Posted inଜାତୀୟ

ଖ୍ୟାତି ଆଣି ଦେଇଥିଲା ହାଇପ୍ରୋଫାଇଲ ମାମଲା

ନୂଆଦିଲ୍ଲୀ,୯ା୯ : ୯୬ତମ ଜନ୍ମଦିନ ପାଳନର ମାତ୍ର ୬ ଦିନ ପୂର୍ବରୁ ଖ୍ୟାତନାମା ଆଇନଜୀବୀ ରାମ ଜେଠମାଲାନିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଦେଶର ଅନ୍ୟତମ ସର୍ବାଧିକ ପାଉଣା ନେଉଥିବା ଆଇନଜୀବୀ ଏବଂ କେନ୍ଦ୍ରରେ ଆଇନ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ। ସେ ଭାରତର ବାର୍‌ କାଉନସିଲ୍‌ ସଭାପତି ମଧ୍ୟ ରହିଥିଲେ।
୧୯୨୩ ସେପ୍ଟେମ୍ବର ୧୪ରେ ସିନ୍ଧ୍‌ରେ ଜନ୍ମିତ ଜେଠମାଲାନି ମାତ୍ର ୧୭ ବର୍ଷ ବୟସରେ ଆଇନ ଡିଗ୍ରୀ ହାସଲ କରି ଦେଶ ବିଭାଜନ ପର୍ଯ୍ୟନ୍ତ କରାଚୀରେ ଆଇନ ବ୍ୟବସାୟ କରୁଥିଲେ। ସେ ବହୁ ବଡ଼ ମାମଲାରେ ଆଇନ ଖିଲାପକାରୀଙ୍କ ସପକ୍ଷରେ ଲଢ଼ି ଖବରକାଗଜର ଶିରୋନାମା ମଣ୍ଡନ କରିଥିଲେ। ଶ୍ରେଷ୍ଠ ଫୌଜଦାରି ଓକିଲ ଭାବେ ସେ ଦେଶର ବହୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ପାଇଁ ମାମଲା ଲଢ଼ିଛନ୍ତି। ଅଦାଲତ ପ୍ରକୋଷ୍ଠରେ ସାକ୍ଷୀଙ୍କୁ ଗୁଡେଇତୁଡେଇ ପ୍ରଶ୍ନ କରିବା କୌଶଳ ପାଇଁ ସେ ଜଣାଶୁଣା ଥିଲେ।
ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ମାମଲା ଲଢ଼ୁଥିଲେ ଜେଠମାଲାନି। ଏହା ବ୍ୟତୀତ ବହୁଚର୍ଚ୍ଚିତ ଜେସିକା ଲାଲ୍‌ ହତ୍ୟା ମାମଲାରେ ମନୁ ଶର୍ମାଙ୍କର ଓକିଲ ଥିଲେ ସେ। ବହୁକୋଟି ଟଙ୍କାର ଶେୟାର ବଜାର ଦୁର୍ନୀତି ମାମଲାରେ ସେ ହର୍ଷଦ ମେହେଟ୍ଟା ଏବଂ କେତନ ପାରେଖଙ୍କ ପାଇଁ ମାମଲା ଲଢ଼ିଥିଲେ।
କରାଚୀ ଦଙ୍ଗା ପରେ ୧୯୪୮ ଫେବୃୟାରୀରେ ଜେଠମାଲାନି ଭାରତ ଆସି ବମ୍ବେ ହାଇକୋର୍ଟରେ ସେ ତତ୍କାଳୀନ ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦ୍ୱାରା ଗୃହୀତ ଆଇନ ବିରୋଧରେ ଲଢ଼ି ଜିତିଥିଲେ। ୧୯୬୨ରେ ନାନାବତୀ ମାମଲା ତାଙ୍କ ଜୀବନର ମୋଡ଼ ବଦଳାଇଦେଇଥିଲା। ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ହୋଇଥିଲା, ଯେଉଁଥିରେ ନୌସେନା କମାଣ୍ଡର କେ.ଏମ୍‌ ନାନାବତୀ ସମ୍ପୃକ୍ତ ଥିଲେ। ନୌସେନା କମାଣ୍ଡର ସ୍ତ୍ରୀଙ୍କ ପ୍ରେମିକ ଆହୁଜାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ରାୟକୁ ନେଇ ପାର୍ସୀ ଓ ସିନ୍ଧି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ଭାଇ ହତ୍ୟାକୁ ଭୁଲିଯିବା ପାଇଁ ମାମି ଆହୁଜାଙ୍କୁ ବୁଝାଇବାରେ ଜେଠମାଲାନି ସକ୍ଷମ ହୋଇଥିଲେ। ଭାଇର ହତ୍ୟାକାରୀଙ୍କୁ କ୍ଷମା ଦେବାପାଇଁ ମାମି କୋର୍ଟଙ୍କୁ ପତ୍ର ଲେଖିଥିଲେ।
୧୯୭୫ ଜୁନ୍‌ ୨୫ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଜାରି କରିଥିଲେ। ସେତେବେଳେ ଶହ ଶହ ରାଜନେତା ଓ ଖବରଦାତାଙ୍କୁ ଜେଲ ପଠାଯାଇଥିଲା କିମ୍ବା ଗୃହବନ୍ଦୀ କରାଯାଇଥିଲା। ଶାନ୍ତି ଭୂଷଣଙ୍କ ନେତୃତ୍ୱରେ ୧୨ ଆଇନଜୀବୀ ବେଆଇନ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜେଠମାଲାନି। ଜରୁରୀ ପରସ୍ଥିତି ବେଳେ ଜୀବନ ଧାରଣ ଅଧିକାର ଭଳି ମୌଳିକ ଅଧିକାର ଉଚ୍ଛେଦ କରିବା ଅଧିକାର ସରକାରଙ୍କର ଅଛି କି ବୋଲି ସେ ସର୍ବୋଚ୍ଚ ଅଦାଲତରେ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ବି ୫ ଜଣିଆ ଖଣ୍ଡପୀଠର ଜଣେ ବିଚାରପତି ଏହା ବିରୋଧରେ ମତ ଦେଇଥିଲେ।
ଇନ୍ଦିରା ଗାନ୍ଧୀ ହତ୍ୟା ମାମଲାରେ ଅଭିଯୁକ୍ତ ବଲବୀର ସିଂ ଓ ଖେହର ସିଂଙ୍କ ପାଇଁ ଜେଠମାଲାନି ମାମଲା ଲଢ଼ିଥିଲେ। ତେବେ ସେ ଅଙ୍ଗରକ୍ଷୀ ଖେହର ସିଂଙ୍କୁ ମୃତ୍ୟୁଦଣ୍ଡରୁ ବଞ୍ଚାଇପାରି ନ ଥିଲେ। ସେହିପରି ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରେ ୨୩ ବର୍ଷ କଟାଇସାରିଥିବାରୁ ଏଲ୍‌ଟିଟିଇ କର୍ମୀ ମୁରୁଗାନଙ୍କ ମୃତ୍ୟୁଦଣ୍ଡ କୋହଳ କରିବା ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଜେଠମାଲାନି।
ହର୍ଷଦ ମେହେଟ୍ଟା ଷ୍ଟକ୍‌ ମାର୍କେଟ ଦୁର୍ନୀତି ମାମଲାରେ ମେହେଟ୍ଟା ପରିବାର ପାଇଁ ଜେଠମାଲାନି ମକଦ୍ଦମା ଲଢ଼ିଥିଲେ। ଏହା ବ୍ୟତୀତ ଅନେକ ହାଇପ୍ରୋଫାଇଲ ମାମଲା ଯଥା ୨୦୦୧ ପାର୍ଲାମେଣ୍ଟ ଭବନ ଆକ୍ରମଣ, ଜେସିକା ଲାଲ୍‌ ହତ୍ୟା ମାମଲାରେ ମନୁ ଶର୍ମାଙ୍କ ପାଇଁ, ହାଓ୍ବଲା ମାମଲାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାଇଁ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟଲଲିଥାଙ୍କ ପାଇଁ ଏହି ବରିଷ୍ଠ ଆଇନଜୀବୀ ଲଢ଼ିଥିଲେ। ସେହିପରି ୨ଜି ଦୁର୍ନୀତି ମାମଲାରେ କାନିମୋଝିଙ୍କ ପାଇଁ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପାଇଁ ଏବଂ ଖଣି ଦୁର୍ନୀତି ମାମଲାରେ ବି.ଏସ୍‌. ୟେଦୁରପ୍ପାଙ୍କ ଓକିଲ ଥିଲେ ଜେଠମାଲାନି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା...

ହାଇକୋର୍ଟର ୨୪ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ୍‌ର ସୁପାରିସ

ନୂଆଦିଲ୍ଲୀ,୧୩।୮(ପି.ଟି.): ଗୁଜରାଟ ହାଇକୋର୍ଟ ବିଚାରପତି ହେମନ୍ତ ଏମ୍‌. ପ୍ରଚ୍ଛକଙ୍କ ସମେତ ବିଭିନ୍ନ ହାଇକୋର୍ଟର ମୋଟ ୨୪ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର...

କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ହତ୍ୟାକାରୀ ନିହତ

ନୂଆଦିଲ୍ଲୀ,୨୪ ।୯: ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ...

ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ...

ଗେହଲଟ୍‌ଙ୍କ ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌: ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ

ଜୟପୁର,୨୪।୨: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି। ରାଜ୍ୟରେ କୋବିଡ୍‌ ମୁକାବିଲା ପାଇଁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଣ୍ଟିତ କରାଯାଇଛି।...

ଜୈଶ୍‌ ଟାର୍ଗେଟ୍‌ରେ ମୋଦି

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଲାଗି ଯୋଜନା କରିଛନ୍ତି। ଆସନ୍ତା ୨୨ରେ ମୋଦି ରାମଲୀଳା ମଇଦାନରେ ଭାଜପାର ଏକ...

କଂଗ୍ରେସର ବିକଳ୍ପ ହେବ କି ଆମ୍‌ ଆଦମୀ ପାର୍ଟି, କେଜ୍‌ରିଓ୍ବାଲ ଦେଲେ ଜବାବ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ କ୍ୟାମ୍ପ୍‌ ମୁହାଁମୁହିଁ ହୋଇଛି। ଗେହଲଟ କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ...

ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ଲକ୍ଷ୍ନୌ ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା। ଷ୍ଟେଶନରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଇ ରେଲଓ୍ବେ ଅଧିକାରୀ ଏଭଳି ନିଷ୍ପତ୍ତି...

Advertisement
Archives

Model This Week