ଗାନ୍ଧିଜୀ ଓ ମଦମୁକ୍ତ ସମାଜର ସ୍ବପ୍ନ

ଡ. ପ୍ରଫୁଲ୍ଲ କୁମାର ସାହୁ

ମହାତ୍ମା ଗାନ୍ଧୀ କେବଳ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନୁହନ୍ତି, ଅଧିକନ୍ତୁ ସେ ଥିଲେ ଜଣେ ଶ୍ରେଷ୍ଠ ସଂସ୍କାରକ ଓ ଦିଗ୍‌ଦର୍ଶକ। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ନିଶାମୁକ୍ତ ଭାରତବର୍ଷ ଗଠନ ଥିଲା ତାଙ୍କର ସ୍ବପ୍ନ। ସେଥିପାଇଁ ତାଙ୍କ ଅଠରଦଫା ରଚନାମତ୍କ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଲାଭ କରିଥିଲା ନିଶା ନିବାରଣ। ଯେଉଁ ଗାନ୍ଧିଜୀ ନିଶା ନିବାରଣ ପାଇଁ ଦେଶରେ ଏତେବଡ଼ ଆନ୍ଦୋଳନ କଲେ, ସ୍ବାଧୀନତା ପରେ ତାଙ୍କରି ନାମ ଉଚ୍ଚାରଣ କରି କ୍ଷମତାର ଡୋରି ଧରିଥିବା ନେତାମାନଙ୍କ ସ୍ବାର୍ଥପରତା ପାଇଁ ନିଶା ନିବାରଣ ଆଇନ ଶୀତଳ ଭଣ୍ଡାରକୁ ଯିବା ସହିତ ଏକ ଭୋଟ୍‌କିଣା ତନ୍ତ୍ରରେ ପରିଣତ ହୋଇଗଲା ଆମ ଗଣତନ୍ତ୍ର। କେବଳ ଅର୍ଥ ନୁହେଁ, ଲୋକଙ୍କୁ ମଦ ପିଆଇ ହାସଲ କରାଗଲା ଭୋଟ୍‌। ତେଣୁ ରାଜନୈତିକ ଦଳଗୁଡ଼ିକର ନିର୍ବାଚନ ଇସ୍ତାହାରରେ ଆଉ ସ୍ଥାନ ପାଇଲାନାହିଁ ନିଶା ନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅର୍ଥାତ୍‌ ଆମ ଗଣତନ୍ତ୍ର ଯେତେ ପରିପକ୍ୱ ହେଲା, ସେତେ ପ୍ରାସଙ୍ଗିକତା ହରେଇ ବସିଲା ଗାନ୍ଧୀ ବିଚାର। ଏକଦା ମଦକୁ ଏକ ଅଭିଶପ୍ତ ପାନୀୟ ଭାବୁଥିଲେ ଓଡ଼ିଶାର ଲୋକେ। ମହାଭାରତର ଆଖ୍ୟାନ ଅନୁସାରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ମଦ୍ୟପାନଜନିତ ମସ୍ତବଡ଼ ଭୁଲ୍‌ କରିଥିବାରୁ ନିଜକୁ ଧିକ୍କାର କରିବା ସହିତ ମଦକୁ ଅଭିଶାପ ଦେଇ କହିଥିଲେ ଯିଏ ମଦ ପିଇବ, ସମାଜ ଆଖିରେ ସେ ହେବ ଏକ ନିନ୍ଦିତ ପ୍ରାଣୀ। ବାସ୍ତବରେ ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ପର୍ଯ୍ୟନ୍ତ ଆମ ରାଜ୍ୟରେ ମୁଷ୍ଟିମେୟ ସଂଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ, ବଡ଼ ବଡ଼ ଅଫିସର ଓ ଅପରାଧୀଙ୍କୁ ବାଦ୍‌ ଦେଲେ ମଦର ପ୍ରସାର ନ ଥିଲା କହିଲେ ଚଳେ। ଏପରି କି କେହି ମଦ ପିଉଛି ବୋଲି ଜଣାପଡ଼ିଲେ ଲୋକଟା ବରବାଦ୍‌ ହୋଇଗଲା ବୋଲି କହି ସମାଜ ତାକୁ ଘୃଣା କରୁଥିଲା ଏବଂ ଏହି କାରଣରୁ କିଛି ଲୋକଙ୍କୁ ବାହାହେବା ପାଇଁ କନିଆଁ ମିଳୁ ନ ଥିଲା ସେତେବେଳେ। ଲୋକେ ମଦ ପିଉ ନ ଥିଲେ ସତ; କିନ୍ତୁ ପାନ, ଗୁଡ଼ାଖୁ, ବିଡ଼ି, ତାଡ଼ି, ଭାଙ୍ଗ, ଗଞ୍ଜେଇ ଆଦି ନିଶା ପ୍ରତି ଆସକ୍ତ ଥିଲେ, ଯାହାକୁ ଆମ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ ବୋଲି ଚିହ୍ନଟ କରିଥିଲେ ଗାନ୍ଧିଜୀ। ତାହାକୁ ଦୃଷ୍ଟିରେ ରଖି ୧୯୫୬ ମସିହାରେ ଆମ ରାଜ୍ୟର ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୟନ ହୋଇଥିଲା ନିଶା ନିବାରଣ ଆଇନ। ମାତ୍ର ସେ ଆଇନକୁ କାର୍ଯ୍ୟକାରୀ କରିବାକୁ ଦିଆଗଲା ନାହିଁ ପରବର୍ତ୍ତୀ ସମୟରେ। ଗାନ୍ଧିଜୀ କହୁଥିଲେ, ଦେଶ ସ୍ବାଧୀନ ହେବାର ୨୪ଘଣ୍ଟା ମଧ୍ୟରେ ନିଶା ନିବାରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ମାତ୍ର ସ୍ବାଧୀନତାର ୭୦ବର୍ଷ ପରେ ଓଡ଼ିଶା ଭଳି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟର ଯୁବକଠାରୁ ବୁଢ଼ା ଯାଏ ଅନେକଙ୍କ ହାତରେ ଏବେ ମଦବୋତଲ।
ଲୋକଙ୍କୁ ସ୍ବାବଲମ୍ବନଶୀଳ କରିବା ପାଇଁ ଗାନ୍ଧିଜୀ ଚାହୁଁଥିଲେ କୁଟୀରଶିଳ୍ପର ବିକାଶ। ଅର୍ଥାତ୍‌ ସମସ୍ତଙ୍କ ହାତକୁ କାମ ଯୋଗାଇବା ଥିଲା ଗାନ୍ଧୀ ଅର୍ଥନୀତିର ମୂଳକଥା। ମାତ୍ର ଗାନ୍ଧୀ ଅର୍ଥନୀତିକୁ ଅବଜ୍ଞା କରି ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଛି ଭଳିକି ଭଳି ମାଗଣାଖିଆ ଯୋଜନା। ଜାତୀୟ ଜୀବନରେ ସ୍ବଚ୍ଛତା ଆଣିବା ପାଇଁ ଗାନ୍ଧିଜୀ ଚାହୁଁଥିଲେ ସମ୍ପୂର୍ଣ୍ଣ ନିଶା ନିବାରଣ। ମାତ୍ର ରାଜସ୍ବ ଆୟ ବଢ଼େଇବା ଲକ୍ଷ୍ୟରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ଗୁରୁତ୍ୱପୂର୍ଣ୍ଣ ସୁପାରିସ (୧୯୬୨)କୁ ଉପେକ୍ଷା କରି ମଦର ବ୍ୟାପକ ପ୍ରସାରକୁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ଭାବରେ ଗ୍ରହଣ କରିନେଇଛନ୍ତି ରାଜ୍ୟ ସରକାର। ତେଣୁ ପରିବର୍ତ୍ତିତ ଅବକାରୀ ଆଇନ ଅନୁସାରେ କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି ଖୋଲିଲାଣି ପର୍ଯ୍ୟାପ୍ତ ମଦ ଦୋକାନ। ଏଥିସହିତ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକିବା ପାଇଁ ଦୋକାନୀକୁ ଚୁକ୍ତିବଦ୍ଧ କରାଯାଉଛି ଏବଂ ଅଗ୍ରଣୀ ବିକ୍ରେତାଙ୍କ ପାଇଁ ରଖାଯାଇଛି ପୁରସ୍କାର ବ୍ୟବସ୍ଥା। ଏଥିରେ ଉତ୍ସାହିତ ହୋଇ ସ୍ବୀକୃତିପ୍ରାପ୍ତ ଦୋକାନୀମାନେ ସାହିବସ୍ତିରେ ଥିବା ଛୋଟ ଛୋଟ ପାନ ଓ ତେଜରାତି ଦୋକାନର ସହାୟତା ଲୋଡୁଛନ୍ତି, ଯାହାଫଳରେ ଗଳିକନ୍ଦିର ଅଧିକାଂଶ ଦୋକାନରେ ଏବେ ଉପଲବ୍ଧ ହେଉଛି ମଦ। ମଦର ବ୍ୟାପକ ପ୍ରସାର ଯୋଗୁ ବଢୁଥିବା ରାଜସ୍ବ ଆୟକୁ ନେଇ ସରକାର ଉଲ୍ଲସିତ ହେବା ସହିତ ଘୋଷଣା କରି ଚାଲିଛନ୍ତି ନୂଆ ନୂଆ କଲ୍ୟାଣକାରୀ ଯୋଜନା। ସେପଟେ ହାତ ପାହାନ୍ତାରେ ମଦ ଉପଲବ୍ଧ ହେବା ଫଳରେ ବଦଳିଚାଲିଛି ଆମ ସାମାଜିକ ଓ ସାଂସ୍କୃତିକ ଜୀବନଧାରା। ଗାନ୍ଧିଜୀ କହୁଥିଲେ, ନିଶାର ବ୍ୟାପକ ପ୍ରସାର ହେଲେ ବିଗିଡ଼ିଯିବ ଦେଶର ମୌଳିକ ବ୍ୟବସ୍ଥା। ହୁଗୁଳା ହୋଇଯିବ ସାମାଜିକ ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧ। ବାସ୍ତବରେ ତାହା ହିଁ ଦେଖିବାକୁ ମିଳୁଛି ଆମ ସମାଜ ଜୀବନରେ। ପର୍ବପର୍ବାଣି ହେଉ କି ବାହାଘର ଭୋଜି, ପ୍ରଥମେ ଦରକାର ହେଉଛି ମଦ। ବାହାଘର ଶୋଭାଯାତ୍ରାରେ ଆଗେ ପୁରୁଷମାନେ ନାଚୁଥିଲେ, ଏବେ ମହିଳାମାନେ ନିଶାସକ୍ତ ହୋଇ ନାଚିଲେଣି ମଝିରାସ୍ତାରେ। ମଜୁରି ସହିତ ମଦ ପିଇବାକୁ ନ ଦେଲେ ଆଉ କ୍ଷେତରେ କାମ କରିବାକୁ ରାଜି ହେଉ ନାହାନ୍ତି କୃଷି ଶ୍ରମିକ। ଶବସଂସ୍କାର ବେଳେ ବି ମଦପାଇଁ ଅଡ଼ି ବସୁଛନ୍ତି ସାହିଭାଇ। ବୋଲବମ୍‌ ଭକ୍ତମାନେ ଶୈବପୀଠରେ ପହଞ୍ଚି ଖୋଜିଲେଣି ମଦଦୋକାନ। ଆରମ୍ଭ ହୋଇଗଲାଣି ବାପା ପୁଅ ସାଙ୍ଗରେ ବସି ମଦ ପିଇବା ପରମ୍ପରା।
ଅର୍ଥାତ୍‌ ନିଶା ଏବେ ଆମକୁ ଏମିତି ଗ୍ରାସିଛି ଯେ ତା’ର ପ୍ରଭାବରେ ସମାଜର ପ୍ରତିଷ୍ଠିତ ମୂଲ୍ୟବୋଧ, ଶୃଙ୍ଖଳା ଓ ନିରାପତ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସଡ଼କ ସୁରକ୍ଷା ସପ୍ତାହ ପାଳନ ବେଳେ କୁହାଯାଉଛି ଆମ ରାଜ୍ୟରେ ଯେତେ ଦୁର୍ଘଟଣା ଘଟୁଛି ତା’ର ୬୦ ପ୍ରତିଶତ ଦୁର୍ଘଟଣାର କାରଣ ହେଉଛି ମଦଜନିତ ନିଶା। ଗଣମାଧ୍ୟମରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ରାଜ୍ୟରେ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରେ ନିଶାଡ଼ିଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ। ନିୟମିତ ମଦ ପିଇବା କାରଣରୁ ମଧୁମେହ, କର୍କଟ ଓ ଯକୃତ ରୋଗରେ ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଶହ ଶହ ଲୋକ। ଏଥିପାଇଁ କେତେ ମାଆର କୋଳ ଖାଲି ହୋଇଯାଉଛି, କେତେ ଶିଶୁ ବାପଛେଉଣ୍ଡ ହେଉଛନ୍ତି ଓ କେତେ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି ସେ ହିସାବ ରଖିନାହାନ୍ତି ସରକାର। ମଦ କିଣୁଥିବା ଶତକଡ଼ା ୩୨ ଭାଗ ଲୋକଙ୍କ ବୟସ ୧୪ରୁ ୨୫ ମଧ୍ୟରେ ଏବଂ ସେମାନଙ୍କ ଭିତରୁ ୪୨ ପ୍ରତିଶତ ହେଉଛନ୍ତି ଛାତ୍ର। ଅର୍ଥାତ୍‌ ମଦର ପ୍ରସାର ଯୋଗୁ ପଥଭ୍ରଷ୍ଟ ହେଉଛି ଆମ ଭବିଷ୍ୟତ ପିଢ଼ି।
ସରକାରଙ୍କ ଯୁକ୍ତି ଅନୁସାରେ ମଦ୍ୟପାନ ସବୁକାଳରେ ଥିଲା ଓ ରହିବ। ସେଥିରେ କଟକଣା କଲେ ଚୋରା ମଦ କାରବାର ବଢ଼ିବ ଓ ରାଜସ୍ବ କ୍ଷତି ସହିବେ ସରକାର। ସରକାର କହୁଛନ୍ତି ମଦ ପିଇବା ବ୍ୟକ୍ତିଗତ ଅଧିକାର। ତାହା ସତ ହୋଇପାରେ, ମାତ୍ର ଜଣେ ମଦ ପିଇ ପରିବାରର ଅନ୍ୟମାନଙ୍କ ଉପରେ ଅତ୍ୟାଚାର କରିବ କେଉଁ ଅଧିକାର ବଳରେ? ଘରେ ନିତ୍ୟ ଅଶାନ୍ତି ସୃଷ୍ଟି କରୁଥିବା ମଦୁଆ ବାପର ଆଚରଣ ପିଲାମାନଙ୍କ ଉପରେ ଯେଉଁ କୁପ୍ରଭାବ ପକାଉଛି ସେ କ୍ଷତିକୁ ସରକାର ମାପିବେ କେଉଁ ମାପକାଠିରେ? ସରକାର ଏ କଥା ବି ଜାଣି ରଖିବା ଉଚିତ ଖାଦ୍ୟ ସୁରକ୍ଷା ଆଇନ ବଳରେ ଲୋକଙ୍କ ପାଖକୁ ଯେଉଁ ଟଙ୍କିକିଆ ଚାଉଳ ଯାଉଛି, ତା’ର ଏକ ବଡ଼ ଅଂଶ ଖର୍ଚ୍ଚ ହେଉଛି ମଦକିଣାରେ। ସମାଜ ବିଜ୍ଞାନୀମାନେ କହନ୍ତି ଦାରିଦ୍ର୍ୟ ଓ ଅସାମାଜିକ କାର୍ଯ୍ୟ ସହ ମଦର ସମ୍ପର୍କ ଅତି ନିବିଡ଼। ତେଣୁ ସରକାର କ’ଣ ଚାହାନ୍ତି? ଜନତାଙ୍କ ମଙ୍ଗଳ ନା ଅନ୍ୟକିଛି?
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତିର ବିସଙ୍ଗତି ଓ ପରିଣାମ

ଶକ୍ତି ରଞ୍ଜନ ଦାଶ   ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ପରିସ୍ଥିତି ଯଦି ନିରୀକ୍ଷଣ କରିବା ତାହା ଅତ୍ୟନ୍ତ ଦୟନୀୟ ପରିସ୍ଥିରେ ଗତି କରୁଛି। ଋଣଗ୍ରସ୍ତ...

ସମସ୍ତଙ୍କୁ ପରୀକ୍ଷା

ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ଯୁଦ୍ଧରେ ମୁଖ୍ୟତଃ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପ୍ରତିବର୍ଷ ୟୁକ୍ରେନ୍‌ ସମେତ ଅନ୍ୟ ଦେଶକୁ ଭାରତୀୟ...

ଗିଲ୍‌ଗିଟ-ବଲ୍‌ତିସ୍ତାନର ଗୁରୁତ୍ୱ

ଡ. ବାଞ୍ଛାନିଧି ପଣ୍ଡା ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ...

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର...

ଲକ୍‌ଡାଉନର ସାମୟିକ ପ୍ରଭାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ...

ଅଯଥା ନୁହେଁ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ

ବିଚିତ୍ର ବିଶ୍ୱାଳ କିଛିଦିନ ତଳେ ବହୁଳ ପ୍ରଚାରିତ ଏକ ଖବର ଅନୁସାରେ ଜାପାନ ସରକାର ଜଣେ ମାତ୍ର ଯାତ୍ରୀ ପାଇଁ ଗୋଟିଏ ଟ୍ରେନ୍‌କୁ ଏକ ନିର୍ଦ୍ଦିଷ୍ଟ...

ବେକାରି ହ୍ରାସ କରିବ ପୋଷାକ ଶିଳ୍ପ

ନଟବର ଖୁଣ୍ଟିଆ   ଓଡ଼ିଶାରେ ଆଜି ଯେପରି ବେକାରି ବୃଦ୍ଧି ପାଇବାରେ ଲାଗିଛି ଆଉ ଲକ୍ଷ ଲକ୍ଷ ଯୁବତୀଯୁବକ ରାଜ୍ୟରେ କାମଧନ୍ଦା ନ ପାଇ ଅନ୍ୟ...

ବିଦ୍ୟାଳୟ ସୁରକ୍ଷା

ଅରୁଣ ଦାସ ଦିନକୁ ଦିନ ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢୁଛି। ଶିକ୍ଷାଦାନ ପଦ୍ଧତିଠାରୁ ଆରମ୍ଭ କରି ସ୍କୁଲ ସେଫ୍ଟି ବ୍ୟବସ୍ଥା ଯାହା ହେଇଥାଉ ନା କାହିଁକି...

Advertisement
Archives

Model This Week