ପେଟପାଟଣାରେ ବନ୍ଧା ପଡ଼ିଛି ପାରା ଅଲିମ୍ପିକର ସ୍ବପ୍ନ: ଶ୍ରମିକ ସାଜିଛନ୍ତି ଅନ୍ତର୍ଜାତୀୟ କରାଟେକା

ରାୟଗଡ଼ା ଅଫିସ,୧୫।୧୦ପିଲା ବୟସରେ ମା’ ଚାଲିଗଲେ। ପୋଲିଓ ଯୋଗୁ ଡାହାଣ ଗୋଡ଼ ତାଙ୍କୁ ଦିବ୍ୟାଙ୍ଗ ସଜେଇଦେଲା। ପେଟ ପାଇଁ ଚା’ ଦୋକାନରେ କାମ କରୁଥିଲେ ସେ। ଜୀବନ ଜୀବିକାର ଏଭଳି ସଂଘର୍ଷ ଭିତରେ ସେ କରାଟେକା ହେବାର ସ୍ବପ୍ନ ଦେଖିଥିଲେ। ପାଖରେ ପଇସା ନ ଥିଲା କି ପ୍ରଶିକ୍ଷଣର ସୁଯୋଗ ମଧ୍ୟ ନ ଥିଲା। ସବୁ ଅଭାବ ମଧ୍ୟରେ ବଢି ସେ ନିଜକୁ ଅନ୍ତର୍ଜାତୀୟ କରାଟେକା ଭାବେ ଗଢ଼ି ତୋଳିଲେ। ସଫଳତା ତାଲିକାରେ ତାଙ୍କ ପାଖରେ ରହିଛି ଅନେକ ସ୍ବର୍ଣ୍ଣ ପଦକ। ଏହି ସାଧାରଣ ପ୍ରତିଭା ଜଣଙ୍କ ହେଲେ ରାୟଗଡ଼ାର ଏଲ୍‌.ରମେଶ। ପାରା ଅଲିମ୍ପିକ ୨୦୨୦ ଖେଳିବା ସ୍ବପ୍ନ ଦେଖୁଥିବା ରମେଶ କିନ୍ତୁ ଜୀବନ ଜୀବିକା ଜାଲରେ ଶ୍ରମିକ ପାଲଟି ଯାଇଛନ୍ତି।
ରାୟଗଡ଼ା ସହରର ଡେଲି ମାର୍କେଟ ମଧୁସୂଦନ ଲେନ୍‌ରେ ରୁହନ୍ତି ଏଲ୍‌. ରମେଶ। ପିଲାଟି ଦିନରୁ ମା’ଙ୍କୁ ହରାଇବା ସହ ପୋଲିଓରେ ତାଙ୍କ ଡାହାଣ ଗୋଡ଼ ଅକାମୀ ହୋଇଯାଇଥିଲା। ଏକ ଚା’ ଦୋକାନରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଏଲ୍‌. ରମେଶ। କରାଟେ ଶିଖିବାକୁ ଇଚ୍ଛା ଥିବାରୁ ରାୟଗଡ଼ା ରେଳ ବିଭାଗର ଅନୁଷ୍ଠାନରେ ପିଲାଙ୍କୁ ଦିଆଯାଉଥିବା କରାଟେ ତାଲିମକୁ ସେ ଲୁଚିଲୁଚି ଦେଖୁଥିଲେ। ଟଙ୍କା ନ ଥିବାରୁ ଏକଲବ୍ୟଙ୍କ ଭଳି ଦୂରରୁ କରାଟେ ତାଲିମକୁ ଦେଖି ନିଜେ ଅଭ୍ୟାସ କରୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଉପହାସ କରୁଥିଲେ। ୨୦୦୭ରେ ରମେଶଙ୍କ ଉପରେ ଗୁରୁ ଆପ୍ପନାଙ୍କ ନଜର ପଡ଼ିଥିଲା। ରମେଶଙ୍କ ଆଗ୍ରହ ଓ କ୍ରୀଡ଼ା କୌଶଳ ଦେଖି ତାଙ୍କୁ ମାଗଣାରେ ତାଲିମ ଦେଇଥିଲେ ଆପ୍ପନା। ରମେଶ ସାଧାରଣ ବର୍ଗର ପିଲାଙ୍କ ସହ ମୁକାବିଲା କରିପାରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ୨୦୧୦ରେ ପ୍ରଥମେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ ରମେଶ। ସେବେଠାରୁ ଆଉ ସେ ପଛକୁ ଫେରି ନାହାନ୍ତି। ୨୦୧୧ରେ ସୀମାଞ୍ଚଳମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ବ୍ରୋଞ୍ଜ, ୨୦୧୨ରେ ଗୋଆରେ ସ୍ବର୍ଣ୍ଣ, ୨୦୧୪ରେ ୱାରେଙ୍ଗାଲରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ୨୦୧୫ରେ ହାଇଦ୍ରାବାଦରେ ସ୍ବର୍ଣ୍ଣ, ୨୦୧୬ରେ ଭେଲୋର ଓ ବାଙ୍ଗାଲୋରରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ସେହିଭଳି ସର୍ବଭାରତୀୟ କରାଟେ ଫେଡେରେଶନ ପକ୍ଷରୁ ଭୁବନେଶ୍ୱରରେ ୨୦୧୭ରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିବର୍ଷ କୋଲକାତା ଓ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚରେ ସ୍ବର୍ଣ୍ଣ ସହ ଚଳିତବର୍ଷ ଶ୍ରୀଲଙ୍କାରେ ଅନୁଷ୍ଠିତ ଓପନ କରାଟେ ଚାମ୍ପିୟନଶିପ୍‌ରେ ମଧ୍ୟ ସେ ସ୍ବର୍ଣ୍ଣ ଜିତିଛନ୍ତି। ୨୦୨୦ରେ ଜାପାନରେ ହେବାକୁ ଥିବା ପାରା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି ରମେଶ। ଏଥିପାଇଁ ଉନ୍ନତ ତାଲିମର ଆବଶ୍ୟକତା ରହିଛି। କିନ୍ତୁ ପରିବାର ଓ ପେଟପାଟଣା ବୋଝ ତଳେ ସେ ସବୁ ପାଇଁ ସମୟ ରହୁନି। ୨ ବର୍ଷ ତଳେ ବାପାଙ୍କୁ ହରାଇଥିବା ରମେଶଙ୍କୁ ଏବେ ପରିବାର ଦାୟିତ୍ୱ ବୁଝିବାକୁ ପଡୁଛି। ଗୁଜୁରାଣ ମେଣ୍ଟାଇବାକୁ ୫,୭୨୦ ଟଙ୍କାରେ ଏକ କମ୍ପାନୀରେ ସେ କାର୍ଯ୍ୟ କରୁଛନ୍ତି। ରମେଶଙ୍କ ପାଖରେ ପାରା ଅଲିମ୍ପିକ ଖେଳିବାର ସମସ୍ତ ଦକ୍ଷତା ରହିଛି। କିନ୍ତୁ ତାଙ୍କୁ ଉପଯୁକ୍ତ ତାଲିମ ଦରକାର ବୋଲି ରମେଶଙ୍କ ଗୁରୁ କହିଛନ୍ତି। ଅନ୍ୟ ରାଜ୍ୟର ସାଥୀ ଖେଳାଳିଙ୍କୁ ସେମାନଙ୍କ ପ୍ରଶାସନ ତାଲିମ ଦେଉଛି। କିନ୍ତୁ ମୁଁ ଅବହେଳାର ଶିକାର ହେଉଛି ବୋଲି ରମେଶ ଲୁହଭରା ଆଖିରେ କହିଥିଲେ। ରାୟଗଡ଼ାରେ ଏକ କରାଟେ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?