Posted inଫୁରସତ

ପ୍ରଥମ ଦରମା ଥିଲା ୧୨ଟଙ୍କା: ବିଶିଷ୍ଟ ଶିଶୁ ସାହିତି୍ୟକ ବୀରେନ୍ଦ୍ର ସାମନ୍ତରାୟ

ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆଦର୍ଶ ଶିକ୍ଷକ ବୀରେନ୍ଦ୍ର ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ମୋର ଜନ୍ମ ୧୯୪୬ ମସିହା ଜୁଲାଇ ୧୧ ତାରିଖ। ଆମ ଘର ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ୍‌ ପାଳସାହିରେ। ବାପା ନିଧି ଖଟେଇ ଓ ମା’ ହେମଦେବୀ। ଦୁଇ ଭାଇ ଗୋଟିଏ ଭଉଣୀ ଭିତରେ ମୁଁ ବଡ଼ ପୁଅ। ମୋର ପାଠ ଆରମ୍ଭ ଆମ ଗାଁ ଚାଟଶାଳୀରୁ। ତା’ପରେ ରାଜସ ଗୋପବନ୍ଧୁ ଏମ୍‌ଇ ସ୍କୁଲରୁ ମାଇନର ପାସ୍‌ ପରେ ପୁରୀ ଜିଲା ବଳଙ୍ଗା ହାଇସ୍କୁଲରୁ ୧୯୬୩ ମସିହାରେ ମାଟ୍ରିକ ପାସ୍‌ କଲି। ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ଅଧିକ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ନିଷ୍ପତ୍ତି ନେଲି। ରାଜ୍ୟ ଖଦି ବୋର୍ଡରେ କିରାଣି ଚାକିରି ବି ମିଳିଥିଲା। କିନ୍ତୁ ବାହାରେ ନ ରହି ଗାଁରେ ରହିବି ଆଉ ଗାଁ ପାଇଁ କିଛି କରିବି ଏହି ନିଷ୍ପତ୍ତି ନେଇ ସେ ଚାକିରି ଛାଡ଼ିଲି। ତା’ପରେ ସୁନୁଗୋରଡ଼ି ଏମ୍‌ଇ ସ୍କୁଲରେ ୧୯୬୩ ମସିହା ଜୁଲାଇ ମାସରେ ଚାକିରିରେ ଯୋଗଦେଲି। ସେ ସ୍କୁଲରେ ସେତେବେଳେ ବିଧିବଦ୍ଧ ଦରମା ବ୍ୟବସ୍ଥା ନ ଥାଏ। ସରକାରଙ୍କ ଅନୁଦାନ ଓ ପିଲାଙ୍କ ସ୍କୁଲ ଫିସ୍‌କୁ ମିଶାଇ ଦରମା ଦିଆଯାଉଥିଲା। ପିଲାଙ୍କଠାରୁ ଏକଟଙ୍କା ପଚିଶ ପଇସା ଦରମା ବାବଦରେ ଆଦାୟ ହେଉଥିଲା। ଆଠଟି ପିଲାଙ୍କଠାରୁ ଆଦାୟ ହୋଇ ମୁଁ ୧୨ଟଙ୍କା ଦରମା ପାଇଥିଲି। ସେ ପଇସା ଆଣି ବାପାଙ୍କୁ ଦେଇଥିଲି। ଆଉ ବାପା ତାକୁ ଘର ଖର୍ଚ୍ଚରେ ଲଗାଇଥିଲେ। ସେଠାରେ ଦେଢ଼ବର୍ଷ ରହିବା ପରେ ତେଇଶପୁର ସ୍କୁଲକୁ ଆସିଲି। ଏଠାରେ ମୋର ଦରମା ଥିଲା ୮୦ଟଙ୍କା। ଦରମା ବାବଦକୁ ମୁଁ ଥରେ ଗୋଟେ ଶହେ ଟଙ୍କା ଆଣି ବାପାଙ୍କୁ ଦେଲି। ବାପା ଟଙ୍କାଟିକୁ ହାତରେ ଧରି ଦେଖିଲେ, କାରଣ ସେତେବେଳେ ବାପା ଆଗରୁ କେବେ ଶହେ ଟଙ୍କା ଦେଖି ନ ଥିଲେ। ବାପା କହିଲେ, ଏ ଟଙ୍କାଟିକୁ ଖର୍ଚ୍ଚ ନ କରି ରଖିଦେବା। ମୁଁ ତାଙ୍କୁ ମନାକରି କହିଲି ଏମିତି ଟଙ୍କା ଆଉ ଆସିବ। ତେଣୁ ତମେ ଏହାକୁ ଖର୍ଚ୍ଚ କର। ବହୁତ କହିବା ପରେ ବାପା ସେ ଟଙ୍କାଟିକୁ ଖର୍ଚ୍ଚ କରିଥିଲେ। ଏଠାରେ ବି ଦେଢ଼ବର୍ଷ ରହିବା ପରେ ନିଜ ଗାଁରେ ସ୍କୁଲ କରିବି ବୋଲି ଚାକିରି ଛାଡ଼ିଦେଲି। ୧୯୬୬ ମସିହାରେ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିରେ ଗାଁରେ ଶାସ୍ତ୍ରିଜୀ ଏମ୍‌ଇ ସ୍କୁଲ ସ୍ଥାପନ କଲି। ପରେ ସରକାରୀ ନିର୍ଦ୍ଦେଶମତେ ଏହି ସ୍କୁଲ ଶାସ୍ତ୍ରିଜୀ ନୋଡାଲ ୟୁପି ସ୍କୁଲ ହେଲା। ସେହି ସ୍କୁଲରେ ହେଡ୍‌ମାଷ୍ଟର ଭାବରେ ୩୯ ବର୍ଷ ୧୮ ଦିନ କାମ କରିବା ପରେ ଅବସର ନେଲି। ପାଳସାହିରେ ମଧୁବନ ଉଚ୍ଚ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛି। ଏହାଛଡ଼ା ଗାଁରେ ଡାକଘର, ଶିଶୁ ସାହିତ୍ୟ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଆଦି ସ୍ଥାପନ କରିଛି। ତେବେ ଏସବୁ ଭିତରେ ପ୍ରଥମରୁ ମୋ ଲେଖାଲେଖି ଦିଗଟି ସେମିତି ଚାଲି ଆସିଛି। ୧୯୫୯ ମସିହାରେ ସାପ୍ତାହିକ ମିନାବଜାରରେ ପ୍ରଥମ ଲେଖା ପ୍ରକାଶ ପାଏ। ତା’ପରେ ଆସନ୍ତାକାଲି, ଶିଶୁରାଇଜ, ବାରମଜା, ମନପବନ ଆଦି ସବୁ ପତ୍ରପତ୍ରିକା ଓ ପିଲାଙ୍କ ପାଇଁ ପ୍ରକାଶିତ ବହିରେ ମୋର ଲେଖା ନିୟମିତ ବାହାରେ। ଟୁଉକୁ ମୂଷୀ, ଛାତ୍ରସାଥୀ, ବିଜ୍ଞାନ ସୌରଭ, ଶିଶୁସାହିତ୍ୟ ସମାଚାରର ସମ୍ପାଦନା ଦାୟିତ୍ୱ ବି ନେଇଛି। ପିଲାଙ୍କ ପାଇଁ ଶିଶୁ କିଶୋର ଉପନ୍ୟାସ, ପୁରାଣ କାହାଣୀ, ଭ୍ରମଣ କାହାଣୀ ଓ ଉତ୍କଳ ପ୍ରଦୀପ ଗ୍ରନ୍ଥମାଳା ପ୍ରକାଶ କରିଛି। ପିଲାଙ୍କ ପାଇଁ ବିଶ୍ୱକୋଷ ବି ବାହାର କରିଛି। ଏବେ ଓଡ଼ିଶା ଶିଶୁ ସାହିତ୍ୟ ଏକାଡେମୀର ସଭାପତି ଅଛି। ପିଲାଙ୍କ ଛଡ଼ା ବଡ଼ମାନଙ୍କ ପାଇଁ ଗାଁର କାହାଣୀ, ଗାଁର କଥା ଆଦି ଅନେକ ଲେଖା ରହିଛି। ଏବେ ଓଡ଼ିଶାର ପ୍ରତିଭାମାନଙ୍କ ପରିଚୟକୁ ନେଇ ଏନ୍‌ସାଇକ୍ଲୋପେଡିଆ ଉତ୍କଳ ପ୍ରଦୀପର କାମ ଚାଲିଛି। ଏଥିରେ ପ୍ରାୟ ୧୦ ହଜାର ଓଡ଼ିଆଙ୍କ ପରିଚୟ ଓ ଫଟୋ ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଶିଶୁ ସାହିତ୍ୟ ସମିତି ଦ୍ୱାରା ପିଲାଙ୍କ ଉତ୍କଳମଣି ପୁସ୍ତକ ପାଇଁ ପ୍ରଥମ ପୁରସ୍କାର ମିଳିଥିଲା। ଏହାପରେ ‘ରାଜାର ସ୍ବପ୍ନ’ ପାଇଁ ତତ୍କାଳୀନ ଉପରାଷ୍ଟ୍ରପତି ଡଃ ଶଙ୍କର ଦୟାଲ ଶର୍ମାଙ୍କଠାରୁ ପୁ୍‌ରସ୍କାର ଓ ମାନପତ୍ର ପାଇବା ପରେ ଏହି ବହିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ମିଳିଥିଲା। ଏହାପରେ ପ୍ରଜାତନ୍ତ୍ର ବିଷୁବ ମିଳନ ଶିଶୁ ସାହିତ୍ୟ ପୁରସ୍କାର, ମିନାବଜାର ପୁରସ୍କାର, ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ ଆଦି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ତେବେ ମୋର ଗୋଟିଏ ମାତ୍ର ଇଚ୍ଛା ଓଡ଼ିଶା ପାଇଁ, ମୋ ଗାଁ ପାଇଁ ବିଶେଷକରି ଛୋଟ ପିଲାମାନଙ୍କ ପାଇଁ ବହୁତ କିଛି କରିବାର ଅଛି।
-ରୋଜାଲିନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?