ଜୀବନ ଜିଇବାର କଳା

ପ୍ରକାଶ ତ୍ରିପାଠୀ
ନାମ ଅସଲମ୍‌ ମଲ୍ଲିକ। ବୟସ ତିରିଶ ପାଖାପାଖି। ଘର କୋଲକାତା (ପଶ୍ଚିମବଙ୍ଗ)। ପେସା କାର୍ପେଣ୍ଟିଙ୍ଗ ଅର୍ଥାତ୍‌ ଇଣ୍ଟେରିୟର ଡିଜାଇନିଂ। ଅସଲମ୍‌ ସହ ମୋ ସମ୍ପର୍କ ମାତ୍ର ପନ୍ଦର ଦିନର। ଗତ ମାସରେ ଘରର କିଛି ଇଣ୍ଟେରିୟର କାମ ହେଉଥିଲା ବେଳେ ତା’ ସହିତ ମୋର କେଇ ମୁହୂର୍ତ୍ତର ମିଳାମିଶା ଓ ଭାବର ଆଦାନପ୍ରଦାନ। ସେଇ ସ୍ବଳ୍ପ ସମୟର ସମ୍ପର୍କ ଭିତରେ ମୁଁ ଯେମିତି ଆକର୍ଷିତ ହୋଇଯାଇଥିଲି ଏଇ ଅଳ୍ପବୟସ୍କ ମଣିଷର ବ୍ୟକ୍ତିତ୍ୱ ପ୍ରତି। ଏତେ ଅଳ୍ପ ବୟସର ହେଲେ ବି ଜଣେ ଅନୁଭବୀ ମଣିଷ ଭଳି କଥାବାର୍ତ୍ତା କରିଥିଲା ଅସଲମ୍‌। ତା’ର କର୍ମନିପୁଣତା, ସମୟାନୁବର୍ତ୍ତିତା, ନିଷ୍ଠାପରତା ଓ ସର୍ବୋପରି ସଚ୍ଚୋଟପଣିଆ ଯେ କୌଣସି ମଣିଷକୁ ପ୍ରଭାବିତ କରିବା ପାଇଁ ଯଥେଷ୍ଟ ଥିଲା। ଗୋଟିଏ ଛୁଟି ଦିନରେ ତା’ ସମ୍ପର୍କରେ ଜାଣିବା ପାଇଁ ମୋଠାରେ ସୃଷ୍ଟି ହୋଇଥିଲା ଅହେତୁକ ଆଗ୍ରହ ଓ ଯାହା ଜାଣିଲି ତାହା ହିଁ ଏହି ଆଲେଖ୍ୟର ବିଷୟବସ୍ତୁ।
କାର୍ପେଣ୍ଟିଙ୍ଗ କ୍ଷେତ୍ରରେ ଅସଲମ୍‌ ଦୀର୍ଘ ବାରବର୍ଷ ହେଲା କାମ କରିଆସୁଛି। ଅତି ଗରିବ ପରିବାରରେ ତା’ର ଜନ୍ମ। ଅଧିକ ପାଠ ନ ପଢ଼ି ରୋଜଗାର କରିବାକୁ ବାଧ୍ୟ ହୋଇଥିଲା ପିଲାଟି ଦିନରୁ। ନିଜର ଏକାଗ୍ରତା ଓ ନିଷ୍ଠାପରତା ଯୋଗୁ ଅଳ୍ପ କିଛି ଦିନରେ ସେ ଅନେକ କିଛି ଶିଖି ପାରିଥିଲା। ଉଚ୍ଚ ପାରିଶ୍ରମିକ ଓ ଉନ୍ନତ କାରିଗରି କୌଶଳ ଆୟତ୍ତ କରିବା ଲକ୍ଷ୍ୟରେ ଜଣେ ସମ୍ପର୍କୀୟଙ୍କ ପରାମର୍ଶରେ ଅସଲମ୍‌ ନିଜ ଜନ୍ମସ୍ଥାନ କୋଲକାତା ଛାଡ଼ି ସୁଦୂର ଚେନ୍ନାଇକୁ ବାଛିଥିଲା ନିଜ କର୍ମସ୍ଥଳୀ ଭାବେ। ଭାଷା, ଖାଦ୍ୟ ଓ ସାମାଜିକ ଚଳଣିରେ ଅନେକ ଫରକ ଥିବା ସତ୍ତ୍ୱେ ତା’ ସହ ଅସଲମ୍‌ ନିଜକୁ ଖାପ ଖୁଆଇଥିଲା। ସେ ଭଲଭାବେ ଜାଣିଥିଲା ଇଣ୍ଟେରିୟର ଡିଜାଇନିଂ କାମରେ ଦକ୍ଷତା ବୃଦ୍ଧି ହୁଏ ଭିନ୍ନ ଭିନ୍ନ ଡିଜାଇନରଙ୍କ ପାଖରେ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ଦ୍ୱାରା ଏବଂ ଏଥିରେ ସେ ସଫଳ ବି ହୋଇଥିଲା। ହୋଟେଲ, ବଙ୍ଗଳା, ବ୍ୟବସାୟିକ ଶୋ ରୁମ୍‌, ବ୍ୟାଙ୍କ ଆଦି ଭିନ୍ନ ଭିନ୍ନ ସ୍ଥାନରେ ଇଣ୍ଟେରିୟର କାମ କରି ଅନେକ ଅଭିଜ୍ଞତା ସେ ହାସଲ କଲା।
ପରିବାରଠାରୁ ବହୁ ଦୂରରେ ରହି ମଧ୍ୟ ଘରର ଋଣ ଭାର ହ୍ରାସ ତଥା ପରିବାରର ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ପାଇଁ ଅସଲମ୍‌ ଦିନରାତି ପରିଶ୍ରମ କରୁଥିଲା ଚେନ୍ନାଇରେ। ମାତ୍ର ଗୋଟିଏ ଘଟଣା ତାକୁ ବାଧ୍ୟ କରିଥିଲା ଚେନ୍ନାଇ ପରିତ୍ୟାଗ କରିବାକୁ। ସେ ଯେଉଁ କଣ୍ଟ୍ରାକ୍ଟର ଅଧୀନରେ କାମ କରୁଥିଲା ସେ ନିୟମିତ ତା’ ପ୍ରାପ୍ୟ ଦେଉ ନ ଥିଲା। ଏକ ଜରୁରୀ କାମରେ ଅସଲମ୍‌ ନିଜ ଘରକୁ ଆସିବାକୁ ଚାହିଁଲା ଓ ତା’ର ବକେୟା ପ୍ରାପ୍ୟ ଥିବା ପ୍ରାୟ ଏକ ଲକ୍ଷ ଟଙ୍କା ଦେବାକୁ କଣ୍ଟ୍ରାକ୍ଟରକୁ ଅନୁରୋଧ କଲା। ଆଜି ଦେବି, କାଲି ଦେବି କହି କଣ୍ଟ୍ରାକ୍ଟର ଦିନ ଗଡ଼ାଇଥିଲା। ଅସଲମ୍‌ ରହୁଥିବା ଭଡ଼ାଘରଠାରୁ କଣ୍ଟ୍ରାକ୍ଟରର ଅଫିସ୍‌ର ଦୂରତା ପ୍ରାୟ ଚାଳିଶ କିଲୋମିଟର। ଥରୁଟିଏ ଗଲେ ଅଟୋଭଡ଼ାରେ ଦେଢ଼ଶହ ଟଙ୍କା ଖର୍ଚ୍ଚହୁଏ। ଅନେକବାର ଦୌଡ଼ିବା ସତ୍ତ୍ୱେ କଣ୍ଟ୍ର୍‌ାକ୍ଟର ବକେୟା ପ୍ରାପ୍ୟ ଦେଇ ନ ଥିଲା। ଅସଲମ୍‌କୁ ଏ ପ୍ରସଙ୍ଗରେ ସାହାଯ୍ୟ କରିବାକୁ ଚେନ୍ନାଇରେ କେହି ନିଜର ଲୋକ ବି ନ ଥିଲେ। କଣ୍ଟ୍ରାକ୍ଟରର ଶଠତା ସ୍ପଷ୍ଟ ବାରି ହୋଇଯାଉଥିଲେ ବି ସରଳ ସ୍ବଭାବର ଅସଲମ୍‌ କଣ୍ଟ୍ରାକ୍ଟର ଉପରେ ନିଜର ପ୍ରାପ୍ୟ ପାଇଁ ଚାପ ପ୍ରୟୋଗ କରି ପାରୁ ନ ଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ ସବୁଦିନ ପାଇଁ ଚେନ୍ନାଇ ଛାଡ଼ିବାର ସିଦ୍ଧାନ୍ତ ନେଇଥିଲା ଅସଲମ୍‌। ଚେନ୍ନାଇ ପରିତ୍ୟାଗ ପରେ ଭୁବନେଶ୍ୱରକୁ ପରବର୍ତ୍ତୀ କର୍ମସ୍ଥଳ ଭାବେ ବାଛିଛି।
ତୁମର ସେହି ବକେୟା ପ୍ରାପ୍ୟ ଲକ୍ଷେ ଟଙ୍କାକୁ ନେଇ କେବେ ମନ ଦୁଃଖ ହୁଏନି? ମୋର ଏପରି ପ୍ରଶ୍ନରେ ସ୍ମିତ ହସଟିଏ ହସି ଜଣେ ଅଭିଜ୍ଞ ମଣିଷ ଭଳି ଉତ୍ତର ଦେଇଥିଲା ଅସଲମ୍‌- ”ମୁଁ ସେ ଟଙ୍କାର ସୁଧ ଓ ମୂଳ ପାଇ ସାରିଲିଣି।“ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କେମିତି? ସେ ଆହୁରି ସହଜ ହୋଇ କହିଲା- ”ଆଜ୍ଞା! ମୁଁ ଚେନ୍ନାଇରେ ଥିଲା ବେଳେ ଦୁଇ ବା ତିନିମାସରେ ଥରେ ଘରକୁ ଆସୁଥିଲି। ସପ୍ତାହଟିଏ ଛୁଟି ନେଇ ଆସିଲେ ଚାରିଦିନ ଟ୍ରେନରେ ବିତିଯାଉଥିଲା। ନା ପରିବାର ପାଇଁ ଯଥେଷ୍ଟ ସମୟ ଦେଇପାରୁଥିଲି ନା ସାହିଭାଇରେ କାହା ସହ ମିଶି ପାରୁଥିଲି। ବହୁତ କଷ୍ଟ ଲାଗୁଥିଲା ମୋତେ। କେବଳ ଅର୍ଥ ଲାଳସାରେ ମୋତେ ଏସବୁରେ ବୁଝାମଣା କରିବାକୁ ପଡୁଥିଲା। ଆଲ୍ଲା ମୋ ଦୁଃଖ ବୁଝିପାରିଲେ। ଏବେ ମୁଁ ଭୁବନେଶ୍ୱରରେ ରହୁଛି। ରାତିରେ ଟ୍ରେନରେ ବସିଲେ ସକାଳେ ଘରେ ପହଞ୍ଚିଯାଉଛି। ଯେତେବେଳେ ଇଚ୍ଛା ସେତେବେଳେ ଯାଇ ଘର ଲୋକଙ୍କୁ ଦେଖିପାରୁଛି। ଘର ଲୋକଙ୍କ ସହ ମିଶିବା, ସେମାନଙ୍କ ପାଇଁ ସମୟ ଦେବାର ମୂଲ୍ୟ ଆଗରେ ସେ କଣ୍ଟ୍ରାକ୍ଟର ପାଖରେ ବୁଡ଼ିଯାଇଥିବା ଲକ୍ଷେ ଟଙ୍କାର ମୂଲ୍ୟ ତୁଚ୍ଛ।
ଜୀବନରେ ପଇସା ବଡ଼ ନୁହେଁ। ହସଖୁସିରେ ପରିବାର ସହ ସମୟ ବିତାଇବା ହିଁ ବଡ଼। ଯାହା ମୁଁ ଚେନ୍ନାଇରେ ପାଉ ନ ଥିଲି, ତାହା ମୁଁ ଆଜି ଭୁବନେଶ୍ୱରରେ ପାଉଛି। ଆଲ୍ଲାଙ୍କ କରୁଣାରୁ ଭୁବନେଶ୍ୱରରେ ବି କାମର ଅଭାବ ନାହିଁ। ଦୁଇ ସିଫ୍ଟରେ କାମ କରୁଛି। ଅଧିକ ରୋଜଗାର ବି ହେଉଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ଚାଲିଚଳଣ, ଖାଦ୍ୟପେୟ ଏପରି କି ଭାଷା ବି ପ୍ରାୟ ସମାନ। ନିଜ ଜନ୍ମସ୍ଥାନ ଭଳି ଲାଗୁଛି ଭୁବନେଶ୍ୱର। ଆପଣଙ୍କ ଭାଷାରେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯଦି ଚେନ୍ନାଇ କଣ୍ଟ୍ରାକ୍ଟର ମୋତେ ଠକି ନ ଥାନ୍ତା, ମୁଁ ହୁଏ ତ ଭୁବନେଶ୍ୱର ଆସି ନ ଥାନ୍ତି କି ଆଜିର ଦିନ ଭଳି ଏତେ ସୁବିଧାରେ ରହି ନ ଥାନ୍ତି।“ ପୁଣି ପଚାରିଲି ଅସଲମକୁ- ‘ଯେଉଁ କଣ୍ଟ୍ରାକ୍ଟର ତୁମର ଲକ୍ଷେ ଟଙ୍କା ଠକି ନେଲା, ତା’ ସମ୍ପର୍କରେ ତୁମର ପ୍ରତିକ୍ରିୟା କ’ଣ?’ ଅସଲମ୍‌ ମୋ ପ୍ରଶ୍ନ ଶୁଣି ପୁଣି ଥରେ ହସିଲା। ସେ ହସରେ ଟିକେ ବି କୃତ୍ରିମତା ମୁଁ ଲକ୍ଷ୍ୟ କରିପାରୁ ନ ଥିଲି। ହୃଦୟ ଭିତରୁ ସେ ହସୁଥିଲା। ହସି ହସି କହିଲା-”ସେ ମୋତେ ତ ସହଜରେ ଠକିଦେଲା, ହେଲେ ଉପରେ ଯିଏ ହିସାବ ରଖୁଛି ତା’ ପାଖରୁ ସେ ଖସିପାରିବ ନାହିଁ।“
ଅସଲମ୍‌ର କଥା ଶୁଣି ମୁଁ ପ୍ରକୃତିସ୍ଥ ହେଲି। ମନେ ପଡ଼ିଗଲା ପଢ଼ିଥିବା ଏକ କାହାଣୀ। ଜଣେ ବ୍ୟକ୍ତି ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଦିନମଜୁରିଆ ଭାବେ କାମ କରୁଥିଲେ। ଦିନେ ଏକ ସାଧାରଣ ଭୁଲ ପାଇଁ ତାଙ୍କ ଗାଲରେ ଠୋ କିନା ଚଟକଣିଟିଏ ବସାଇଦେଲେ ମାଲିକ। ଅନ୍ୟ ଲୋକଙ୍କ ଆଗରେ ଅପ୍ରତ୍ୟାଶିତ ଭାବେ ଚାପୁଡ଼ା ଖାଇ ଖୁବ୍‌ ଲଜ୍ଜିତ ହେଲେ ସେହି ଦିନମଜୁରିଆ। କ’ଣ ବା ସେ ଆଉ କରିପାରିବେ। ମାଲିକ ଅନ୍ନଦାତା। ତେଣୁ ଚୁପ୍‌ ରହିଲେ। ହେଲେ ମନ ଭିତରେ କ୍ରୋଧ ଜମି ରହିଥାଏ। ସାରେ ଘରକୁ ଫେରିଲେ। ରାତ୍ରିଭୋଜନ ସମୟରେ ତରକାରି ଲୁଣିଆ ହୋଇଯାଇଥିବାରୁ ରାଗିଯାଇ ଧର୍ମପତ୍ନୀଙ୍କୁ ଚାପୁଡ଼ାଟାଏ ମାରିଦେଲେ। ମାଲିକଙ୍କଠାରୁ ଖାଇଥିବା ଚାପୁଡ଼ାଜନିତ କ୍ରୋଧକୁ ଧର୍ମପତ୍ନୀଙ୍କ ପାଖରେ ପ୍ରଶମିତ କରିଦେଲେ। ସ୍ତ୍ରୀ ବି ଆଉ କ’ଣ କରିପାରିବେ? ସ୍ବାମୀଙ୍କୁ ତ ଆଉ ମାରିପାରିବେ ନାହିଁ। ପାଠ ନ ପଢ଼ି ଖେଳୁଥିବା ବଡ଼ପୁଅକୁ ଚଟକଣିଟିଏ ଲଗାଇଦେଲେ। ସ୍ବାମୀଙ୍କ ଉପରେ ଥିବା କ୍ରୋଧ ପୁଅ ପାଖରେ ସାରିଦେଲେ। ବଡ଼ପୁଅ ଆଶ୍ଚର୍ଯ୍ୟ ହେଲା। ମା’ ତ ଏମିତି କେବେ ମାରନ୍ତିନି। ମା’ଙ୍କୁ କିଛି ନ କହି ବଡ଼ପୁଅ ଗୁମ୍‌ ମାରି ବସିଲା। ମନ ଭିତରେ ରାଗ କୁହୁଳୁଥାଏ। ସାନଭାଇକି ପିଇବା ପାଣି ଗ୍ଲାସଟିଏ ଆଣିବାକୁ କହିଲା। ସାନଭାଇ ପାଣି ଆଣିବାରେ ବିଳମ୍ବ କରିବାରୁ ରାଗିଯାଇ ତାକୁ ଚଟକଣିଟିଏ ଲଗାଇଦେଲା ବଡ଼ଭାଇ। ବଡଭାଇର ରାଗ ଶାନ୍ତ ହୋଇଗଲା। ବିଚରା ସାନଭାଇ କରିବ କ’ଣ? ବଡ଼ଭାଇକୁ ତ ହାତ ଉଠାଇ ପାରିବନି। ଦାଣ୍ଡପିଣ୍ଡାରେ ଶୋଇଥିବା କୁକୁରକୁ ତଡ଼ାରେ ପାହାରେ ପକାଇ ନିଜ କ୍ରୋଧକୁ ସମ୍ବରଣ କଲା। କୁକୁରଟି ଅତର୍କିତ ପ୍ରହାର ଖାଇ ରଡ଼ି ଛାଡ଼ି ଦୌଡ଼ିବାକୁ ଲାଗିଲା ବେଳେ ତା’ ସମ୍ମୁଖକୁ ଆସିଯାଇଥିଲା ଜଣେ ଲୋକ। ସେହି ଲୋକଟିକୁ ପୁଳାଏ କାମୁଡ଼ି କୁକୁରଟି ତା’ କ୍ରୋଧକୁ ପ୍ରଶମିତ କଲା। କର୍ମର ବିଡମ୍ବନା ଯେ ଯେଉଁ ଲୋକକୁ କୁକୁର କାମୁଡ଼ିଲା, ସେହି ଲୋକଟି ଥିଲା ସେହି ଦିନମଜୁରିଆକୁ ଚଟକଣି ମାରିଥିବା ମାଲିକ। ସତ୍‌ କର୍ମର ସତ୍‌ ଫଳ ଓ ଅସତ୍‌ କର୍ମର ଅସତ୍‌ ଫଳ ସମ୍ପର୍କରେ ଅସଲମ୍‌ ତା’ ଅଙ୍ଗେ ନିଭା କଥା ବଖାଣି ମୋତେ ଜୀବନ ଜିଇବାର ସୁନ୍ଦର କଳାଟିଏ ଶିଖାଇଦେଲା।
ମୋ-୯୪୩୭୨୩୨୪୬୩, ଇମେଲ୍‌: prakas. tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri