ଦଲାଲଙ୍କ ଶାସନ

ବିପିନ ବିହାରୀ ମିଶ୍ର
ବର୍ତ୍ତମାନ ଦଲାଲଙ୍କ ଉପରେ ଚଢ଼ଉ ଚାଲିଛି। ବିଶେଷତଃ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ। ଏ ଦୁଇଟି ସ୍ଥାନରେ ଅନେକେ ଶୋଷିତ ହୋଇଛନ୍ତି ଓ ସେହି ପରିମାଣରେ ଅନେକେ ଲାଭବାନ ହୋଇଛନ୍ତି। ଲାଇସେନ୍ସ ନବୀକରଣ ପାଇଁ ଗଲେ କାଗଜ ପଡିରହିବ କିମ୍ବା ହଜିଯିବ କିନ୍ତୁ ଦଲାଲଙ୍କୁ ଦେଲେ ସନ୍ଧ୍ୟା ସୁଦ୍ଧା ଲାଇସେନ୍ସ ନବୀକରଣ ହୋଇଯିବ। ଅବଶ୍ୟ ଯାହା ସରକାରୀ ଦର ତା’ଠୁ ପାଞ୍ଚଗୁଣା ଦେବାକୁ ପଡ଼ିବ। ଯେଉଁ ଟ୍ୟାକ୍ସିବାଲା କିମ୍ବା ଅଟୋବାଲା ବାରମ୍ବାର ଅଫିସକୁ ଧାଇଁ ସେ ଦିନର ଆୟ ହରେଇଥାନ୍ତେ ସେମାନେ ହିସାବ କରି ଦେଖନ୍ତି ଦଲାଲଙ୍କ ମାଧ୍ୟମରେ ଯିବା ସୁବିଧାଜନକ। ତାଙ୍କ ମତରେ ସରକାରୀ କର୍ମଚାରୀମାନେ ହେଉଛନ୍ତି ଶୋଷକ, ଦଲାଲବାବୁ ହେଲେ ସହାୟକ। କିନ୍ତୁ ଦଲାଲଗିରି କେବଳ ଏ ଦୁଇଟି ସ୍ଥାନରେ ସୀମିତ ନୁହେଁ। ଯେଉଁ ଅଫିସକୁ ଯାଆନ୍ତୁ, ଯେଉଁ ସ୍ଥାନକୁ ଯାଆନ୍ତୁ ଓ ଯେଉଁ ସ୍ତରକୁ ଯାଆନ୍ତୁ ଦଲାଲବାବୁ ଭିନ୍ନ ଭିନ୍ନ ରୂପରେ ବିଦ୍ୟମାନ। ସଂଜ୍ଞା କେବଳ ବଦଳିବ। କେଉଁଠି କନ୍‌ସଲଟାଣ୍ଟ, କେଉଁଠି ମଧ୍ୟସ୍ଥ, ଉପଦେଷ୍ଟା, ଫିକ୍ସର, ଟାଉଟର କିମ୍ବା ଦଲାଲ। ଟାଉଟର ଓ ଦଲାଲ ସଂଜ୍ଞା ଦୁଇଟି ଅପମାନଜନକ। ସମୟ ଥିଲା ଦଲାଲ ଏକ ସମ୍ମାନଜନକ ଆଖ୍ୟା ଥିଲା। ବମ୍ବେରେ ଏକ ସମ୍ମାନଜନକ ସ୍ଥାନ ହେଲା ଦଲାଲ ଷ୍ଟ୍ରିଟ୍‌। ସେଇମାନେ ଷ୍ଟକ୍‌ ଏକ୍ସଚେଞ୍ଜର ପୁଞ୍ଜିନିବେଶ କାରବାର କରାନ୍ତି ଓ ଲାଭର ଏକ ଅଂଶ ନିଅନ୍ତି। ତେଣୁ ଏହା ଅପମାନଜନକ ଶବ୍ଦ ନ ଥିଲା। ହୋଇଥିଲେ ସାରା ଭାରତରେ ଅନେକ ଲୋକ ପିତୃପୁରୁଷଙ୍କଠାରୁ ଆନୀତ ଦଲାଲ ସାଙ୍ଗିଆ ବ୍ୟବହାର କରି ନ ଥାନ୍ତେ। ଏକଦା ମଧ୍ୟସ୍ଥ ବ୍ୟକ୍ତିକୁ ଠିକଣା ସ୍ଥାନରେ ପହଞ୍ଚେଇ ଶୁଭକାର୍ଯ୍ୟ କରାଉଥିଲା। ତା’ ମଧ୍ୟ ମାଗଣାରେ। ଯଦି କେହି କୃତଜ୍ଞତା ଜଣାଇ ଉପହାର ଦେଲା ତାହା ଗ୍ରହଣୀୟ ଥିଲା। ଏବେ ମଧ୍ୟସ୍ଥକୁ ଅଧିକାଂଶ ପେସା ଭାବେ ଗ୍ରହଣ କଲେଣି। ଟିଭିରେ ଚ୍ୟାନେଲ୍‌ ଖୋଲିଲେଣି। ଖବରକାଗଜରେ ପାତ୍ର-ପାତ୍ରୀର ଯୋଗ୍ୟତା, ଆର୍ଥିକ ପରିସ୍ଥିତି, ସୌନ୍ଦର୍ଯ୍ୟ, ଶରୀରର ରଙ୍ଗ, ବୃତ୍ତି ଇତ୍ୟାଦି ଦେଇ ଜୀବନସାଥୀ ଖୋଜା ହେଉଛି। ଏଇଭଳି ଗଣମାଧ୍ୟମକୁ ବ୍ୟବହାର କରି ସେମାନଙ୍କୁ ମଧ୍ୟସ୍ଥ ଭୂମିକାରେ ଅବତୀର୍ଣ୍ଣ କରାଯାଉଛି। ତେଣୁ ବାମ କାନ୍ଧରେ ଶାନ୍ତିନିକେତନର ବ୍ୟାଗ ଝୁଲାଇ କିଛି ଜାତକ ଫଟୋ ଧରି ଘର ଘର ବୁଲି ପୁଅଝିଅଙ୍କର ବିବାହ କରାଇବା ବୃତ୍ତିର ଚାହିଦା କମିଗଲାଣି। ସେହିଭଳି ଖବରକାଗଜର ଚାହିଦା ବି କମିଯାଉଛି, ଯେହେତୁ ସମସ୍ତେ ସବୁ ଖବରକାଗଜ ପଢ଼ୁନାହାନ୍ତି, ଇଣ୍ଟରନେଟ୍‌ରେ ବହୁତ କମ୍‌ ଖର୍ଚ୍ଚରେ ବିଶଦ ବିବରଣୀ ଦେଇହେବ। ଯିଏ ଚ୍ୟାନେଲ କରୁଛନ୍ତି ତାଙ୍କ କାର୍ଯ୍ୟକୁ ସୂକ୍ଷ୍ମ ଦଲାଲି ବୋଲି କୁହାଯିବ। ତଳସ୍ତରର ଅଫିସଗୁଡ଼ିକରେ ଆର୍‌ଟିଓ ଅଫିସ ହେଉ କିମ୍ବା ବ୍ଲକ୍‌ ହେଉ ଦଲାଲି ହେଉଛି ହାତମୋଡା ଦଲାଲି। କିନ୍ତୁ ଉପରସ୍ତରରେ ଏହା ହେଉଛି ସୂକ୍ଷ୍ମ ଓ କରମର୍ଦ୍ଦନ ଦଲାଲି। କେହି ଅସନ୍ତୁଷ୍ଟ ହେବେ ନାହିଁ କି ଅଭିଯୋଗ କରିବେ ନାହିଁ କାରଣ ବାଧ୍ୟବାଧକତା ନାହିଁ। ବାଧ୍ୟବାଧକତାର ଏକ ଉଦାହରଣ ଦେଉଛି। ଜଣେ ଭଦ୍ରଲୋକଙ୍କ ବାପା ମରିଗଲେ ଏକ ଘରୋଇ ଡାକ୍ତରଖାନାରେ। ଡାକ୍ତରଖାନାରେ ବ୍ୟବସ୍ଥା ଅଛି ଯେ ମୃତ ବ୍ୟକ୍ତିଙ୍କର ନାଁ, ଗାଁ ଇତ୍ୟାଦି ୨୪ ଘଣ୍ଟା ମଧ୍ୟରେ ମ୍ୟୁନିସିପାଲ କମିଶନର ଅଫିସକୁ ଇମେଲ୍‌ ଓ ସ୍ପିଡ୍‌ପୋଷ୍ଟରେ ପଠାଯାଏ। ବିଚରା ପୁଅଟି ବାପର ଶ୍ରାଦ୍ଧ କାର୍ଯ୍ୟ ସାରି ଗଲା କର୍ପୋରେଶନ ଅଫିସକୁ। ସେଇଠି ବାବୁ କହିଲେ ଯେ ସେମିତି କାଗଜ ଆମେ କିଛି ପାଇନୁ। ବିଚରା ଗଲା ଡାକ୍ତରଖାନା, ସେମାନେ ମିଳିଥିବା ରସିଦ୍‌ ଦେଖେଇଲେ ଓ ଫଟୋ ଉଠେଇ କପି ବି ଦେଲେ। ଅତି ଉଲ୍ଲାସରେ ପିଲାଟି ତା’ ପରଦିନ ଗଲା ଅଫିସକୁ। ରସିଦ ଦେଖିବାରୁ କହିଲେ ହେଇଥିବ, ଆସିଥିବ। କିନ୍ତୁ ଶହ ଶହ କାଗଜ ଭିତରେ ମୁଁ ଖୋଜିବି କେମିତି? ମୋତେ ସମୟ ଲାଗିବ। ମୁଁ ଖୋଜିବି କି ପଚାରିବାରୁ କହିଲେ ସରକାରୀ କାଗଜ ଆପଣ ଛୁଇଁ ପାରିବେନି। ପାଖରେ ଥିବା ଭିଜିଲାନ୍ସ ଅଫିସକୁ ଗଲା ଓ ସେଠୁ ଉତ୍ତର ମିଳିଲା ଯେ ଯଦି ଖୋଲାଖୋଲି ଭାବେ କେହି ଆପଣଙ୍କୁ ପଇସା ମାଗିବ ତା’ହେଲେ ଆସିବେ। କମ୍ପାନୀରେ ଚାକିରି କରିଥିବା ବିଚରା ପିଲାଟି ସବୁ ଛୁଟି ସାରିଦେଲାଣି। ଏବେ ବିନା ଦରମାରେ ଛୁଟି ନେଉଛି ଓ ଦିନକୁ ଦୁଇହଜାର କ୍ଷତି ସହୁଛି। ନିରାଶ ହୋଇ ଫେରିଆସୁଛି, ସହାୟକ ଜଣେ ଆସିଲେ ଓ ସିଧାସଳଖ କହିଲେ ଦୁଇଦିନ ମଧ୍ୟରେ ମୁଁ ଘରେ ପହଞ୍ଚେଇ ଦେବି ଓ ୫୦୦ ଟଙ୍କା ନେବି। ଆପଣ ଯଦି ନିଜେ ଆସିବେ ୪୦୦ ଟଙ୍କା ନେବି। ପିଲାଟି ବଡ଼ ଆଦର୍ଶବାଦୀ କିନ୍ତୁ ସେଇଦିନ ତା’ର ଆଦର୍ଶବାଦ ହରାଇଲା। ୫୦୦ ଟଙ୍କା ଦେଲା ଓ ଦୁଇଦିନ ପରେ ଜଣେ ଲୋକ ଆସି ଘରେ ମୃତ୍ୟୁ ସାର୍ଟିଫିକେଟ ଦେଇଦେଲା। ୫୦୦ ଟଙ୍କାରୁ କିଏ କେତେ ଅଂଶ ପାଇଲା ତାହା କହିବା କଷ୍ଟ ଏବଂ ଏଇଭଳି ସୂକ୍ଷ୍ମ ଦଲାଲକୁ ସେ ଅଫିସରେ ସମସ୍ତେ ହେଲ୍‌ପର ବୋଲି କହିଥାନ୍ତି। ଆଇନ ହୋଇଛି କର୍ମଚାରୀମାନେ ସର୍ବସାଧାରଣଙ୍କ ସେବା କରିବେ, ବର୍ତ୍ତମାନ ସବୁକିଛି କମ୍ପ୍ୟୁଟର ମାଧ୍ୟମରେ ହେବ। କିନ୍ତୁ ସବୁ ଆଇନରେ କିଛି ଫାଙ୍କ ଥାଏ। ଅଧିକାଂଶ ଗଳି ପଳାନ୍ତି, କେତେକ ଅସାବଧାନ ଲୋକ ଧରାପଡ଼ନ୍ତି। ସୁଖର କଥା ଯେ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ଏମାନଙ୍କୁ ଧରିବା ପାଇଁ କିନ୍ତୁ ଏମାନଙ୍କର କାହା ସାଙ୍ଗରେ ଅଲିଖିତ ଚୁକ୍ତି ହୋଇଛି ଦେଣନେଣ ପାଇଁ, ତାଙ୍କୁ ଧରିବା ଦରକାର। କାମ ଯଦି ସୁରୁଖୁରୁରେ ଓ ତୁରନ୍ତ ହୋଇଯାଆନ୍ତା ଦଲାଲଙ୍କ ଆବଶ୍ୟକ ନ ଥାନ୍ତା। ଜନ୍ମ ସାର୍ଟିଫିକେଟ୍‌ ଆଣିବା ପାଇଁ ବହୁବର୍ଷ ତଳେ ଭୁବନେଶ୍ୱରର ଜଣେ ଅତିରିକ୍ତ ତହସିଲଦାର ପାଞ୍ଚହଜାର ଟଙ୍କା ମାଗିଲେ। ସେ ଲୋକ ଦୂରସ୍ଥାନରୁ ଆସିଥିଲେ କିନ୍ତୁ ପଇସା ଦେବା ପାଇଁ ନାରାଜ। କଲେକ୍ଟରଙ୍କୁ କହିଲେ। ସେ ଟେଲିଫୋନ୍‌ରେ ଗାଳିଦେଲେ କିନ୍ତୁ ଅତିରିକ୍ତ ତହସିଲଦାର ସାର୍ଟିଫିକେଟ ଦେଲେ ନାହିଁ। ଭିଜିଲାନ୍ସ ଅଫିସକୁ ଯାଉଛି କହି ଧମକ ଦେବାରୁ ସାର୍ଟିଫିକେଟ ମିଳିଗଲା। ସେ ବାବୁ ଅନ୍ୟ ଏକ କେସ୍‌ରେ ଧରାହୋଇ ଜେଲ୍‌ ଯାଇଥିଲେ। ଏଇଭଳି ଘଟଣା ଘଟୁଛି ଓ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ ଲୋକମାନେ। ବାତ୍ୟା ହେଲା। ଲୋକେ ଘର ତିଆରି କରିବା ପାଇଁ ସାହାଯ୍ୟ ପାଇବେ କିନ୍ତୁ ତୃତୀୟ ପୁରୁଷ ଦଲାଲଙ୍କୁ ନ ଧରିଲେ ଟଙ୍କା ମିଳିବ ନାହିଁ।
ଦଲାଲ କହିଲେ ଆମେ ବୁଝୁଛୁ କେବଳ ତଳସ୍ତରର ଦଲାଲ, ଯେଉଁମାନେ କି ଦୃଶ୍ୟ କିନ୍ତୁ ଉଚ୍ଚସ୍ତରରେ ଅଦୃଶ୍ୟମାନ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ଦଲାଲ (ନିଜକୁ ବୋଲାନ୍ତି କନ୍‌ସଲଟାଣ୍ଟ, ଆଡ୍‌ଭାଇଜର, ଏଜେନ୍ସି, ଫିକ୍ସର, ବ୍ରୋକର ଇତ୍ୟାଦି)ଙ୍କ ବିନା ବ୍ୟବସାୟ, ଦେଣନେଣ, କୋର୍ଟ କଚେରି ବ୍ୟାପାର ଚାଲିବା କଷ୍ଟ। ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟରେ ଓକିଲଙ୍କ ସମୁଦ୍ର, କେଉଁ ଓକିଲ କେଉଁ କେସ୍‌ କରିପାରିବେ ତାହା ବିଚରା ମହକିଲ ଜାଣିବାର ଉପାୟ ନାହିଁ। ସେଥିପାଇଁ ସହାୟତାର ହାତ ବଢାନ୍ତି ଫିକ୍ସର। ଓକିଲଙ୍କ ପାଖେ ପହଞ୍ଚାଇ ଉଭୟଙ୍କଠାରୁ ତାଙ୍କ ପାଉଣା ନେଇ ସେ ଯାଆନ୍ତି। ସେହିପରି ଇନ୍‌କମ୍‌ ଟ୍ୟାକ୍ସ ହେଉ କିମ୍ବା ସେଣ୍ଟ୍ରାଲ ଏକ୍ସାଇଜ୍‌ ହେଉ ଅନେକ ଆଇନଜୀବୀ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏଇଭଳି ମଧ୍ୟସ୍ଥତା କରନ୍ତି। ଯେତିକି ଟଙ୍କା ଛାଡ଼ କିମ୍ବା ଫେରସ୍ତ ମିଳେ ସାଧାରଣତଃ ତା’ର ୧୦% ପାଉଣା ପାଆନ୍ତି। ଅନ୍ତର୍ଜାତୀୟ ସ୍ତରରେ ଯେତେ ବଡ଼ ବଡ଼ କାରବାର ହୁଏ ପ୍ରାୟ ସବୁଥିରେ ଦଲାଲଙ୍କ ହାତ ଥାଏ। ପ୍ରତିରକ୍ଷା ସାମଗ୍ରୀ କିଣିବାରେ ଅନେକ ସମୟରେ ଦଲାଲମାନଙ୍କର ଭୂମିକା ଥାଏ। ଭାରତ ନୌବାହିନୀର ଜଣେ ଅବସରପ୍ରାପ୍ତ ଉଚ୍ଚ ସେନାଧ୍ୟକ୍ଷଙ୍କ ପିଲାମାନେ ଏଇ କାରବାର କରି ବେଶ୍‌ କମେଇଛନ୍ତି। ବର୍ତ୍ତମାନ ମୋଦି ସରକାର ଏଇ ମାଧ୍ୟମକୁ ବ୍ୟବହାର ନ କରି ସିଧାସଳଖ କଥାବାର୍ତ୍ତା କରିବାରୁ ଗଣମାଧ୍ୟମ ଏବଂ ରାଜନୈତିକ ଦଳକୁ ବ୍ୟବହାର କରି ତାଙ୍କ ଉପରେ ଆକ୍ରମଣ କରାଯାଉଛି। ମନେପକାନ୍ତୁ ବୋଫର୍ସ ଅପବାଦ ଓ କର୍ଟୋଜଙ୍କ ନାଁ। ପାଠକଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଭାରତ ସରକାର ସ୍ବିଡେନରୁ ଉନ୍ନତ ଧରଣର ତୋପ କିଣିଲେ। ଏ ବ୍ୟାପାରରେ ଆଉ ଜଣେ କେମିତି ପଶିଲା? ଉତ୍ତର ସହଜ। ସେ ନ ପଶିଥିଲେ ଆଉ ଜଣେ ପଶିଥାନ୍ତା। କାରଣ ଦଲାଲମାନେ ସବୁଠାରେ ଥାନ୍ତି। ରାଜନୀତିରେ ବିଶେଷତଃ ଦଳବଦଳ ଓ ଟିକେଟ ପାଇବାରେ ଏମାନଙ୍କର ଭୂମିକା ଅଛି। କିଏ ଟିକେଟ ପାଇବା କଥା, ତାଙ୍କର କେତେ ସମର୍ଥକ, ସେ ଦଳକୁ କେତେ ଦେଇପାରିବେ ଏସବୁ ତଥ୍ୟ ଦଲାଲ ପହଞ୍ଚାନ୍ତି ସୁପ୍ରିମୋଙ୍କ ପାଖରେ। ଦଳ ଅଦଳ ବଦଳରେ କିଏ କେତେ ଟଙ୍କା ଦେବ ତାହା ମଧ୍ୟ ସେମାନେ ଠିକଣା ସ୍ଥାନରେ ଜଣାନ୍ତି ଏବଂ ଟଙ୍କା ଧରିଯିବାରେ ଯେହେତୁ ବିପଦ ଅଛି ସେଥିପାଇଁ ଆଉ ଦଳେ ଅଛନ୍ତି। ଓଡ଼ିଶାରୁ ଜଣେ ଥିଲେ, ସେ କେବଳ ଟଙ୍କା ପହଞ୍ଚେଇ ବେଶ୍‌ ଦୁଇପଇସା ରୋଜଗାର କରିଛନ୍ତି।
ଦଲାଲ ନିପାତ କଷ୍ଟକର ହେଲେ ମଧ୍ୟ ଆରମ୍ଭ କରିବା ନିହାତି ଆବଶ୍ୟକ ହୋଇ ପଡିଲାଣି। ଓଡ଼ିଶା ସରକାର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେଥିପାଇଁ ଅଭିନନ୍ଦନୀୟ। କିନ୍ତୁ ବିଭିନ୍ନ ବିଭାଗ ଉପରେ ଦୃଷ୍ଟି ପକାନ୍ତୁ ଓ ଉଚ୍ଚସ୍ତରକୁ ଯାଆନ୍ତୁ। ସ୍ବଚ୍ଛ ଭାରତ ଅଭିଯାନ ପରି ଦଲାଲମୁକ୍ତ ଶାସନ ଲାଗି ନିଜର ଲକ୍ଷ୍ୟ ରଖନ୍ତୁ।
ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ଓ ଗୁଣାତ୍ମକ ଜୀବନ

ଡ. ସନ୍ତୋଷ କୁମାର ମହାପାତ୍ର   ଭାରତରେ ଅନେକ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତାକୁ ଘୋଡ଼ାଇବା...

ଅବସର ସମୟର ବନ୍ଧୁ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜକୁ ପ୍ରାୟ ୪୬ ବର୍ଷ ତଳେ ମୋ ସାଙ୍ଗେ କଲେଜରେ ପଢ଼ୁଥିବା ଏବଂ ଗତବର୍ଷ ସରକାରୀ ଚାକିରିରୁ ଅବସର ନେଇଥିବା ବନ୍ଧୁ...

ଏଇ ଭାରତରେ

ମାନସିକ ଅନଗ୍ରସର ସନ୍ତାନଟିଏ ଥିଲେ ତାହାର ଯତ୍ନ ନେବା କେତେ ଯେ କଷ୍ଟକର ସେକଥା ମା-ବାପା ହିଁ ଜାଣନ୍ତି। ଏମିତି ସନ୍ତାନଟିଏ ଥିଲା ସୁଲୋଚନା ଓ...

ଟିକା ନିଅନ୍ତୁ ନେତା

ଭାରତରେ କୋଭିଡ୍‌-୧୯ ଟିକାର ଶୁଭାରମ୍ଭ ୧୬ ଜାନୁୟାରୀରେ ହେବା ପରେ ଏହାକୁ ମଣିଷ ପାଇଁ ବରଦାନ ସଦୃଶ ବୋଲି କୁହାଯାଉଛି। ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତରେ...

କମ୍ପାନୀ ହାତରେ ଚାଷ

ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଥିବାରୁ ଦେଶର ପ୍ରତ୍ୟେକ ରାଜନୈତିକ ଦଳ କୃଷକଙ୍କ ପାଇଁ ଦରଦ ଦେଖାଉଛନ୍ତି। ଋଣଛାଡ଼ଠାରୁ ଆରମ୍ଭ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ...

ଆଇନ ସଂଶୋଧନ ନେଇ ସନ୍ଦେହ

ଅଲେଖ ଚନ୍ଦ୍ର ସାମଲ ୨୦୧୨ରୁ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ପାଳିତ ହେଉଛି ବିଶ୍ୱ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ। ଏଥିପାଇଁ ପ୍ରଥମେ ପ୍ରସ୍ତାବ...

ଏଇ ଭାରତରେ

ଅନ୍ଧବିଶ୍ୱାସ ବଳୟରେ ଥିବା ରାଜସ୍ଥାନର ଦୁଇଟି ଗାଁର କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିପଦର ଭୟ ଯୋଗୁ ଗ୍ରାମବାସୀ ପକ୍କାଘର କରନ୍ତିନି କି ବାହାଘରରେ କନ୍ୟାଙ୍କୁ...

ମହାକାଶ ଆବର୍ଜନା

ସୋଭିଏଟ୍‌ ରୁଷ ୧୯୭୨ରେ ଶୁକ୍ର ଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ୧,୧୮୦ କିଲୋଗ୍ରାମ୍‌ ଓଜନର କସ୍‌ମସ୍‌-୪୮୨ ମହାକାଶ ଯାନ ପଠାଇଥିଲା। ପୃଥିବୀ କକ୍ଷପଥ...

Advertisement
Archives

Model This Week