ଚାପମୁକ୍ତ ଶିକ୍ଷା ବ୍ୟବସ୍ଥା

ମମତା ଶୁକ୍ଳା
ପିଲାଙ୍କ ଉପରୁ ପାଠବୋଝ କମାଇବାକୁ ଓ ପିଲାଙ୍କୁ ଚାପମୁକ୍ତ କରିବାକୁ ଶିକ୍ଷାପ୍ରଣାଳୀରେ ସଂସ୍କାରମୂଳକ ପ୍ରୟୋଗମାନ କରାଯାଉଛି। ଶୈକ୍ଷିକ ଅନୁଷ୍ଠାନର ପରୀକ୍ଷାକୁ ଜୀବନର ଅନ୍ତିମ ପରୀକ୍ଷା ଭାବି ସେଥିରେ ଆଶାନୁରୂପ ଫଳ ନ ପାଇବା ଯୋଗୁଁ ଆତ୍ମହତ୍ୟା କରୁଥିବା କୋମଳମତିଙ୍କ ମନରୁ ଏପ୍ରକାର ଭୟ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଇ ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କୁ ସଚେତନ କରିବାର ପ୍ରୟାସ କରାଯାଉଛି। ସତରେ କ’ଣ କାହା ଉପରେ ଏସବୁର ପ୍ରଭାବ ଅନୁଭୂତ ହେଲାପରି ଜଣାପଡୁଛି?
ଦେଶର ଭବିଷ୍ୟତ ପିଢିଙ୍କୁ ଉପଯୁକ୍ତ ଶିକ୍ଷାପ୍ରାପ୍ତ କରାଇବା ନିମନ୍ତେ ଉଚ୍ଚଶିକ୍ଷିତ ଜ୍ଞାନୀଗୁଣୀମଣ୍ଡଳୀଙ୍କ ଦ୍ୱାରା ପ୍ରାଥମିକଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନର ପ୍ରତିଟି ବିଷୟରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଶିକ୍ଷାଦାନ ପାଇଁ ଅଟ୍ଟାଳିକା, ଶିକ୍ଷକ, ଅଧ୍ୟାପକ ଇତ୍ୟାଦିଙ୍କ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ତା’ ସତ୍ତ୍ୱେ ଦେଶର ସମସ୍ତ ଅଭିଭାବକଙ୍କର ନିଜ ସନ୍ତାନମାନଙ୍କୁ ଘରୋଇ ଟ୍ୟୁଶନ ଦେବାକୁ, ଅତ୍ୟୁଚ୍ଚ ମୂଲ୍ୟ ବିଶିଷ୍ଟ କୋଚିଂ ସେଣ୍ଟରରେ, ନାମଜାଦା, ପୁରାତନ ସରକାରୀ ଶିକ୍ଷାନୁଷ୍ଠାନକୁ ଛାଡି ଦାମୀ ଆବାସିକ ଅଥବା ବେସରକାରୀ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରାଇବାକୁ ଆଗ୍ରହ କାହିଁକି? ସରକାରୀ ଉଦାସୀନତା, ବେଖାପିଆ ଶିକ୍ଷାନୀତି, ପ୍ରତିବର୍ଷ ପିଲାଙ୍କ ଉପରେ ପରୀକ୍ଷଣ କରାଯାଉଥିବା ନୂତନ ପରୀକ୍ଷାନୀତି ଭଳି ସ୍ବସୃଷ୍ଟ ଅଗଣିତ ସମସ୍ୟା, ଆଦିଅନ୍ତ ମେଳ ଖାଉ ନ ଥିବା ଭୁଆଁବୁଲା ସମାଧାନର ପନ୍ଥାମାନ ଯେ ଏଥିପାଇଁ ଦାୟୀ ଏକଥା ସମସ୍ତେ ସ୍ବୀକାର କରିବେ।
ପୂର୍ବେ ଭାରତବର୍ଷରେ ଶ୍ରମ ବିଭାଜନ ବ୍ୟବସ୍ଥା ଅନୁସାରେ ବାପଅଜାଙ୍କଠାରୁ ଉତ୍ତରପିଢିଗଣ ନିଜ ନିଜ କୌଳିକ ବୃତ୍ତି ଆୟତ୍ତ କରିନେଉଥିଲେ। ଜୀବିକାର ଚାପ ତ ନ ଥିଲା ଆଦୌ। ବର୍ତ୍ତମାନ ପରିପ୍ରେକ୍ଷୀରେ ଜନସଂଖ୍ୟା ତୁଳନାରେ ଉକ୍ତ ବ୍ୟବସ୍ଥାରେ ନିଅଣ୍ଟିଆ ରୋଜଗାର, ତା’ଛଡା କୌଳିକ ବୃତ୍ତି ବ୍ୟତୀତ ଅନ୍ୟ ବୃତ୍ତିରେ ଆଗ୍ରହ ରଖୁଥିବା କିଛିଜଣଙ୍କ ପାଇଁ ତଥା ଅନ୍ୟକିଛି ଅସୁବିଧାର ଆବଶ୍ୟକ ସଂଶୋଧନ ପାଇଁ ବ୍ୟବସ୍ଥାରେ କିଛି ପରିବର୍ତ୍ତନର ପ୍ରୟୋଜନ ରହିଥାଇପାରେ। ମାତ୍ର ଉକ୍ତ ବ୍ୟବସ୍ଥାରେ ବେକାର ହୋଇ ଅନ୍ନଛତ୍ରରେ ହାତ ପତେଇବା, ସରକାରୀ ଭିକକୁ ହାତଟେକି ଅନାଇରହିବା, ମଦୁଆମାତାଲ ହୋଇ ଯେତେସବୁ ଅକର୍ମ କରିବାର ସୁଯୋଗ ନ ଥିଲା। ଲୁଣ, ଦିଆସିଲି, କିରୋସିନ ବ୍ୟତୀତ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଗ୍ରାମବାସୀମାନେ ସହର ବଜାର ଉପରେ ନିର୍ଭର କରୁ ନ ଥିଲେ। ପୂର୍ବୋକ୍ତ ବ୍ୟବସ୍ଥାରେ ଥିବା କିଛି ଗଳାବାଟର ସଂଶୋଧନ କରିବା ଆଳରେ ଏମିତି ପରିବର୍ତ୍ତନ ହୋଇଚାଲିଲା ଯେ ଆଜି ଆମେ କଞ୍ଚା ଲଙ୍କା ଓ ହଳଦୀ ଭଳି ଚିଜ ପାଇଁ ମଧ୍ୟ ବିଶ୍ୱବଜାର ଉପରେ ନିର୍ଭରଶୀଳ। ନା ବ୍ରାହ୍ମଣ ଆଜି ବ୍ରହ୍ମଜ୍ଞାନର ବ୍ୟାଖ୍ୟା କରିବାରେ ପାରଙ୍ଗମ ନା ମୋଚି ଜୋତା ତିଆରିରେ ଧୁରନ୍ଧର। କୋଣାର୍କ ପରି ବିଶ୍ୱପ୍ରସିଦ୍ଧ ଐତିହ୍ୟରେ ରଖାଯାଉଥିବା ସାଦାପଥର ସବୁ ତ ଆମ ଶିଳ୍ପୀଗଣଙ୍କର ଅଣକୁଶଳତାର ଜଳଜଳ ପ୍ରମାଣ। ସମସ୍ତେ ନିଜକୁ ବିଶ୍ୱ ଦରବାରରେ ସ୍ଥାନିତ କରିବାରେ ବ୍ୟଗ୍ର। ମାତ୍ର ବିଶ୍ୱକଲ୍ୟାଣ ସାଧନ କିମ୍ବା ‘ସର୍ବଜନହିତାୟ’ ସୂଚକ କୌଣସି ବୃତ୍ତିକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ଏପରି କି ସାରା ସଂସାରକୁ ଆହାର ଯୋଗାଣାର୍ଥେ ଉଦ୍ଦିଷ୍ଟ କୃଷି ଭଳି ଏକ ଉତ୍କୃଷ୍ଟ ବୃତ୍ତି ଆଜି ଋଣଯନ୍ତାର ଘେରରେ। ପ୍ରାଣିଜଗତକୁ ପୋଷଣ ଯୋଗାଉଥିବା ହାତ ଆଜି ନିଜେ ବିଷପାନ କରିବାକୁ, ବଳଦ ବେକର ପଘା ନିଜ ବେକରେ ଭିଡିବାକୁ ଉଦ୍ୟତ। ମାତ୍ରାଧିକ ଉଚ୍ଚାଭିଳାଷକୁ ସାକାର କରିବାର ଦୌଡରେ ପାଦତଳର ମାଟିକୁ ଧସେଇ ଦେବାର ଅପରିଣାମଦର୍ଶିତାର ପ୍ରଭାବରେ ପୂରା ବ୍ୟବସ୍ଥା ଜର୍ଜରିତ। ପିଲାଟିଏ ଯେତେବେଳେ ଦେଖେ ବିଲବାଡି, ତନ୍ତଶାଳ, କମାରଶାଳ, କୁମ୍ଭାରଶାଳ ଇତ୍ୟାଦିରେ ପୂରା ପରିବାର ସହିତ ଦିନରାତି ହାଡଭଙ୍ଗା ପରିଶ୍ରମକରି ବର୍ଷକରେ ଯାହା ରୋଜଗାର କରି ନ ହୁଏ; ଉପସ୍ଥାନ ଦେଇ ପାନଦୋକାନରେ ଖଟି କରି, ଶୀତତାପ ଅଥବା କୁଲର୍‌ ତଳେ ଚୌକି ଟେବୁଲ୍‌ ଉପରେ ବସି କିଛିି ଘଣ୍ଟା କଲମ ଚଲେଇ ମାସକରେ ତା’ଠାରୁ ଅଧିକ ରୋଜଗାର ହୋଇପାରୁଛି; ତା’ହେଲେ ସେ ତଥାକଥିତ ଉତ୍କୃଷ୍ଟ ଦିଗଟିକୁ ଅନୁସରଣ କରିବ ନିଶ୍ଚୟ। ବୁଝାପଡେନି ପ୍ରକୃତରେ ଏସବୁ ଶ୍ରମର ଅପମାନ ନା ତତ୍‌ସଂଲଗ୍ନ ବୁଦ୍ଧି, ଜ୍ଞାନ ଓ କଳାକୌଶଳର ଅପମାନ। ପରାଧୀନ ଦେଶର ଶାସକଗଣ ନିଜପାଇଁ ଗୁଡିଏ ବୋଲକରା ସୃଷ୍ଟି କରିବା ଲାଗି ଏବଂ ବାକି ଦେଶବାସୀଙ୍କୁ ଅକର୍ମା, ନିର୍ଭରଶୀଳ କରାଇବା ପାଇଁ ସମସ୍ତ କୌଳିକ କର୍ମ ଓ ଶ୍ରମ ବିଭାଜନ ବ୍ୟବସ୍ଥାକୁ ନିକୃଷ୍ଟ ବୋଲି ଧାରଣାର ଯେଉଁ ବୀଜଟିକୁ କୌଶଳ କରି ରୋପଣ କରିଦେଇ ଯାଇଥିଲେ ପିଢି ପିଢି ଧରି ପରିପୋଷିତ ହୋଇ ଆଜି ତାହା ବିରାଟଦ୍ରୁମ ରୂପେ ଆମ ମନରେ ଆସ୍ଥାନ ଜମେଇ ବସିଛି। କୌଣସି ସଂସ୍କାରକ ବା ସରକାର ସେଥିରେ ପରିବର୍ତ୍ତନ ଆଣିବାର ପ୍ରୟୋଜନୀୟତା ଅନୁଭବ କରୁନାହାନ୍ତି। ସ୍ବାର୍ଥକୈନ୍ଦ୍ରିକ ବୃତ୍ତିରେ ନିଜକୁ ନିୟୋଜିତ କରି ନିଜ ଓଜନଠୁ ଅଧିକା ଓଜନର ଧନ ଉପାର୍ଜନ କରିବା ଯେ କେବଳ ଶ୍ରେଷ୍ଠତାର ପରିଚୟ ବୋଲି ପ୍ରଦର୍ଶିତ ବିଜ୍ଞାପନ ସବୁ ପରିପକ୍ୱ ଅଭିଭାବକଙ୍କ ମତିଭ୍ରମ କରାଏ ଓ ତା’ର ପ୍ରଭାବ ଭୋଗକରନ୍ତି ପିଲାମାନେ। ବୁଦ୍ଧି ପ୍ରୟୋଗକରି କଳେବଳେକୌଶଳେ ନିଜକୁ ସରକାରୀ ଚାକିରିରେ ପୂରାଇଥିବା ଲୋକ ଏବଂ କାଇଦାରେ ଚଞ୍ଚକତା କରିପାରୁଥିବା ଲୋକ ବ୍ୟତୀତ ଆଜିକାଲି ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ କେହି ନିଜ କୌଳିକ ବୃତ୍ତିରେ ସ୍ବଚ୍ଛଳ ନୁହନ୍ତି କିମ୍ବା ନିଜ ରୋଜଗାରରେ ସନ୍ତୁଷ୍ଟ ନୁହନ୍ତି। ଉତ୍ତରପିଢି ପ୍ରେରଣା ପାଇବେ କାହାଠୁ? ଅନୁସରଣ କରିବେ କାହାକୁ? କୌଳିକ ବୃତ୍ତି ଅଳ୍ପ କିଛି ଅନାଗ୍ରହୀଙ୍କ ପାଇଁ ହୁଏତ ବାଧ୍ୟବାଧକତା ହୋଇଥାଇପାରେ, ମାତ୍ର ଏବର ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ହାତଗଣତି ଶ୍ରେଷ୍ଠ ବିବେଚିତ ହୋଇଗଲା ପରେ ଅବଶିଷ୍ଟ ହେଲେ ଅଯୋଗ୍ୟ। କାରଣ ଲକ୍ଷାଧିକଙ୍କ ପାଇଁ ଏକାପ୍ରକାର ଯୋଗ୍ୟତା ବିଶିଷ୍ଟ କର୍ମସଂସ୍ଥାନ ସୃଷ୍ଟି ସମ୍ଭବ ନୁହେଁ। ପରିପୂର୍ଣ୍ଣ ଶିକ୍ଷାର୍ଜନର ତଥାକଥିତ ଅସଫଳତା ଓ ତଜ୍ଜନିତ ଭବିଷ୍ୟତର ଅନିଶ୍ଚିତତା ଉଭୟକୁ ନେଇ ପିଲାଏ ଚାପମୁକ୍ତ ହେବେ କିପରି? ଆମ ଉତ୍ତର ପିଢି ଆଜି ଶୋଚନୀୟଭାବେ ଶୈକ୍ଷିକ ଅତ୍ୟାଚାରର ଶିକାର ଏକଥା ଆମେ କେବେ ହୃଦୟଙ୍ଗମ କରିବା?
ଗୋପବନ୍ଧୁ ଛକ, ବୁର୍ଲା, ମୋ-୯୪୩୯୪୯୬୨୮୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?