ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା

ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା। ଏପରି ଏକ ବିଧ୍ୱସ୍ତକାରୀ ବାତ୍ୟା ସାଧାରଣ ଜୀବନକୁ ତଳିତଳାନ୍ତ କରି ଦେଇଥିବା ବେଳେ ମୁଷ୍ଟିମେୟ ଗୋଷ୍ଠୀଙ୍କ ନିହିତ ସ୍ବାର୍ଥର ଚରିତାର୍ଥ ନିମନ୍ତେ ଆଣିଦେଇଛି ସୁବର୍ଣ୍ଣସୁଯୋଗ। ଏହି ଗୋଷ୍ଠୀର ପ୍ରଥମ ବର୍ଗରେ ଅଛନ୍ତି ବୈଦ୍ୟୁତିକ ଗଣମାଧ୍ୟମବାଲା। ମିନିଟ୍‌କୁ ମିନିଟ୍‌ ତାଜା ଖବର ନାଁରେ ଅନେକ ମସଲାଦାର ଖବର ପରିବେଷଣ କରିବା ସାଙ୍ଗକୁ ନିଜର ପାଣ୍ଡିତ୍ୟ ପ୍ରଦର୍ଶନରେ ଏପରି ମନ୍ତବ୍ୟ ରଖନ୍ତି, ଯାହାକି ଦର୍ଶକମାନଙ୍କୁ ଶଙ୍କାଗ୍ରସ୍ତ ତଥା ହତଚକିତ କରିପକାଏ। ବିଭିନ୍ନ ଚାନେଲରେ ଚମକପ୍ରଦ ଖବର ପରିବେଷଣ ପାଇଁ ଯେଉଁ ଅହେତୁକ ପ୍ରତିଯୋଗିତା ତାହା କେବଳ ଟି.ଆର୍‌.ପି. ନିଶାରେ। କହିବା ବାହୁଲ୍ୟ ଯେ ସେମାନଙ୍କ କ୍ୟାମେରା ସାମ୍ନାରେ ଲୋକଟିଏ ଭାସିଯାଉଥିବାର ଦେଖିଲେ ତାକୁ ଉଦ୍ଧାର କରିବା ପରିବର୍ତ୍ତେ ତା’ର ଆର୍ତ୍ତଚିତ୍କାରର ଚିତ୍ର ସବୁ ଉତ୍ତୋଳନ କରି ପ୍ରସାରଣ କରିବାକୁ ଶ୍ରେୟସ୍କର ମଣନ୍ତି। ଧନ୍ୟ ସେ କର୍ତ୍ତବ୍ୟର ତାଡ଼ନା! ଏମାନେ ଏପରି ଦୈବୀ ଦୁର୍ବିପାକକୁ ନିଜ ଚାନେଲର ଲୋକପ୍ରିୟତା ବୃଦ୍ଧି ଆଶାରେ ଚାହିଁ ବସିଥାନ୍ତି।
ଅନ୍ୟ ଏକ ଗୋଷ୍ଠୀ ହେଲେ ଜନପ୍ରତିନିଧି। ସେ ନିର୍ବାଚିତ ହୋଇଥାନ୍ତୁ ବା ପରାଜିତ, ଏମିତି ଏକ ଦୁର୍ବିପାକକୁ ଚାହିଁ ବସିଥାନ୍ତି କେବଳ କ୍ଷମତା ଲୋଭରେ। ଗୁରୁ ଧନ ଶିଷ୍ୟଙ୍କୁ ଦେଇ କେବଳ ମଝିରେ ହାତ ଚିକ୍କଣ କରିବା ପରି କ୍ଷମତାଲିପ୍‌ସୁ ଏହି ନେତାଗଣ ପୁରସ୍କାର ବିତରଣ ଉତ୍ସବର ମୁଖ୍ୟଅତିଥି ପରି ସରକାରୀ ଧନକୁ ଜନସାଧାରଣଙ୍କୁ ଦେଇ ନିଜର ପତିଆରା ଜାହିର କରିଥାନ୍ତି। ଏମାନଙ୍କର ଚେଲାଚାମଣ୍ଡାଗଣ ଏପରି ଏକ ସଙ୍କଟମୟ ପରିସ୍ଥିତିରେ ଗରିବ, ଅଶିକ୍ଷିତ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଫାଇଦା କରାଇଦେବା ବାହାନାରେ ଦୁଇପଇସା ରୋଜଗାର କରିଥାନ୍ତି। ବେଳେ ବେଳେ କୁଜିନେତା, ଟାଉଟର ଦଳ ମୃତ ଲୋକକୁ ଜୀବିତ ଦର୍ଶାଇ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ହଡପ କରିନିଅନ୍ତି।
ପରବର୍ତ୍ତୀ ଗୋଷ୍ଠୀ ହେଲେ ସରକାର ଚଳାଉଥିବା ଅମଲାତନ୍ତ୍ରୀବୃନ୍ଦ। ତଳସ୍ତରଠୁ ଆରମ୍ଭ କରି ଉପରଯାଏ ଏମାନଙ୍କ ମଧ୍ୟରେ ଅନ୍ତଃସ୍ରୋତା ଫଲ୍‌ଗୁ ନଦୀର ବାଲୁକା ଶଯ୍ୟା ପରି ଏକ ଅଦୃଶ୍ୟ ସ୍ରୋତ ଚାଲିଥାଏ, ଯାହାକୁ ମଧ୍ୟ ଆମେ ‘ପ୍ରପର ଚାନେଲ’ ବୋଲି କହିଥାଉ। ଏମାନେ ସନ୍ତୁଷ୍ଟ ହେଲେ ଧନଶାଳୀ ବ୍ୟକ୍ତିଟିକୁ କାରସାଦି କରି ଭିକାରି ଭତ୍ତା କରାଇଦିଅନ୍ତି ଆଉ ରାଗିଲେ…। ପରବର୍ତ୍ତୀ ଗୋଷ୍ଠୀ ହେଲେ ବ୍ୟବସାୟୀ, ପରିସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ କଳାବଜାର କରି ପାଞ୍ଚଟଙ୍କାର ଜିନିଷକୁ ୨୫ ଟଙ୍କାରେ ବିକ୍ରି କରି ଜନସାଧାରଣଙ୍କ ପକେଟ କାଟିବାକୁ ପଛାନ୍ତି ନାହିଁ। ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମହଜୁଦ କରି ବଜାରରେ ଏହାର ଅହେତୁକ ମୂଲ୍ୟବୃଦ୍ଧି ଘଟାନ୍ତି। ଫଳରେ ଅକାରଣରେ ବାତ୍ୟା କ୍ଷତିଗ୍ରସ୍ତ ଅସହାୟ ଲୋକେ ବେଡି ଉପରେ କୋରଡାମାଡ ପରି ମହଙ୍ଗା ମାଡ଼ରେ ଆଉଟୁ ପାଉଟୁ ହୁଅନ୍ତି।
ଅନ୍ୟ ଏକ ଗୋଷ୍ଠୀ ହେଲେ କୁଶଳୀ କାରିଗର। ରାଜମିସ୍ତ୍ରିଠାରୁ ଆରମ୍ଭକରି ପାଇପ ମିସ୍ତ୍ରି ପର୍ଯ୍ୟନ୍ତ ଏବଂ ବୈଦ୍ୟୁତିକ ସରଞ୍ଜାମ ମରାମତିଠାରୁ ଜେନେରେଟର ଭଡାରେ ଦେଉଥିବା ବ୍ୟକ୍ତି ପର୍ଯ୍ୟନ୍ତ ସବୁସ୍ତରର କାରିଗର ମନଇଚ୍ଛା ଦର ହାଙ୍କିଥାନ୍ତି ସାଧାରଣ ଜନତାଙ୍କ ଉପରେ ଏଇ ମଉକାରେ। ସାମାନ୍ୟ କ୍ଷତି ପହଞ୍ଚି ଥାଉ କି ନ ଥାଉ ଅତ୍ୟଧିକ ଲାଭର ଆଶାରେ ଏମାନେ ତାହାକୁ ଅକାମୀ ଦର୍ଶାଇ ପଇସା ଲୁଟିଥାନ୍ତି। ଏମାନଙ୍କ ପଛକୁ କ୍ଷୁଦ୍ର ବ୍ୟବସାୟୀମାନେ ଧାଡି ଲଗେଇଥାନ୍ତି। ପେଟ୍ରୋଲଠାରୁ ଆରମ୍ଭକରି ମହମବତି, ଚା, ଜଳଖିଆ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଉଚ୍ଚା ଦରରେ କିଣା ଦର୍ଶାଇ ମୂଲ୍ୟବୃଦ୍ଧିରେ ସହାୟକ ହୋଇଥାନ୍ତି। ଖାଲି ସେତିକି ନୁହେଁ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଅପମିଶ୍ରଣ କରି ଏହି ସୁଯୋଗରୁ ଯଥେଷ୍ଟ ଆର୍ଥିକ ଫାଇଦା ଉଠାଇଥାନ୍ତି।
କବାଡିବାଲାଏ ଭଙ୍ଗାଜିନିଷ ସହିତ ଭଲ ଜିନିଷକୁ ମଧ୍ୟ ଭାଙ୍ଗିରୁଜି ଏହି ସୁଯୋଗର ଫାଇଦା ନେଇଥାନ୍ତି। ପରିଶେଷରେ ସାଧାରଣ ଜନତା, ସେମାନେ ବା ଆଉ ଛାଡନ୍ତେ କିପରି। ନକଲି ହିତାଧିକାରୀ ସାଜି ଯଥେଷ୍ଟ ଅଧିକ କ୍ଷତି କାଗଜପତ୍ରରେ ଦର୍ଶାଇ ଆବଶ୍ୟକ ହେଲେ ହାତଗୁଞ୍ଜା ଦେଇ ମଧ୍ୟ ସମସ୍ତ ସରକାରୀ ସୁବିଧାସୁଯୋଗକୁ ହାତେଇ ନେଇଥାନ୍ତି। ତେଣୁ ଗୋଟିଏ କେଇ ଘଣ୍ଟାର ପ୍ରାକୃତିକ ଦୁର୍ବିପାକ ଏକ ଲମ୍ବା କୃତ୍ରିମ ଯନ୍ତ୍ରଣାସିକ୍ତ ଆପଦରେ ପରିବର୍ତ୍ତିତ ହୋଇଯାଏ। ଏଇ ପରିପ୍ରେକ୍ଷୀରେ ବିଚରା ମଣିଷଟି ଦୁଇପଟୁ ଚକିରେ ପେଷିହେବା ପରି ସନ୍ତୁଳିତ ହୋଇ ପରମେଶ୍ୱରଙ୍କୁ ଯନ୍ତ୍ରଣାରେ ତ୍ରାହି ତ୍ରାହି ଡାକ ଛାଡୁଥାଏ। ତେଣୁ ବାତ୍ୟା, ବନ୍ୟା ପରି ଦୁର୍ବିପାକ କାହା ପାଇଁ କାଳ ତ କାହା ପାଇଁ ରୋଜଗାରର ବେଳ।
ପ୍ରଫେସର, କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri