ଦେଶପ୍ରେମୀ ମଦ୍ୟପଙ୍କ କଥା

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ

ମହାମାରୀ କରୋନା ଭାରତକୁ କବଳିତ କରିନେଲା ପରେ ପ୍ରତିଦିନ କିଛି କିଛି ଭାରତୀୟ ସଂସାରକୁ ପିଠିକରି ଆମ ଗହଣରୁ ବିଦାୟ ନେଇ ଚାଲିଛନ୍ତି। ଆମେ ଯେଉଁମାନେ ରହିଯାଉଛନ୍ତି; ସେମାନେ ମୃତ୍ୟୁଠୁ ମୁକ୍ତି ପାଇଛନ୍ତି ବୋଲି ଖୁସି ହେବାର ବି କିଛି ଯୁକ୍ତି ନାହିଁ, କାରଣ କରୋନା ଏମିତି ଏକ ମୃତ୍ୟୁଦୂତ, ଯିଏ ଯେ କୌଣସି ମୁହୂର୍ତ୍ତରେ ବି ବିନା ନୋଟିସରେ ଆସି ଯାଇପାରେ ଓ ଗେଲ କଲାଭଳି ତଣ୍ଟି ଚିପି ପୁଣି ତା’ ବାଟରେ ଚାଲି ଯାଇପାରେ। ସମଗ୍ର ବିଶ୍ୱରେ ବହୁ ଚିକିତ୍ସା ବିଜ୍ଞାନୀ ଓ ବୈଜ୍ଞାନିକମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ଏ ଯାଏ କରୋନାର ନିଦାନ ତ କିଛି ବାହାରି ପାରିଲା ନାହିଁ, ମାତ୍ର ତାକୁ ନେଇ ନିତିଦିନ ନୂଆ ନୂଆ ମନ୍ତବ୍ୟ ବାହାରି ଚାଲିଛି। କିଏ କହୁଛି, କରୋନାକୁ ଜୀବନର ଏକ ଅଙ୍ଗ କରି ନେବାକୁ ପଡ଼ିବ ତ ଅନ୍ୟ କିଏ କହିଲାଣି କରୋନା ଜୀବନ ଜିଇବାର କଳା ବଦଳାଇ ଦେବ। ପୁଣି କିଏ ଭବିଷ୍ୟବାଣୀ କଲେଣି କରୋନାର ସୃଷ୍ଟି ହୋଇଥିବା ଅର୍ଥ ସଙ୍କଟ ଏତେ ପ୍ରଚଣ୍ଡ ହୋଇଯିବ ଯେ ପକେଟରେ ଆଣୁଥିବା ଦ୍ରବ୍ୟଟିକୁ କିଣିବାକୁ ବସ୍ତାରେ ଟଙ୍କା ନେଇ ଯିବାକୁ ପଡ଼ିବ!!
ଏ ତ ଗଲା ଜିଭ କହୁଥିବା କଥା ବା କାନ ଶୁଣୁଥିବା କଥା। ମାତ୍ର ଆଖି ଯେଉଁ ଅପୂର୍ବ ଓ ଅଭିନବ ଦୃଶ୍ୟ ଦେଖୁଛି, ତାହା କାନଶୁଣା କଥାଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। କରୋନାଠୁ ଦୂରେଇ ରହିବା ପାଇଁ ଏ ଯାଏ ଆବିଷ୍କୃତ ସବୁଠୁ ସଫଳତମ ଉପାୟ ‘ଲକ୍‌ଡାଉନ୍‌’ ମଧ୍ୟରେ ବାଧ୍ୟ ବନ୍ଦୀ ଜୀବନ ବିତାଉଥିବା ମଣିଷ ପ୍ରତ୍ୟକ୍ଷ ଭାବେ କିଛି ଦେଖିପାରୁ ନ ଥିଲେ ମଧ୍ୟ ସଞ୍ଜୟ ଆଖିରେ ଧୃତରାଷ୍ଟ୍ର ଦେଖିଲା ପରି ଟିଭି ପରଦାରେ ସବୁ ନୂଆ ନୂଆ ଦୃଶ୍ୟ ଦେଖୁଛି। ଏ କଥା ବି ଦେଖୁଛି ଯେ କରୋନା ଜୀବନର ପରିଭାଷା ବଦଳାଇଦେବା ସହିତ ବଦଳାଇ ଦେଇଛି ଯୁଗ ଯୁଗ ଧରି ମଣିଷ ଓ ମଣିଷ ଭିତରେ ଗଢ଼ିଉଠିଥିବା ବହୁବିଧ ବିଭେଦର ପ୍ରାଚୀର। ଧର୍ମଭେଦ, ଜାତିଭେଦ ଓ ଲିଙ୍ଗଭେଦ ସହ ଧନୀ ଦରିଦ୍ର ମଧ୍ୟରେ ଥିବା ପ୍ରଭେଦ କେମିତି ଏକ ଅଦୃଶ୍ୟ ଶକ୍ତି ଦ୍ୱାରା କବଳିତ ହୋଇ ନିଜର ସତ୍ତା ହରାଇ ବସିଛି। ତେବେ କିଏ ସେଇ ଅଦୃଶ୍ୟ ଶକ୍ତି? ଆଶ୍ଚର୍ଯ୍ୟର ବିଷୟ, ଏ ଶକ୍ତି ମୃତ୍ୟୁର ନୁହେଁ, ଜୀବନର ! ଏ ଶକ୍ତି ଏକ ବିଶ୍ୱ ବିପର୍ଯ୍ୟୟର ବାହକ କୁହାଯାଉଥିବା ସେଇ ଅଦୃଶ୍ୟ ଭୟଙ୍କର ଭୂତାଣୁର ନୁହେଁ କି ହଜାର ହଜାର ମାଇଲ ଚାଲି ଚାଲି ଗାଁମୁହାଁ ହୋଇଥିବା ଭୋକର ନୁହେଁ। ଏହା ହେଉଛି ଭୋକ ଓ ଭୂତାଣୁଠାରୁ ଆହୁରି ଭୟଙ୍କର ଶୋଷର, ଯାହାର ନାଁ ମଦ!
ଲକ୍‌ଡାଉନ୍‌ ବା ତାଲାବନ୍ଦ କାଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବିକାକିଣା ତାଲାବନ୍ଦରୁ ସ୍ବାଭାବିକ ଭାବେ ମୁକ୍ତ ଥିଲା। ସେଇ ଅଦୃଶ୍ୟ ଭାଇରସ୍‌ ରାକ୍ଷସକୁ ଡରି ମଣିଷ ମୁହଁ ଲୁଚାଇ ଘର ଭିତରେ ବନ୍ଦୀ ହୋଇ ରହିପାରିବ ସିନା, ମାତ୍ର ତାହାଠାରୁ ଆହୁରି ଉଦଣ୍ଡ ଭୋକ ରାକ୍ଷସକୁ ଡରି କେଉଁଠି ମୁହଁ ଲୁଚାଇବ!
ସୁତରାଂ, ଭୋକ ଖୋଲା ରଖି ଖାଦ୍ୟ ବନ୍ଦ ରହିବା ଅସମ୍ଭବ ବୋଲି ତେଜରାତି, ପନିପରିବା, ଫଳମୂଳ ବା କ୍ଷୀର ଦୋକାନ ଆଦି ଖୋଲା ରଖିଲେ ସରକାର। ଅଥଚ ସେମାନଙ୍କ କଥା ଭୁଲିଗଲେ, ଯେଉଁମାନେ ବିନା ଖାଦ୍ୟରେ ଦିନ ଦିନ ଧରି ରହିପାରିବେ ସିନା, ବିନା ପାନୀୟରେ ଗୋଟିଏ ବି ଦିନ ରହିପାରନ୍ତି ନାହିଁ!
କେବଳ ଅତୀତ, ବର୍ତ୍ତମାନ କି ଭବିଷ୍ୟତ ନୁହେଁ କି ଦୁଃଖସୁଖ, ହାନିଲାଭ ନୁହେଁ, ନିଜେ ନିଜକୁ ଭୁଲାଇ ପାରୁଥିବା ଏହି ଦିବ୍ୟ ପାନୀୟଟିର କ୍ରୟ ବିକ୍ରୟ ବନ୍ଦ କରି ସରକାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ନାଗରିକଙ୍କ ଉପରେ ଯେଉଁ ଦମନଲୀଳା ଚଳାଇଥିଲେ, ତାହା ମାନବିକ ଅଧିକାରର ଉଲ୍ଲଂଘନ ସଦୃଶ!!
ସରକାର ବାହାଦୁର ଏହି ମାନବୀୟ ସମସ୍ୟାଟିକୁ ହୃଦୟଙ୍ଗମ କରିଥିବା ହେତୁ ଯେତେ ନୁହେଁ, ତାହାଠୁ ଅଧିକ ନିଜ ସମସ୍ୟାର ସମାଧାନ ପାଇଁ ତୃତୀୟ ପର୍ଯ୍ୟାୟର ତାଲାବନ୍ଦ ପରେ ମଦ ଦୋକାନର ତାଲା ଖୋଲିଦେବାକୁ ନିଷ୍ପତ୍ତି ନେଲେ। ମଦ୍ୟପାନକୁ ଏକ ସାମାଜିକ ବ୍ୟଭିଚାର ମନେକରୁଥିବା ସଂସ୍କାରସିଦ୍ଧ ନାଗରିକମାନେ ଏ ପ୍ରକାର ନିଷ୍ପତ୍ତି ବିରୋଧରେ ମତ ପ୍ରକାଶ କରୁଥିଲା ବେଳେ ଏଭଳି ନିଷ୍ପତ୍ତିକୁ ନିଜ ନାଗରିକ ଅଧିକାର ଫେରି ପାଇବାର ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ବୋଲି ବିବେଚନା କରିଥିଲେ ସମ୍ଭ୍ରାନ୍ତରୁ ସାଧାରଣ ଯାଏ ସବୁ ସ୍ତରର ମଦ୍ୟପ ନାଗରିକବୃନ୍ଦ। ବିନା ପାଣିରେ ଚାରା ଗଛଟିଏ ଝାଉଁଳି ପଡ଼ିଲା ଭଳି ବିନା ମଦରେ ଝାଉଁଳି ପଡ଼ିଥିବା ମଦ୍ୟପମାନେ ନିଷ୍ପତ୍ତି ଶୁଣୁ ଶୁଣୁ ସତେଜ ହୋଇ ଉଠିଲେ। ନିଜର ଅବଦମିତ ତୃଷା ପୁଣି ଥରେ ମୁଣ୍ଡ ଟେକି ଉଠିଲା ଓ ପୁଣି ଥରେ ଭଲ ସମୟ ଫେରି ଆସିବାର ଉଜ୍ଜ୍ୱଳ ସମ୍ଭାବନାଟିଏ ସୃଷ୍ଟି ହେଲା ନିଜ ଭିତରେ। ଏଣେ କରୋନା ମାଡ଼ରେ ଭାଙ୍ଗିଯାଇଥିବା ରାଜ୍ୟ ଅର୍ଥନୀତିର ଅଣ୍ଟାକୁ ସଳଖ କରି ଛିଡ଼ା ହେବାପାଇଁ ମଦ ଭିତରେ ଏକ ବିଚିତ୍ର ଶକ୍ତିର ସନ୍ଧାନ ପାଇ ସରକାର ମଧ୍ୟ ଖୁସି ହୋଇ ଉଠିଲେ ଓ ମଦ ଉପରେ ଅବକାରୀ ଟିକସର ପରିମାଣ ସତୁରି ପ୍ରତିଶତ ବଢ଼ାଇ ଦେଲେ।
ବଡ଼ ବିଚିତ୍ର ସେ ସ୍ଥିତି, ବଡ଼ ଅପୂର୍ବ ସେ ଦୃଶ୍ୟ! ନଅଙ୍କ ଦୁର୍ଭିକ୍ଷ ବେଳେ ମୁଠାଏ ଦାନା ପାଇଁ ବିକଳ ହେଉଥିବା କ୍ଷୁଧାତୁର ଲୋକଙ୍କ ଭଳି ମଦ କିଣିବା ପାଇଁ ମଦ ଦୋକାନ ଆଗରେ ଖରାବର୍ଷା ସହି ଲମ୍ବା ଧାଡ଼ିରେ ଛିଡ଼ା ହେଉଥିବା ମଦୁଆଙ୍କ ଅସମ୍ଭାଳ ଭିଡ଼ ଦେଖି ମାରିବାକୁ ଆସିଥିବା ମୃତ୍ୟୁଦୂତ କରୋନା ବି ଲାଜରେ ମୁହଁ ଲୁଚାଇଥିବ। ଦିଲ୍ଲୀରେ ସ୍ଥିତି ଏମିତି ହେଲା ଯେ ସାମାଜିକ ଦୂରତାର ନିୟମ ବିପନ୍ନ ହେଉଥିବାର ଦେଖି ମଦ କ୍ରେତାଙ୍କ ଉପରେ ପୋଲିସ ଲାଠି ଚଳାଇଲା। ଦୋକାନ ଖୋଲିବାର ଯଥେଷ୍ଟ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ନିଜ ପାଳିକୁ ଅସ୍ଥିର ଭାବେ ଅପେକ୍ଷା କରିଥିଲେ ପ୍ରତ୍ୟେକ କ୍ରେତା। ଯେତେବେଳେ ସେଇ ସମୟ ଆସୁଥିତ୍ଲା, ନିଜ ପକେଟ୍‌ର ସାମର୍ଥ୍ୟ ଅନୁଯାୟୀ କେଉଁଠି କେବଳ କେଇ ବୋତଲ ତ ଅନ୍ୟ କେଉଁଠି ପେଟି ଭର୍ତ୍ତି ମଦ କିଣି ଗଡ଼ ଜିଣିଲା ଭଳି ଧାଡ଼ିରୁ ବାହାରି ଆସୁଥିଲେ ସମ୍ଭ୍ରାନ୍ତ ମଦ୍ୟପଗଣ। କିଣିବା ପୂର୍ବରୁ କି ଆତୁରତା! ପୁଣି କିଣିବା ପରେ କି ଆଶ୍ୱସ୍ତି!! ସତେ ଯେମିତି, ଆଜି ନ କିଣିଲେ କାଲିକୁ ମଦ ନ ଥିବ ବା ଜୀବନ ବି ନ ଥିବ!!
କେବଳ ଦିଲ୍ଲୀ ନୁହେଁ, ଦେଶର ପ୍ରାୟ ସବୁ ନଗର, ସହରରେ ମଦ କିଣିବାକୁ ବ୍ୟାକୁଳ ହୋଇପଡ଼ୁଥିବା ଲୋକଙ୍କୁ ଦେଖିଲେ କେହି ବି କହିବେନି ଯେ ମୃତ୍ୟୁର ଭୟ ମଣିଷକୁ ଦୁର୍ବଳ କରିଦିଏ ବୋଲି। ବାଙ୍ଗାଲୋରର ଏକ ମଦ ଦୋକାନରୁ ଏକାଥରେ ଚାରି କାର୍ଟୁନ ମଦ ବୋହି ଆଣି ନିଜ କାରରେ ରଖୁଥିବା ଜଣେ ଯୁବକଙ୍କୁ ସାମ୍ବାଦିକ ଜଣେ ପ୍ରଶ୍ନ କରିଥିଲେ, ”ଏକକାଳୀନ ଏତେ ମଦ କିଣୁଛନ୍ତି କାହିଁକି? ତା’ ପରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଆପଣ ଯେମିତି ବିକଳ ହୋଇ ଥର ଥର କରି ମଦ ଆଣି କାରରେ ଭରୁଛନ୍ତି, ଏ ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେଲେ ଆପଣଙ୍କୁ ଲାଜ ଲାଗିବ ନାହିଁ?“
ସାମାନ୍ୟ ଶଙ୍କିତ ନ ହୋଇ ଗର୍ବିତ ଠାଣିରେ ଉତ୍ତର ଦେଲେ ଯୁବକ, ”ଲାଜ ଲାଗିବ କାହିଁକି? ବରଂ ଖୁସି ଲାଗିବ ଏଥିପାଇଁ ଯେ କରୋନା ମାଡ଼ରେ ଦେଶର ଅର୍ଥନୀତି ଯେତେବେଳେ ଭୁଶୁଡ଼ି ପଡ଼ିଛି, ସେତେବେଳେ ଶହେ ଟଙ୍କାର ମଦ ପାଇଁ ମୁଁ ଦୁଇଶହ ଟଙ୍କାର ଟିକସ ଦେଇ ଅର୍ଥନୀତିକୁ ସଜାଡ଼ିବାରେ ସାହାଯ୍ୟ କରୁଛି।“ ସାମ୍ବାଦିକଙ୍କ ଆଖି ଖୋଲି ଯାଇଥିବ ଏମନ୍ତ ଉତ୍ତରରେ। ସେ ଜାଣିଥିବେ ଯେ ସେ ଏଯାଏ ଯେଉଁ ଲମ୍ବା ଧାଡ଼ିର ଚିତ୍ର ଉତ୍ତୋଳନ କରି ଚାଲିଥିଲେ ତାହା ମଦ ବିକଳ ମଦୁଆଙ୍କର ଧାଡ଼ି ନ ଥିଲା, ତାହା ଥିଲା ଦେଶପ୍ରେମୀ ମଦ୍ୟପମାନଙ୍କର ଧାଡ଼ି, ଯେଉଁମାନେ ନିଜ ଅଭ୍ୟାସ ପାଇଁ ନୁହେଁ, ବରଂ ନିଜର ନିଆରା ଦେଶପ୍ରେମ ପାଇଁ ହିଁ ମଦ ପିଉଥିଲେ।
କେଇଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ କାର୍ଟୁନଟିଏ ଘୂରି ବୁଲୁଥିଲା, ଯାହାର ଅନ୍ତର୍ନିହିତ ବାର୍ତ୍ତାଟି ଥିଲା ଅତ୍ୟନ୍ତ ମାର୍ମିକ। କାର୍ଟୁନଟିରେ ଏକ ମଦ ଦୋକାନ ଆଗରେ ଲମ୍ବାଧାଡ଼ିଟି ଦେଖି ଜଣେ ଚିନ୍ତିତ ମଦ୍ୟପର ଚିତ୍ର ଅଙ୍କିତ ହୋଇଛି ଓ ତଳେ ଲେଖାଯାଇଛି, ”ପିଇଲେ ଅର୍ଥହାନି, ପ୍ରାଣପୀଡ଼ା ଓ ପରିବାର ବରବାଦ, ମାତ୍ର ନ ପିଇଲେ ଦେଶ ଭାସିଯାଉଛି।“ ପ୍ରକୃତରେ ବଡ଼ ବିଚିତ୍ର ମାନବୀୟ ସଙ୍କଟ ଓ ସାମାଜିକ ଜୀବନର ବିଭ୍ରାଟର ବାର୍ତ୍ତା ବହନ କରୁଥିବା ଏଇ କାର୍ଟୁନଟିରୁ ହିଁ ଜଣାପଡ଼ୁଥିଲା ମଦ ଭଳି ଏକ ଅର୍ଥ ଧ୍ୱଂସକାରୀ, ସ୍ବାସ୍ଥ୍ୟ ସଙ୍କଟକାରୀ ତଥା ପରିବାରର ଶାନ୍ତି ଭଙ୍ଗକାରୀ ବଦଭ୍ୟାସ ଓ ଏଥିସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାର ପରୋକ୍ଷ ଦେଶପ୍ରେମର ବିରୋଧାଭାସ!
ଆମ ରାଜ୍ୟରେ ତ ଏ ପ୍ରକାର ଦେଶପ୍ରେମ ପ୍ରଦର୍ଶନ ପାଇଁ ଆହୁରି ଅଭିନବ ବ୍ୟବସ୍ଥା। ଘରେ ବସି ଅନ୍‌ଲାଇନ୍‌ରେ ମଦ ମଗାଇ ପାରିବାର ନିର୍ଦ୍ଦେଶ ଜାରି ହେଲା ପରେ ମଦଦୋକାନ ଆଗରେ ଲମ୍ବାଧାଡ଼ି ବା ଆବଶ୍ୟକସ୍ଥଳେ ପୋଲିସ ଲାଠି ଚାଳନାର ଆବଶ୍ୟକତା ପଡ଼ୁନାହିଁ ସିନା, ପରିବାର ଭିତରେ ସୃଷ୍ଟି ହେଉଛି ସ୍ବାମୀସ୍ତ୍ରୀ, ପିତାପୁତ୍ର ଭିତରେ ଶାନ୍ତି ଭଙ୍ଗକାରୀ ଘରୋଇ ବିଶୃଙ୍ଖଳା। ପୁଣି ସାଇବର ଠକାମିର ଶିକାର ହୋଇ କେଉଁଠି ନଅଶହ ଟଙ୍କାର ମଦ ପାଇଁ ଅଶୀହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇ ଯାଉଛି ତ ଅନ୍ୟ କେଉଁଠି ପର୍ସରେ ଟଙ୍କା ନ ଥାଇ ମଦ ମଗାଇଥିବା ଅଭିଯୋଗରେ ହୋମ୍‌ ଡେଲିଭରି ବୟ ସହ ହାତାହାତି ହେବାର ଘଟଣା ଆଖିରେ ପଡ଼ୁଛି। ଏ ସବୁ ସେଇ ମଦ ପାଇଁ, ଯାହା ଲାଗି ଅତୀତରେ ପତ୍ନୀଙ୍କୁ ପରପୁରୁଷ ପାଖରେ ବନ୍ଧା ପକାଇବା ଭଳି ଘଟଣାଠାରୁ ପିଲାର ସ୍କୁଲ ଫି ଭରଣା କରି ନ ପାରିବାରୁ ତାଙ୍କୁ ବିଦ୍ୟାଳୟରୁ ବିଦାୟ ନେବାକୁ ପଡ଼ିବା ଭଳି ବହୁ ଅଭାବିତ ଘଟଣା ଘଟିଛି। ଅଥଚ ସାମ୍ପ୍ରତିକ କରୋନା ସଙ୍କଟ କାଳରେ ଏ ମଦ ପୁଣି ଦେଶପ୍ରେମର ପ୍ରତୀକ!
ମଦ୍ୟପମାନେ ଦେଶପ୍ରେମୀ ହେବାର ଯେମିତି ବାରଣ ନାହିଁ, ସେମିତି ବି ଦେଶପ୍ରେମୀମାନେ ମଦ ନ ପିଇବା ପାଇଁ କିଛି ନିୟମ ନାହିଁ। ତେବେ ଦେଶକୁ ପ୍ରେମ କରିବା ମଧ୍ୟରେ, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ନାମରେ ନିଜକୁ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟକୁ ଠେଲି ଦେବା ସହ ନିଜ ପରିବାରର ଶାନ୍ତି ଓ ସଂହତିକୁ ବିପନ୍ନ କରିବାର ଅଧିକାର କୌଣସି ଦେଶପ୍ରେମୀଙ୍କର ନାହିଁ ନିଶ୍ଚୟ।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି,
ଭୁବନେଶ୍ୱର, ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୋଟିଏ ପଟେ ଦାୟିତ୍ୱ ଅନ୍ୟ ପଟେ କୋଚିଂ କ୍ଲାସ,ଚିକିତ୍ସା ଓ ଜୈବିକ କୃଷି ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡ. ପ୍ରୀତିପଲ୍‌...

ଆମେରିକା-ଇରାନ ସମ୍ପର୍କ

ଆକାର ପଟେଲ ଚଳିତ ସପ୍ତାହରେ ଆମେରିକା ଇରାନ ବିରୋଧରେ ଯୁଦ୍ଧଘୋଷଣା କରିବା ପରେ ପୁଣି ପଛଘୁଞ୍ଚା ଦେଇଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଲେ ଯେ ଆକ୍ରମଣରେ...

ଏହା ହିଁ ସତ

ଆକାର ପଟେଲ ସାମ୍ପ୍ରତିକ ସମୟରେ ଲେଖାର କମ୍‌ ତାତ୍ପର୍ଯ୍ୟ ରହୁଛି। ଏହା ହିଁ ଏକ ସମସ୍ୟା। ପ୍ରକୃତରେ ନ୍ୟୁଜ ବା ଖବରର ବାସ୍ତବତା ସହିତ ସମ୍ପର୍କ...

‘ଭି’ ନୁହେଁ ‘କେ’ ଆକାର ପରି ସୁଧାର

ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣତଃ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯାଏ। ସେଥିରେ ବିଗତ ବର୍ଷର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନା...

ଦଳର ବଳ

ଆକାର ପଟେଲ ଆପଣ www.bjp.orgରେ ଲଗ୍‌ଅନ୍‌ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍‌କମ୍‌ ଟୁ ଦ ଓ୍ବେବ୍‌ସାଇଟ୍‌ ଅଫ୍‌ ଦ ଓ୍ବାର୍ଲଡ୍‌ସ ଲାର୍ଜେଷ୍ଟ ପାର୍ଟି’।...

କେଉଁଆଡ଼କୁ ମୁହାଁଇଛେ

ଆକାର ପଟେଲ ବିଶ୍ୱ ସ୍ତରରେ ଦେଶଗୁଡ଼ିକର ବିଭିନ୍ନ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଜଣାଶୁଣା ସୂଚକଗୁଡ଼ିକ ମଧ୍ୟରୁ ଫ୍ରାଜାଇଲ ଷ୍ଟେଟ୍‌ସ ଇଣ୍ଡେକ୍ସ ଅନ୍ୟତମ। ୨୦୧୪ରୁ ଭାରତର...

ପୋଖତ ପ୍ରତିନିଧି

-ଜିତେନ୍ଦ୍ର କୁମାର ନାୟକ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ବିଶ୍ୱ ମଞ୍ଚରେ ପ୍ରତିଟି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟକୁ ଠିକ୍‌...

ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା...

Advertisement


Archives

Model This Week