ନ୍ୟାୟପାଳିକା ଉପରୁ ତୁଟୁଛି ଭରସା

ବିଚିତ୍ର ବିଶ୍ୱାଳ
ହାଇଦ୍ରାବାଦର ଭେଟେରିନାରି ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ଯେପରି ଦୁଃଖିତ ଓ କ୍ରୋଧିତ ହୋଇଥିଲା, ଠିକ୍‌ ସେହିପରି ଅଭିଯୁକ୍ତମାନଙ୍କର ଏନ୍‌କାଉଣ୍ଟର ପରେ ସାରା ଦେଶ ଖୁସିରେ ଉତ୍ସବମୁଖର ହୋଇଛି। ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର, ଯିଏକି ଏହି ବଳାତ୍କାର ଅପରାଧର ତଦନ୍ତ ଦାୟିତ୍ୱରେ ଥିଲେ ଓ ଘଟଣା ସ୍ଥଳରେ ଏନ୍‌କାଉଣ୍ଟର କରିଥିଲେ, ତାଙ୍କୁ ଲୋକମାନେ କାନ୍ଧରେ ବସାଇ ବୁଲାଉଥିବାର ଓ ତାଙ୍କ ଉପରେ ଫୁଲ ବର୍ଷା ହେଉଥିବାର ଦୃଶ୍ୟ ଟିଭି ପରଦାରେ ଦେଖିବାକୁ ମିଳିଲା। ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଅସନ୍ତୋଷ ଥିଲା, ପୋଲିସ ଏନ୍‌କାଉଣ୍ଟର ପରେ ତାହା ଅନେକାଂଶରେ ଶାନ୍ତ ହୋଇଥିବା ଓ ସାରା ଦେଶର ଲୋକେ ଖୁସି ଥିବା ଦେଖାଯାଉଛି। କିନ୍ତୁ ‘ଖୁସି ଲାଗିବା’ ଓ ‘ଉଚିତ ଲାଗିବା’ ଦି’ଟା ଏକା କଥା ନୁହେଁ। ବହୁତ କଥା ଆମକୁ ଖୁସି ଲାଗିପାରେ କିନ୍ତୁ ତାହା ସବୁବେଳେ ଠିକ୍‌ ହୋଇ ନ ଥାଏ। ଆମ ଭାବପ୍ରବଣ ମନକୁ ଅନେକ କଥା ଶାନ୍ତି ଦେଇପାରେ କିନ୍ତୁ ତାହା ଉଚିତ କି ଅନୁଚିତ, ତାହା ମଧ୍ୟ ବିଚାରଯୋଗ୍ୟ। ଅବଶ୍ୟ ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣାରେ ସମସ୍ତେ ଖୁସି। ପରିଣାମକୁ ନେଇ କାହାରି ମନରେ ପ୍ରଶ୍ନ ନାହଁି। ସେହି ଅଭିଯୁକ୍ତମାନେ ଯେପରି ଭାବେ ନାରକୀୟ କାଣ୍ଡ ଘଟାଇଥିଲେ, ସେଥିରେ ତାଙ୍କ ପାଇଁ ମୃତ୍ୟୁ ବି କମ୍‌ ହୋଇଥାନ୍ତା। କିନ୍ତୁ ପ୍ରଶ୍ନ ଉଠୁଛି, ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବ କିଏ, ନ୍ୟାୟପାଳିକା ନା ପୋଲିସ ନିଜେ? ଆମେ ପ୍ରତ୍ୟେକ ଘଟଣାର ବିଚାରକୁ ପୋଲିସ ହାତକୁ ଦେଇଦେବା କି?
ଯେଉଁମାନେ ଏପରି ନାରକୀୟ କାଣ୍ଡ ଘଟାଇଥିଲେ ଓ ସମାଜକୁ କଳୁଷିତ କରୁଥିଲେ ସେମାନେ ମରନ୍ତୁ କିନ୍ତୁ ତାଙ୍କୁ ମୃତ୍ୟୁଦଣ୍ଡ ଦେବ କିଏ? ଏହା ନିଶ୍ଚୟ ଯେ, ପୋଲିସ କଦାପି ନୁହେଁ। କାରଣ ପୋଲିସକୁ ଯଦି ଆମେ ଏହି କ୍ଷମତା ଦେଇଦେବା, ତେବେ ଏହା ଭବିଷ୍ୟତର ସ୍ଥିତିକୁ ଅତ୍ୟନ୍ତ ଜଟିଳ କରିପକେଇବ, ଯାହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିବ।
ଯଦି ପୋଲିସ କଥା ସତ ହୋଇଥାଏ, ଯେ ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ପୋଲିସ ବାଧ୍ୟ ହୋଇ ଏନ୍‌କାଉଣ୍ଟର କରିଛି, ତେବେ ଏଥିରେ କିଛି ଅସୁବିଧା ନାହଁି। କିନ୍ତୁ ଅସଲ ପ୍ରଶ୍ନ ହେଉଛି, ଏନ୍‌କାଉଣ୍ଟର ପରେ ସାରା ଦେଶର ଲୋକେ ଯେପରି ଖୁସି ପ୍ରକାଶ କରିଛନ୍ତି ଓ ସମଗ୍ର ଘଟଣାକୁ ଯେପରି ସେଲିବ୍ରେଟ୍‌ କରିଛନ୍ତି, ତାହା ଏକ ବଡ଼ ସଙ୍କଟକୁ ଆମ ସମ୍ମୁଖରେ ତୋଳି ଧରୁଛି। ଲୋକମାନଙ୍କର ଏହି ସେଲିବ୍ରେଶନ୍‌ ଘଟଣାରୁ ଅନ୍ତତଃ ଗୋଟିଏ କଥା ବୁଝାପଡ଼ୁଛି ଯେ, ସାଧାରଣ ଲୋକଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ମାମଲାରେ ଲୋକମାନଙ୍କର ନ୍ୟାୟପାଳିକା ଉପରେ ଆଉ ବିଶ୍ୱାସ ନାହଁି। ଯଦି ଥାଆନ୍ତା, ତେବେ ଏକ ଗଣତାନ୍ତ୍ରିକ ଦେଶର ଲୋକେ ଗୋଟେ ଏନ୍‌କାଉଣ୍ଟର ପରେ ଏତେ ଖୁସି ମନେଇ ନ ଥାନ୍ତେ। ଲୋକମାନେ ଏଇଥିପାଇଁ ଖୁସି ମନେଇଲେ ଯେ, ଘଟଣା ଯଦି ନ୍ୟାୟପାଳିକାକୁ ଯାଇ ମାମଲା ଆଗକୁ ବଢ଼ିଥାଆନ୍ତା, ତେବେ ଅପରାଧୀମାନଙ୍କୁ ଉଚିତ ଦଣ୍ଡ ମିଳି ନ ଥାନ୍ତା। ଯଦି ବି ମିଳିଥାଆନ୍ତା, ତେବେ ତାହା ଏତେ ବିଳମ୍ବ ହୋଇଥାଆନ୍ତା ଯେ, ସେ ଦଣ୍ଡ ମିଳିବା ଓ ନ ମିଳିବା ସମାନ। ଏଇଥିପାଇଁ ତ ଅପରାଧୀମାନଙ୍କ ମନରେ ନ୍ୟାୟପାଳିକା ପ୍ରତି ଭୟ ରହୁନାହଁି।
ଅନେକେ କହୁଛନ୍ତି, ଅଭିଯୁକ୍ତମାନଙ୍କୁ ଅଯଥାରେ ବସେଇ ସୁରକ୍ଷା ପ୍ରଦାନ କରି ଖାଇବା ପିଇବାକୁ ଦେବା ଅପେକ୍ଷା ପୋଲିସ ଏନ୍‌କାଉଣ୍ଟର କରି ଭଲ କରିଛି। ଏମିତି ଜଘନ୍ୟ ଅପରାଧ ଘଟେଇଥିବା ଅପରାଧୀମାନଙ୍କ ପାଇଁ କାହଁିକି ଅଯଥାରେ ସରକାର ପଇସା ଖର୍ଚ୍ଚ କରିଥାନ୍ତେ। ତେଣୁ ସାଇବରାବାଦ୍‌ ପୋଲିସ ଭଲ କରିଛି। ସାରା ଦେଶ ଆଜି ତାଙ୍କୁ ହିରୋ କହୁଛି। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ନ୍ୟାୟପାଳିକାର ଅସମର୍ଥତା ଯୋଗୁ ପୋଲିସକୁ ଦଣ୍ଡ ଦେବାର କ୍ଷମତା ଦେଇଦେବା ଉଚିତ କି? ଯଦି ଏମିତି କାମକୁ ଆମେ ଆମ ଭାବପ୍ରବଣତା ଆଧାରରେ ବିଚାର କରି ପୋଲିସକୁ ଗୌରବାନ୍ବିତ କରିବା ତେବେ କାଲି ଯଦି ପୋଲିସ କୌଣସି ନିରପରାଧକୁ ଘରୁ ଉଠେଇ ନେଇ ହତ୍ୟା କରି ତାକୁ ଏନ୍‌କାଉଣ୍ଟରର ରୂପ ଦିଏ, ତେବେ ସେତେବେଳେ ଆମେ କ’ଣ କହିବା? କାରଣ ପୋଲିସର ନିୟମ ଅନୁସାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିବା ଯାଏ, ପ୍ରତ୍ୟେକ ଲୋକ ଦୋଷୀ ଓ ନ୍ୟାୟପାଳିକାର ନିୟମ ଅନୁସାରେ ଦୋଷୀ ପ୍ରମାଣ ନ ହେବା ଯାଏ ପ୍ରତ୍ୟେକ ଲୋକ ନିର୍ଦ୍ଦୋଷ। ତେଣୁ ଯଦି ପୋଲିସ ହାତକୁ ଦଣ୍ଡ ଦେବାର କ୍ଷମତା ଦେଇଦେବା, ତେବେ ଭବିଷ୍ୟତରେ ଅନେକ ନିରୀହ ଲୋକ ଏହାର ଶିକାର ହେବେ, ଏଥିରେ ସନ୍ଦେହ ନାହଁି।
ନ୍ୟାୟପାଳିକାର ଅସହାୟତାକୁ ପୋଲିସର ଏନ୍‌କାଉଣ୍ଟର ମାଧ୍ୟମରେ ପୂରଣ କରାଯାଇପାରିବ ନାହିଁି। ଏମିତି କ୍ଷେତ୍ରରେ ଆମର ତର୍କ ହେବା କଥା ଯେ, ନ୍ୟାୟପାଳିକା କାହଁିକି ସମର୍ଥ ହେଉନାହଁି? ଯଦି ଏତେବଡ଼ ନାରକୀୟ ଘଟଣା ଘଟିଲା ଓ ଅପରାଧୀମାନେ ତାଙ୍କ ଅପରାଧ ମାନି ସାରିଲେଣି, ତା’ହେଲେ ପୁଣି ହାଜତରେ ବା ଜେଲ୍‌ରେ ରଖି ତାଙ୍କୁ ଜ୍ୱାଇଁ ଭଳି ଚର୍ଚ୍ଚା କରାଯିବ କାହଁିକି? ଏଭଳି କ୍ଷେତ୍ରରେ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ମିଳିବନି କାହଁିକି? ନ୍ୟାୟପାଳିକା ଯଦି କୌଣସି ରାଜନୈତିକ ଘଟଣାକୁ ତୁରନ୍ତ ଏପରି କି ରାତି ତିନିଟାରେ ଗୋଟିଏ ଦିନ ଭିତରେ ଶୁଣାଣି କରି ରାୟ ପ୍ରଦାନ କରୁଛନ୍ତି, ତେବେ ସାଧାରଣ ଲୋକଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧକୁ ବା ଅନ୍ତତଃପକ୍ଷେ ବଳାତ୍କାର ଓ ହତ୍ୟା ପରି ଜଘନ୍ୟ ଅପରାଧର ସେମିତି ତ୍ୱରିତ ବିଚାର କରାଯିବ ନାହଁି କାହଁିକି? କାହଁିକି ଦିନ ଦିନ ଧରି ଅଭିଯୁକ୍ତଙ୍କୁ ବସେଇ ରଖାଯିବ ଓ ବିଳମ୍ବିତ ନ୍ୟାୟ କରି ନ୍ୟାୟ ପ୍ରତି ପରିହାସ କରାଯିବ? ଜଗତ୍‌ସିଂହପୁର ଜିଲାର ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ଆମେ ଦେଖିଲେ ନ୍ୟାୟ ମିଳିବା ବେଳକୁ ଅଭିଯୁକ୍ତମାନେ ବୁଢ଼ା ହୋଇଯାଇଥିଲେ ଓ ଜଣେ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଥିଲେ। ତେବେ ଏ ନ୍ୟାୟ କେଉଁ କାମକୁ! ଆଜି ଯେତେବେଳେ ଗୋଟେ ଗଣତାନ୍ତ୍ରିକ ଦେଶରେ ପୋଲିସର ଏନକାଉଣ୍ଟର ଘଟଣାରେ ଉତ୍ସବ ପାଳନ କରାଯାଉଛି, ସେତେବେଳେ ଅନ୍ତତଃ ଆମ ନ୍ୟାୟବ୍ୟବସ୍ଥା ଆତ୍ମବିଶ୍ଳେଷଣ କରିବା ଉଚିତ ଯେ ଲୋକମାନେ କାହଁିକି ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକଟ କରିପାରୁନାହାନ୍ତି।
ଏହା ସତ ଯେ, ପୋଲିସର ଏନ୍‌କାଉଣ୍ଟର ଏକ ସମାଧାନ ନୁହେଁ। ବଳାତ୍କାର ପରି ଅପରାଧ ଘଟଣାରେ ତ୍ୱରିତ ନ୍ୟାୟ ମିଳିବା ହଁି ଅସଲ ସମାଧାନର ପନ୍ଥା। ହାଇଦ୍ରାବାଦ ଘଟଣାରେ ଅଭିଯୁକ୍ତମାନଙ୍କର ଶେଷ ପରିଣତିରେ ଆମେ ସମସ୍ତେ ଖୁସି, ଏଥିରେ ଟିକେ ବି ସନ୍ଦେହ ନାହଁି। କିନ୍ତୁ ଏହି ପରିଣାମ ପୋଲିସ ତରଫରୁ ନ ହୋଇ ନ୍ୟାୟପାଳିକା କରିଥିଲେ ଆମ ଗଣତନ୍ତ୍ର ଆହୁରି ପରିପକ୍ୱ ହୋଇଥାନ୍ତା ଓ ନ୍ୟାୟପାଳିକା ଉପରେ ଲୋକଙ୍କର ଆସ୍ଥା ମଜଭୁତ ହୋଇଥାନ୍ତା। ବଳାତ୍କାର ଘଟଣା ଯେପରି ଆମ ଦୁର୍ବଳ ସାମାଜିକ ଜୀବନର ପରିଚୟ ଦେଉଛି, ସେହିପରି ନ୍ୟାୟପାଳିକା ଉପରୁ ବିଶ୍ୱାସ ତୁଟି ପୋଲିସ ଏନ୍‌କାଉଣ୍ଟର ଉପରେ ବିଶ୍ୱାସ ବଢ଼ିବା ବି ଆମ ଦୁର୍ବଳ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ ଦେଉଛି।
-ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri