ଜଗତେ କେବଳ…

ଡ.ପ୍ରଫୁଲ୍ଲ କୁମାର ସାହୁ

ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥୀ ପଣ୍ତିତ ଜବାହରଲାଲ ନେହେରୁ। କଂଗ୍ରେସର ଲକ୍ଷ୍ନୌ ଅଧିବେଶନ (୧୯୧୬)ରେ ଗାନ୍ଧିଜୀଙ୍କ ସହ ସାକ୍ଷାତ୍‌ ହେଲା ପରେ ଲୁହାକୁ ଚୁମ୍ବକ ଟାଣିଲା ପରି ତାଙ୍କୁ ଆକର୍ଷିତ କଲା ଗାନ୍ଧୀଙ୍କ ଅହିଂସା ନୀତି ଓ ଅସାଧାରଣ ବ୍ୟକ୍ତିତ୍ୱ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ସେ ଯେତିକି ପ୍ରଭାବିତ ହୋଇଥିଲେ, ଗାନ୍ଧିଜୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ତାଙ୍କ ତ୍ୟାଗ,ସାହସ ଓ ଦେଶପ୍ରେମ। ଇଂରେଜ ବିରୋଧରେ ଏକ ଲମ୍ବା ଲଢ଼େଇ ଲଢ଼ିବା ଅବସରରେ ଗାନ୍ଧିଜୀ ଜାତୀୟସ୍ତରର ବହୁ ନେତାଙ୍କ ଅନ୍ତନାଡ଼ିକୁ ଚିପିଥିଲେ ଏବଂ ବିଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା ନିରୀକ୍ଷା କରି ନେହେରୁଙ୍କ ଭିତରେ ଖୋଜି ପାଇଥିଲେ ଜଣେ ରାଷ୍ଟ୍ରନାୟକର ବିଚାର ତଥା ଜଣେ ବୀର ଯୋଦ୍ଧାର ଓଜ ଓ ତେଜ। ତାଙ୍କର ଦୃଢ଼ ବିଶ୍ବାସ ଥିଲା କେବଳ ଉଦାରବାଦୀ ନେତା ନେହେରୁଙ୍କ ହାତରେ ସୁରକ୍ଷିତ ରହିପାରିବ ଦେଶର ଭବିଷ୍ୟତ। ଏହାହିଁ ଥିଲା ନେହେରୁଙ୍କ ପ୍ରତି ତାଙ୍କର ଦୁର୍ବଳତା ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ବାଛିବାର ମୂଳାଧାର।
ପଣ୍ଡିତ ନେହେରୁ ଥିଲେ ନବ ଭାରତର ନିଆରା ବିନ୍ଧାଣି। ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମ୍ବିଧାନ କାର୍ଯ୍ୟକାରୀ ହେବାର ପ୍ରଥମ ସକାଳରୁ (୧୯୫୦)ଗଠନ କଲେ ଯୋଜନା ଆୟୋଗ। ଆରମ୍ଭ ହେଲା ପଞ୍ଚବାର୍ଷିକ ଯୋଜନା। କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଲା ଭାକ୍ରାନଙ୍ଗଲ, ହୀରାକୁଦ ଓ ନାଗାର୍ଜୁନ ସାଗର ନଦୀବନ୍ଧ ଯୋଜନା। କେବଳ କୃଷି ନୁହେଁ, ଶିଳ୍ପ, ବିଜ୍ଞାନ, କାରିଗରି କୌଶଳ ଓ ମାନବ ସମ୍ବଳ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆରମ୍ଭ ହେଲା ପ୍ରଗତିର ଯୁଗ।
