ଖାପ୍‌ ପଞ୍ଚାୟତ ଓ ପୋଲିସ ସଂସ୍କାର

ଯୁଧିଷ୍ଠିର ମହାରଣା

 

ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ ଘୃଣ୍ୟ ଜାତିପ୍ରଥା ହୁଏତ ଅନେକାଂଶରେ ଦାୟୀ, କିନ୍ତୁ ଏହା ବାଦ୍‌ ଆହୁରି କେତେକ କାରଣ ମଧ୍ୟ ରହିଛି। ସେଗୁଡିକ ହେଲା ଭାରତୀୟ ସମାଜର ସାମନ୍ତବାଦୀ ସଂରଚନା, ମନରେ ବଦ୍ଧମୂଳ ହୋଇ ରହିଥିବା ଘୃଣା ବା ଅସହିଷ୍ଣୁତା ଏବଂ ପିତୃକୈନ୍ଦ୍ରିକ ମନୋବୃତ୍ତି ଏପରି କି‘ଅନର କିଲିଂ’ ବା ‘ପରିବାରର ମାନ ଇଜ୍ଜତ ରକ୍ଷା କରିବା ପାଇଁ ହତ୍ୟା ।
ଆଇନକାନୁନ୍‌ ତିଆରି କରି ଏଭଳି ମାନସିକତାକୁ ରାତାରାତି ହଟାଇ ଦେବା ତ ସମ୍ଭବପର ନୁହେଁ, ତଥାପି ଏକ କଠୋର ଆଇନ ବ୍ୟବସ୍ଥା ମାନସମ୍ମାନ ବା ଇଜ୍ଜତ ନଁାରେ ସମାଜରୁ ସଂଘଟିତ ହେଉଥିବା ହତ୍ୟା ବା ସାମାଜିକ ବାସନ୍ଦ କରିବା ଭଳି ମଧ୍ୟଯୁଗୀୟ ମାନସିକତାକୁ ଦୂର କରିବାରେ ଅନେକ ପରିମାଣରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ତେଣୁ ଆନ୍ତଃଜାତି ବା ସମାନ ଗୋତ୍ରରେ ବିବାହକୁ ବିରୋଧ କରୁଥିବା ବୟସ୍କ ଲୋକମାନଙ୍କୁ ନେଇ ଗଠିତ ଖାପ୍‌ ପଞ୍ଚାୟତଗୁଡ଼ିକ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ କଟୁ ମନ୍ତବ୍ୟ ପ୍ରଦାନ ଏବଂ ସେମାନଙ୍କୁ କାବୁ କରିବା ପାଇଁ ଦୃଢ଼ହସ୍ତରେ ସେମାନଙ୍କୁ ଦମନ କରିବାକୁ ଫତୱା ଜାରି କରିବା ବା ନିର୍ଦ୍ଦେଶ ଦେବା ବେଶ୍‌ ଗୁରୁତ୍ୱ ରଖେ। ପରସ୍ପରକୁ ଭଲ ପାଉଥିବା ଯୁବକ ଯୁବତୀଙ୍କ ବିବାହ କରିବାର ଯୋଜନାକୁ ପଣ୍ଡ କରିଦେବା, ପୁଣି ଜାତିଆଣ ଭାବ ଭଳି ଏକ ପୁରୁଣାକାଳିଆ ପ୍ରଥା ଆଳରେ କନ୍ୟା ବା ବରକୁ ହତ୍ୟା କରିବାଠାରୁ ଘୃଣ୍ୟ କାମ କିଛି ନାହିଁ। ସାମ୍ପ୍ରତିକ ସମୟର ବିଜ୍ଞାନ ଯୁଗରେ ଏହାର ଆଦୌ ସ୍ଥାନ ନ ଥିବା ବେଳେ ସମାନତାର ଅଧିକାର ବହନ କରୁଥିବା ଏକ ଗଣତାନ୍ତ୍ରିକ ଦେଶରେ ଏପରି କାର୍ଯ୍ୟ ଉପରୋକ୍ତ ନୀତିର ମୂଳଦୁଆ ପ୍ରତି ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଆନ୍ତଃଜାତି ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସକୁ କୋର୍ଟଙ୍କର ନିର୍ଦ୍ଦେଶ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହା ହୋଇ ପାରିଲେ ଆନ୍ତଃଜାତି ବିବାହ ବା ସମାନ ଗୋତ୍ରରେ ବିବାହ ପ୍ରତି ରହିଥିବା ଘୃଣା ଭାବ ଅନେକାଂଶରେ ହ୍ରାସ ପାଇବ। ପୁନଶ୍ଚ, କେବଳ ଖାପ୍‌ ପଞ୍ଚାୟତଗୁଡ଼ିକ ଉପରେ ଲଗାମ କଷିଦେଲେ ହେବନାହିଁ, ଦେଶର ଅନ୍ୟାନ୍ୟ ବହୁ ରାଜ୍ୟ ଯେଉଁଠି ଜାତିପ୍ରଥାର ଏବେ ସୁଦ୍ଧା ସମାଜ ବ୍ୟବସ୍ଥା ଉପରେ ଯଥେଷ୍ଟ ପ୍ରଭାବ ରହିଛି, ସେସବୁ ରାଜ୍ୟରେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବା ଉଚିତ। ଖାପ୍‌ ପଞ୍ଚାୟତ କେବଳ ଭାରତର ଅନ୍ୟ କେଉଁ ରାଜ୍ୟ ନୁହେଁ ଓଡ଼ିଶାର କେବଳ ଗ୍ରାମାଞ୍ଚଳ ବା ଉପାନ୍ତ ଅଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ନିୟମିତ ଭାବେ ସଂଗଠିତ ହେଉଛି। ବଡ଼ ଦୁଃଖଦ କଥା ହେଉଛି ଏଥିରୁ କଟକ ଭୁବନେଶ୍ୱର ପରି ଦ୍ୱୈତନଗରୀରେ ଘଟୁଥିଲେ ବି ଅଧିକାଂଶ କ୍ଷେତ୍ରରେ ପୋଲିସର ଉଦାସୀନତା ଏହାର ନିରପେକ୍ଷ ତଦନ୍ତ ପ୍ରତି ପ୍ରଶ୍ନ ଉଠାଉଛି।
ଖାପ୍‌ ପଞ୍ଚାୟତଗୁଡ଼ିକ ବିରୁଦ୍ଧରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ଅଦାଲତ ମୁହଁ ଖୋଲିଛନ୍ତି, ତା ନୁହେଁ। ପୂର୍ବ ରାୟଗୁଡ଼ିକ ମଧ୍ୟ ଏକଥା ସ୍ପଷ୍ଟ କରିସାରିଛି ଯେ ପ୍ରାପ୍ତବୟସ୍କମାନଙ୍କର ପସନ୍ଦ କରିବାର ବିଶେଷକରି ପ୍ରେମ ଓ ବିବାହ ବ୍ୟାପାରରେ ଅଧିକାରରେ କୌଣସି କ୍ଷେତ୍ରରୁ ହସ୍ତକ୍ଷେପ ହେବା ଉଚିତ ନୁହେଁ। ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ତାଙ୍କର ସାମ୍ପ୍ରତିକ ରାୟରେ ଏହି ସମସ୍ୟାଟିକୁ ନିରୂପଣ କରିଛନ୍ତି, ଯାହା ବ୍ୟକ୍ତିବିଶେଷଙ୍କର ସ୍ବାଧୀନତା ଓ ମର୍ଯ୍ୟାଦାର ଉଲ୍ଲଂଘନ କରୁଛି ଏବଂ ଏହାର ସୁରକ୍ଷା ନିମନ୍ତେ ପ୍ରତିଷେଧମୂଳକ, ପ୍ରତିକାରମୂଳକ ତଥା ଦଣ୍ଡବିଧାନ ଭଳି ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ଆହୁରି ପାଦେ ଆଗେଇ ଯାଇ ବିପଦାପନ୍ନ ଦମ୍ପତିଙ୍କୁ ସୁରକ୍ଷା ଗୃହ ଯୋଗାଇ ଦେବାକୁ ପୋଲିସକୁ କହିଛନ୍ତି। ପୁଣି ଖାପ୍‌ ପଞ୍ଚାୟତଗୁଡ଼ିକୁ ଏଭଳି ବେଆଇନ ନିଷ୍ପତ୍ତି ନେବାରୁ ନିବୃତ୍ତ କରିବା ଲାଗି ପ୍ରବର୍ତ୍ତାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆପାତତଃ ଏକ ନରମ ପନ୍ଥା ଭଳି ମନେହୁଏ। କିନ୍ତୁ ସଙ୍ଗେ ସଙ୍ଗେ କୋର୍ଟ ଏଭଳି ନିଷ୍ପତ୍ତି ନେବା ପାଇଁ ହେଉଥିବା ମେଳିକୁ ପ୍ରତିହତ କରିବା ପାଇଁ ଏପରି କି ଏହାକୁ ରୋକିବା ଲାଗି ଗିରଫ କରିବା ନିମନ୍ତେ ମଧ୍ୟ ପୋଲିସକୁ କ୍ଷମତା ଦେଇଛନ୍ତି। ତେବେ ଏଭଳି ବିବାହ ପ୍ରତି ସମର୍ଥନ ହାସଲ କରିବା ନିମନ୍ତେ ସମାଜର କେତେକ ବର୍ଗଙ୍କ ହୃଦୟରେ ପ୍ରକୃତ ପରିବର୍ତ୍ତନ ଆସିବା ପାଇଁ ହୁଏତ ଆହୁରି ଅନେକ ବର୍ଷ ଲାଗିଯାଇ ପାରେ। କାରଣ, ସହରାଞ୍ଚଳରେ ମିଳୁଥିବା ଅନେକ ପ୍ରକାରର ସୁବିଧା ସୁଯୋଗ ବିଶେଷକରି ମୌଳିକ ସମାନତାରୁ ବଞ୍ଚତ୍ତ ଗ୍ରାମାଞ୍ଚଳର ଲୋକମାନଙ୍କ ଭିତରୁ ଅନେକେ ଏବେ ବି ବିଶ୍ୱାସ କରନ୍ତି ଯେ ନିଜ ପାଇଁ ଆଇନ ତିଆରି କରିବାର ଦାୟିତ୍ୱ ସେମାନଙ୍କର। ତେଣୁ ଏ କ୍ଷେତ୍ରରେ ପ୍ରକୃତ ଆହ୍ବାନ ହେଉଛି ସମାଜରେ ସଂସ୍କାର ଆଣିବା। ସମାଜରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶାବଳୀର କିଛି ଉଲ୍ଲେଖନୀୟ ପ୍ରଭାବ ପକାଇବାର ସମ୍ଭାବନା ରଖୁଥିବାବେଳେ ରାଜ୍ୟମାନେ ଏହାକୁ ପାଳନ କରିବେ ବୋଲି ଧରିନେଇ କେନ୍ଦ୍ର ସରକାର ସନ୍ତୁଷ୍ଟ ହେଲେ ଚଳିବ ନାହିଁ। ଅନର କିଲିଂ ଏବଂ ବିବାହ କ୍ଷେତ୍ରରେ ପସନ୍ଦ କରିବାର ଅଧିକାର ସୁରକ୍ଷା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ତପତ୍ରତା ପ୍ରକାଶ କରିବା ଆବଶ୍ୟକ। ସେହିପରି ଖାପ୍‌ ପଞ୍ଚାୟତ ପ୍ରସଙ୍ଗରେ ଆମ ବଳୁଆ ପୋଲିସର ନୀରବତା ଓ ଅପାରଗତା ନିଶ୍ଚିତ ବଡ଼ ବିସ୍ମୟ ସୃଷ୍ଟି କରେ। କାରଣ ୧୫୦ ବର୍ଷରୁ ଢେର ବର୍ଷ ତଳୁ ଆମ ଦେଶରେ ବର୍ତ୍ତମାନ ପ୍ରଚଳିତ ପୋଲିସ ବ୍ୟବସ୍ଥା ଇଂରେଜୀ ଉପନିବେଶବାଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି। ସେ ସମୟର ଉପନିବେଶବାଦ ବିରୁଦ୍ଧରେ ନିର୍ଭୀକ ସ୍ବର ଉଠାଉଥିବା ଯେ କେହି ନାଗରିକଙ୍କୁ ଦୃଢ଼ ଦମନ କରାଯାଉଥିବାରୁ ବର୍ତ୍ତମାନ ପୋଲିସ ସେହି ରାସ୍ତାରେ ଚାଲିଛି। ନିକଟରେ ପ୍ରକାଶିତ ‘ଷ୍ଟାଟସ ଅଫ ପୋଲିସ ଇନ୍‌ ଇଣ୍ଡିଆ’ର ତଥ୍ୟ ଅନୁଯାୟୀ ଭାରତରେ ପୋଲିସକୁ ପାଖାପାଖି ୧୫ଘଣ୍ଟିଆ ଡ୍ୟୁଟି ଦିଆଯାଉଛି। ଏବେ ପାଖାପାଖି ୭୭ପ୍ରତିଶତ ପୋଲିସ କର୍ମଚାରୀଙ୍କୁ ନେଇ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କରୁଥିବା ପୋଲିସ ବାହିନୀ କାର୍ଯ୍ୟ କରୁଛି। ତେଣୁ ଏ କ୍ଷେତ୍ରରେ ପୋଲିସ ଦକ୍ଷତା ଓ ଆଧୁନିକ ସୂଚନା ପ୍ରଯୁକ୍ତିର ସହଯୋଗ ନେଇ ସଂସ୍କାର ଅତ୍ୟନ୍ତ ଜରୁରୀ ମନେହୁଏ।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୪୩୭୧୬୩୫୨୮


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri