ଭୁବନେଶ୍ୱର,୨୫।୪(ସସ୍ମିତା ପାଇକରାୟ)- ରାଜଧାନୀ ପ୍ରବେଶ ପଥରେ ରହିଥିବା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକ ନୂଆ ରୂପ ପାଇବ। ବାଣୀବିହାର, ଆଚାର୍ଯ୍ୟ ବିହାର ପରେ ଏହି ଛକକୁ ଆକର୍ଷଣୀୟ ଭାବେ ସଜାଯାଉଛି। ସୌନ୍ଦର୍ଯ୍ୟକରଣ ପାଇଁ ଛକର ଗୋଲେଇ ମଧ୍ୟରେ ଏକ ଆକର୍ଷଣୀୟ ପାର୍କ ନିର୍ମାଣ କରାଯାଉଛି। କଂକ୍ରିଟ୍ ଆବର୍ଜନାକୁ ବ୍ୟବହାର କରି ଭାରତର ଜଣେ ଶ୍ରେଷ୍ଠ କାରିଗର ତଥା ସ୍ଥପତି ଏହାର ନିର୍ମାଣ କରୁଛନ୍ତି, ଯାହାକି ଭୁବନେଶ୍ୱର ବିଉଟିଫିକେଶନ ପ୍ରୋଜେକ୍ଟରେ ପ୍ରମୁଖ ଆକର୍ଷଣ ସାଜିବ।
ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ଦ୍ୱାରା ହେଉଥିବା ଏହି ସୌନ୍ଦର୍ଯ୍ୟକରଣ ସଷ୍ଟେନେବୁଲ୍ ଡେଭେଲପ୍ମେଣ୍ଟ ବା ଦୀର୍ଘସ୍ଥାୟୀ ବିକାଶର ବାର୍ତ୍ତା ପ୍ରଦାନ କରିବ। ରାଜପଥ ନିର୍ମାଣ ବେଳେ ବାହାରୁଥିବା ଆଇରନ୍ ଓ କଂକ୍ରିଟ୍ ଆବର୍ଜନାକୁ ବ୍ୟବହାର କରି ସହରର ଏହି ପ୍ରବେଶ ପଥକୁ ସଜାଯାଉଛି। ଦେଶର ଖ୍ୟାତନାମା ସ୍ଥପତି ତଥା ଚିତ୍ରଶିଳ୍ପୀ ମାନବ ଗୁପ୍ତା ଏହାର ଡିଜାଇନ୍ କରୁଥିବା ବେଳେ ପ୍ରକଳ୍ପର ନଁା ରହିଛି ‘ଏ ସିଟି ଇନ୍ ଏ ସିଟି’। ପ୍ରଥମଥର ପାଇଁ ହେଉଥିବା ଏହି ‘୭ ଟାଓ୍ବାର ମ୍ୟୁରାଲ୍’କୁ ସ୍ଥପତି ଭୁବନେଶ୍ୱର ତଥା ଓଡ଼ିଶା ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି, ଯେଉଁଥିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଓ୍ବେଷ୍ଟ୍ କଂକ୍ରିଟ୍ ବ୍ଲକ୍ରୁ ତିଆରି ହେଉଥିବା ଏହି ପବ୍ଲିକ୍ ଆର୍ଟ ପ୍ରୋଜେକ୍ଟରେ ସ୍କ୍ରାପ୍ ଆଇରନ୍ ରଡ୍, ସ୍କ୍ରାପ୍ ଆଇରନ୍ ପାଇପ୍, ସ୍କ୍ରାପ୍ ଆଇରନ୍ ପ୍ଲେଟ୍ ଓ କଂକ୍ରିଟ ଓ୍ବେଷ୍ଟ୍ ବ୍ଲକ୍ସମାନ ବ୍ୟବହାର କରାଯାଇଛି। ପରିବେଶ ପ୍ରଦୂଷଣ କରୁଥିବା ଏହି ସାମଗ୍ରୀକୁ ପୁନଃ ବ୍ୟବହାର କରାଯିବା ସହ ଏଥିରେ ସମ୍ପୂର୍ଣ୍ଣ ଭୁବନେଶ୍ୱର ସହରର ଝଲକ ଦେଖିବାକୁ ମିଳିବ। ଲିଙ୍ଗରାଜ ମନ୍ଦିର, ଧଉଳି ଶାନ୍ତିସ୍ତୂପରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ଏବଂ ଓଡ଼ିଶାର କଳା, ସଂସ୍କୃତି, ଓଡ଼ିଶୀ ନୃତ୍ୟ ଆଦିକୁ ଦର୍ଶାଯାଉଛି। ଫଳରେ ସହରକୁ ପ୍ରବେଶ କରୁଥିବା ଲୋକ ଏଠାରୁ ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦେଖିପାରିବେ। ଏହାସହ ବର୍ତ୍ତମାନ ସମୟରେ ଟ୍ୟୁବ୍ ଓ୍ବେଲ୍ ବା ନଳକୂପ ଆଉ ଦେଖିବାକୁ ମିଳୁ ନ ଥିବାବେଳେ ସଷ୍ଟେନେବୁଲ୍ ଡେଭେଲପ୍ମେଣ୍ଟ ମ୍ୟୁଜିୟମ୍ରେ ଆବର୍ଜନାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବଡ଼ ନଳକୂପର ପ୍ରତିକୃତି। ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଏବଂ ଓଡ଼ିଶାକୁ ସମ୍ମାନ ଜଣାଇ ମୁଁ ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିର୍ମାଣ କରିଛି। ଏହି ପବ୍ଲିକ୍ ଆର୍ଟ ପ୍ରୋଜେକ୍ଟ ବହୁ ସ୍ବତନ୍ତ୍ର ଓ କନ୍ଷ୍ଟ୍ରକଶନ୍ ଓ୍ବେଷ୍ଟ୍ ବ୍ୟବହାର କରି ନିର୍ମାଣ ହେଉଥିବା ପ୍ରଥମ ସ୍ଥାପତ୍ୟ ବୋଲି ମାନବ ଗୁପ୍ତା କହିଛନ୍ତି। ଦେଢ଼ମାସ ଧରି ଚାଲିଥିବା ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବାକୁ ଆଉ ପ୍ରାୟ ଦୁଇସପ୍ତାହ ଲାଗିବ ବୋଲି ସେ କହିଥିବା ବେଳେ ଆଲୋକୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିର୍ମାଣ କରୁଥିବା ସଂସ୍ଥାର ଶୁଭକାନ୍ତ ରାଉତ ସୂଚନା ଦେଇଛନ୍ତି।

