ନୀତିବିହୀନ ରୀତି

ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ
ମାନବ ସମାଜରେ ସଭ୍ୟତାର ବିକାଶ ହେବା ପରଠୁଁ ପୁଅଟିଏ ଝିଅଟିଏକୁ ବାହା ହୋଇ ସଂସାର ବାନ୍ଧିବାର ସ୍ବୀକୃତି ହାସଲ କରିଆସୁଛି। ପୂର୍ବ କାଳରେ ବରକନ୍ୟା ମିଳନର ଏହି ବିବାହ ପର୍ବଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଉଥିଲେ ମଧ୍ୟ ଏବେ ଆଧୁନିକତାର ଆହ୍ବାନରେ ଜାତିଧର୍ମ ନିର୍ବିଶେଷରେ ସମାନ ଭାବରେ ପାଳିତ ହେଉଛି ଏହି ବର୍ଣ୍ଣାଢ୍ୟ ଉତ୍ସବ। ବିବାହ ଦୁଇଟି ହୃଦୟର ମିଳନ ପାଇଁ କେବଳ ଏକ ଆନୁଷ୍ଠାନିକ ପର୍ବ ହୋଇ ରହିନାହିଁ। ଏହା ସହ ଜଡିତ ହୋଇଯାଇଛି ବହୁ ପାରିପାାର୍ଶ୍ୱିକ ପ୍ରବାହ, ସମାଜର ଚଳଣି, ପରିବାରର ମାନ ମର୍ଯ୍ୟାଦା ଓ ବୁନିୟାଦ ପ୍ରଦର୍ଶନର ଏକ ପ୍ରତିଯୋଗିତା। ସୁତରାଂ ଜ୍ୱାଇଁର ପଦବୀ ବା ପ୍ରତିଷ୍ଠାକୁ ଚାହିଁ କେଇଲକ୍ଷ ଟଙ୍କାର ଯୌତୁକ, ଦିଗ୍‌ବିଜୟୀ ରାଜପୁରୁଷଙ୍କ ବିଜୟ ଶୋଭାଯାତ୍ରା ପରି ଗାଡିମୋଟର ଗହଣରେ ଶତାଧିକ ବରଯାତ୍ରୀଙ୍କ ବାଦ୍‌ଶାହୀ ଥାଟ, ସୁସଜ୍ଜିତ ଡିଜେର ବୁକୁଫଟା ଗର୍ଜନର ତାଳେ ତାଳେ ମଦମତ୍ତ ଯୁବତୀଯୁବକଙ୍କ ଉଦଣ୍ଡ ନୃତ୍ୟ, ରଙ୍ଗବେରଙ୍ଗର ଆତସବାଜି ସହ ଶତାଧିକ ଛେଳି, କୁକୁଡାଙ୍କ ଗଣହତ୍ୟାର ପର୍ବ ମଧ୍ୟରେ ସଂଘଟିତ ହୁଏ ଦୁଇ ନବ ଯୁବତୀଯୁବକଙ୍କ ମିଳନର ପର୍ବ!
ଏମିତି ଏକ ବିବାହ ଉତ୍ସବରେ ବରଯାତ୍ରୀ ଭାବେ ଯୋଗଦେଇ କପାଳରେ ସୁବାସିତ ଶୀତଳ ଚନ୍ଦନ ବଦଳରେ ଅବାଞ୍ଛିତ ଅତିଥିର ରକ୍ତତିଳକ ଲଗାଇ ରାତି ଅଧରେ ଅଭୁକ୍ତ ଭାବେ ଫେରିଥିବା ଜଣେ ବନ୍ଧୁ ଅବସୋସ ପ୍ରକଟ କରି କହୁଥିଲେ, ”ଆମ ପୂର୍ବପୁରୁଷମାନେ ବିବାହ ସହ ଏମିତି ରୀତି ସବୁ ଯୋଡୁଥିଲେ କାହିଁକି କେଜାଣି? ବିପୁଳ ବ୍ୟୟଭାରରେ ଆୟୋଜିତ ବାଜା ରୋଶଣି ଓ ମଦ ପିଇ ଉନ୍ମତ୍ତ ଆଚରଣ କରୁଥିବା ବରଯାତ୍ରୀଙ୍କୁ ବାଦ୍‌ ଦେଇ ବାହାଘର କ’ଣ ହୋଇପାରନ୍ତା ନାହିଁ?“ ସେ ଯେଉଁ ବାହାଘରକୁ ବରଯାତ୍ରୀ ହୋଇ ଯାଇଥିଲେ, ତହିଁରେ ବରକର୍ତ୍ତାଙ୍କ ବିକଳ ମୁରବିପଣ ତଥା କନ୍ୟାପିତାଙ୍କ ଆକୁଳ ଆବେଦନକୁ ଅବଜ୍ଞା କରି ବରପକ୍ଷ ଓ କନ୍ୟାପକ୍ଷର ଯୁବକମାନଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ରକ୍ତାକ୍ତ ସଂଘର୍ଷ ଓ ପ୍ରାଣ ବଞ୍ଚାଇ ଅଖିଆ ଅପିଆ ଫେରି ଆସିଥିଲେ ବନ୍ଧୁ।
ଆଧୁନିକତାର ପାହାଚ ପରେ ପାହାଚ ଚଢ଼ି ଜୀବନ ଯେତେବେଳେ ଭିନ୍ନ ରଙ୍ଗରେ ଚିତ୍ରିତ, ସେତେବେଳେ ସାମାଜିକ ଜୀବନର ପ୍ରଥା ପରମ୍ପରା ଓ ରୀତିରିଓ୍ବାଜ ମଧ୍ୟରେ ନୀତି ଖୋଜୁଥିବା ବନ୍ଧୁଙ୍କୁ କେଉଁଠୁ ବା ମିଳନ୍ତେ ବିନା ବରଯାତ୍ରୀରେ ବାହା ହେବାକୁ ରାଜି ଥିବା ବର ଜଣେ! କେବଳ ବିବାହ ନୁହେଁ, ଆଧୁନିକ ଧାରାରେ ଆକ୍ରାନ୍ତ ଉତ୍ତରପୁରୁଷଙ୍କ ନବ୍ୟ ଜୀବନଧାରାରେ ନବଜାତକର ଏକୋଇଶା ପୂଜାରୁ ଆରମ୍ଭ କରି ବ୍ରତ, ଯଜ୍ଞ, ରୁଦ୍ର ପୂଜନ ଆଦି ବିଭିନ୍ନ ବୈଦିକ କ୍ରିୟାକର୍ମ ଯେମିତି ଭାବେ ସମ୍ପନ୍ନ ହେଉଛି, ତାହା ଦେଖି ଆମ ପୂର୍ବପୁରୁଷଙ୍କୁ ଗାଳି ଦେଇ ବନ୍ଧୁ କ’ଣ ଖସିଯାଇ ପାରିବେ? ବନ୍ଧୁ ଜାଣନ୍ତୁ ଓ ନିଜକୁ ବୁଝାଇ ଦିଅନ୍ତୁ ଯେ ଏବେ ସବୁକଥା ପରି ରୀତି ପାଖରୁ ବି ଦୂରେଇଗଲାଣି ନୀତି !
କେଇଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ନିଜ ପୁଅ ପାଇଁ ଏକ ଉଜ୍ଜ୍ୱଳ ଫଳ କାମନା କରି ଜଣେ ଧନଶାଳୀ ପିତା ରୁଦ୍ରାଭିଷେକ କରୁଥିଲେ। ଏକ ଦୁର୍ବଳ ମେଧା ନେଇ ଜନ୍ମ ନେଇଥିବା ବା ଅଧ୍ୟୟନ ପ୍ରତି ନିଷ୍ଠାର ଅଭାବ ଥିବା ପରୀକ୍ଷାର୍ଥୀର ପରୀକ୍ଷା ଫଳ ରୁଦ୍ର ପୂଜନ ଦ୍ୱାରା ଉଜ୍ଜ୍ୱଳ ହୁଏ କି ନାହିଁ କେଜାଣି, ମାତ୍ର ସେଦିନ ସେଇ ପୂଜାପର୍ବର ଔଜ୍ଜ୍ୱଲ୍ୟ ଦେଖି ମନ୍ଦିରରେ ଅଧିଷ୍ଠିତ ମହାଦେବ ମଧ୍ୟ କମ୍‌ ଚମତ୍କୃତ ହୋଇ ନ ଥିବେ! ବହୁ ଭାବେ ସୁସଜ୍ଜିତ ମନ୍ଦିର ପ୍ରାଙ୍ଗଣ, ମାଇକ୍ରୋଫୋନରୁ ଭାସି ଆସୁଥିବା ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ, ପରୀକ୍ଷାର୍ଥୀ ପୁତ୍ରକୁ ଆଶୀର୍ବାଦ ଦେବା ପାଇଁ ସମବେତ ହୋଇଥିବା ପାଟମଠା ପରିହିତ ବନ୍ଧୁବାନ୍ଧବ, ଜ୍ଞାତି, ପରିଜନ ଓ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଖଣ୍ଡମଣ୍ଡଳକୁ ମହକାଇ ଦେଉଥିବା ସୁସ୍ବାଦୁ ବ୍ୟଞ୍ଜନ। ଭକ୍ତ ପ୍ରାଣରେ ବିଶ୍ୱାସର ପ୍ରତିଷ୍ଠା ପାଇଁ ଏମିତି ବିପୁଳ ବାଦ୍‌ଶାହୀ ଖର୍ଚ୍ଚ କରିବାକୁ ଆମ ପୂର୍ବପୁରୁଷମାନେ କ’ଣ ରୀତି ନିର୍ଦ୍ଧାରଣ କରି ଯାଇଛନ୍ତି?
ଆଉ ଏକ ଉତ୍ସବର ଦୃଶ୍ୟ। ଏକ ବ୍ରାହ୍ମଣ ସନ୍ତାନର ଯଜ୍ଞୋପବୀତ ଧାରଣ କରିବାର ଉତ୍ସବ। ଶାସ୍ତ୍ରନୀତି ଅନୁଯାୟୀ ବ୍ରାହ୍ମଣ ପୁଅଟିଏ ବ୍ରତ ଗ୍ରହଣ କରି ଏକ ଶୁଦ୍ଧ ଜୀବନର ଶପଥ ନିଏ ଓ ନିଜକୁ ବ୍ରହ୍ମମନ୍ତ୍ରରେ ଅଭିମନ୍ତ୍ରିତ କରେ। ଏଥିପାଇଁ ଲୋଡାପଡେ ଗୋଟିଏ ଯଜ୍ଞକୁଣ୍ଡ, ଠେକିଏ ଘିଅ, କିଛି ପୂଜା ସାମଗ୍ରୀ, ଜଣେ ବା ଦୁଇଜଣ ପୁରୋହିତ ଓ ବ୍ରହ୍ମଚାରୀକୁ ପଇତା ପିନ୍ଧାଇବାକୁ ପାଞ୍ଚଜଣ ବ୍ରାହ୍ମଣ। ଅଥଚ ସାମାଜିକ ରୀତି ପ୍ରତି ନିଜ ନିଜର ନିଆରା ନିଷ୍ଠା ପ୍ରକଟ କରି ପୁଅ କାନ୍ଧରେ ପଇତା ଦେବାକୁ ପିତାମାନଙ୍କର ଚାଲେ ପାଗଳ ପ୍ରତିଯୋଗିତା। ନିଜ ପ୍ରତିଷ୍ଠା ଓ ପ୍ରତିପତ୍ତିର ପ୍ରଦର୍ଶନ ପାଇଁ ସୁଦୃଶ୍ୟ ତୋରଣ, ସୁସଜ୍ଜିତ ଯଜ୍ଞ ମଣ୍ଡପ, ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା, ସ୍ବାଦିଷ୍ଠ ବ୍ୟଞ୍ଜନ, ବ୍ରତ ଶୋଭାଯାତ୍ରାରେ ଡିଜେ ବାଦ୍ୟର ତାଳେ ତାଳେ ପୁଅର କିଶୋର ସାଙ୍ଗମାନଙ୍କ ବେତାଳ ନାଚ ଓ ଏସବୁକୁ ଚିରକାଳ ସ୍ମୃତିପେଟିକାରେ ସାଇତି ରଖିବା ପାଇଁ ଭିଡିଓ କ୍ୟାମେରାରେ ଚିତ୍ର ଉତ୍ତୋଳନ। ସତେ ଯେମିତି କେଉଁ ରାଜପୁତ୍ରର ଅଭିଷେକ ଉତ୍ସବରେ ରାଜାଙ୍କ ନବାବୀପଣର ନଗ୍ନ ପ୍ରଦର୍ଶନ!
ମଣିଷ ଯେତେ ସଭ୍ୟ ଶିକ୍ଷିତ ହେଲେ ବି, ଯେତେ ଆଧୁନିକ ବୋଲାଇଲେ ମଧ୍ୟ ପ୍ରାଚୀନ ପ୍ରଥା ପରମ୍ପରାର ପ୍ରଭାବରୁ ନିଜକୁ ମୁକ୍ତ ରଖିବା ଏତେ ସହଜ ନୁହେଁ। ବାର୍ଦ୍ଧକ୍ୟର ଶେଷ ସୋପାନରେ ଉପନୀତ ହୋଇଥିବା ଶିକ୍ଷିତ ବାପା ଜଣେ ନିଜ ପୁଅ ପାଖରେ ଦାନଧର୍ମ କରି ପୁଣ୍ୟ ଅର୍ଜନ କରିବାର ଅଭିଳାଷ ପେସ୍‌ କଲେ। ବିଶିଷ୍ଟ ବ୍ରାହ୍ମଣମାନଙ୍କୁ ବରଣ କରି ଯଜ୍ଞ ଉପରାନ୍ତେ ସେମାନଙ୍କ ହାତରେ ଗୋଧନ, ଭୂମିଧନ ଓ ସ୍ବର୍ଣ୍ଣଧନ ପ୍ରଦାନ କରିବାର ଇଚ୍ଛା ପ୍ରକଟ କଲେ। ଧର୍ମକୁ ଭିନ୍ନ ଭାବେ ବୁଝିଥିବା ତାଙ୍କ ପୁଅ ବାପାଙ୍କୁ ବୁଝାଇଲେ, ”ସ୍ବଚ୍ଛଳ ବ୍ରାହ୍ମଣମାନଙ୍କୁ ଦାନ ଦେଇ ଲାଭ ନାହିଁ ବାପା! ବରଂ ସେଇ ଅର୍ଥ ଅନାଥାଶ୍ରମକୁ ଦାନ କଲେ ବିଶେଷ ପୁଣ୍ୟ ମିଳିବ।“ ପୁରାଣଶାସ୍ତ୍ର ପଢି ପାପପୁଣ୍ୟର ପରିଭାଷା ସମ୍ପର୍କରେ ବିଶଦ ଜ୍ଞାନ ଅର୍ଜନ କରିଥିବା ବୃଦ୍ଧ ପିତା ପୁଅ ଉପରେ ଖପ୍ପା ହୋଇ କହିଲେ, ”ତୋ ଭଳି କୁଳାଙ୍ଗାର ପୁଅର ଅର୍ଥରେ ମୁଁ ପୁଣ୍ୟ ଅର୍ଜନ କରିବାକୁ ଚାହୁଁନାହିଁ। ମୋ ସଞ୍ଚୟକୁ ନେଇ ମୁଁ ଇଚ୍ଛା ମୁତାବକ ଦାନ କରିବି।“
ତାହା ହିଁ ହେଲା। ବଛା ବଛା କେଇଜଣ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ବୃଦ୍ଧ ମହୋଦୟ ସେମାନଙ୍କ ହାତରେ ଦୁଇଟି ଗାଈ, ଖଣ୍ଡିଏ ଜମିର ପଟ୍ଟା ଓ କିଛି ସୁନା ଅଳଙ୍କାର ଧରାଇଦେଲେ। ଅଥଚ ଏହି ଅବସରରେ ଆୟୋଜିତ ଭୋଜିର ଗନ୍ଧ ବାରି କେଇଜଣ ବୁଲା ଭିକାରି ଖାଇବାକୁ ଅପେକ୍ଷା କରିଥିଲା ବେଳେ ଦାନବୀର ବୃଦ୍ଧଙ୍କ ନିକଟରୁ ମିଳିଲା ତାଚ୍ଛଲ୍ୟଭରା ତିରସ୍କାର। ”ଆଜି ଭଳି ଶୁଭଦିନରେ ଏ କାଙ୍ଗାଳମାନଙ୍କର ମୁହଁ ଚାହିଁବାକୁ ଥିଲା“- ଅତି କୁଣ୍ଠାର ସହ ଭିକାରିଙ୍କୁ ଖାଇବାକୁ ଦେବାକୁ ଆଦେଶ ଦେଉଥିଲା ବେଳେ ବୃଦ୍ଧଙ୍କ ମୁହଁରୁ ଝରିପଡିଥିଲା ଏମିତି କିଛି ଅସନ୍ତୋଷ। ବ୍ରାହ୍ମଣକୁ ଦାନ ଦେଇ ସେ ଯେଉଁ ପୁଣ୍ୟ ଅର୍ଜନ କରିଥିଲେ, ତାହା ଭିକାରିମାନଙ୍କ ମୁଖଦର୍ଶନ ଦ୍ୱାରା ସତେ ଯେମିତି ଅଚାନକ ଉଭେଇ ଗଲା! ନିଷ୍ଫଳ ହୋଇଗଲା ସମସ୍ତ ସାଧନାର ସିଦ୍ଧି!
ଈଶ୍ୱରପ୍ରାପ୍ତି ବା ପୁଣ୍ୟ ଅର୍ଜନର ଏ ପ୍ରକାର ପ୍ରମାଦଯୁକ୍ତ ବ୍ୟବସ୍ଥା ଲକ୍ଷ୍ୟ କରି ପ୍ରବାଦ ପୁରୁଷ ସ୍ବାମୀ ବିବେକାନନ୍ଦ ଧର୍ମର ଭିନ୍ନ ଏକ ପରିଭାଷା ସୃଷ୍ଟି କରି କହିଥିଲେ, ମନ୍ଦିରରେ ପୂଜାପାଠ ବା ଭଜନକୀର୍ତ୍ତନ ଦ୍ୱାରା ଜଣେ ଧାର୍ମିକ ହୋଇଯାଏନା କି ଅପାତ୍ରରେ ଦାନ କରି ଜଣେ ପୁଣ୍ୟ ଅର୍ଜନ କରେନା। ଯେଉଁ ଧର୍ମ ବିଧବାର ଆଖିରୁ ଲୁହ ପୋଛିପାରେନା କି ଅନାଥ ଅସହାୟ ତୁଣ୍ଡରେ ରୁଟି ଖଣ୍ଡିଏ ଦେଇପାରେନା, ସେଇ ଧର୍ମକୁ ମଁୁ ସୁଧର୍ମ ବୋଲି ସ୍ବୀକାର କରେନା।“ ବିବେକାନନ୍ଦଙ୍କ ଦର୍ଶନ ନ ପଢ଼ନ୍ତୁ, ସାରା ଜୀବନ ଆତ୍ମସେବାରେ ନିବିଷ୍ଟ ରହି ମୃତ୍ୟୁ ପୂର୍ବରୁ କେଇଜଣ ସ୍ବଚ୍ଛଳ ବ୍ରାହ୍ମଣଙ୍କୁ ଗୋ, ଭୂମି, ସ୍ବର୍ଣ୍ଣ ଦାନ କରିଦେଲେ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବୃଦ୍ଧ ମହୋଦୟ କେଉଁ ଶାସ୍ତ୍ରରୁ ପଢ଼ିଥିଲେ କେଜାଣି? ତେବେ ସେ ଶାସ୍ତ୍ରର ନାମ ଯାହା ବି ହେଉ, ନୀତି ବହିର୍ଭୂତ ରୀତିର ଜୟଗାନ କରୁଥିବା ଶାସ୍ତ୍ର ଜଗତରେ ଏ ଯାଏଁ ଲେଖା ହୋଇନାହିଁ !
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?