ନୀତିବିହୀନ ରୀତି

ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ
ମାନବ ସମାଜରେ ସଭ୍ୟତାର ବିକାଶ ହେବା ପରଠୁଁ ପୁଅଟିଏ ଝିଅଟିଏକୁ ବାହା ହୋଇ ସଂସାର ବାନ୍ଧିବାର ସ୍ବୀକୃତି ହାସଲ କରିଆସୁଛି। ପୂର୍ବ କାଳରେ ବରକନ୍ୟା ମିଳନର ଏହି ବିବାହ ପର୍ବଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଉଥିଲେ ମଧ୍ୟ ଏବେ ଆଧୁନିକତାର ଆହ୍ବାନରେ ଜାତିଧର୍ମ ନିର୍ବିଶେଷରେ ସମାନ ଭାବରେ ପାଳିତ ହେଉଛି ଏହି ବର୍ଣ୍ଣାଢ୍ୟ ଉତ୍ସବ। ବିବାହ ଦୁଇଟି ହୃଦୟର ମିଳନ ପାଇଁ କେବଳ ଏକ ଆନୁଷ୍ଠାନିକ ପର୍ବ ହୋଇ ରହିନାହିଁ। ଏହା ସହ ଜଡିତ ହୋଇଯାଇଛି ବହୁ ପାରିପାାର୍ଶ୍ୱିକ ପ୍ରବାହ, ସମାଜର ଚଳଣି, ପରିବାରର ମାନ ମର୍ଯ୍ୟାଦା ଓ ବୁନିୟାଦ ପ୍ରଦର୍ଶନର ଏକ ପ୍ରତିଯୋଗିତା। ସୁତରାଂ ଜ୍ୱାଇଁର ପଦବୀ ବା ପ୍ରତିଷ୍ଠାକୁ ଚାହିଁ କେଇଲକ୍ଷ ଟଙ୍କାର ଯୌତୁକ, ଦିଗ୍‌ବିଜୟୀ ରାଜପୁରୁଷଙ୍କ ବିଜୟ ଶୋଭାଯାତ୍ରା ପରି ଗାଡିମୋଟର ଗହଣରେ ଶତାଧିକ ବରଯାତ୍ରୀଙ୍କ ବାଦ୍‌ଶାହୀ ଥାଟ, ସୁସଜ୍ଜିତ ଡିଜେର ବୁକୁଫଟା ଗର୍ଜନର ତାଳେ ତାଳେ ମଦମତ୍ତ ଯୁବତୀଯୁବକଙ୍କ ଉଦଣ୍ଡ ନୃତ୍ୟ, ରଙ୍ଗବେରଙ୍ଗର ଆତସବାଜି ସହ ଶତାଧିକ ଛେଳି, କୁକୁଡାଙ୍କ ଗଣହତ୍ୟାର ପର୍ବ ମଧ୍ୟରେ ସଂଘଟିତ ହୁଏ ଦୁଇ ନବ ଯୁବତୀଯୁବକଙ୍କ ମିଳନର ପର୍ବ!
ଏମିତି ଏକ ବିବାହ ଉତ୍ସବରେ ବରଯାତ୍ରୀ ଭାବେ ଯୋଗଦେଇ କପାଳରେ ସୁବାସିତ ଶୀତଳ ଚନ୍ଦନ ବଦଳରେ ଅବାଞ୍ଛିତ ଅତିଥିର ରକ୍ତତିଳକ ଲଗାଇ ରାତି ଅଧରେ ଅଭୁକ୍ତ ଭାବେ ଫେରିଥିବା ଜଣେ ବନ୍ଧୁ ଅବସୋସ ପ୍ରକଟ କରି କହୁଥିଲେ, ”ଆମ ପୂର୍ବପୁରୁଷମାନେ ବିବାହ ସହ ଏମିତି ରୀତି ସବୁ ଯୋଡୁଥିଲେ କାହିଁକି କେଜାଣି? ବିପୁଳ ବ୍ୟୟଭାରରେ ଆୟୋଜିତ ବାଜା ରୋଶଣି ଓ ମଦ ପିଇ ଉନ୍ମତ୍ତ ଆଚରଣ କରୁଥିବା ବରଯାତ୍ରୀଙ୍କୁ ବାଦ୍‌ ଦେଇ ବାହାଘର କ’ଣ ହୋଇପାରନ୍ତା ନାହିଁ?“ ସେ ଯେଉଁ ବାହାଘରକୁ ବରଯାତ୍ରୀ ହୋଇ ଯାଇଥିଲେ, ତହିଁରେ ବରକର୍ତ୍ତାଙ୍କ ବିକଳ ମୁରବିପଣ ତଥା କନ୍ୟାପିତାଙ୍କ ଆକୁଳ ଆବେଦନକୁ ଅବଜ୍ଞା କରି ବରପକ୍ଷ ଓ କନ୍ୟାପକ୍ଷର ଯୁବକମାନଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ରକ୍ତାକ୍ତ ସଂଘର୍ଷ ଓ ପ୍ରାଣ ବଞ୍ଚାଇ ଅଖିଆ ଅପିଆ ଫେରି ଆସିଥିଲେ ବନ୍ଧୁ।
ଆଧୁନିକତାର ପାହାଚ ପରେ ପାହାଚ ଚଢ଼ି ଜୀବନ ଯେତେବେଳେ ଭିନ୍ନ ରଙ୍ଗରେ ଚିତ୍ରିତ, ସେତେବେଳେ ସାମାଜିକ ଜୀବନର ପ୍ରଥା ପରମ୍ପରା ଓ ରୀତିରିଓ୍ବାଜ ମଧ୍ୟରେ ନୀତି ଖୋଜୁଥିବା ବନ୍ଧୁଙ୍କୁ କେଉଁଠୁ ବା ମିଳନ୍ତେ ବିନା ବରଯାତ୍ରୀରେ ବାହା ହେବାକୁ ରାଜି ଥିବା ବର ଜଣେ! କେବଳ ବିବାହ ନୁହେଁ, ଆଧୁନିକ ଧାରାରେ ଆକ୍ରାନ୍ତ ଉତ୍ତରପୁରୁଷଙ୍କ ନବ୍ୟ ଜୀବନଧାରାରେ ନବଜାତକର ଏକୋଇଶା ପୂଜାରୁ ଆରମ୍ଭ କରି ବ୍ରତ, ଯଜ୍ଞ, ରୁଦ୍ର ପୂଜନ ଆଦି ବିଭିନ୍ନ ବୈଦିକ କ୍ରିୟାକର୍ମ ଯେମିତି ଭାବେ ସମ୍ପନ୍ନ ହେଉଛି, ତାହା ଦେଖି ଆମ ପୂର୍ବପୁରୁଷଙ୍କୁ ଗାଳି ଦେଇ ବନ୍ଧୁ କ’ଣ ଖସିଯାଇ ପାରିବେ? ବନ୍ଧୁ ଜାଣନ୍ତୁ ଓ ନିଜକୁ ବୁଝାଇ ଦିଅନ୍ତୁ ଯେ ଏବେ ସବୁକଥା ପରି ରୀତି ପାଖରୁ ବି ଦୂରେଇଗଲାଣି ନୀତି !
କେଇଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ନିଜ ପୁଅ ପାଇଁ ଏକ ଉଜ୍ଜ୍ୱଳ ଫଳ କାମନା କରି ଜଣେ ଧନଶାଳୀ ପିତା ରୁଦ୍ରାଭିଷେକ କରୁଥିଲେ। ଏକ ଦୁର୍ବଳ ମେଧା ନେଇ ଜନ୍ମ ନେଇଥିବା ବା ଅଧ୍ୟୟନ ପ୍ରତି ନିଷ୍ଠାର ଅଭାବ ଥିବା ପରୀକ୍ଷାର୍ଥୀର ପରୀକ୍ଷା ଫଳ ରୁଦ୍ର ପୂଜନ ଦ୍ୱାରା ଉଜ୍ଜ୍ୱଳ ହୁଏ କି ନାହିଁ କେଜାଣି, ମାତ୍ର ସେଦିନ ସେଇ ପୂଜାପର୍ବର ଔଜ୍ଜ୍ୱଲ୍ୟ ଦେଖି ମନ୍ଦିରରେ ଅଧିଷ୍ଠିତ ମହାଦେବ ମଧ୍ୟ କମ୍‌ ଚମତ୍କୃତ ହୋଇ ନ ଥିବେ! ବହୁ ଭାବେ ସୁସଜ୍ଜିତ ମନ୍ଦିର ପ୍ରାଙ୍ଗଣ, ମାଇକ୍ରୋଫୋନରୁ ଭାସି ଆସୁଥିବା ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ, ପରୀକ୍ଷାର୍ଥୀ ପୁତ୍ରକୁ ଆଶୀର୍ବାଦ ଦେବା ପାଇଁ ସମବେତ ହୋଇଥିବା ପାଟମଠା ପରିହିତ ବନ୍ଧୁବାନ୍ଧବ, ଜ୍ଞାତି, ପରିଜନ ଓ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଖଣ୍ଡମଣ୍ଡଳକୁ ମହକାଇ ଦେଉଥିବା ସୁସ୍ବାଦୁ ବ୍ୟଞ୍ଜନ। ଭକ୍ତ ପ୍ରାଣରେ ବିଶ୍ୱାସର ପ୍ରତିଷ୍ଠା ପାଇଁ ଏମିତି ବିପୁଳ ବାଦ୍‌ଶାହୀ ଖର୍ଚ୍ଚ କରିବାକୁ ଆମ ପୂର୍ବପୁରୁଷମାନେ କ’ଣ ରୀତି ନିର୍ଦ୍ଧାରଣ କରି ଯାଇଛନ୍ତି?
ଆଉ ଏକ ଉତ୍ସବର ଦୃଶ୍ୟ। ଏକ ବ୍ରାହ୍ମଣ ସନ୍ତାନର ଯଜ୍ଞୋପବୀତ ଧାରଣ କରିବାର ଉତ୍ସବ। ଶାସ୍ତ୍ରନୀତି ଅନୁଯାୟୀ ବ୍ରାହ୍ମଣ ପୁଅଟିଏ ବ୍ରତ ଗ୍ରହଣ କରି ଏକ ଶୁଦ୍ଧ ଜୀବନର ଶପଥ ନିଏ ଓ ନିଜକୁ ବ୍ରହ୍ମମନ୍ତ୍ରରେ ଅଭିମନ୍ତ୍ରିତ କରେ। ଏଥିପାଇଁ ଲୋଡାପଡେ ଗୋଟିଏ ଯଜ୍ଞକୁଣ୍ଡ, ଠେକିଏ ଘିଅ, କିଛି ପୂଜା ସାମଗ୍ରୀ, ଜଣେ ବା ଦୁଇଜଣ ପୁରୋହିତ ଓ ବ୍ରହ୍ମଚାରୀକୁ ପଇତା ପିନ୍ଧାଇବାକୁ ପାଞ୍ଚଜଣ ବ୍ରାହ୍ମଣ। ଅଥଚ ସାମାଜିକ ରୀତି ପ୍ରତି ନିଜ ନିଜର ନିଆରା ନିଷ୍ଠା ପ୍ରକଟ କରି ପୁଅ କାନ୍ଧରେ ପଇତା ଦେବାକୁ ପିତାମାନଙ୍କର ଚାଲେ ପାଗଳ ପ୍ରତିଯୋଗିତା। ନିଜ ପ୍ରତିଷ୍ଠା ଓ ପ୍ରତିପତ୍ତିର ପ୍ରଦର୍ଶନ ପାଇଁ ସୁଦୃଶ୍ୟ ତୋରଣ, ସୁସଜ୍ଜିତ ଯଜ୍ଞ ମଣ୍ଡପ, ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା, ସ୍ବାଦିଷ୍ଠ ବ୍ୟଞ୍ଜନ, ବ୍ରତ ଶୋଭାଯାତ୍ରାରେ ଡିଜେ ବାଦ୍ୟର ତାଳେ ତାଳେ ପୁଅର କିଶୋର ସାଙ୍ଗମାନଙ୍କ ବେତାଳ ନାଚ ଓ ଏସବୁକୁ ଚିରକାଳ ସ୍ମୃତିପେଟିକାରେ ସାଇତି ରଖିବା ପାଇଁ ଭିଡିଓ କ୍ୟାମେରାରେ ଚିତ୍ର ଉତ୍ତୋଳନ। ସତେ ଯେମିତି କେଉଁ ରାଜପୁତ୍ରର ଅଭିଷେକ ଉତ୍ସବରେ ରାଜାଙ୍କ ନବାବୀପଣର ନଗ୍ନ ପ୍ରଦର୍ଶନ!
ମଣିଷ ଯେତେ ସଭ୍ୟ ଶିକ୍ଷିତ ହେଲେ ବି, ଯେତେ ଆଧୁନିକ ବୋଲାଇଲେ ମଧ୍ୟ ପ୍ରାଚୀନ ପ୍ରଥା ପରମ୍ପରାର ପ୍ରଭାବରୁ ନିଜକୁ ମୁକ୍ତ ରଖିବା ଏତେ ସହଜ ନୁହେଁ। ବାର୍ଦ୍ଧକ୍ୟର ଶେଷ ସୋପାନରେ ଉପନୀତ ହୋଇଥିବା ଶିକ୍ଷିତ ବାପା ଜଣେ ନିଜ ପୁଅ ପାଖରେ ଦାନଧର୍ମ କରି ପୁଣ୍ୟ ଅର୍ଜନ କରିବାର ଅଭିଳାଷ ପେସ୍‌ କଲେ। ବିଶିଷ୍ଟ ବ୍ରାହ୍ମଣମାନଙ୍କୁ ବରଣ କରି ଯଜ୍ଞ ଉପରାନ୍ତେ ସେମାନଙ୍କ ହାତରେ ଗୋଧନ, ଭୂମିଧନ ଓ ସ୍ବର୍ଣ୍ଣଧନ ପ୍ରଦାନ କରିବାର ଇଚ୍ଛା ପ୍ରକଟ କଲେ। ଧର୍ମକୁ ଭିନ୍ନ ଭାବେ ବୁଝିଥିବା ତାଙ୍କ ପୁଅ ବାପାଙ୍କୁ ବୁଝାଇଲେ, ”ସ୍ବଚ୍ଛଳ ବ୍ରାହ୍ମଣମାନଙ୍କୁ ଦାନ ଦେଇ ଲାଭ ନାହିଁ ବାପା! ବରଂ ସେଇ ଅର୍ଥ ଅନାଥାଶ୍ରମକୁ ଦାନ କଲେ ବିଶେଷ ପୁଣ୍ୟ ମିଳିବ।“ ପୁରାଣଶାସ୍ତ୍ର ପଢି ପାପପୁଣ୍ୟର ପରିଭାଷା ସମ୍ପର୍କରେ ବିଶଦ ଜ୍ଞାନ ଅର୍ଜନ କରିଥିବା ବୃଦ୍ଧ ପିତା ପୁଅ ଉପରେ ଖପ୍ପା ହୋଇ କହିଲେ, ”ତୋ ଭଳି କୁଳାଙ୍ଗାର ପୁଅର ଅର୍ଥରେ ମୁଁ ପୁଣ୍ୟ ଅର୍ଜନ କରିବାକୁ ଚାହୁଁନାହିଁ। ମୋ ସଞ୍ଚୟକୁ ନେଇ ମୁଁ ଇଚ୍ଛା ମୁତାବକ ଦାନ କରିବି।“
ତାହା ହିଁ ହେଲା। ବଛା ବଛା କେଇଜଣ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ବୃଦ୍ଧ ମହୋଦୟ ସେମାନଙ୍କ ହାତରେ ଦୁଇଟି ଗାଈ, ଖଣ୍ଡିଏ ଜମିର ପଟ୍ଟା ଓ କିଛି ସୁନା ଅଳଙ୍କାର ଧରାଇଦେଲେ। ଅଥଚ ଏହି ଅବସରରେ ଆୟୋଜିତ ଭୋଜିର ଗନ୍ଧ ବାରି କେଇଜଣ ବୁଲା ଭିକାରି ଖାଇବାକୁ ଅପେକ୍ଷା କରିଥିଲା ବେଳେ ଦାନବୀର ବୃଦ୍ଧଙ୍କ ନିକଟରୁ ମିଳିଲା ତାଚ୍ଛଲ୍ୟଭରା ତିରସ୍କାର। ”ଆଜି ଭଳି ଶୁଭଦିନରେ ଏ କାଙ୍ଗାଳମାନଙ୍କର ମୁହଁ ଚାହିଁବାକୁ ଥିଲା“- ଅତି କୁଣ୍ଠାର ସହ ଭିକାରିଙ୍କୁ ଖାଇବାକୁ ଦେବାକୁ ଆଦେଶ ଦେଉଥିଲା ବେଳେ ବୃଦ୍ଧଙ୍କ ମୁହଁରୁ ଝରିପଡିଥିଲା ଏମିତି କିଛି ଅସନ୍ତୋଷ। ବ୍ରାହ୍ମଣକୁ ଦାନ ଦେଇ ସେ ଯେଉଁ ପୁଣ୍ୟ ଅର୍ଜନ କରିଥିଲେ, ତାହା ଭିକାରିମାନଙ୍କ ମୁଖଦର୍ଶନ ଦ୍ୱାରା ସତେ ଯେମିତି ଅଚାନକ ଉଭେଇ ଗଲା! ନିଷ୍ଫଳ ହୋଇଗଲା ସମସ୍ତ ସାଧନାର ସିଦ୍ଧି!
ଈଶ୍ୱରପ୍ରାପ୍ତି ବା ପୁଣ୍ୟ ଅର୍ଜନର ଏ ପ୍ରକାର ପ୍ରମାଦଯୁକ୍ତ ବ୍ୟବସ୍ଥା ଲକ୍ଷ୍ୟ କରି ପ୍ରବାଦ ପୁରୁଷ ସ୍ବାମୀ ବିବେକାନନ୍ଦ ଧର୍ମର ଭିନ୍ନ ଏକ ପରିଭାଷା ସୃଷ୍ଟି କରି କହିଥିଲେ, ମନ୍ଦିରରେ ପୂଜାପାଠ ବା ଭଜନକୀର୍ତ୍ତନ ଦ୍ୱାରା ଜଣେ ଧାର୍ମିକ ହୋଇଯାଏନା କି ଅପାତ୍ରରେ ଦାନ କରି ଜଣେ ପୁଣ୍ୟ ଅର୍ଜନ କରେନା। ଯେଉଁ ଧର୍ମ ବିଧବାର ଆଖିରୁ ଲୁହ ପୋଛିପାରେନା କି ଅନାଥ ଅସହାୟ ତୁଣ୍ଡରେ ରୁଟି ଖଣ୍ଡିଏ ଦେଇପାରେନା, ସେଇ ଧର୍ମକୁ ମଁୁ ସୁଧର୍ମ ବୋଲି ସ୍ବୀକାର କରେନା।“ ବିବେକାନନ୍ଦଙ୍କ ଦର୍ଶନ ନ ପଢ଼ନ୍ତୁ, ସାରା ଜୀବନ ଆତ୍ମସେବାରେ ନିବିଷ୍ଟ ରହି ମୃତ୍ୟୁ ପୂର୍ବରୁ କେଇଜଣ ସ୍ବଚ୍ଛଳ ବ୍ରାହ୍ମଣଙ୍କୁ ଗୋ, ଭୂମି, ସ୍ବର୍ଣ୍ଣ ଦାନ କରିଦେଲେ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବୃଦ୍ଧ ମହୋଦୟ କେଉଁ ଶାସ୍ତ୍ରରୁ ପଢ଼ିଥିଲେ କେଜାଣି? ତେବେ ସେ ଶାସ୍ତ୍ରର ନାମ ଯାହା ବି ହେଉ, ନୀତି ବହିର୍ଭୂତ ରୀତିର ଜୟଗାନ କରୁଥିବା ଶାସ୍ତ୍ର ଜଗତରେ ଏ ଯାଏଁ ଲେଖା ହୋଇନାହିଁ !
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri