ଖବରଦାତାଙ୍କ ଦୁଃଖ

ଅଲେଖ ଚନ୍ଦ୍ର ମିଶ୍ର
ଅଶୀ ଦଶକର କଥା। ସେତେବେଳର କଟକ ଜିଲା ଜଗତ୍‌ସିଂହପୁର ସବ୍‌ଡିଭିଜନ ଅନ୍ତର୍ଗତ ବିରିଡି ବ୍ଲକ୍‌ ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ, ଲୋମହର୍ଷଣକାରୀ ଅଘଟଣ, ଯାହାକୁ ଲୋକମାନେ ଏ ପର୍ଯ୍ୟନ୍ତ ଭୁଲି ନ ଥିବେ। ସମ୍ପୃକ୍ତ ଅଞ୍ଚଳରେ ରହୁଥିଲେ ନବକିଶୋର ମହାପାତ୍ର ନାମକ ଜଣେ ସାଦାସିଧା ଲୋକ। ସ୍ତ୍ରୀ ଛବିରାଣୀ ଓ ଦୁଇଟି ଛୋଟ ପିଲାଙ୍କୁ ନେଇ ହସଖୁସିରେ କଟୁଥିଲା ତାଙ୍କର ଦିନ। ହଠାତ୍‌ ତାଙ୍କ ଜୀବନରେ ମାଡ଼ିଆସିଲା ଘୋର ଅନ୍ଧକାର। ନବକିଶୋର ଥିଲେ ଖବରକାଗଜ ପାଇଁ ଏକ ସାଧାରଣ ଖବରଦାତା। ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଏକ ଖବରକାଗଜକୁ ଜଣେଇଦେବାରୁ ସେ ସେହି ଅଞ୍ଚଳର ଏକ କୁଖ୍ୟାତ ମାଫିଆ ଗୋଷ୍ଠୀର ପ୍ରତିଶୋଧର ଶିକାର ହୋଇପଡ଼ିଲେ। ସେମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚକ୍ରାନ୍ତ କରୁଥିବାର ସୁରାକ ପାଇ ବିଚରା ସେଇ ରାତିରେ ଲୁଚିଛପି ସପରିବାର ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଥିଲା ବେଳେ ନିକଟସ୍ଥ ବିଲୁଆଖାଇ ନଦୀର ବାଲୁକା ଶଯ୍ୟାରେ ସମ୍ପୃକ୍ତ ମାଫିଆ ଗୋଷ୍ଠୀ ନବଙ୍କ ସ୍ତ୍ରୀ ଛବିରାଣୀଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲେ। ସେଇ ନଈବାଲିରେ ତାଙ୍କୁ ଗଣବଳାତ୍କାର କରି ଅତି ନୃଶଂସଭାବେ ହତ୍ୟା କଲେ। ନବ ତାଙ୍କର ଦୁଇଟି ପିଲାଙ୍କୁ ନେଇ ପଳେଇଯିବାକୁ ସକ୍ଷମ ହେଲେ। ସେତେବେଳେ ଏହି ଘଟଣାଟି ସାରା ଓଡ଼ିଶାରେ ଚହଳ ପକେଇଥିଲା।
କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ସର୍ବତ୍ର ଘଟିଚାଲିଛି ଏହିପରି ମର୍ମନ୍ତୁଦ ଘଟଣା। ଦେଶର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ବେଆଇନ କାର୍ଯ୍ୟକଳାପ, ଅନୁସନ୍ଧାନମୂଳକ ବିବରଣୀ, ଧାର୍ମିକ ଅସହିଷ୍ଣୁତା କିମ୍ବା ରାଜନେତାମାନଙ୍କର କାରନାମା ଭଳି ସମ୍ବେଦନଶୀଳ ତଥ୍ୟାବଳୀ ଖବରକାଗଜ ମାଧ୍ୟମରେ ଲୋକଲୋଚନକୁ ଆଣି ଖବରଦାତା ଏବଂ ପତ୍ରକାରମାନେ ମାଫିଆ ତଥା ଅସାମାଜିକମାନଙ୍କର କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଯାଉଛନ୍ତି, ଯେମିତି ହୋଇଛନ୍ତି ନରେନ୍ଦ୍ର ଢାବୋଲକର, ଗୋବିନ୍ଦ ପାନସାରେ, ଏମ୍‌ଏମ୍‌ କାଲବର୍ଗୀ, ଗୌରୀ ଲଙ୍କେଶ ପ୍ରମୁଖ। ତଥ୍ୟ ଅନୁସାରେ ୨୦୧୫ରୁ ୨୦୧୭ ମଧ୍ୟରେ ଭାରତରେ ୧୫ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ବିଶ୍ୱ ସମୁଦାୟ ବି ଏଭଳି ସମସ୍ୟାରୁ ମୁକ୍ତ ନୁହେଁ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ଅଷ୍ଟ୍ରେଲିଆର ଜୁଲିଆନ ଆସାଞ୍ଜ, ଇରାକର ଚେଲ୍‌ସି ମ୍ୟାନିଂ ଏବଂ ଏଡଓ୍ବାର୍ଡ ସ୍ନୋଡେନ। ୨ା୧୦ା୨୦୧୮ରେ ଓ୍ବାଶିଂଟନ ପୋଷ୍ଟର ପ୍ରତିନିଧି ସୌଦି ଆରବର ଜମାଲ ଖସୋଗୀ ଏକ ଅନୁସନ୍ଧାନମୂଳକ ତଥ୍ୟ ପ୍ରକାଶ କରିଥିବା ଯୋଗୁ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସଠାରେ ତାଙ୍କୁ ନିଷ୍ଠୁର ଭାବରେ ହତ୍ୟା କରାଯିବା ଘଟଣା ଏଭଳି ଅପରାଧର ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ିଦେଇଛି। ପ୍ରଖ୍ୟାତ ଅନ୍ତର୍ଜାତୀୟ ସଂସ୍ଥା ‘ରିପୋର୍ଟ ଓ୍ବିଦାଉଟ୍‌ ବର୍ଡର’ର ତଥ୍ୟ ଅନୁସାରେ କେବଳ ୨୦୧୮ରେ ସାରା ବିଶ୍ୱରେ ୮୦ ଜଣ ଖବରଦାତାଙ୍କୁ ସଂହାର କରାଯାଇଛି।
ଏଭଳି ନିର୍ଯାତନାର ପରିସର କେବଳ ଖବରଦାତାଙ୍କ କ୍ଷେତ୍ରରେ ସୀମିତ ନୁହେଁ। ୨୦୦୫ରୁ ପ୍ରଚଳିତ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ମାଧ୍ୟମରେ ତଥ୍ୟ ସଂଗ୍ରହକାରୀମାନେ ବି ସମଦଶାପନ୍ନ। ୨୦୧୭ରେ ଭାରତରେ ୬୫ ଜଣ ଆର୍‌ଟିଆଇ ଆବେଦନକାରୀଙ୍କୁ ହତ୍ୟା କରାଯାଇଛି।
ଅନେକ ସମୟରେ ସରକାରୀ କର୍ମଚାରୀମାନେ ବି ଆକ୍ରୋଶର ଶରବ୍ୟ ହୁଅନ୍ତି। ଯେଉଁମାନେ ସତ୍ୟାନ୍ବେଷୀ ଏବଂ ସରକାରୀ ଦପ୍ତରରେ ଚାଲିଥିବା ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଓ ସ୍ବେଚ୍ଛାଚାର ବିପକ୍ଷରେ ସ୍ବର ଉତ୍ତୋଳନ କରନ୍ତି ସେମାନଙ୍କୁ ଅଯଥାରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଜଡ଼ିତ କରାଯାଏ। ଏହାର ଏକ ଦୁଃଖଦ ଉଦାହରଣଭାବେ ୨୦୦୩ରେ ଘଟିଥିବା ଏକ ଘଟଣାର ଅବତାରଣା କରାଯାଇପାରେ। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର ଗୟା କାର୍ଯ୍ୟାଳୟରେ ମ୍ୟାନେଜର ଥିବା ସତ୍ୟେନ୍ଦ୍ର କୁମାର ଦୁବେ ବିଭାଗୀୟ ଅଧିକାରୀଙ୍କର ଦୁର୍ନୀତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଗୋପନୀୟ ପତ୍ର ଲେଖି ନିଜର ପରିଚୟ ଗୋପନ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ପତ୍ରଟି ପ୍ରକାଶ ପାଇଗଲା, ଯାହାଫଳରେ ଦୁବେଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସରକାରଙ୍କର ଚେତା ପଶିଲା ଏବଂ ପାର୍ଲାମେଣ୍ଟରେ ପାରିତ ହେଲା ହ୍ବିସିଲ୍‌ବ୍ଲୋୟର୍ସ ପ୍ରୋଟେକ୍ସନ ଆକ୍ଟ-୨୦୧୪, ଯାହାର ମୁଖ୍ୟାଂଶ ହେଲା ଏହିପରି: ଦୁର୍ନୀତିର ଅଭିଯୋଗ, ଜାଣିଶୁଣି କ୍ଷମତାର ଅପବ୍ୟବହାର, ସରକାରୀ ଚାକିରିଆଙ୍କ ବିରୋଧରେ ଆପରାଧିକ ବା ଫୌଜଦାରି ମାମଲା ଇତ୍ୟାଦି ଘଟଣା କିମ୍ବା ଘଟିବାର ଆଶଙ୍କାକୁ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣୁଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ନିରାପତ୍ତା ଯୋଗାଇଦିଆଯିବ। ଯେଉଁମାନେ ନିଜ ପରିଚୟ ଗୋପନ ରଖିବାକୁ ଚାହୁଁଥିବେ ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ। ଯେଉଁମାନେ ପୋଲିସ ସୁରକ୍ଷା ଚାହୁଁଥିବେ ସେମାନଙ୍କୁ ତୁରନ୍ତ ପୋଲିସ ସହାୟତା ଯୋଗାଇଦିଆଯିବ।
ଏସବୁ ସତ୍ତ୍ୱେ ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍‌ ରହିଛି। ସେମିତି ସଚ୍ଚୋଟ, ନିର୍ଭୀକ, ନିରପେକ୍ଷ ଓ ସ୍ବାଧୀନଚେତା ନ ହେଲେ ଜଣେ ସଫଳ ଖବରଦାତା ହୋଇପାରିବନି। ଦିନ ଥିଲା ଯେତେବେଳେ ଖବରଦାତାମାନେ (ଯଥା ଦଫାଦାର, ଚୌକିଦାର) ସମାଜରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏବେ ତ ତାହା ନାହିଁ। କିନ୍ତୁ ଖବରଦାତାମାନେ ସେହିପରି କର୍ତ୍ତବ୍ୟପରାୟଣ ହୋଇ ରହିଛନ୍ତି। ସେଇମାନଙ୍କ ଯୋଗୁ ହିଁ ସ୍ଥାନୀୟ ସମସ୍ୟାର ସମାଧାନ, ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସାହାଯ୍ୟ ଭିକ୍ଷା, ସତ୍ୟର ପରିପ୍ରକାଶ, ଅନ୍ୟାୟର ପ୍ରତିରୋଧ, ଦେଶ ବିଦେଶର ଖବର ଗାଁଗଣ୍ଡାରେ ପହଞ୍ଚେଇବା ଇତ୍ୟାଦି ଜନହିତକର କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଅତଏବ କିଏ ସାହାଯ୍ୟ କରୁ ବା ନ କରୁ ଯେଉଁ ଜନସାଧାରଣଙ୍କ ପାଇଁ ସେମାନଙ୍କର ଜୀବନ ଉତ୍ସର୍ଗୀକୃତ, ସେହିମାନେ ଯଦି ତାଙ୍କ ପଛରେ ଛିଡ଼ା ହୁଅନ୍ତି କୌଣସି ଶକ୍ତି ସେମାନଙ୍କର ଅନିଷ୍ଟ କରିପାରିବନି। ଚତୁର୍ଥ ସ୍ତମ୍ଭ ଅକ୍ଷତ ରହିବ।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri