ଜୀବନ ପାତ୍ର ମୋ ଭରିଛ କେତେ ମତେ

ଡ. ଭାଗ୍ୟଲିପି ମଲ୍ଲ
‘ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ’ ଏଇ ମାତ୍ର ଧାଡ଼ିକ ଶୁଣିଦେଲେ, ଶେଷ ପର୍ଯ୍ୟନ୍ତ ନ ଶୁଣି ରହି ହୁଏନି। ଗୀତର ସ୍ରଷ୍ଟା ବୈକୁଣ୍ଠନାଥ ପଟ୍ଟନାୟକ। ଏ ଗୀତକୁ ସ୍ବର ଦେଇଛନ୍ତି ତାଙ୍କ କନ୍ୟା ସୁନନ୍ଦା ପଟ୍ଟନାୟକ, ଗାଇଛନ୍ତି ବି। ବେଳେବେଳେ ଭାବିବାକୁ ଇଚ୍ଛାହୁଏ, ଗୀତରେ ଏତେ ସମ୍ମୋହନ ସମ୍ଭବ ହେଲା କେମିତି? ପୂର୍ଣ୍ଣତାକୁ ଅନୁଭବ କରିବା ପାଇଁ ତାଙ୍କ ଆତ୍ମାପକ୍ଷୀ ଡେଣାମେଲି ଦେଉଛି ଆକାଶ ଛାତିରେ। କହୁଛି, ଯେତେ ଦୂରରେ ତୁ ଥା’, ମୁଁ ଉଡିଯିବି। ପାଣି, ପବନ, ପର୍ବତ, ସମୁଦ୍ର, ମାୟାମୟ ସଂସାର-କେହି ମୋର ଗତିକୁ ଆକଟ କରିପାରିବେ ନାହିଁ। ତୋର ଡାକ ଥରେ ଯାହା କାନରେ ବାଜିଛି, ସେ କ’ଣ ଥିର ହୋଇ ରହିପାରିବ? ପୂର୍ଣ୍ଣତମ ସହିତ ମିଳିତ ହେବା ପାଇଁ ବ୍ୟାକୁଳତା। ମୋ ଶୂନ୍ୟତାର ତୁ ତ ଏକମାତ୍ର ପୂର୍ଣ୍ଣତା। ମୋ ମୁକ୍ତ ରୂପ ଓ ଯାତ୍ରାକୁ ଆଉ କିଏ ବା ଆକଟ କରିପାରିବ?
ବୈକୁଣ୍ଠ ଓ ସୁନନ୍ଦା ଆମକୁ ଏମିତି ସମ୍ମୋହିତ କରିବାର କାରଣ କ’ଣ ବା ହୋଇପାରେ? କାରଣ, ସେମାନେ ଆମ ଭିତରେ। ସେମାନେ ଆମ ଚାରିପାଖର ସଂସାର ଭିତରେ ଥାଇ, ତଥାପି ଅସୀମ ଆକାଶରେ ଡେଣାମେଲି ଦେଇଥିବା ମୁକ୍ତ ଆତ୍ମାପକ୍ଷୀ।
ପରଂବ୍ରହ୍ମ ଆମକୁ ଜନ୍ମ ଦେଇଛନ୍ତି। ଆମ ଜୀବନ ବଞ୍ଚତ୍ବା ପାଇଁ ସକଳ ଆବଶ୍ୟକତା ଖଞ୍ଜିଦେଇଛନ୍ତି। ଗଛ, ଲତା ଦେଇଛନ୍ତି। ଫୁଲରେ ସୁଗନ୍ଧ, ଫଳରେ ଖାଦ୍ୟ। ପାଣି, ପବନ, ଆକାଶ, ମାଟି, ପଶୁ, ପକ୍ଷୀ, ସରୀସୃପ, କୀଟ, ପତଙ୍ଗ- ପ୍ରତ୍ୟେକ ଆମର ଆବଶ୍ୟକତା। ପ୍ରତ୍ୟେକଙ୍କର ବିଚିତ୍ର ରୂପ, ବିଚିତ୍ର ଆଚରଣ, ପ୍ରେମ। ଆମେ କିନ୍ତୁ ଏକଥା ଭୁଲିଯାଉ। କବି ବୈକୁଣ୍ଠନାଥ ‘ଜୀବନ’କୁ ଏକ ପାତ୍ର ବୋଲି କହିଛନ୍ତି ଓ ତାକୁ ନାନାମତେ ପୂର୍ଣ୍ଣ କରିଥିବାରୁ ପରମେଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଅବଶ୍ୟ ଜୀବନର ତରୀକୁ ଈଶ୍ୱରଙ୍କ ମହାପାରାବାରରେ ଲକ୍ଷ୍ୟହୀନ ଭାବରେ ଭସେଇ ଦେବାବେଳେ କୂଳର ଜନମାନଙ୍କ ସହ ବିଷୟାବିଷରେ ଛନ୍ଦି ହେବା, ପୁଣି ଅତିକ୍ରମ କରି ଅନନ୍ତରେ ଲୀନ ହୋଇଯିବା କଥା ମଧ୍ୟ କହିଛନ୍ତି।
ଅପ୍ରାପ୍ତିଜନିତ ଅସନ୍ତୋଷକୁ ସହଜରେ ସ୍ବୀକାର କରି ନ ପାରି ମଣିଷ ଦେବତା ପାଖକୁ ଯାଏ। ଆବଶ୍ୟକତା ପୂରଣ ପାଇଁ ସଂସାର ଯାକର ସମ୍ପଦ ମାଗେ। ଛୋଟରୁ ଆରମ୍ଭ। ପଦାର୍ଥର ସଂଖ୍ୟା, ଆକାର ଓ ପ୍ରକାର ବଢି ଚାଲେ। ଶେଷ ହୁଏନି। ନ ପାଇଲେ, ପାଇବାରେ ଡେରି ହେଲେ, କାନ୍ଦେ। ଲାଞ୍ଚଦିଏ। ଶେଷକୁ ରାଗରେ ଗାଳିଦିଏ। ଅନ୍ୟମାନଙ୍କୁ ଏତେକଥା ଦେଲ, ମୋତେ କାହିଁକି ଦଉନ ବୋଲି କଳିକରେ, ଅଭିମାନ ବି କରେ। ଜୀବନସାରା ଅନ୍ୟମାନଙ୍କ ଆଡକୁ ଚାହିଁ, ସେ ନିଜକୁ ଚାହିଁବାକୁ ଭୁଲିଯାଇଥାଏ। ଅନ୍ୟମାନଙ୍କ କଥା ଭାବିଭାବି, ନିଜ ଭାବନାର ଶକ୍ତିକୁ ହରେଇ ଦେଇଥାଏ। କ’ଣ ପାଇଁ ଏ ସୁନ୍ଦର ପୃଥିବୀରେ ପୁଣି ମଣିଷ ପରି ଏକ ଚମତ୍କାର ଜୀବନ ବଞ୍ଚତ୍ରହି ମଧ୍ୟ ସେ ନିଜକୁ ସନାକ୍ତ କରିପାରେ ନାହିଁ? ବୁଝିପାରେନାହିଁ? କାହିଁକି ଏକ ସୁନ୍ଦରତମ, ସୁଖତମ, ଆନନ୍ଦମୟ, ପ୍ରେମମୟ ପ୍ରାପ୍ତିକୁ ମଣିଷ ଖାରଜ କରିଦେଇ ମିଥ୍ୟା ଓ ପ୍ରହେଳିକା ପଛରେ ଧାଏଁ? କାହିଁକି ନିଜ ପାଖରେ ଥିବା କସ୍ତୂରୀର ସୁଗନ୍ଧରେ ସେ ବିମୋହିତ ନ ହୋଇ, କୃତ୍ରିମ ବାସ୍ନା ପଛରେ ଗୋଡ଼ାଏ? କ’ଣ ପାଇଁ ତା’ର ମାନସ-ହଂସ ଉଡିବାକୁ ଇଚ୍ଛା କରୁଥିବା ଦିଗକୁ ସେ ବୁଝି ପାରେନାହିଁ?
ଚରଣ ବନ୍ଦନା ପାଇଁ ଜୀବନର ବୀଣାରେ ମୂର୍ଚ୍ଛନା ଦେଇଛନ୍ତି ପରମେଶ୍ୱର। ଅନନ୍ତ ସୁଖର ପାରାବାର ଖଞ୍ଜିଛନ୍ତି ପାଖରେ। ପରାଣକୁଞ୍ଜରେ ଶୁଣାଉଛନ୍ତି ବଂଶୀର ନିତ୍ୟରାସ। ତଥାପି ବିଷୟାବିଷରେ ଆକ୍ରାନ୍ତ ମନ ସେଥିପ୍ରତି ଆକୃଷ୍ଟ ହୋଇପାରୁନାହିଁ। ଏହି ଅନନ୍ତ ଆନନ୍ଦପାଇଁ ମଣିଷକୁ ବନସ୍ତରେ ତପସ୍ୟା କରିବାକୁ ପଡିବ ନାହିଁ। ବନ୍ଧୁ, ସୋଦର, ଜ୍ଞାତି, ପରିଜନବେଷ୍ଟିତ ସଂସାର ଭିତରେ ହିଁ ତାକୁ ଏହି ଆନନ୍ଦ ଉତ୍ସର ସନ୍ଧାନ କରିବାକୁ ପଡିବ। ଜୀବନର ଆଲୋକରେ, ବିଜୟ ପଥରେ ନିତ୍ୟ ବୃନ୍ଦାବନ ଦେଖିବାର ଯେଉଁ କାବି୍ୟକ ଉଚ୍ଛ୍ବାସ କବି ବୈକୁଣ୍ଠନାଥ ପ୍ରଦର୍ଶିତ କରିଛନ୍ତି, ତାହା ସକଳ ମାନବ ଜାତି ପାଇଁ ମୁକ୍ତି ମଶାଲର ଅନିର୍ବାଣ ଆଲୋକ ଶିଖା ହୋଇ ସେମିତି ପ୍ରଜ୍ୱଳିତ ହୋଇ ରହିଥିବ ଅନନ୍ତକାଳ ଯାଏ। ତାଙ୍କର ଗୋଟିଏ ସନେଟ୍‌ରେ ସେ ଲେଖିଛନ୍ତି: ‘ତୁମରି ଆଲୋକେ ବିକାଶୁ ଜୀବନ ଶୁଭ୍ର କମଳସମ/ତୁମ ବିଶ୍ୱାସେ ଦୈନ୍ୟ ଦୁଃଖ ସହିବାରେ ହୁଏ କ୍ଷମ’। ବୈକୁଣ୍ଠନାଥ- ବ୍ୟକ୍ତି ଜୀବନର ଏହି ସତ୍ୟକୁ ଅନୁଭବ କରିଛନ୍ତି। ତାଙ୍କ ଦେହ ଦ୍ୱାରର କବାଟ, ଝରକା ଖୋଲି ଦେଇଛନ୍ତି। ଅନୁଭବ କରିଛନ୍ତି- ଏ ଦେହ ତାଙ୍କର ନୁହେଁ, ପରମର। ଏକ ଅଭାବହୀନ, ପରିପୂର୍ଣ୍ଣ ପାତ୍ର। ଏ ପାତ୍ର ମିଛ ନୁହେଁ, ନିଃସଙ୍ଗ ବି ନୁହେଁ। ପ୍ରତ୍ୟେକ ପଦାର୍ଥ ଓ ଅନୁଭବରେ ସେ ଅଛନ୍ତି। ତାଙ୍କ ଅଶ୍ରୁତସ୍ବର, ଅଶ୍ରାବ୍ୟ କଥା, ଅରୂପ ରୂପ- ସବୁକିଛି ସ୍ପଷ୍ଟ ହୋଇଯାଇଛି। ଯିଏ ପୂର୍ଣ୍ଣ, ସିଏ ପୁଣି ମାଗିବ କ’ଣ? ମଣିଷର ମାନସ-ହଂସଟି ବିଚାର ଭ୍ରମରେ ପଡି ଏହି ଚରମ ସତ୍ୟକୁ ବୁଝିପାରେ ନାହିଁ।
ଜୀବନ ଏକ ଯାତ୍ରା, ଯାହାପାଖରୁ ଆସିଥିଲା, ତା’ରି ପାଖକୁ; ଯାହା ଭିତରୁ ଆସିଥିଲା, ତା’ ସହିତ ଏକୀଭୂତ ହେବାକୁ। ଜୀବନ ଏକ ପୂର୍ଣ୍ଣ ଶୂନ୍ୟତା। ଜୀବନପାତ୍ର ତେଣୁ ଆଉ ପୂର୍ଣ୍ଣ ହୋଇପାରେନା। ଯେତେ ପୂର୍ଣ୍ଣ କଲେ ବି ସେମିତି ଅଧା ଲାଗେ। ବାପ ଓ ଝିଅ- ଦୁଇଜଣ, ଜଣେ ଶବ୍ଦରେ ଓ ଅନ୍ୟଜଣେ ସ୍ବରରେ ଏହା ହିଁ କହିଛନ୍ତି। ଏହା ଶବ୍ଦ କି ଗୀତ ନୁହେଁ! ଅନୁଭବ- ତେଣୁ ଏତେ ଅନ୍ତରଙ୍ଗ। ଏବେ ସୁନନ୍ଦା ନୀରବ। ମାତ୍ର ତାଙ୍କ ସ୍ବର ଯେମିତି କହି ଦେଉଛି, ମୁଁ ଅଛି ଏବଂ ମୁଁ ରହିଥିବି।
(ପ୍ରୟାତ ସୁନନ୍ଦା ପଟ୍ଟନାୟକ ସ୍ମରଣେ)
ମୋ- ୮୯୧୭୩୩୨୫୮୫


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri