ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ
ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ ପଡ଼ିଲା ମୂଷିକଟି। ଈଶ୍ୱରଙ୍କ ଇଚ୍ଛା ଭାବି ଅତୀବ ଆଗ୍ରହରେ ତାକୁ ଆଶ୍ରମକୁ ନେଇ ଆସିଲେ ସାଧୁ। ନିଜ ଶକ୍ତି ବଳରେ ମୂଷାଟିକୁ ପରିଣତ କରିଦେଲେ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀରେ ଏବଂ କନ୍ୟାସମ ପାଳିଲେ ନିଜ ଆଶ୍ରମରେ। ଉପଯୁକ୍ତ ବରପାତ୍ର ସହିତ ବିବାହ ଦେବାକୁ ମନସ୍ଥ କଲେ ଓ ସବୁଠୁ ଶକ୍ତିଶାଳୀ, ଶ୍ରେଷ୍ଠ ପୁରୁଷର ସନ୍ଧାନରେ ଲାଗି ପଡ଼ିଲେ। ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ହିଁ ଶ୍ରେଷ୍ଠ ଓ ସମୁଚିତ ପାତ୍ର ବୋଲି ଭାବି ଆବାହନ କଲେ ଭାସ୍କରଙ୍କୁ ଏବଂ ନିଜର ଇଚ୍ଛା ବ୍ୟକ୍ତ କଲେ। ମାତ୍ର ନମ୍ରତାର ସହିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେ କହିଲେ, ”ମୋଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି ମେଘ। ଘନ କଳାମେଘକୁ ଭେଦି ମୋ ତେଜକୁ ଧରାରେ ପହଞ୍ଚାଇବାରେ ମୁଁ ଅସମର୍ଥ ହୁଏ। ମୋ ବିଚାରରେ ମେଘ ହେଉଛନ୍ତି ମୋଠାରୁ ଅଧିକ ଶକ୍ତିଶାଳୀ।“ ସ୍ମରଣ ମାତ୍ରେ ହିଁ ସାଧୁଙ୍କ ସମୀପେ ଉପସ୍ଥିତ ହେଲେ ମେଘଦେବତା। ସାଧୁଙ୍କଠାରୁ ସବୁ ଶୁଣି ସେ ମଧ୍ୟ ନିଜର ଅସହାୟତା ପ୍ରକାଶ କଲେ। ତାଙ୍କଠୁ ବି ଅଧିକ ବଳବାନ୍‌ ହେଉଛନ୍ତି ପବନଦେବ। କାରଣ ପବନର ପ୍ରଚଣ୍ଡ ପ୍ରବାହରେ ବାଦଲ ବି ଖିନ୍‌ଭିନ୍‌ ହୁଏ, ଛତ୍ରଭଙ୍ଗ ଦିଏ। ପବନ ତାକୁ ଘୋଷାରି ନିଏ ଏମୁଣ୍ଡରୁ ସେମୁଣ୍ଡ। ଏଣୁ ପବନଦେବ ହେଉଛନ୍ତି ଏ ସୁନ୍ଦରୀ କନ୍ୟା ପାଇଁ ଉପଯୁକ୍ତ ପାତ୍ର।
ତା’ପରେ ସାଧୁଙ୍କ ସନ୍ଦେଶ ପାଇ ପହଞ୍ଚତ୍ଲେ ପବନଦେବ। ନିଜର ଅଭିଳାଷ ବ୍ୟକ୍ତ କରିବାରୁ ସେ ମଧ୍ୟ ନିରାଶ କଲେ ଋଷିବରଙ୍କୁ। ତାଙ୍କ ବିଚାରରେ ଅଧିକ ସମର୍ଥ ଓ ଶକ୍ତିଶାଳୀ ଅଟନ୍ତି ଅଚଳ ପର୍ବତରାଜ। କାରଣ ପର୍ବତକୁ ପଛକୁ ଠେଲି ପବନ ଆଗକୁ ପ୍ରବାହିତ ହୋଇପାରେନା ବରଂ ପାହାଡ଼ଠାରୁ ବାଧା ପାଇ ପଛେଇ ଆସିବାକୁ ବାଧ୍ୟ ହୁଏ। ଏଣୁ ସୁନ୍ଦରୀ ଋଷିକନ୍ୟାଙ୍କ ପାଇଁ ପର୍ବତରାଜ ହେଉଛନ୍ତି ସମୁଚିତ ପାତ୍ର। ଏହାପରେ ସାଧୁଙ୍କ ପ୍ରସ୍ତାବକୁ ମଧ୍ୟ ସହଜରେ ଗ୍ରହଣ କରିପାରି ନ ଥିଲେ ପର୍ବତରାଜ। କହିଥିଲେ ”ମୋଠାରୁ ବଳଶାଳୀ ଅଛନ୍ତି ଆଉ ଜଣେ, ଯିଏ ମୋର କ୍ଷତି କରିଥାନ୍ତି। ମୋ ଦେହକୁ ଖୋଳି ତାଡ଼ି କ୍ଷତାକ୍ତ କରିଥାନ୍ତି। ମୁଁ ତାଙ୍କୁ ତଡ଼ି ପାରେନା କି ତାଙ୍କର କିଛି ବି କରିପାରେନା। ମୂଷିକ ନିକଟରେ ମୁଁ ଏକ ପ୍ରକାର ଅସହାୟ ଅନୁଭବ କରେ।“ ଋଷିଙ୍କଠାରୁ ସବୁ ଶୁଣି ସାରିବା ପରେ ନିଜର ସମ୍ମତି ପ୍ରକାଶ କଲେ ମୂଷିକରାଜ। ମାତ୍ର ଜନ୍ତୁଟିଏ ହୋଇ ଯୁବତୀକୁ ସେ ବା କିପରି ବିବାହ କରିପାରିବେ ବୋଲି କହିବାରୁ, ଋଷି ବାଧ୍ୟ ହେଲେ କନ୍ୟାଟିକୁ ପୁଣି ମୂଷିକରେ ପରିଣତ କରିବାକୁ।
ଅନ୍ୟ ଏକ କାହାଣୀ ଅନୁଯାୟୀ ଆଶ୍ରମରେ ତପସ୍ୟାରତ ସାଧୁଙ୍କ କୋଳରେ ମୂଷାଟିଏ ଖସିପଡ଼ିଛି କାଉର ଥଣ୍ଟରୁ। ଋଷି ପର୍ଯ୍ୟାୟକ୍ରମେ ତାକୁ ବିଲେଇ, କୁକୁର, ଶେଷରେ ବ୍ୟାଘ୍ରର ରୂପ ଦେଇଛନ୍ତି। ମାତ୍ର ବାଘଟି ଯେବେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଛି, ଋଷି ତାକୁ ତା’ର ପୂର୍ବାବସ୍ଥା ମୂଷିକରେ ପରିଣତ କରି ଦେଇଛନ୍ତି। ଆମର ଅବସ୍ଥା ଆଜି ତଦ୍ରୂପ, ପୁନର୍ମୂଷିକ ହେଲାପରି।
ଅଙ୍ଗୁଳିର ଟିପ ଦିନେ ବଳିଷ୍ଠ ଭୂମିକା ନିର୍ବାହ କରୁଥିଲା ଆମ ଅତୀତ ଜୀବନରେ। ଟିପଚିହ୍ନ ଥିଲା ପରସ୍ପର ପ୍ରତି ବିଶ୍ୱାସର ପ୍ରତୀକ। ସମୟର ସ୍ରୋତରେ ଉନ୍ନତ ସୋପାନକୁ ଉଠିବାର ସ୍ବପ୍ନରେ ଆମେ ବିଭୋର ହେଲୁ। ହେଲୁ ସାର୍ଟିଫିକେଟଧାରୀ ଉଚ୍ଚଶିକ୍ଷିତ ଓ ସଭ୍ୟ। ଏଣୁ ଟିପ ହେଲା ଅଲୋଡ଼ା। ଟିପପ୍ରେମୀ, ଟିପକାରୀମାନେ ଆମ ନଜରରେ ପରିଗଣିତ ହେଲେ ଅଶିକ୍ଷିତ, ମୂର୍ଖ। ଶିକ୍ଷିତ ଓ ସଭ୍ୟ ଦୁନିଆରେ ଟିପବାଲା ବିଦ୍ରୂପର ହେଲେ ଶିକାର। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଆଜିର ଦିନରେ ମଣିଷ ଟିପର ସାହାରା ନେବାକୁ ବାଧ୍ୟ ହେଉଛି। ଅତୀବ ଆଗ୍ରହର ସହିତ ଆପଣାଇ ଚାଲିଛି ଅଙ୍ଗୁଳି ଛାପ ବ୍ୟବସ୍ଥାକୁ। ଅନ୍ୟମାନଙ୍କଠାରୁ ଠକାମିର ଶିକାର ଯେମିତି ନ ହେବୁ, ସେଥିପାଇଁ ଟିପଠୁ ଦୂରେଇ ରହିବାକୁ ଯତ୍ନବାନ ହେଲୁ। ମାତ୍ର ସେଇ ଟିପ ଘଟଣାଚକ୍ରରେ ଆମ ପରି ସଭ୍ୟ, ଶିକ୍ଷିତମାନଙ୍କ ପିଠିରେ ଶଠ, ପ୍ରବଞ୍ଚକର ମୋହର ମାରି ଆମକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ କରୁଛି। ଆମ ଉପସ୍ଥାନର ଓ କର୍ତ୍ତବ୍ୟର ପ୍ରମାଣପତ୍ର ଆଜି ଅଙ୍ଗୁଳି ଛାପ, କଲେଜଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ। ଅଙ୍ଗୁଳି ଛାପ ବିନା ଜମି-ବାଡ଼ି, କ୍ରୟ-ବିକ୍ରୟ ଅସମ୍ଭବ। ଏ ଟିପ ଆଜି ଆମ ଦୈନନ୍ଦିନ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ମୋବାଇଲରେ ଟିପ ନ ଗଡ଼େଇଲେ ଆମ ଜୀବନ ଖୁବ୍‌ ଦୁର୍ବିଷହ। ଟିପର ବିନା ସାହାଯ୍ୟରେ କମ୍ପ୍ୟୁଟର ଓ ଲାପ୍‌ଟପ୍‌ ବି ନିଷ୍ପ୍ରାଣ ଓ ନିସ୍ତେଜ। ଚନ୍ଦ୍ରୟାନ-୨ ନିୟନ୍ତ୍ରଣର ଭାର ଥିଲା ଟିପ ଉପରେ। ‘ଗୁଗୁଲ’ ଯିଏ ଆଜି ଆମ ଗୁରୁମାନଙ୍କର ଗୁରୁ ସାଜିଛି ସିଏ ମଧ୍ୟ ଟିପ ବିନା ନିଷ୍କ୍ରିୟ। ବିଶ୍ୱବ୍ରହ୍ମାଣ୍ଡର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ସମସ୍ତେ ଆଜି ଏହିପରି ଟିପର ସାହାରା ନେଇ ଆଗକୁ ବଢ଼ୁଛନ୍ତି। କହିବାକୁ ଗଲେ ଏହି ଟିପ ହିଁ ଆଜି ଆମ ଜୀବନ-ଜୀବିକାର ନିୟନ୍ତ୍ରକ।
ମାଟିହାଣ୍ଡି ପଖାଳ, କାଞ୍ଜିପାଣି ଦିନେ ଥିଲା ଗରିବୀର ପରିଚୟପତ୍ର। ତଥାକଥିତ ଉନ୍ନତରୁ ଉନ୍ନତତର ଜୀବନଶୈଳୀ ଆପଣାଇବାକୁ ଯାଇ ପଖାଳକୁ ଆମେ ପାସୋରି ଦେଲୁ, ମାଟିହାଣ୍ଡିକୁ ମଶାଣିମୁହଁା କଲୁ। ମାଟିହାଣ୍ଡି କିନ୍ତୁ ଆଜି ପାଲଟିଲାଣି ମଙ୍ଗଳ ଓ ମର୍ଯ୍ୟାଦାର ମୋହର। ପଥପ୍ରାନ୍ତରୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ମାଟିହାଣ୍ଡି ମଟନ୍‌ର ବିଜ୍ଞାପନ। ମାଟିହାଣ୍ଡିରେ ତିଆରି ଅନ୍ନବ୍ୟଞ୍ଜନ ପାଲଟିଲାଣି ସମ୍ଭ୍ରାନ୍ତଙ୍କର ସବୁଠୁ ପସନ୍ଦର ସାମଗ୍ରୀ। ବାଘ ଭୟରେ ଋଷି ମୂଷିକକୁ ଆପଣାଇଲା ପରି ବହୁମାତ୍ରାରେ ବ୍ୟାପୁଥିବା ବ୍ୟାଧିରେ ବ୍ୟତିବ୍ୟସ୍ତ ହୋଇ ଲୋକେ ଆଜି ଲୋଡ଼ିଲେଣି ମାଟିହାଣ୍ଡିକୁ। କାରଣ ମାଟିହାଣ୍ଡିରେ ତିଆରି ଜିନିଷର ପୋଷକତତ୍ତ୍ୱ ସମ୍ପୂର୍ଣ୍ଣ ଅକ୍ଷୁଣ୍ଣ ରହେ ବୋଲି ଆଜିର ବିଜ୍ଞାନ ମଧ୍ୟ ଘୋଷଣା କରିସାରିଛି, ଯାହାକି ଷ୍ଟିଲ୍‌ ବା ଆଲୁମିନିୟମରେ ନଷ୍ଟ ହୋଇ ଯାଇଥାଏ। ପ୍ରେସର୍‌ କୁକରରେ ତ ଶତକଡ଼ା ୯୦ଭାଗରୁ ଅଧିକ ପୋଷକତତ୍ତ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଥାଏ। ମଣିଷର ଦେହକୁ ଏକ ଘଟ ବା ମାଟିପାତ୍ର ମନେ କରାଯାଏ। ସେଥିପାଇଁ ତ କୁହାଯାଏ ଯାହା ଅଛି ଏ ବ୍ରହ୍ମାଣ୍ଡେ, ତା’ ଅଛି ନିଜ ଭାଣ୍ଡେ।
ଜଗତ ଯେମିତି ପଞ୍ଚଭୂତରେ ଗଠିତ, ଠିକ୍‌ ସେମିତି ଆମ ଦେହ ବି କ୍ଷିତି, ଅପ୍‌, ତେଜ, ମରୁତ୍‌, ବ୍ୟୋମରେ ତିଆରି। ମାଟି ଯେପରି ପାଞ୍ଚଟି ରାସାୟନିକ ଉପାଦାନ କ୍ୟାଲସିୟମ, ଫସ୍‌ଫରସ୍‌, ଜିଙ୍କ, ଆଇରନ, ସଲଫରର ସମାହାର ସେମିତି ଆମ ଶରୀର ମଧ୍ୟ, ଯାହାକି ଦାହ ପରେ ଆମ ଦେହାବଶେଷର ପରୀକ୍ଷାରୁ ଜଣାପଡ଼େ। ଦୀର୍ଘ ଓ ନିରାମୟ ଜୀବନ ପାଇଁ ଏ ପାଞ୍ଚୋଟି ଉପାଦାନ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ଏଣୁ ଆମ ଶରୀରଟି ମାଟି ସହିତ ନିବିଡ଼ ଭାବେ ସମ୍ବନ୍ଧିତ। ବିଜ୍ଞାନସିଦ୍ଧ ଯୋଗୁ ଅଦ୍ୟାବଧି ଆମ ମନ୍ଦିରମାନଙ୍କରେ ମାଟିହାଣ୍ଡିର ଉପଯୋଗ ହୋଇ ଚାଲିଛି। ରାଜଧାନୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ମାଟିର ହାଣ୍ଡି, ଢାଳ ଓ ସୁରେଇର ଉପଯୋଗ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଜି ବି ଗ୍ରାମାଞ୍ଚଳରେ ଗରିବ ଆଦିବାସୀ ପରିବାରରେ ମାଟିହାଣ୍ଡିର ବହୁଳ ବ୍ୟବହାର ଦୃଶ୍ୟମାନ ହୁଏ, ଯେଉଁଥିପାଇଁ କି ସହରୀ ଓ ସୌଖୀନଜନଙ୍କ ବ୍ୟାଧି ରୂପେ ପରିଗଣିତ ବହୁମୂତ୍ର ଭଳି ରୋଗ ଏମାନଙ୍କୁ ଛୁଇଁ ପାରେନା। ତୋରାଣି ତିଆରି କାଞ୍ଜି ଆଜି ଆମେରିକା, ୟୁରୋପୀୟମାନଙ୍କ ପାଇଁ ପଥି ସମ ପସନ୍ଦ ପାଲଟି ଗଲାଣି। କାଞ୍ଜି ସେମାନଙ୍କ ଗବେଷଣାର ବିଷୟ ସାଜିଛି। ପଖାଳ ଆଜି ଗରିବୀର ପରିଚୟ ହୋଇ ରହିନାହିଁ। ପଖାଳ ଆଦର ପାଉଛି ବଡ଼ ବଡ଼ ଧନିକ ପରିବାରରେ। ସେମାନଙ୍କ ବାହାଘର ଭୋଜିର ସୁଖକର ଖାଦ୍ୟର ସାଧନ ସାଜୁଛି। ଗ୍ରୀଷ୍ମ ଦିନରେ ଭାରତର ବଡ଼ ବଡ଼ ହୋଟେଲରେ ପଖାଳର ଚାହିଦା କାହିଁରେ କେତେ।
ଆନନ୍ଦର ବିଷୟ ଯେ ଢିଙ୍କିର ଯୁଗକୁ ବି ଆମେ ଫେରି ଆସିଲୁଣି। ମାଟି ହାଣ୍ଡିର ମହତ୍ତ୍ୱକୁ ଉପଲବ୍ଧି କରି ସାରିଲା ପରେ ରୋଗବ୍ୟାଧିରେ ସନ୍ତାପିତ ମଣିଷ ଢିଙ୍କିର ଆବଶ୍ୟକତାକୁ ବି ମର୍ମେ ମର୍ମେ ଅନୁଭବ କଲାଣି। ସ୍ବୟଂଚାଳିତ ଢିଙ୍କି ଉଦ୍ଭାବନ କରି ତାହାର ଉପଯୋଗ ମଧ୍ୟ ଆରମ୍ଭ କଲାଣି। ସେମିତି ଶୂନଗାଡ଼ି (ସାଇକେଲ)କୁ ସମାଧି ଦେଇ ମୋଟରଗାଡ଼ିକୁ ଗୁରୁତ୍ୱ ଦେଇଥିବା ମଣିଷ ଆଜି ପୁଣି ପରିସ୍ଥିତି ଚାପରେ ସେଇ ସାଇକେଲକୁ ସାଥୀ କଲାଣି। ୟୁରୋପ ଜଗତରେ ତ ସାଇକେଲର ଆଦର ଖୁବ୍‌ ବେଶି। ଏହିପରି ବିଭିନ୍ନ ଦିଗକୁ ଦୃଷ୍ଟିପାତ କଲେ ଆମେ ବେଶ୍‌ ଅନୁଭବ କରିପାରିବା ଯେ ଆମେ ପୁଣି ଆମର ସେଇ ପୁରୁଣା ଦିନକୁ ଧୀରେ ଧୀରେ ଫେରି ଆସୁଛୁ ପୁନର୍ମୂଷିକ ହେଲାପରି। ଚାକଚକ୍ୟ ଭରା ଆଧୁନିକ ଜୀବନଶୈଳୀ ବାଘ ସମ ଆମ ପାଇଁ ବିପଦର କାରଣ ସାଜିଥିବାରୁ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି ଅତୀତର ଆଦର। ଆସନ୍ତୁ ସାଉଁଟି ଚାଲିବା ଆମର ସେହି ମହାର୍ଘ ଅତୀତକୁ।
ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ୱର, ମୋ – ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri