କ୍ଷୀରରେ କର୍କଟକାରକ ଆଫ୍ଲାଟକ୍ସିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କିଛିବର୍ଷ ପୂର୍ବେ ପଞ୍ଜାବ ସରକାର ପଟିୟାଲାରେ ଏକ ବେସରକାରୀ ଅନୁଷ୍ଠାନ (ଏନ୍‌ଜିଓ)କୁ ଗୋଟିଏ ଗୋଶାଳା ଚଳାଇବାକୁ କହିଥିଲେ। ସେମାନେ ଏ ପ୍ରସ୍ତାବରେ ଏହି ସର୍ତ୍ତରେ ରାଜି ହୋଇଥିଲେ ଯେ, ଗାଈଙ୍କ ଲାଗି ଆବଶ୍ୟକ ଖାଦ୍ୟ ପୌରପାଳିକା ଯୋଗାଇଦେବ। ପୌରପାଳିକା ଚାରା ବା ସବୁଜ ଗୋଖାଦ୍ୟ ଯୋଗାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଠିକା ଦେଲା। ସେ ଚାଷୀମାନଙ୍କଠାରୁ ଏହା ଆଣି ଗୋଶାଳାକୁ ଯୋଗାଇଲେ। ଦିନେ ଏହି ଚାରା ଖାଇ ଘଣ୍ଟାଏ ଭିତରେ ୧୮ଟି ଗାଈ ମରିଗଲେ। ଏହି ଘଟଣାର ତଦନ୍ତ କରି ଚାରାରେ କ’ଣ ଦୋଷ ଥିଲା ତାହା ଦେଖିବା ବଦଳରେ ଗୋସେବକମାନଙ୍କ ଚାପରେ ଗୋଶାଳାର ଏନ୍‌ଜିଓ ତତ୍ତ୍ୱାବଧାରକଙ୍କୁ ଗିରଫ କରାଗଲା। ପରେ ଗୋସେବକମାନେ ଗୋଶାଳାକୁ ନିଜ ହାତକୁ ନେଇ ଚଳାଇଲେ। ତା’ପରେ ୪୦ଟି ଗାଈ ପୁଣି ମରିଗଲେ ଓ ଗୋଶାଳା ପୂରା ବନ୍ଦ ହୋଇଗଲା। ଭାରତରେ ଏହା ହେଉଛି ସମସ୍ୟା ସମାଧାନର ଏକ ଅଜବ ଉପାୟ। ପୌରପାଳିକାର କେହି ଜଣେ ହେଲେ ବି ଗାଈଙ୍କୁ ବିଷାକ୍ତ ଖାଦ୍ୟ ଯୋଗାଇଥିବା ଠିକାଦାର କିମ୍ବା କୃଷକଙ୍କୁ ଦାୟୀ କରି ନ ଥିଲେ। ସେହି ପରିସ୍ଥିତିରେ ମଁୁ ଦୁଇଟି ଜିନିଷ ଉପରେ ତଦନ୍ତ କରିଥାନ୍ତି। ଗୋଟିଏ ହେଲା ଘାସ ବଢାଇବା ଲାଗି ବ୍ୟବହାର କରାଯାଇଥିବା କୀଟନାଶକ ଏବଂ ଅନ୍ୟଟି ସେଥିରେ ଥିବା ବିଷାକ୍ତ ତତ୍ତ୍ୱ ଆଫ୍ଲାଟକ୍ସିନ।
ଦି ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ସାରା ଦେଶରେ ଦୁଗ୍ଧ ଉପରେ ଏକ ସର୍ଭେ କରି ଏହାର ରିପୋର୍ଟ ଅକ୍ଟୋବର, ୨୦୧୯ରେ ପ୍ରକାଶ କରିଛି। ସେମାନେ କ୍ଷୀରରେ ଆଫ୍ଲାଟକ୍ସିନ ନାମକ ଏକ କର୍କଟରୋଗକାରକ ବିପଜ୍ଜନକ ବିଷାକ୍ତ ଉପାଦାନ ଅନୁମୋଦିତ ମାତ୍ରାଠାରୁ ଯଥେଷ୍ଟ ବେଶି ରହିଥିବା ପାଇଛନ୍ତି॥ ଦିଲ୍ଲୀ, ତାମିଲନାଡୁ ଓ କେରଳରେ ଦୁଗ୍ଧରେ ଆଫ୍ଲାଟକ୍ସିିନ ସବୁଠୁ ବେଶି ଥିବା ଲକ୍ଷ୍ୟ କରାଯାଇଥିଲା। ଆସ୍ପରଜିଲସ୍‌ ବଂଶ ଅନ୍ତର୍ଗତ ଏ. ଫ୍ଲାଭସ୍‌, ଏ. ପାରାସିଟିକସ୍‌ ଓ ଏ. ନୋମିୟସ୍‌ ପରି କବକ ବା ଫିମ୍ପିରୁ ଜାତ ୨୦ଟି ବିଷାକ୍ତ ତତ୍ତ୍ୱ ହିଁ ଆଫ୍ଲାଟକ୍ସିନ। ଆଫ୍ଲାଟକ୍ସିନ ଦ୍ୱାରା ସଂକ୍ରମିତ ଶସ୍ୟରେ ପ୍ରାୟତଃ ଆଫ୍ଲାଟକ୍ସିନ ବି-୧ ଦେଖିବାକୁ ମିଳିଥାଏ। ଗାଈ, ମଇଁଷି, ଛେଳି, ମେଣ୍ଢା ଆଫ୍ଲାଟକ୍ସିନ ବି-୧ ଓ ବି-୨ ଥିବା ଚାରା ଖାଇବା ଦ୍ୱାରା ସେମାନଙ୍କ ଲିଭରରେ ଆଫ୍ଲାଟକ୍ସିନ ଏମ୍‌-୧ ଓ ଏମ୍‌-୨ ସୃଷ୍ଟି ହୋଇ ତାଙ୍କ କ୍ଷୀରରେ ଝରିଥାଏ। ଏହାକୁ ଆମେ ପିଇଥାଉ। ଆଫ୍ଲାଟକ୍ସିନ ଉଭୟ ତୀବ୍ର ଓ ଦୀର୍ଘସ୍ଥାୟୀ ବିଷାୟନର କାରଣ ହୋଇଥାଏ। ଆଫ୍ଲାଟକ୍ସିନ ବି-୧ ଓ ଏମ୍‌-୧ ଭାରି ବିଷାକ୍ତ ଓ ଏହା ଲିଭରକୁ ନଷ୍ଟ କରିଦିଏ। ଏହା ବି ସିରୋସିସ ଓ କ୍ୟାନ୍‌ସରର କାରଣ ହୋଇଥାଏ। ଏହି ଦୁଇଟିକୁ ଇଣ୍ଟରନ୍ୟାଶ୍‌ନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର (ଆଇଏଆର୍‌ସି) ଦ୍ୱାରା କର୍କଟରୋଗକାରକ ଭାବେ ଚିହ୍ନଟ କରାଯାଇଛି।
ବିଶ୍ୱର ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଆଫ୍ଲାଟକ୍ସିନ ସୃଷ୍ଟିକାରୀ କବକ ଶସ୍ୟକୁ ବେଶି ସଂକ୍ରମିତ କରିଥାଏ। ବାଦାମ, ମକା, କପା ମଞ୍ଜିକୁ ସବୁବେଳେ ଏହା ସଂକ୍ରମଣ କରିଥାଏ। ଏହା ଗହମ, ତୈଳବୀଜ, ଫଳ, କାସାଭା (ଆରାରୁଟ ଜାତୀୟ ମୂଳ) ଓ ଡାଲିଜାତୀୟ ଶସ୍ୟକୁ ମଧ୍ୟ ସଂକ୍ରମଣ କରେ। ମଦରେ ବି ଏହା ଦେଖିବାକୁ ମିଳିଥାଏ। ଏ. ଫ୍ଲାଭସ, ଏ. ପାରାସିଟିକସ୍‌ ମାଟିରେ ବଢନ୍ତି ଓ ଛୋଟ ଗଛ, ଘାସ ଓ ଶସ୍ୟକୁ ନଷ୍ଟ କରିଥାନ୍ତି। ଏମାନେ ୨୫ ଡିଗ୍ରୀ ତାପମାତ୍ରାରେ ଭଲ ଭାବେ ବୃଦ୍ଧିପାଉଥିଲେ ବି ୧୦ରୁ ୧୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରୁ ବୃଦ୍ଧିପାଇବା ଆରମ୍ଭ କରନ୍ତି। ମରୁଡି ପରିସ୍ଥିତିରେ ଶସ୍ୟରେ ଆସ୍ପରଜିଲସ୍‌ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ ଏହା ଯେ କୌଣସି ସମୟରେ ହୋଇପାରେ। ଏପରିକି ଶସ୍ୟ ଅମଳ ହେବାପରେ ଷ୍ଟୋର କରି ରଖିତ୍ବାବେଳେ ବି ସଂକ୍ରମଣ ହୋଇଥାଏ। ଶସ୍ୟକୁ ଭଲଭାବେ ନ ଶୁଖାଇଲେ ସେଥିରେ ଜଳୀୟ ଅଂଶ ଅଧିକ ରହେ ଓ ଏହାଦ୍ୱାରା ଆସ୍ପରଜିଲସ୍‌ ସଂକ୍ରମଣ ହୋଇଥାଏ। ମୂଷା ଓ କୀଟମାନେ ମଧ୍ୟ କୋଠି ବା ଅମାରଗୁଡିକରେ କବକ ସଂକ୍ରମଣକୁ ଆହୁରି ସହଜ କରିଦିଅନ୍ତି। ପୂରା ଖାଦ୍ୟଚକ୍ର ମଧ୍ୟରେ ଆଫ୍ଲାଟକ୍ସିନ ପ୍ରଦୂଷଣ ହୋଇପାରେ। ଏହା ଶସ୍ୟକ୍ଷେତ୍ରରୁ ଆରମ୍ଭକରି ଭଣ୍ଡାର ପ୍ରକ୍ରିୟା ଏପରିକି ପରିବହନ ଓ ଖାଦ୍ୟ ପ୍ରକ୍ରିୟାକରଣ ଯାଏ ଏହି ସଂକ୍ରମଣ ସଂଘଟିତ ହୋଇଥାଏ।
ପ୍ରାଣୀମାନେ ସଂକ୍ରମିତ ଖାଦ୍ୟ ଖାଇବା ଦ୍ୱାରା ଆଫ୍ଲାଟକ୍ସିନ ଅଣ୍ଡା, କ୍ଷୀର ଓ ମାଂସରେ ରହିଯାଏ। ମାନବ ଖାଦ୍ୟଶୃଙ୍ଖଳରେ କ୍ଷୀର ହେଉଛି ଆଫ୍ଲାଟକ୍ସିନର ମୁଖ୍ୟ ଉତ୍ସ। ଏଥିରେ ଏମ୍‌-୧ ଓ ବି-୧ ରହିଥାଏ। ଥରେ କ୍ଷୀରରେ ଆଫ୍ଲାଟକ୍ସିନ ରହିଗଲେ ତାହାକୁ ଫୁଟାଇଳେ କି ପ୍ରେସର କୁକିଂ କିମ୍ବା ପାଶ୍ଚରାଜେଶନ ଦ୍ୱାରା ଦୂର କରାଯାଇପାରେ ନାହିଁ।
ଏହି ବିଷାକ୍ତ ତତ୍ତ୍ୱ ଦ୍ୱାରା କେବଳ କ୍ୟାନ୍‌ସର ନୁହେଁ, ୧ କେଜିରେ ୧ ମିଗ୍ରା ଆଫ୍ଲାଟକ୍ସିନ ଥିବା ଖାଦ୍ୟ ଦ୍ୱାରା ଆଫ୍ଲାଟକ୍ସିକୋସିସ୍‌ ହେବାର ଆଶଙ୍କା ବି ରହିଥାଏ। ଏହାଦ୍ୱାରା ଖୁବ୍‌ କମ୍‌ ସମୟ ମଧ୍ୟରେ ମୁଣ୍ଡ ବୁଲାଇବା, ବାନ୍ତିହେବା, ଅଣ୍ଟାବିନ୍ଧିବା ଏବଂ ମାଂସପେଶୀ ସଙ୍କୋଚନ ଭଳି ସମସ୍ୟା ଦେଖାଯାଇଥାଏ। ଜଣ୍ଡିସ, ଦୁର୍ବଳତା ପ୍ରକାଶ ପାଇବା ସହ ଯକୃତ ସାଂଘାତିକ ଭାବେ ଆକ୍ରାନ୍ତ ହୋଇଥାଏ ଓ ଏହାଦ୍ୱାରା ମୃତ୍ୟୁ ଘଟିବାର ଆଶଙ୍କା ବି ରହିଥାଏ।
କେନିଆର ନାଇରୋବିରେ ୨୦୧୮ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଦୁଗ୍ଧ ପିଉଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ ଉପରେ ଆଫ୍ଲାଟକ୍ସିନ ଗମ୍ଭୀର ପ୍ରଭାବ ପକାଇଥାଏ। ଏହା ୫ ବର୍ଷ ବୟସରୁ କମ୍‌ ପିଲାମାନଙ୍କ ବିକାଶରେ ବାଧା ସୃଷ୍ଟି କରେ। ଏଫ୍‌ଏସ୍‌ଏସ୍‌ଏଆଇ ମାନକ ଅନୁସାରେ ପ୍ରତି ୧ କିଲୋଗ୍ରାମ୍‌ ଦୁଗ୍ଧରେ ଆଫ୍ଲାଟକ୍ସିନର ଅନୁମୋଦିତ ମାତ୍ରା ହେଉଛି ୦.୫ ନାନୋଗ୍ରାମ୍‌। ଏଫ୍‌ଏସ୍‌ଏସ୍‌ଏଆଇ ସର୍ଭେରୁ ଜଣାଯାଏ ଯେ, ପ୍ରାୟ ୧୦ ପ୍ରତିଶତ ଦୁଗ୍ଧ ନମୁନା ପ୍ରଦୂଷିତ। ଏଥିରୁ ଚିନ୍ତାକରନ୍ତୁ ଭାରତର ଜନସଂଖ୍ୟାର ୧୦ ପ୍ରତିଶତ ଯେଉଁମାନେ ଦୁଗ୍ଧ ପିଉଛନ୍ତି ସେମାନେ ପ୍ରତିଦିନ ଏହି ବିଷାକ୍ତ ତତ୍ତ୍ୱକୁ ଗ୍ରହଣ କରୁଛନ୍ତି। ଲକ୍ଷ ଲକ୍ଷ ଶିଶୁଙ୍କ ମଧ୍ୟରୁ ୩୮ ପ୍ରତିଶତଙ୍କର ବିକାଶ ହୋଇପାରୁନାହିଁ ବେଲିି ସରକାରୀ ତଥ୍ୟରୁ ଜଣାପଡିଛି। ଆଫ୍ଲାଟକ୍ସିନ ଆମ ଡିଏନ୍‌ଏକୁ କ୍ଷତି କରିଥାଏ। ଏହା ଡିଏନ୍‌ଏର ଆନୁବଂଶିକତାରେ ପରିବର୍ତ୍ତନ ଆଣି ସମସ୍ୟା ସୃଷ୍ଟିକରେ ଯାହା ପରିବାରର ଆଗାମୀ ସବୁ ପିଢିକୁ ପ୍ରଭାବିତ କରିଥାଏ।
ଏହା ପ୍ରାଣୀମାନଙ୍କ ପାଇଁ ବି କ୍ଷତିକାରକ। ପ୍ରାଣୀମାନଙ୍କଠାରେ ମାଂସପେଶୀ ସଙ୍କୋଚନ କିମ୍ବା କ୍ୟାନ୍‌ସର ଦେଖାଦେବା ପରେ ସେମାନେ ହଠାତ୍‌ ମରିଯାନ୍ତି। ୧୯୬୧ରେ ଇଂଲଣ୍ଡରେ ୧୦,୦୦୦ ତୁର୍କୀଙ୍କର ମୃତ୍ୟୁ ଘଟିଥଲା। ଆଫ୍ଲାଟକ୍ସିନ ପ୍ରଥମେ ସେଠାରେ ଆବିଷ୍କାର କରାଯାଇଥିଲା। ଆଫ୍ଲାଟକ୍ସିନ ଦ୍ୱାରା ପ୍ରଦୂଷିତ ବାଦାମ ଖାଇବା ଦ୍ୱାରା ରୋଗଗ୍ରସ୍ତ ହୋଇ ଏହି ପକ୍ଷୀଗୁଡିକର ମୃତ୍ୟୁ ହୋଇଥିଲା।
ଆମେ କୃଷକମାନଙ୍କୁ କବକ ବୃଦ୍ଧି ନ ପାଇବା ଲାଗି ଶସ୍ୟକୁ ଠିକ୍‌ଭାବେ ସଂରକ୍ଷିତ କରି ରଖିବା ଓ କ୍ଷେତରେ କେମିତି କବକ ବୃଦ୍ଧି ନ ପାଇବ ତାହା ଯାଞ୍ଚ କରିବାକୁ ଶିକ୍ଷା ଦେବା ଉଚିତ। ଭାରତରେ ଏହା ଏକ ବଡ଼ ସମସ୍ୟା। କିନ୍ତୁ ଏହା ଉପରେ ଏଯାବତ୍‌ କିଛି ବି ପଦକ୍ଷେପ ନିଆଯାଇନାହିଁ।
ଗାଈ ଓ ମଇଁଷିଙ୍କ ଖାଦ୍ୟ ପ୍ରତି ଆମେ ଧ୍ୟାନ ଦେଉଛୁ କି? ନା। ଯେଉଁଠି ପରିମାଣ ଉପରେ ଗୁରୁତ୍ୱ ଦିଆଯାଏ ସେଠି କ୍ୱାଲିଟି କଥା ପଚାରେ କିଏ? ଭାରତରେ ପଶୁ ଚାରା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଭାରତ ସମେତ ୬୦ଟି ଦେଶ ଦୁଗ୍ଧରେ ଆଫ୍ଲାଟକ୍ସିନର ସର୍ବୋଚ୍ଚ ସ୍ତର କିଲୋଗ୍ରାମ୍‌ ପ୍ରତି ୦.୦୫ ମାଇକ୍ରୋଗ୍ରାମ୍‌ ରଖିଛନ୍ତିି। ୟୁରୋପୀୟ ସଂଘ କ୍ଷୀର ଦେଉଥିବା ଗାଈଙ୍କୁ ଦିଆଯାଉଥିବା ଚାରା ପାଇଁ ଏହି ସ୍ତର ବି ନିର୍ଦ୍ଧାରଣ କରିଛି। କିନ୍ତୁ ଭାରତରେ ଚାରା ଲାଗି କୌଣସି ନିୟମ ନାହିଁ। ଚାରାକୁ ପରୀକ୍ଷା କରିବା ଲାଗି ଏକ ବ୍ୟବସ୍ଥା ରହିବା ଉଚିତ। ଏହାକୁ ଦୁଗ୍ଧ ଉପତ୍ାଦନକାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ଦରକାର। ୧୦ ବର୍ଷରେ ଥରେ ଦୁଗ୍ଧ ପରୀକ୍ଷା କରିବା ବଦଳରେ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ନିୟମିତ ପରୀକ୍ଷା କରାଯିବା ଉଚିତ। ତାଜା, ଗଚ୍ଛିତ ତଥା ଜୀବାଣୁମୁକ୍ତ କୁହାଯାଉଥିବା ଦୁଗ୍ଧ, ପାଉଡର ଦୁଗ୍ଧର ଯାଞ୍ଚ ଲାଗି ଇଏଲ୍‌ଆଇଏସ୍‌ଏ, ଟିଏଲ୍‌ସି କିମ୍ବା ଏଚ୍‌ପିଏଲ୍‌ସି ଟେଷ୍ଟ କରାଯିବା ଦରକାର। ଯଦି ଆଫ୍ଲାଟକ୍ସିନର କିଛି ସୂଚନା ମିଳେ, ତେବେ କୃଷକମାନେ ବଜାରରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଗ୍ଧଜାତୀୟ ଖାଦ୍ୟ ଫେରାଇ ନେବା ସହ ବଜାରକୁ ଦୁଗ୍ଧ ଯୋଗାଣ ବନ୍ଦ କରିବା ଉଚିତ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମୁରବିହୀନ ସମାଜ

ହରିହର ତ୍ରିପାଠୀ ସମାଜରେ ଗୁରୁଜନ କହିଲେ ଆମେ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝୁ; ଯେଉଁମାନଙ୍କ ଅନୁଭୂତି, ଅଭିଜ୍ଞତା ସମାଜ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ। ଏଭଳି ବ୍ୟକ୍ତିମାନଙ୍କୁ...

ସଭାରଙ୍କା ସାହିତି୍ୟକ

ମନ-ମାନଚିତ୍ର / ଡ. ନରହରି ବେହେରା ବର୍ଷକ ତଳୁ ଆମ ଘର ପାଖରେ କବିପ୍ରାଣ ଏବଂ ବାଗ୍ମୀପ୍ରବର ମଣିଷଟିଏ ଓ ତାଙ୍କର ଧର୍ମପନତ୍ୀ ଭଡ଼ାଘରେ ରହୁଛନ୍ତି,...

ଶିଶୁ କେତେ ସୁରକ୍ଷିତ

ଘାସିରାମ ପଣ୍ଡା ନାବାଳିକା ପରୀର ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନରେ ଅବହେଳାକୁ ନେଇ ରାଜ୍ୟରେ ଆନ୍ଦୋଳନ ସରଗରମ ହୋଇଛି। ସେହି ଏକା...

ବଦଳୁଛି ଶ୍ରୀକ୍ଷେତ୍ର

ବିମଳ ପ୍ରସନ୍ନ ଦାସ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେ ସମ୍ପର୍କ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। କାରଣ ସେ ଅନନ୍ୟ, ଅମୃତମୟ,...

ସମ୍ପାଦକୀୟ/ ସାହସୀ ଦୂତୀ

୬ ସେପ୍ଟେମ୍ବର ୨୦୧୮ରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ କହି ସୁପ୍ରିମକୋର୍ଟ ଆଇପିସିର ଦଫା ୩୭୭କୁ ଉଚ୍ଛେଦ କରି ଐତିହାସିକ ରାୟ ଦେଇଥିଲେ। ଏହାକୁ ଏଲ୍‌ଜିବିଟି...

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା...

ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା...

କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...

Advertisement
Archives

Model This Week