ଜଳବାୟୁ ପରିବର୍ତ୍ତନ ଓ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର

ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ବଡ଼ ଚିନ୍ତାର କାରଣ। ଏହାର ପ୍ରଭାବରେ ବିଶ୍ୱତାପମାନରେ ଅତ୍ୟଧିକ ବୃଦ୍ଧି, ମରୁଡି, ବନ୍ୟା, ବାତ୍ୟା, ଅତିବୃଷ୍ଟି, ଅନାବୃଷ୍ଟି, ଅଦିନିଆ ବୃଷ୍ଟି, ଆର୍ଦ୍ରତାରେ ପରିବର୍ତ୍ତନ ଆଦି ଦେଖାଯାଉଛି। ଏହା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିର ଦୃଢ଼ ପ୍ରତିବନ୍ଧକ ଏବଂ ଭବିଷ୍ୟତ ପାଇଁ ଏକ ଚେତାବନୀ ସଦୃଶ। ଜଳବାୟୁ ପରିବର୍ତ୍ତନ ହେତୁ କୃଷି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ। ଭାରତୀୟ କୃଷି ବ୍ୟବସ୍ଥା ମୌସୁମୀ ଉପରେ ନିର୍ଭରଶୀଳ। ଜଳବାୟୁର ସାମାନ୍ୟ ପରିବର୍ତ୍ତନ ରାଜ୍ୟର କୃଷି ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପକାଇଥାଏ ଏବଂ ଫସଲ ଉପତ୍ାଦନ ହ୍ରାସ ପାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତି ୧ ଡିଗ୍ରୀ ତାପମାତ୍ରା ବୃଦ୍ଧି ଦ୍ୱାରା ୫ ଗୁଣା ଫସଲ ଉପତ୍ାଦନ ହ୍ରାସ ପାଇବ। ଅନ୍ୟ ଏକ ଗବେଷଣା ଅନୁସାରେ, ୨୦୩୯ ବେଳକୁ ଯଦି ବାର୍ଷିକ ତାପମାତ୍ରା ୦.୫ ପ୍ରତିଶତ ବଢ଼େ ତେବେ କୃଷି ଉପତ୍ାଦନ ୪.୫ରୁ ୯ ପ୍ରତିଶତ କମିବ ଏବଂ ଏହା ୨୦୯୯ ବେଳକୁ ୨୫ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ଅଛି। ଆମ ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ଦାରିଦ୍ର୍ୟ ଓ ଖାଦ୍ୟ ନିରାପତ୍ତା ସଂକଟ ଦେଖାଦେବ। ରାଜ୍ୟର ୮୦ ପ୍ରତିଶତ ଚାଷୀ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ହୋଇଥିବାରୁ ସେମାନେ ଦୁର୍ବିପାକ ପରବର୍ତ୍ତୀ ସ୍ଥିତିକୁ ପ୍ରତିହତ କରିବାରେ ଅକ୍ଷମ।
ତେଣୁ ସମୟ ଆସିଛି ଚିରାଚରିତ କୃଷି ପଦ୍ଧତିରେ ପରିବର୍ତ୍ତନ ଆଣି ଅନୁକୂଳ ପଦ୍ଧତି ଆପଣାଇବାକୁ। କୃଷି ବିବିଧତା ସେଥି ମଧ୍ୟରୁ ଅନ୍ୟତମ। ଏହାର ସ୍ବରୂପ କହିଲେ ଆମେ ମିଶ୍ରିତ କୃଷି, ଅଧିକ ଲାଭକାରୀ ଫସଲ ଯଥା- ଉଦ୍ୟାନ କୃଷି, ଫଳ, ପୁଷ୍ପଚାଷ, ମତ୍ସ୍ୟପାଳନ, କୁକୁଡା ପାଳନ, ପଶୁପାଳନ, ଜଙ୍ଗଲଜାତ ଦ୍ରବ୍ୟ କୃଷି ଇତ୍ୟାଦି ବୁଝିଥାଉ। ଯଦି ଆମେ ବିଭିନ୍ନ ପ୍ରକାରର ଫସଲ ସହ ଅଣଚାଷ କୃଷି କରୁ ତେବେ, ଆକସ୍ମିକ ଦୁର୍ବିପାକର ଶିକାର ହୋଇ ଗୋଟିଏ ପ୍ରକାର ଫସଲ ଅଧିକ ନଷ୍ଟ ହୋଇଗଲେ ଚାଷୀ ଅନ୍ୟ ଫସଲ ସହାୟତାରେ ନିଜର ଜୀବିକା ନିର୍ବାହ କରିପାରିବ। ମିଶ୍ରିତ କୃଷି ଦ୍ୱାରା ପରିବେଶ ସନ୍ତୁଳିତ ରହିବା ସହ ଜମିର ଉର୍ବରତା ବୃଦ୍ଧି ପାଇଥାଏ। ଜଳବାୟୁ ଉପରେ ନିର୍ଭର ନ କରି ଚାଷଜମି ନ ଥିବା ଚାଷୀ ମଧ୍ୟ ମତ୍ସ୍ୟପାଳନ, ପଶୁ ଓ ପକ୍ଷୀପାଳନ, ଜଙ୍ଗଲଜାତ ଦ୍ରବ୍ୟ ସମ୍ବନ୍ଧୀୟ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବ। କୃଷି ବିବିଧତା କୃଷକର ଆୟ ବୃଦ୍ଧି କରିଥାଏ ଏବଂ ଖାଦ୍ୟ ନିରାପତ୍ତା ସହ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ।
ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ କୃଷିକୁ ନିସ୍ତାର ପାଇବାକୁ ହେଲେ କୃଷିବିବିଧତା ଏକ ଅନୁକୂଳ ସମାଧାନ ପରି ମନେହୁଏ। କିନ୍ତୁ ସରକାରଙ୍କ ହସ୍ତକ୍ଷେପ ବିନା ଚାଷୀ ଏକାକୀ ନୂତନ ପ୍ରଣାଳୀ ଗ୍ରହଣ କରିବା କଷ୍ଟସାଧ୍ୟ। ସରକାରଙ୍କର ଦୃଷ୍ଟାନ୍ତକାରୀ ପଦକ୍ଷେପ ଏବଂ ନୀତି ନିର୍ଦ୍ଧାରଣ ଏହାକୁ ଚାଷୀମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇପାରିବ। କୃଷିବିବିଧତା ପ୍ରଣାଳୀର ଆବଶ୍ୟକ- ଜଳସେଚନ, ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି, କୃଷି ଋଣ, କୃଷି ବୀମା, ବଜାର ସୁଗମତା ଓ କୌଶଳ ସମ୍ବନ୍ଧରେ ସରକାରଙ୍କ ପ୍ରତିବଦ୍ଧତା ଆବଶ୍ୟକ। ପ୍ରଥମତଃ ଆମ ମୌସୁମୀ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଜଳସେଚନଭିତ୍ତିକ କରିବାକୁ ପଡିବ। କିନ୍ତୁ ଜଳସେଚନ କେବଳ କେନାଲ ବ୍ୟବସ୍ଥାରେ ସୀମିତ ନ ହୋଇ କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ, ସିଞ୍ଚନ ଓ ବୁନ୍ଦା ଜଳସେଚନଭିତ୍ତିକ ହେବା ଉଚିତ। କାରଣ ଗବେଷଣାରୁ ଜଣାପଡିଛି ଯେ କେନାଲ ଦ୍ୱାରା ଚାଷୀ କେବଳ ନିର୍ଦ୍ଦିଷ୍ଟ ସମୟରେ ପାଣି ପାଇଥାଏ ଯାହା କେବଳ ଧାନ ଚାଷ ପାଇଁ ଉପଯୁକ୍ତ। କିନ୍ତୁ ଅନ୍ୟ ପ୍ରଣାଳୀଗୁଡିକ ମରୁଡି ସମୟରେ ମଧ୍ୟ ଜଳଯୋଗଣ କରୁଥିବାରୁ ତାହା କୃଷିବିବିଧତାରେ ସହାୟକ ହୋଇଥାଏ। ଏଥିପାଇଁ ଆବଶ୍ୟକ ବିଦ୍ୟୁତ୍‌ ଯୋଗାଣ ସବ୍‌ସିଡିଭିତ୍ତିକ କଲେ ଚାଷୀ ପ୍ରୋତ୍ସାହିତ ହେବେ। ଇସ୍ରାଏଲ ଏହି ପଦ୍ଧତି ଆପଣାଇ ମରୁଡି ସମସ୍ୟାକୁ ଦୂର କରିବା ସହ କୃଷିବିବିଧତା ପ୍ରଣାଳୀରେ ଚାଷ କରୁଛି। ଦ୍ୱିତୀୟତଃ ଅଧିକ ବର୍ଷା ଏବଂ ଖରା ଦାଉରୁ ରକ୍ଷା ପାଇବା ପାଇଁ ଅଧିକ ସହନଶୀଳ ସଙ୍କରଜାତୀୟ ଉନ୍ନତମାନର ବିହନ ଓ ପ୍ରତିରୋଧକାରୀ ବିହନ ଚାଷୀଙ୍କ ପାଖରେ ସହଜରେ ଉପଲବ୍ଧ କରାଇବା ଉଚିତ।
ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ ତାପମାତ୍ରା ବୃଦ୍ଧିର ପରିଣାମ ସ୍ବରୂପ ଫସଲରେ ବିଭିନ୍ନ ପ୍ରକାର ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସବୁଜ ବିପ୍ଳବ ସମୟରେ ଅଧିକ ଶସ୍ୟ ଉପତ୍ାଦନ ପାଇଁ କୀଟନାଶକ ଓ ରାସାୟନିକ ସାର ବହୁଳ ବ୍ୟବହାରର କୁପରିଣାମ ଆମେ ଭୋଗୁଛେ। ପରିବେଶ ପ୍ରଦୂଷଣ ସହ ଜଳସ୍ତର ନିମ୍ନଗାମୀ ହେଉଛି ଓ ମୃତ୍ତିକା ଉର୍ବରତା ହ୍ରାସ ପାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ଦ୍ୱାରା ଏକ ସର୍ଭେରେ ଆକଳନ କରାଯାଇଛି ଯେ ଯଦି ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାର କମ୍‌ କରିବା ୮୦ରୁ ୮୮ ପ୍ରତିଶତ ବୃଷ୍ଟିରୁ ଉପତ୍ନ୍ନ ଅଙ୍ଗାରକାମ୍ଳକୁ କମ୍‌ କରାଯାଇପାରିବ। ଜୈବସାର ଓ ଜୈବ କୀଟନାଶକର ପ୍ରୟୋଗ ଏବଂ ଜିରୋ ବଜେଟ ପ୍ରାକୃତିକ କୃଷି ପ୍ରଣାଳୀରେ ଚାଷ କାର୍ଯ୍ୟ ସମ୍ପାଦନା କରିବା ସହ ଚାଷଜମିର ହିଡ଼ରେ ବିଭିନ୍ନ ପ୍ରକାର ଗଛ ଲଗାଇଲେ ତାହା ଦ୍ୱାରା ମୃତ୍ତିକା ସଂରକ୍ଷଣ ହେବା ସହ ବିଭିନ୍ନ ପକ୍ଷୀଙ୍କ ଆଗମନରେ କୀଟମାନଙ୍କୁ ନିୟନ୍ତ୍ରଣ କରାଯାଇପାରିବ। ଅଧିକ ଲାଭଜନକ ଫସଲ ବା ଅଣଚାଷ କୃଷି ପାଇଁ ପ୍ରାରମ୍ଭିକ ଅଧିକ ପୁଞ୍ଜନିବେଶ ଆବଶ୍ୟକ ପଡିଥାଏ। ଏଥିପାଇଁ ସରକାରଙ୍କ ତରଫରୁ ସ୍ବତନ୍ତ୍ର କୃଷି ଋଣ ଯୋଗାଇଦେଲେ ଚାଷୀ ପ୍ରୋତ୍ସାହିତ ହେବେ। ପ୍ରାକୃତିକ ବିପର୍ଯ୍ୟୟଗ୍ରସ୍ତ ରାଜ୍ୟରେ କୃଷିବିବିଧତା ଆପଣାଇବାକୁ ହେଲେ କୃଷିବୀମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୃଷିବୀମାକୁ ସହଜରେ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ନୂତନ ପ୍ରକାର ଫସଲ ଉପତ୍ନ୍ନ କରିବାର ରିସ୍କ ନେଇପାରିବ। କେଉଁ ଜମିରେ କେଉଁ ଫସଲ କଲେ ଅଧିକ ଅମଳ ମିଳିବ, ସେଥିପାଇଁ ଚାଷୀ କୃଷି ଅଧିକାରୀମାନଙ୍କ ସହାୟତା ନେଇ ମୃତ୍ତିକା ପରୀକ୍ଷଣ କରାଇବା ଉଚିତ। କୃଷି ସମ୍ପ୍ରସାରଣ ଏବଂ ସୂଚନା ବ୍ୟବସ୍ଥାକୁ ଅଧିକ ଫଳପ୍ରଦ ଉପାୟରେ ଚାଷୀ ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ରହିଛି। କେବଳ ତାଲିମ ଓ ପ୍ରଶିକ୍ଷଣଭିତ୍ତିକ ନ ହୋଇ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟପନ୍ଥା ଆପଣାଇବା ଉଚିତ। ଏଥିପାଇଁ ସରକାରଙ୍କୁ ଉପଯୁକ୍ତ ମାନବସମ୍ବଳର ଆବଶ୍ୟକତା ପଡିପାରେ। କାରଣ ସମସ୍ତ ପ୍ରକାର ସୂଚନା ତୃଣମୂଳ ସ୍ତରରେ ପହଞ୍ଚିବା ଜରୁରୀ। ପାଣିପାଗସମ୍ପର୍କିତ ପୂର୍ବସୂଚନା ଆଞ୍ଚଳିକଭିତ୍ତିକ ହେଲେ ଚାଷୀ ଉପଯୁକ୍ତ ଫସଲ ନିର୍ଦ୍ଧାରଣ କରି ଶସ୍ୟବିଜ୍ଞାନୀଙ୍କ ସାହାଯ୍ୟ ନେଇ ଦୁର୍ବିପାକରୁ ସହଜରେ ବର୍ତ୍ତିପାରିବ।
ବିବିଧ ଫସଲ ଉପତ୍ାଦନ ପରେ ତା’ର ବିକ୍ରୟ ପାଇଁ ଉପଯୁକ୍ତ ବଜାରର ସୁବିଧା ନ ମିଳିଲେ ଚାଷୀ ନିରୁତ୍ସାହିତ ହୋଇ ସର୍ବନିମ୍ନ ସହାୟତା ମୂଲ୍ୟ ମିଳୁଥିବା ଧାନ ଓ ଅନ୍ୟ ଶସ୍ୟ କରିବେ। ଯଦି ଚାଷୀ ଉପଯୁକ୍ତ ବଜାର ପାଇପାରୁନାହିଁ ତା’ହେଲେ ସମସ୍ତ ଫସଲକୁ ସରକାର ଏମ୍‌ଏସ୍‌ପି ଅନ୍ତର୍ଭୁକ୍ତ କଲେ ଚାଷୀ କୃଷିବିବିଧତା ପ୍ରତି ଆଗ୍ରହ ପ୍ରକାଶ କରିବେ। ଏହା ସହ ଅଭାବୀ ବିକ୍ରିକୁ ରୋକିବା ପାଇଁ ଶୀତଳଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ଯୋଗାଇଦେବା ଉଚିତ।
ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରୁ ଆମ ରାଜ୍ୟର କୃଷିକୁ ରକ୍ଷା କରିବାର ମୁଖ୍ୟ ଉପାୟ ହେଉଛି କୃଷିବିବିଧତା ପଦ୍ଧତି। ଏହାଦ୍ୱାରା ଚାଷୀ ବନ୍ୟା, ବାତ୍ୟା, ମରୁଡି ଓ ରୋଗପୋକ ସଂକ୍ରମଣକୁ ସହଜରେ ଏଡାଇ ଦେଇପାରିବ। ଏଥି ସହ ଚାଷୀର ଆୟ ବୃଦ୍ଧି ଓ ଦାରିଦ୍ର୍ୟ ଦୂର ହେବ, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇପାରିବ।
ୟୁଜିସି ସିନିୟର ରିସର୍ଚ୍ଚ ଫେଲୋ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମୋ-୭୫୦୪୫୧୬୦୯୦


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?