କେମ୍ବ୍ରିଜ୍‌ରେ ଅଧ୍ୟୟନ ସମୟରୁ ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା ବର୍ଣ୍ଣାଡ୍‌ ଶ’ ଏବଂ ବର୍ଟାଣ୍ଡ ରସେଲ୍‌ଙ୍କ ସାମ୍ୟବାଦୀ ଚିନ୍ତାଧାରା। ସେଥିପାଇଁ ସେ ଜାତିପ୍ରଥାକୁ ଜାତୀୟ କଳଙ୍କ ବୋଲି କହୁଥିଲେ ଏବଂ ଦଳିତ ଓ ଅବହେଳିତଙ୍କ ଉନ୍ନତି ପାଇଁ ଆଣିଥିଲେ ସ୍ବତନ୍ତ୍ର ଆଇନ। ନେହେରୁ ଥିଲେ ନାରୀ ପ୍ରଗତିର ଜଣେ ପ୍ରମୁଖ ପୃଷ୍ଠପୋଷକ। ଶିକ୍ଷା, ନିଯୁକ୍ତି, ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଦି ବିଭିନ୍ନ କ୍ଷେତ୍ରରେ ନାରୀ ସଶକ୍ତୀକରଣ ପାଇଁ ସେ ପ୍ରଣୟନ କରିଛନ୍ତି ଅନେକ ଯୁଗାନ୍ତକାରୀ ଆଇନ। ଦେଶର ସକଳ ବିବିଧତା ମଧ୍ୟରେ ଥିବା ଏକତା ନେହେରୁଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା, ଯାହା ଫଳରେ ତାଙ୍କ ହୃଦୟକୁ କେବେ ସ୍ପର୍ଶ କରିପାରି ନଥିଲା ସାମ୍ପ୍ରଦାୟିକ ସଂକୀର୍ଣ୍ଣତା। ତାଙ୍କ ମତରେ ସାମ୍ପ୍ରଦାୟିକ ବିଦ୍ବେଷ ହେଉଛି ସାମୂହିକ ପ୍ରଗତିର ପ୍ରଧାନ ପ୍ରତିବନ୍ଧକ। ତେଣୁ ମନ୍ଦିର, ମସ୍‌ଜିଦ ବା ଗୁରୁଦ୍ୱାର ଗଢ଼ିବା ପରିବର୍ତ୍ତେ ସେ ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ ଆଇଆଇଟି, ଇସ୍ପାତ କାରଖାନା ଓ ନଦୀବନ୍ଧ ଯୋଜନା ଆଦି ଉପରେ।
ନେହେରୁ ଥିଲେ ଗଣତାନ୍ତ୍ରିକ ବିଚାରଧାରାର ଜଣେ ନିଷ୍ଠାପର ଉପାସକ। ସହଯୋଗୀ ହୁଅନ୍ତୁ କି ବିରୋଧୀ, ସମସ୍ତଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ଥିଲା ତାଙ୍କ ଚରିତ୍ରର ବିଶେଷତ୍ୱ। ନିଜର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବଳରେ ସେ କେବେ ଭିନ୍ନମତକୁ ଚାପି ଦେବାକୁ ଚାହୁଁ ନ ଥିଲେ, ବରଂ ବିରୋଧୀଙ୍କ ସମାଲୋଚନାକୁ ସ୍ବାଗତ କରୁଥିଲେ ଉଦାର ହୃଦୟରେ। ତାଙ୍କ ସମୟରେ ଶଙ୍କର ଉଇକିଲ ନାମରେ ଗୋଟିଏ ବ୍ୟଙ୍ଗ ଓ ସମାଲୋଚନାଧର୍ମୀ ପତ୍ରିକା ପ୍ରକାଶ ପାଉଥିଲା ଏବଂ ତା’ର ସଂପାଦକ ଥିଲେ ଭାରତର ପ୍ରସିଦ୍ଧ କାର୍ଟୁନିଷ୍ଟ ଶଙ୍କର। ପ୍ରାୟ ସବୁ ଦଳର ନେତାଙ୍କ ଛାତିରେ ଛନକା ସୃଷ୍ଟି କରୁଥିଲା ପ୍ରତ୍ୟୁତ୍ପନ୍ନମତି ଶଙ୍କରଙ୍କ ବ୍ୟଙ୍ଗ। ଅଥଚ ନେହେରୁ ତାଙ୍କୁ ଉତ୍ସାହିତ କରି କହୁଥିଲେ ମୋତେ ବି ଛାଡ଼ିବନି ଶଙ୍କର।
ପଣ୍ଡିତ ନେହେରୁ ଥିଲେ ଜଣେ ଆତ୍ମପ୍ରଚାର ବିମୁଖ ରାଜନେତା। ଆତ୍ମସ୍ବାର୍ଥ ନୁହେଁ, ମୂଲ୍ୟବୋଧ ପ୍ରତିଷ୍ଠା ଥିଲା ତାଙ୍କ ରାଜନୈତିକ ଆଦର୍ଶର ମୂଳକଥା। ପ୍ରଥମ ସାଧାରଣ ନିର୍ବାଚନ (୧୯୫୧)ରେ ସେ ଉତ୍ତର ପ୍ରଦେଶର ଫୁଲଝରି ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ୱିତା କରୁଥିଲେ ପ୍ରଭୁଦତ୍ତ ବ୍ରହ୍ମଚାରୀ। ପ୍ରଭୁଦତ୍ତ ଥିଲେ ମୌନବ୍ରତ ଧାରଣ କରିଥିବା ଜଣେ ଗୈରିକ ବସ୍ତ୍ରଧାରୀ ସନ୍ନ୍ୟାସୀ। ପ୍ରତିପକ୍ଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ନିଜ ନିର୍ବାଚନମଣ୍ଡଳୀରେ ଆଦୌ ପ୍ରଚାର କରି ନ ଥିଲେ ନେହେରୁ। ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ- ପ୍ରତିଦ୍ବନ୍ଦ୍ୱୀ ଯଦି ମୁହଁ ଖୋଲୁ ନାହାନ୍ତି, ତାଙ୍କ ବିରୋଧରେ ମୁଁ ପ୍ରଚାର କରିବି କାହିଁକି ? ଏଭଳି କରିବା ଦ୍ବାରା କେବେ ବି ତିଆରି ହୋଇ ପାରିବନି ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା।
ଦେଶ ଗଠନ କ୍ଷେତ୍ରରେ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ପରସ୍ପର ସହଯୋଗୀ ଓ ପରିପୂରକ। ଦୁଇ ନେତାଙ୍କ ମଧ୍ୟରେ କିଛି ବୈଚାରିକ ବିଭେଦ ସତ୍ତ୍ବେ ପରସ୍ପର ପ୍ରତି ଥିଲା ପ୍ରଚୁର ଶ୍ରଦ୍ଧା ଓ ସମ୍ମାନ। ଉଭୟ ନେତା କାନ୍ଧକୁ କାନ୍ଧ ମିଳାଇ ଦେଶ ସେବା କରିଛନ୍ତି ଓ ଉଭୟ ଉଭୟଙ୍କ ତ୍ୟାଗ ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଖୋଲା ମନରେ। ସର୍ଦ୍ଦାର ପଟେଲଙ୍କ ଭାଷାରେ ନେହେରୁ ହିଁ ଦେଶର ଆଦର୍ଶ ଓ ଜନଗଣଙ୍କ ନେତା, ଯାହାଙ୍କ ମହାନ୍‌ କୃତ୍ୱିତ ଓ ବିପୁଳ ସଫଳତା ଏକ ଖୋଲାବହି।
ରାଜନୀତି କ୍ଷେତ୍ରରେ ନେହେରୁ ଥିଲେ ଜଣେ ବିଶାଳ ହୃଦୟର ମଣିଷ। ଏ ସମ୍ପର୍କରେ ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ କଥାଶିଳ୍ପୀ ତଥା ସାଂସଦ ସୁରେନ୍ଦ୍ର ମହାନ୍ତି ଲେଖିଥିବା ଏକ ଘଟଣା ଏଠାରେ ଉଲ୍ଲେଖନୀୟ। ଆଇନ ମନ୍ତ୍ରୀ ଚାରୁଚଂଦ୍ର ବିଶ୍ବାସ ରାଜ୍ୟ ସଭାରେ ଆଗତ କରିଥିବା ହିନ୍ଦୁ ବିବାହ ବିଚ୍ଛେଦ ଆଇନର ଆଶୁ କାର୍ଯ୍ୟକାରିତା ଚାହୁଁଥିଲେ ପ୍ରଧାନମନ୍ତ୍ରୀ ନେହେରୁ। ମାତ୍ର ଯାଞ୍ଚ କମିଟିର ସଦସ୍ୟ ଭାବରେ ସୁରେନ୍ଦ୍ର ମହାନ୍ତି ବିଲ୍‌ଟିକୁ କିଛି କାଳ ଅଟକେଇ ରଖିଥିଲେ ନାନା ଯୁକ୍ତି, ବୈଧାନିକ ପ୍ରଶ୍ନ ଓ ପ୍ରତିବାଦ ଜରିଆରେ। ଏଥିରେ କ୍ଷୁବ୍ଧ ହୋଇ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତି କଟୁ ମନ୍ତବ୍ୟ ଦେବାକୁ ପଛେଇ ନ ଥିଲେ ପ୍ରଧାନମନ୍ତ୍ରୀ ନେହେରୁ। ମାତ୍ର ଏହାକୁ ନୀରବରେ ହଜମ କରିବା ଲୋକ ନ ଥିଲେ ସୁରେନ୍ଦ୍ର। ପ୍ରତିବାଦ ସ୍ବରୂପ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଗତ କଲେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ। ତାଙ୍କର ଏଭଳି ଦୁଃସାହସ ପାଇଁ ରାଜ୍ୟ ସଭାରେ ସୃଷ୍ଟିହେଲା ଏକ ଉତ୍କଣ୍ଠାମୟ ଉତ୍ତେଜନା। ପ୍ରସ୍ତାବ ଫେରାଇ ନେବା ପାଇଁ ତାଙ୍କ ଉପରେ ପଡ଼ିଲା ପ୍ରବଳ ଚାପ। ମାତ୍ର ଏକ ଅନମନୀୟ ଔଦ୍ଧତ୍ୟ ନେଇ ସେ ଅଟଳ ରହିଲେ ନିଜ ଜିଦ୍‌ରେ।
ଶେଷରେ ସବୁ ଉତ୍ତେଜନାର ଅବସାନ ଘଟିଲା ଗୃହରେ, ନେହେରୁ ଆପୋଲୋଜି ମାଗିଲା ପରେ। ତା’ପରଠୁ ସୁରେନ୍ଦ୍ରଙ୍କ ଆଖିରେ ବହୁ ଉଚ୍ଚକୁ ଚାଲିଯାଇଥିଲେ ନେହେରୁ। ଏ ସମ୍ପର୍କରେ ସେ କହିଛନ୍ତି- ପ୍ରଧାନମନ୍ତ୍ରୀ ନେହେରୁଙ୍କ ଗୋଟିଏ ଚୁଟ୍‌କିରେ କୁଆଡ଼େ ହଜିଯାଇଥାନ୍ତା ସୁରେନ୍ଦ୍ର ମହାନ୍ତି ରାଜନୈତିକ ସ୍ଥିତି। ମାତ୍ର ପ୍ରଧାନମନ୍ତ୍ରୀଙ୍କ ମହାନୁଭବତା ପାଖରେ ସେ ଖୋଜି ପାଇଲାନି ତା’ର ସ୍ବାଭିମାନର ଅସ୍ତିତ୍ୱ। ବାସ୍ତବରେ ବିଶାଳ ହୃଦୟ ଥିବା ବ୍ୟକ୍ତିମାନେ କାଳେ କାଳେ ଏମିତି। ବିଶିଷ୍ଟ ଐତିହାସିକ ମନ୍ମଥନାଥ ଦାସଙ୍କ ଭାଷାରେ, ପଣ୍ଡିତ ନେହେରୁଙ୍କ ଭଳି ମଣିଷମାନେ ଜନ୍ମ ନିଅନ୍ତି ନାହିଁ, ଅବତରୀ ଆସନ୍ତି ଦେଶ ଓ ଜାତିକୁ ଦିଗ୍‌ଦର୍ଶନ ଦେବାପାଇଁ।
କେବଳ ରାଜନୀତି ନୁହେଁ, କଳା, ସାହିତ୍ୟ, ଦର୍ଶନ, ଇତିହାସ, ପ୍ରକୃତି ପର୍ଯ୍ୟବେକ୍ଷକ ଓ ବୈଜ୍ଞାନିକ ଅନୁସନ୍ଧାନ ଆଦି ବିଭିନ୍ନ ବିନିମୟରେ ପାରଦର୍ଶିତା ରଖିଥିବା ନେହେରୁ ଥିଲେ ସମକାଳର ଜଣେ ବିଶିଷ୍ଟ ଲେଖକ। କାରାଗାରରେ ଲେଖାଯାଇଥିବା ତାଙ୍କର ଅଧିକାଂଶ ପୁସ୍ତକ ମଧ୍ୟରୁ ‘ଭାରତ ଆବିଷ୍କାର’ ଏକ ଯୁଗାନ୍ତକାରୀ ସୃଷ୍ଟି।
ଦେଶ ପାଇଁ ନେହେରୁଙ୍କର ସବୁଠାରୁ ବଳିଷ୍ଠ ଅବଦାନ ହେଉଛି ତାଙ୍କ ବୈଦେଶିକ ନୀତି। ଆନ୍ତର୍ଜାତିକ ବନ୍ଧୁତ୍ୱ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଗୁରୁତ୍ୱ ଦେଇ ସେ ଘୋଷଣା କରିଥିଲେ ପଞ୍ଚଶୀଳ ନୀତି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନିର୍ମାତା ଭାବରେ ସେ ବହୁ ଦେଶ ଭ୍ରମଣ କରିଛନ୍ତି ଏବଂ ସବୁଠି ପ୍ରଚାର କରିଛନ୍ତି ପ୍ରେମ ଓ ଶାନ୍ତିର ବାର୍ତ୍ତା। ମାତ୍ର ପଣ୍ଡିତ ନେହେରୁଙ୍କ ବୈଦେଶିକ ନୀତି ପୃଷ୍ଠଭୂମିରେ ଚାଇନାର ୧୯୫୪ ଚୁକ୍ତି ଉଲ୍ଲଙ୍ଘନ ଓ ଭାରତ ଆକ୍ରମଣ (୧୯୬୨) ଥିଲା ସ୍ବାଧୀନ ଭାରତ ପାଇଁ ଏକ ଅନ୍ଧକାରମୟ ମୁହୂର୍ତ୍ତ ଓ ନେହେରୁଙ୍କ ରାଜନୈତିକ ଜୀବନର ସବୁଠାରୁ ବିସ୍ମୟକର ଓ ଦୁଃଖଦାୟକ ଘଟଣା।
ସଂପ୍ରତି ଦେଶର ବିଭିନ୍ନ ସମସ୍ୟାକୁ ନେଇ ଆଜି ନେହେରୁଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଅନେକ ନେତା। ମାତ୍ର ପୂର୍ବଜଙ୍କୁ ଦୋଷାରୋପ କରିବା ପୂର୍ବରୁ ତତ୍କାଳୀନ ପରିସ୍ଥିତି ସମ୍ପର୍କରେ ଅବଗତ ହେବା ଜଣେ ପ୍ରକୃତ ରାଜନେତାର କର୍ତ୍ତବ୍ୟ। ସେମାନେ ଜାଣିବା ଦରକାର ଯେ, ସ୍ବାଧୀନତାର ବ୍ରାହ୍ମ ମୁହୂର୍ତ୍ତ ଥିଲା ଦେଶ ପାଇଁ ସବୁଠାରୁ ଅଶାନ୍ତ କାଳ। ଦେଶ ବିଭାଜନ ସହିତ ଆରମ୍ଭ ହୋଇ ଯାଇଥିଲା ବର୍ବରୋଚିତ ସାଂପ୍ରଦାୟିକ ହିଂସା। ପାକିସ୍ତାନ ଆଡୁ ଛୁଟି ଆସୁଥିଲା ଶରଣାର୍ଥୀଙ୍କ ସୁଅ। ଦେଶ ସାମ୍ନାରେ ଥିଲା ଲକ୍ଷ ଲକ୍ଷ ବାସହରାଙ୍କୁ ଥଇଥାନ କରିବାର ଆହ୍ବାନ। ସବୁଠାରୁ ଚିନ୍ତାଜନକ ଥିଲା ଦେଶର ଦୁର୍ବଳ ଆର୍ଥିକ ସ୍ଥିତି। ଏଭଳି ପ୍ରତିକୂଳ ପରିସ୍ଥିତିରେ ନେହେରୁଙ୍କ ରାଜନୈତିକ ପ୍ରତିବଦ୍ଧତା ତାଙ୍କୁ ରାଷ୍ଟ୍ର ନିର୍ମାଣରେ ଯେଉଁ ଉଚ୍ଚତା ଦେଇଥିଲା, ତାକୁ ବୋଧହୁଏ ମାପିବା ପାଇଁ ଆଦୌ ସମର୍ଥ ନୁହନ୍ତି ବର୍ତ୍ତମାନର ବୌଦ୍ଧିକ ବାମନମାନେ। ଏହି ପରିପ୍ରେକ୍ଷୀରେ ଶେଷ କଥାଟି ହେଉଛି ସ୍ବାଧୀନତା ସଂଗ୍ରାମରେ ଅବଦାନ, ପ୍ରଭାବ ଓ ଉତ୍କର୍ଷ ଦୃଷ୍ଟିରୁ ଯେଉଁ ମହାନ ଦେଶଭକ୍ତଙ୍କରଜ୍ୟଷ୍ଠତ୍ୱ ଓ ଶ୍ରେଷ୍ଠତ୍ୱ ପ୍ରାପ୍ୟ,ତାଙ୍କୁ ସେ ଦୃଶପଟରୁ ନିଶ୍ଚିହ୍ନ କରିବା କଣ ସମ୍ଭବ?ବରଂ ଏଭଳି ଅପଚେଷ୍ଟାର ପରିଣତି ହେବ ଅତ୍ୟନ୍ତ ହାସ୍ୟାସ୍ପଦ।କବିସୂର୍ଯ୍ୟଙ୍କ ଭାଷାରେ ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ।
ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,ପଡିଆବେଡା, ମୟୂରଭଞ୍ଜ, ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri