ଜଙ୍ଗଲ କ୍ଷୟ ଅନେକ ନଦୀ ଓ ଝରଣାର ମୃତ୍ୟୁର କାରଣ ପାଲଟିଛି। କେବଳ ସେତିକି ନୁହେଁ, ଅନେକ ବିରଳ ପ୍ରଜାତିର ଜନ୍ତୁ, ସରୀସୃପ, ଗଛ ଉପରେ ଓ ମାଟି କୋରଡ଼ରେ ରହୁଥିବା ପକ୍ଷୀ, କୀଟ ଓ ପତଙ୍ଗ ଆଜି ବିଲୁପ୍ତପ୍ରାୟ। ଜଙ୍ଗଲରୁ ମିଳୁଥିବା ଫୁଲଫଳ, ଓଷଧୀୟ ଚେରମୂଳି ଇତ୍ୟାଦି କମି କମି ଆସୁଛି।
ଆମ ରାଜ୍ୟର ଜଙ୍ଗଲ ସମ୍ପଦକୁ ଆମାଜନ ଭଳି ଦୁର୍ଭାଗ୍ୟରୁ ବଞ୍ଚାଇବାକୁ ପଡ଼ିବ। ସରକାର ଓ ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହିତ ଜଙ୍ଗଲ ନିଆଁକୁ କିପରି ରୋକିହେବ ସେ ନେଇ ଉଦ୍ୟମ କରିବା ଓ ସଚେତନତାର ବାର୍ତ୍ତା ପ୍ରଚାର କରିବା ଦରକାର।
ଫ୍ଲାଟ୍‌ ନଂ. ୪୦୨, ବ୍ଲକ୍‌ – ଏ, ଆପୋଲୋ ଆସିୟାନା ଆପାର୍ଟମେଣ୍ଟ, ପଳାଶୁଣି, ଭୁବନେଶ୍ୱର, ମୋ- ୯୪୩୯୧୭୬୮୩୬


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri