ବଦଳାଇବାକୁ ହେବ ସ୍ବାସ୍ଥ୍ୟସେବାର ଚିତ୍ର

ଅରୁଣ ଦାସ

ସେଦିନ ମାଉସୀଙ୍କୁ ଭୀଷଣ ଜ୍ୱର ହୋଇଥିବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ। ଡାକ୍ତର କିଛି ଔଷଧ ଲେଖିଦେବା ସହ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ କହିଲେ। ସେତେବେଳେ ସନ୍ଧ୍ୟା ହୋଇ ସାରିଥିବାରୁ ଆମେ ଘରକୁ ଫେରି ଆସିଥିଲୁ ଏବଂ ତା’ ପରଦିନ ସକାଳ ସାତଟା ତିରିଶ ମିନିଟରେ ପୁଣିଥରେ ପହଞ୍ଚିଥିଲୁ ରକ୍ତ ଓ ପରିସ୍ରା ପରୀକ୍ଷା ପାଇଁ। ପ୍ରଥମେ ଟୋକନ ଆଣିବା ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଲା। ପାଖାପାଖି ଏକଘଣ୍ଟା ପରେ ଆମକୁ ଟୋକନ ମିଳିଲା। ତା’ ପରେ ଯାଇ ପହଞ୍ଚିଲୁ ରକ୍ତ ପରୀକ୍ଷା କେନ୍ଦ୍ରରେ। ସେଠାରେ କାର୍ଯ୍ୟରତ ଦରଓ୍ବାନ ଆମଠାରୁ ଟୋକନ ନେଇ କହିଲେ ଯାଆନ୍ତୁ ଦୁଇଘଣ୍ଟା ପରେ ଆସିବେ। ମାଉସୀ ସେତେବେଳକୁ ଜ୍ୱରରେ ବ୍ୟତିବ୍ୟସ୍ତ ହେଉଥାଏ। ଦୁଇଘଣ୍ଟା ପରେ ଆସିଲାରୁ ସେମାନେ ରକ୍ତ ସଂଗ୍ରହ କରି ଚଉଦ ନମ୍ବର ରୁମ୍‌ରେ ଦାଖଲ କରିବା ପାଇଁ କହିଲେ। ତା’ ପରେ ଚଉଦ ନମ୍ବର ରୁମ୍‌ ପାଖକୁ ଗଲାବେଳକୁ ସେଠାରେ ମଧ୍ୟ ଲମ୍ବା ଧାଡି। ଶେଷରେ ଚଉଦ ନମ୍ବରରେ ଦାଖଲ କଲାବେଳକୁ ସେଠାରେ ଥିବା କର୍ମଚାରୀ କହିଲେ, ଯାଆନ୍ତୁ ରିପୋର୍ଟ ଆସି ଅପରାହ୍ଣ ଚାରିଟାରୁ ଛଅଟା ଭିତରେ ନେଇଯିବେ। ଭାରାକ୍ରାନ୍ତ ହୋଇ ଘରକୁ ଫେରିବା ବେଳେ ସାମାନ୍ୟ ଏହି ପରୀକ୍ଷାରେ କେମିତି ଆମର ଗୋଟାଏ ଦିନ ଚାଲିଗଲା ସେଇ କଥା ଖାଲି ମୋ ମନକୁ ଆନ୍ଦୋଳିତ କରୁଥାଏ।
ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତିଟି ମଣିଷକୁ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଦିଆଯାଇଛି। ସେହିପରି ଜାତିସଂଘର ଧାରା ୨୫ ଅନୁଯାୟୀ ପୃଥିବୀର ପ୍ରତିଟି ମଣିଷ ତା’ ପରିବାର ସହ ଆବଶ୍ୟକତା ଅନୁସାରେ ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ୟସେବା ସହ ବିଭିନ୍ନ ସାମାଜିକ ସେବା ପାଇବାର ଅଧିକାରରୁ କେବେ ବି ବଞ୍ଚିତ ହେବନାହିଁ ବୋଲି ୧୯୪୮ ମସିହା ବିଶ୍ୱ ମାନବିକ ଅଧିକାର ଘୋଷଣାନାମାରେ ଆଲୋଚନା କରାଯାଇଛି। ଏହାର ମାତ୍ର ଦୁଇବର୍ଷ ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପ୍ରତିଷ୍ଠା ହୋଇ ସମଗ୍ର ବିଶ୍ୱ ସ୍ବାସ୍ଥ୍ୟସେବାର ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବାର ଆଭିମୁଖ୍ୟ ପୋଷଣ କରିଥିଲା। ଏସବୁ ପରେ ଏବେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରତିଟି ରାଜ୍ୟର ପ୍ରାଥମିକ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରଗୁଡିକରେ ନ୍ୟାଶ୍‌ନାଲ ହେଲ୍‌ଥ ମିଶନ, ଆୟୁଷ୍ମାନ ଭାରତ ଓ ନ୍ୟାଶ୍‌ନାଲ ମେଣ୍ଟାଲ ହେଲ୍‌ଥ କାର୍ଯ୍ୟକ୍ରମମାନ ଉପଲବ୍ଧ ହୋଇ ଆସୁଛି। ନିରାମୟ ଆଦି ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି।
ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରୋଗୀମାନଙ୍କ ପାଇଁ ଚବିଶ ଘଣ୍ଟିଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥା ଓ ଏନ୍‌ଜିଓ ମାଧ୍ୟମରେ ସହରଠୁ ଆରମ୍ଭ କରି ଅପହଞ୍ଚ ଗାଁଗଣ୍ଡାରେ ଯାଇ ସ୍ବାସ୍ଥ୍ୟଭିତ୍ତିକ ଜନସଚେତନତା କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଛି। ତେଣୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ସ୍ମାର୍ଟ ନୁହେଁ ବୋଲି କହିହେବ କି? ଅଥଚ ଖୋଦ୍‌ ରାଜଧାନୀର ମୁଖ୍ୟ ସରକାରୀ ଚିକିତ୍ସାଳୟରେ ସାମାନ୍ୟ ରକ୍ତ ଓ ପରିସ୍ରା ପରୀକ୍ଷା ନିମନ୍ତେ ଜଣେ ସାଧାରଣ ଲୋକକୁ ଗୋଟିଏ ଦିନ ସମୟ ଦେବାକୁ ପଡୁଛି। ମେଡିକାଲ ପରିସରରେ ପ୍ରତିଟି ସରଞ୍ଜାମ ମହଜୁଦ ରହିବାଟା ବଡ଼ କଥା ନୁହେଁ। ବରଂ ଏହା କେତେ ଅଧିକ ପରିମାଣରେ ରହୁଛି ଓ ଏହାକୁ ନେଇ ଲୋକ କେତେ କମ୍‌ ସମୟ ଭିତରେ ନିଜର ସୁବିଧା ହାସଲ କରି ପାରୁଛନ୍ତି ତାହା ହିଁ ହେଉଛି ଆମ ପାଇଁ ବଡ ସଫଳତା। ଯଦି ଏଇ ରକ୍ତ ଓ ପରିସ୍ରା ପରୀକ୍ଷା କେନ୍ଦ୍ରଗୁଡିକ ଗୋଟିଏ ସ୍ଥାନରେ ନ କରି ମେଡିକାଲ ପରିସରର ବିଭିନ୍ନ ସ୍ଥାନରେ କରାଯାଆନ୍ତା ତେବେ ଲୋକମାନେ ସାରା ଦିନ ଧାଡି ଲଗେଇବାରୁ ରକ୍ଷା ପାଇବା ସହ ତ୍ୱରିତ ଚିକିତ୍ସାର ଲାଭ ଉଠେଇ ପାରନ୍ତେ।
ଏହାଛଡା ଆଉଟ୍‌ଡୋରରୁ ଟିକେଟ ଖଣ୍ଡେ ଆଣିବା ପାଇଁ ମଧ୍ୟ ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ଛିଡା ହେବା ପାଇଁ ପଡୁଛି। ସଙ୍କଟାପନ୍ନ ରୋଗୀମାନେ ତତକ୍ଷଣାତ୍‌ ଚିକିତ୍ସା ସେବା ଚାହୁଁଥିବା ବେଳେ ଧାଡିରେ ବିଳମ୍ବ ହେତୁ ମୃତ୍ୟୁମୁଖରେ ପଡୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ମଧ୍ୟ ସମଦଶା। କାରଣ ଏସବୁ ସହରର ମୁଖ୍ୟ ଚିକିତ୍ସାଳୟ ଏବଂ ଏହା ଉପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ହଜାର ହଜାର ରୋଗୀ ନିର୍ଭର କରି ଆସୁଛନ୍ତି। କେବଳ ଏକମାତ୍ର ବିକଳ୍ପ ହେଉଛି ଅଧିକ ସଂଖ୍ୟାରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରିବା ସହ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା। ତା’ହେଲେ ଲୋକମାନେ ପୂର୍ବପେକ୍ଷା ଅଧିକ ଶୀଘ୍ର ଚିକିତ୍ସା ପାଇ ଆଶ୍ୱସ୍ତି ଲାଭ କରନ୍ତେ। ସେହିପରି ଅଧିକ ସଂଖ୍ୟାରେ ଟିକେଟ କାଉଣ୍ଟର ଖୋଲାଗଲେ ରୋଗୀମାନେ ଆଉ ବିଳମ୍ବଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତେ ନାହିଁ। ଆମେ ଏହି ମୌଳିକ ସମସ୍ୟାଗୁଡିକର ସମାଧାନ କରିବା ଉଚିତ। କାରଣ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ସହଜ ବ୍ୟାପାର ନୁହେଁ। ଏବେ ବି କିଛି ଅଞ୍ଚଳରେ ଗର୍ଭବତୀ ମହିଳାମାନେ ଭାର ସାହାଯ୍ୟରେ ନଦୀ ଉପରେ ହୋଇଥିବା ବାଉଁଶ ପୋଲକୁ ପାର ହୋଇ ଅନେକ ଲମ୍ବା ରାସ୍ତା ଅତିକ୍ରମ କରି ମେଡିକାଲ ଆସିବାର ଚିତ୍ର ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ତେଣୁ ଆମକୁ ଆଗାମୀ ଦିନରେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ସମ୍ପୂର୍ଣ୍ଣ ନ ବଦଳାଇଲେ ମଧ୍ୟ କିଛି ମାତ୍ରାରେ ବଦଳାଇବାକୁ ହେବ। ଆଗାମୀ ଦିନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ପ୍ରଶାସନ ତରଫରୁ ବିହିତ ନିରାକରଣର ପଦକ୍ଷେପମାନ ଗ୍ରହଣ କରିବାକୁ ହେବ। ତେବେ ଯାଇ ବ୍ୟବସ୍ଥା ସୁଧୁରିବ।
ପତରପଡା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri