ଘରମୁହାଁ ଧାଡ଼ି

ତଥାଗତ ସତପଥୀ

ଜର୍ମାନ ଦାର୍ଶନିକ ତଥା ଅର୍ଥନୀତିଜ୍ଞ କାର୍ଲ ମାର୍କସ ସମାଜରେ ମଣିଷକୁ ଦୁଇ ଶ୍ରେଣୀରେ ଭାଗ କରିଦେଇଥିଲେ। ଗୋଟେ ପୁଞ୍ଜିପତି ଓ ଅନ୍ୟଟି ସର୍ବହରା ବା ଖଟିଖିଆ। ଖଟିଖିଆଙ୍କ ଶ୍ରମ ଉପରେ ପୁଞ୍ଜିପତିମାନେ ଅୟସ କରିଆସୁଥିବା ବିଷୟ ପିଲାଟିବେଳୁ ପଢ଼ିଆସିଛୁ। ଶ୍ରମିକ ନିର୍ଯାତନା, ଦାସତ୍ୱ ପ୍ରଥାଠାରୁ ଆରମ୍ଭକରି ଶ୍ରେଣୀବିହୀନ ସମାଜ ଗଠନ ନେଇ ଅନେକ ଚିନ୍ତାନାୟକ ସେମାନଙ୍କ ମତ ଦେଇଆସିଛନ୍ତି। ଅବଶ୍ୟ ଆଜିର ଭାରତରେ ଗରିବ ସପକ୍ଷବାଦୀ ଚିନ୍ତାଧାରାକୁ ‘ବାମପନ୍ଥୀ’ ଭାବେ ଦର୍ଶାଯାଇ ଅସ୍ପୃଶ୍ୟ କରିଦିଆଯାଇଛି।
ସୂକ୍ଷ୍ମ ସ୍ତରରେ ଦେଖିଲେ ସେହି ଦୁଇଟି ବର୍ଗ ସର୍ବଦା ଦୃଷ୍ଟିଗୋଚର ହୋଇଥାଏ। ଏବେ କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଜନସଂଖ୍ୟାବହୁଳ ଭାରତ ମାନବ ସମ୍ବଳ ପାଇଁ ଗର୍ବ କରୁଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହି ସମ୍ବଳ ତା’ ପାଇଁ ବୋଝ ପାଲଟିଯାଇଥିବା ଭଳି ଦର୍ଶାଯାଉଛି। ପାଖାପାଖି ଦୁଇ ମାସ ଦେଶ ଲକ୍‌ଡାଉନ୍‌ ଅବସ୍ଥାରେ ଥିବାରୁ କଳକାରଖାନାଠୁ କର୍ପୋରେଟ୍‌ ଅଫିସ୍‌ ଯାଏ ସବୁଆଡ଼େ ତାଲା ପଡ଼ିଯାଇଛି। କୃଷି ଶ୍ରମିକଙ୍କୁ ଛାଡ଼ିଦେଲେ ସହର କିମ୍ବା ନଗରାଞ୍ଚଳରେ ଶ୍ରମିକ ଓ ଖଟିଖିଆମାନେ ଶିଳ୍ପ ପାଇଁ ବିରାଟବଡ଼ ପୁଞ୍ଜି ରହିଆସିଛନ୍ତି। ଶ୍ରମଭିତ୍ତିକ ଶିଳ୍ପ ଶ୍ରମିକଙ୍କ ପାଇଁ ତିଷ୍ଠି ରହିଥାଏ। ଆଜି ସେହି ଶ୍ରମିକମାନେ ଗାଁ ମୁହାଁ ହୋଇଯାଇଛନ୍ତି। ତାଲାବନ୍ଦ ଯୋଗୁ ସେମାନେ ଖାଇବାକୁ ନ ପାଇବାରୁ ନିଜ ଜନ୍ମସ୍ଥାନକୁ ଯିବାପାଇଁ ବିକଳ ହୋଇଛନ୍ତି। ଗାଁରେ ସହରର ସବୁ ସୁବିଧା ନ ମିଳିଲେ ମଧ୍ୟ କିଛି ଖାଇ ବଞ୍ଚିଯିବେ ବୋଲି ଧରି ନେଇଛନ୍ତି। ବର୍ତ୍ତମାନ ଟ୍ରେନ୍‌ ଓ ବସ୍‌ରେ ଶ୍ରମିକ ବୁହାହୋଇ ଗାଁକୁ ଫେରୁଥିବା ଦୃଶ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି। ଦୁଃଖର ବିଷୟ ଯେ ପିଲାଛୁଆଙ୍କୁ ଧରି ଚାଲିଚାଲି ଆସୁଥିବା ଶ୍ରମିକଙ୍କ ମଧ୍ୟରୁ କେତେ ଜଣ ରାସ୍ତାରେ ପଡ଼ି ମରିଯାଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ଶ୍ରମିକମାନେ ତାଲାବନ୍ଦ ସମୟରେ ଯେଉଁ ଦୁଃଖ ପାଇଛନ୍ତି, ସେମାନେ ସହରକୁ ତତ୍‌କ୍ଷଣାତ୍‌ ଫେରିଯିବେ ବୋଲି ଆଶା କରାଯାଉ ନାହିଁ।
ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ ନିୟମ କୋହଳ ହୋଇଥିବାରୁ କେତେକ ସ୍ଥାନରେ କାରଖାନା କାର୍ଯ୍ୟକ୍ଷମ ହେଲାଣି। ପୁଞ୍ଜିପତିମାନେ ବୁଝିଲେଣି ଶିଳ୍ପସଂସ୍ଥା ଚଳେଇବାକୁ ହେଲେ ଶ୍ରମିକଙ୍କ ଯୋଗଦାନ ନିତାନ୍ତ ଆବଶ୍ୟକ। ଏଠାରେ ବେଙ୍ଗାଲୁରୁ ଉଦାହରଣ ଦିଆଯାଇପାରେ। ଗଣମାଧ୍ୟମରୁ ଜଣାପଡ଼ିଛି, ଶିଳ୍ପପତିଙ୍କ ଚାପର ବଶବର୍ତ୍ତୀ ହୋଇ କର୍ନାଟକ ସରକାର ଏବେ ଅନେକ ହଜାର ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରୁ ଡକାଇଆଣି ଶିଳ୍ପ ଆରମ୍ଭ କରିବାକୁ ଯୋଜନା କଲେଣି। ଶିଳ୍ପ ତଥା ବାଣିଜି୍ୟକ ସଂସ୍ଥାଗୁଡ଼ିକ ଶ୍ରମିକଭର୍ତ୍ତି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରୁଛନ୍ତି ଯେ, ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆ ନ ଯାଉ। ଭୟ ସୃଷ୍ଟି ହୋଇଛି ଯେ, ନିଜ ପୈତୃକ ଅଞ୍ଚଳକୁ ଚାଲିଯାଉଥିବା ଶ୍ରମିକମାନେ କାଳେ ଅତି ଶୀଘ୍ର କାର୍ଯ୍ୟସ୍ଥଳୀକୁ ଫେରି ନ ପାରନ୍ତି। ଅବଶ୍ୟ ଶିଳ୍ପପତିମାନଙ୍କ ଆଶଙ୍କା ଅମୂଳକ ନୁହେଁ। ଯେଉଁଭଳି ଭାବେ ଶ୍ରମିକମାନେ ଭୋକଉପାସରେ ପଡ଼ି ହନ୍ତସନ୍ତ ହୋଇଛନ୍ତି, ସେମାନେ ଗାଁରେ ଶାଗଭାତ ପଛେ ଖାଇବେ, ସମ୍ଭବତଃ କାର୍ଯ୍ୟସ୍ଥଳୀକୁ ଫେରି ନ ପାରନ୍ତି। ଯେଉଁ ପୁଞ୍ଜିପତିମାନେ ଏଭଳି ଆଶଙ୍କାରେ ବର୍ତ୍ତମାନ ବୁଡ଼ିଯାଇଛନ୍ତି, ସେମାନେ ଶ୍ରମିକମାନଙ୍କ ଦୁଃଖକୁ ବୁଝିପାରିଥିଲେ ଆଜି ପରିସ୍ଥିତି ଏତେ ଶୋଚନୀୟ ହୋଇ ନ ଥାଆନ୍ତା।
ବର୍ତ୍ତମାନ ପରିପ୍ରେକ୍ଷୀରେ ଶିଳ୍ପ ଓ ଶ୍ରମିକଙ୍କ ପାଇଁ ବିକଳ୍ପ ଖୋଜିବା ଲୋଡ଼ା ପଡ଼ିଲାଣି। ଗ୍ରାମାଞ୍ଚଳରେ ଚାଷ ବ୍ୟତୀତ ଅର୍ଥ ରୋଜଗାରର ବିକଳ୍ପ ପନ୍ଥା ନ ଥିବାରୁ ତନ୍ମଧ୍ୟରୁ କିଛି ଶିଳ୍ପାଞ୍ଚଳକୁ ଫେରିବାକୁ ବାଧ୍ୟ ହୋଇପାରନ୍ତି। ପ୍ରଶ୍ନ ଉଠୁଛି ଗାଁକୁ ପଳାଇ ଆସିଥିବା ବହୁସଂଖ୍ୟକ ଶ୍ରମିକଙ୍କ ଅନୁପସ୍ଥିତିରେ କଳକାରଖାନାଗୁଡ଼ିକ ଆରମ୍ଭ ହେବ କିପରି। ସେଗୁଡ଼ିକ ରୁଗ୍‌ଣ ହୋଇଗଲେ ମାଲିକମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବା ସ୍ବାଭାବିକ। ତେଣୁ ଯଦି ପୁଞ୍ଜିପତିମାନେ ନିଜ ଘର ପାଖରେ ଶିଳ୍ପ ସ୍ଥାପନ କରିବା ପରିବର୍ତ୍ତେ ଶ୍ରମଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ଗାଁମୁହାଁ ହୁଅନ୍ତେ, ସମସ୍ୟା କେତେକାଂଶରେ ସମାଧାନ ହେଇପାରେ। ଏହି ପରିପ୍ରେକ୍ଷୀରେ ଦୃଷ୍ଟାନ୍ତ ଦିଆଯାଇପାରେ ଯେ, ପରିବେଶକୁ ଧ୍ୱଂସ କରି ପ୍ରାକୃତିକ ସମ୍ବଳରେ ଭରପୂର ଜଙ୍ଗଲ, ପାହାଡ଼ି ଇଲାକା ଓ ଗ୍ରାମାଞ୍ଚଳରେ ଶିଳ୍ପପତିମାନେ ସେମାନଙ୍କ କାରଖାନା ବସାଇପାରୁଛନ୍ତି। ତେଣୁ ଶ୍ରମିକଭର୍ତ୍ତି ଅଞ୍ଚଳକୁ ଯାଇ ଶ୍ରମକୁ ଭିତ୍ତିଭୂମିର ଏକ ଅଙ୍ଗ ଭାବେ ବିବେଚନା କରି ଶିଳ୍ପ ପ୍ରତିଷ୍ଠା କରାଯାଇପାରିଲେ, ସେମାନଙ୍କୁ ଶସ୍ତାରେ ଶ୍ରମଶକ୍ତି ମିଳିପାରନ୍ତା ଓ ଖଟିଖିଆମାନେ ଗାଁ ପାଖରେ ରହି କାମ ପାଇପାରନ୍ତେ। ଭାରତବର୍ଷର ପ୍ରବାସୀ ଶ୍ରମିକଙ୍କ ଚିତ୍ର ଦେଖିଲେ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରୁ ଅସଂଖ୍ୟ ଶ୍ରମିକ ଦେଶର ବିଭିନ୍ନ ଭାଗରେ ଖଟିବାକୁ ଯାଇଥାଆନ୍ତି। ଯଦି ସେହିସବୁ ରାଜ୍ୟକୁ ଏହି ଶ୍ରମିକମାନେ କାର୍ଯ୍ୟ କରୁଥିବା ଶିଳ୍ପଗୁଡ଼ିକ ସ୍ଥାନାନ୍ତରିତ ହୋଇପାରନ୍ତା, ତେବେ ଏକ ଦୀର୍ଘମିଆଦୀ ପରିବର୍ତ୍ତନ ଘଟିବାର ସମ୍ଭାବନା ସୃଷ୍ଟି ହୁଅନ୍ତା। ଏହା ସ୍ବୀକାରଯୋଗ୍ୟ ଯେ, ମନଇଚ୍ଛା ଏଠାକୁ ସେଠାକୁ ଶିଳ୍ପ ଉଠାଇ ନିଆଯାଇ ପାରେନାହିଁ। ତେବେ ଆଧୁନିକ ଭାରତର ପରିସ୍ଥିତିକୁ ଦେଖିଲେ ଶିଳ୍ପନୀତିରେ ଅନେକ ପରିବର୍ତ୍ତନ ଆବଶ୍ୟକ କରୁଛି। ବିଦ୍ୟୁତ୍‌ ଶକ୍ତି, ଯୋଗାଯୋଗ, ଜଳ, କଞ୍ଚାମାଲ, ଭିତ୍ତିଭୂମି ଆଦି ଶିଳ୍ପ ପାଇଁ ଯେଉଁଭଳି ଜରୁରୀ, ସେଭଳି ଶ୍ରମକୁ ଏକ ଭିତ୍ତିଭୂମି ବା କଞ୍ଚାମାଲ ଭାବେ ହିସାବକୁ ନିଆଯିବା ଦରକାର। ଯଦି ତାହା ଏବେ ଆରମ୍ଭ କରାଯିବ, ତେବେ ଏହାର ପ୍ରଭାବ ପଡ଼ିବା ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇପାରେ। ଯୁକ୍ତି କରାଯାଇ ପାରେ ଯେ, ବିହାର ଏବଂ ଓଡ଼ିଶା ଭଳି ରାଜ୍ୟରେ ଶିଳ୍ପ ସଂସ୍କୃତିର ଅଭାବ ଥିବାରୁ ଏସବୁ ରାଜ୍ୟକୁ କେହି ଶିଳ୍ପପତି ଆସିବାକୁ ଚାହୁଁ ନାହାନ୍ତି। ସେଭଳି ମାପକାଠିରେ ଦେଖିଲେ ମହାରାଷ୍ଟ୍ର, ଗୁଜରାଟ ଭଳି ରାଜ୍ୟରେ ମଧ୍ୟ ଶିଳ୍ପ ସଂସ୍କୃତି କିଛି ଦଶନ୍ଧି ପୂର୍ବରୁ ନ ଥିଲା। ସେଠାରେ ଦତ୍ତା ସାମନ୍ତ ବା ବାଲା ସାହେବ ଠାକ୍‌ରେଙ୍କ ଭଳି ନେତା ଅତ୍ୟନ୍ତ ଶିଳ୍ପ ବିରୋଧୀ ଏବଂ ଶ୍ରମିକ ସପକ୍ଷବାଦୀ ଦର୍ଶାଇ ନିଜର ପତିଆରା ଜାହିର କରିଥିଲେ। କେତୋଟି ଦଶନ୍ଧି ମଧ୍ୟରେ ସେଭଳି ନେତୃତ୍ୱର ଅବସାନ ଘଟିବା ସହିତ ଶିଳ୍ପ ସଂସ୍କୃତିର ଶକ୍ତିଶାଳୀ ମୂଳଦୁଆ ପଡ଼ିପାରିଲା। ଆଜି ଯଦି ଓଡ଼ିଶା କିମ୍ବା ବିହାରକୁ ଶିଳ୍ପପତି ଭୟ କରୁଛନ୍ତି ତାହା କେବଳ ନିଜର ସୁବିଧା ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ହୋଇଥାଇପାରେ ବୋଲି ମନେହେଉଛି।
ଶେଷରେ, ଓଡ଼ିଶାର ଭବିଷ୍ୟତ ଭିନ୍ନ ଭାବେ ଦେଖିବା ଦରକାର। ମନେପଡୁଛି କିଛିବର୍ଷ ପୂର୍ବେ ପଶ୍ଚିମବଙ୍ଗରୁ ଆଳୁ ନ ଆସିବା ଫଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଆଳୁ ଉତ୍ପାଦନ ପାଇଁ ବାର୍ତ୍ତା ଦେଲେ। ସେହିବର୍ଷ ଓଡ଼ିଶାରେ ନାହିଁ ନ ଥିବା ଆଳୁ ଉତ୍ପାଦନ ହେଲା। କିନ୍ତୁ ଶୀତଳଭଣ୍ଡାର ଅଭାବ ଯୋଗୁ ଚାଷୀ ଉତ୍ପାଦକୁ ସାଇତି ରଖି ନ ପାରିବାରୁ ପ୍ରବଳ କ୍ଷତି ସହିଲେ। ଏହାର ଅର୍ଥ ହେଲା ଓଡ଼ିଶାରେ ଶିଳ୍ପ ପରିବର୍ତ୍ତେ , ଯଦି ଆଧୁନିକ କୃଷିପ୍ରଣାଳୀ ଏବଂ ତା’ର ଆନୁଷଙ୍ଗିକ ଭିତ୍ତିଭୂମି ଯଥା- ଜମି ବନ୍ଦୋବସ୍ତ, ଶୀତଳଭଣ୍ଡାର, ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ଚାଷ ସମ୍ପୃକ୍ତ ମେଶିନର ସୁଯୋଗ ସୃଷ୍ଟି କରାଯାଇପାରନ୍ତା, ତେବେ ଅଧିକାଂଶ କୃଷିକାର୍ଯ୍ୟରେ ନିୟୋଜିତ ହୋଇ ଧନ ଉପାର୍ଜନ ସହିତ ଘରେ ରହିବାକୁ ପସନ୍ଦ କରନ୍ତେ। ଆଜି ଭଳି ପ୍ରବାସୀ ଶ୍ରମିକ ସମସ୍ୟା ଓଡ଼ିଶା ପାଇଁ ଘଟନ୍ତା ନାହିଁ। ଏଥିପାଇଁ ପଞ୍ଜାବ ଏକ ଭଲ ଦୃଷ୍ଟାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri