କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି

ନଟବର ଖୁଣ୍ଟିଆ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା ଯେ, ଗ୍ରାମାଞ୍ଚଳବାସୀଙ୍କ ଆୟ ଯଥେଷ୍ଟ ବୃଦ୍ଧି ହେଉ ନ ଥିବାରୁ ସେମାନଙ୍କର କ୍ରୟଶକ୍ତି ହ୍ରାସ ପାଉଛି। ଅନେକ ସାମଗ୍ରୀ ବିକ୍ରି ହୋଇ ନ ପାରି ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏଣେ ଗତ ୪୫ ବର୍ଷ ମଧ୍ୟରେ ବେକାରିଙ୍କର ପ୍ରତିଶତ ହାର ସର୍ବାଧିକ। ତା’ ସାଙ୍ଗକୁ ଜିଡିପିର ଅଭିବୃଦ୍ଧି ହାର ଗତ ଦଶନ୍ଧିର ସର୍ବନିମ୍ନ। ବର୍ଷ ଶେଷରେ ଜିଡିପି ହାର ହେବ ୪.୫ ପ୍ରତିଶତ। ଏଣେ ନାଗରିକ ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ଆଇନ ଗୃହୀତ ହେବା ପରେ ବିରୋଧୀ ଦଳମାନେ ଏକତ୍ରିତ ହୋଇ ଏହା ବିରୋଧରେ ଦେଶର ବିଭିନ୍ନ ସହରରେ ଆନ୍ଦୋଳନ ଛିଡ଼ା କରାଇଲେ। ଜେଏନ୍‌ୟୁ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏହା ବିରୋଧରେ ଘୋର ବିରୋଧ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା। ଏହିପରି ଅଶାନ୍ତ ଓ ଅସ୍ଥିର ବାତାବରଣ ମଧ୍ୟରେ ବଜେଟ ଉପସ୍ଥାପନ ହୋଇଛି।
ଅର୍ଥମନ୍ତ୍ରୀ ରୁଷ୍ଟ ନାଗରିକଙ୍କ ମନ କିଣିବା ପାଇଁ କୌଣସି ପ୍ରକାର ନୂତନ ଅଯଥା ଲୋକପ୍ରିୟ ଶସ୍ତା ଯୋଜନା ଘୋଷଣା କରିନାହାନ୍ତି। ସୀମିତ ଆୟକୁ ବିଚାରକୁ ନେଇ ସତର୍କତାର ସହ ଉତ୍ପାଦନମୁଖୀ ଓ ନିଯୁକ୍ତି ସୃଷ୍ଟିକାରୀ ଯୋଜନାମାନ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳବାସୀଙ୍କ ଆୟ କିପରି ବୃଦ୍ଧି ପାଇବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଦୁଇବର୍ଷ ହେଲା ପ୍ରଧାନମନ୍ତ୍ରୀ କହି ଆସୁଛନ୍ତି ଯେ, ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣ କରାଯିବ- ଏହି ଲକ୍ଷ୍ୟକୁ ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଦୋହରାଇଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ଆୟ କିପରି ବୃଦ୍ଧି ପାଇବ ସେଥିପାଇଁ ବ୍ଲୁପ୍ରିଣ୍ଟ ଘୋଷଣା କରିଛନ୍ତି। ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୂଳରୁ କହିଆସୁଛନ୍ତି, ଚାଷୀଙ୍କ ଆୟକୁ ଦୁଇଗୁଣା କରିବାକୁ ହେଲେ ଯେତିକି ପୁଞ୍ଜି କୃଷିକ୍ଷେତ୍ରରେ ବିନିଯୋଗ ହେବା କଥା ସେତିକି ବିନିଯୋଗ କରିବାର କ୍ଷମତା ସରକାରଙ୍କର ନ ଥିବାରୁ ଏହି ଲକ୍ଷ୍ୟ ହାସଲ ଅସମ୍ଭବ। କିନ୍ତୁ ଆମ୍ଭର ମତ- ହୁଏ ତ ସେହି ଲକ୍ଷ୍ୟ ହାସଲ ହେବା ସମ୍ଭବ ନୁହେଁ। କିନ୍ତୁ ସେହି ଲକ୍ଷ୍ୟ ହାସଲ ପାଇଁ ଯଦି ନିଷ୍ଠାପର ଉଦ୍ୟମ ପ୍ରତିବଦ୍ଧତାର ସହ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମିଳିତ ଉଦ୍ୟମରେ କରନ୍ତି, ତେବେ ଆମେ ଲକ୍ଷ୍ୟ ହାସଲ କରି ନ ପାରିଲେ ବି ଲକ୍ଷ୍ୟର ପାଖାପାଖି ହୋଇଯିବା ଅସମ୍ଭବ ହେବନାହିଁ।
ଅର୍ଥମନ୍ତ୍ରୀ ପ୍ରଥମରୁ କହିଛନ୍ତି, ଯେଉଁ ରାଜ୍ୟ କେନ୍ଦ୍ର ପ୍ରସ୍ତୁତ କରିଥିବା କୃଷି ସମ୍ବନ୍ଧୀୟ ତିନିଗୋଟି ଆଦର୍ଶ ଆଇନ ପାରିତ କରିବ, ସେହି ରାଜ୍ୟକୁ କେନ୍ଦ୍ର ସରକାର ଅଗ୍ରାଧିକାର ଭିତ୍ତିରେ ସାହାଯ୍ୟ ଯୋଗାଇଦେବେ। ସେ ତିନୋଟି ଆଇନ ହେଲା ମଡେଲ ଲ୍ୟାଣ୍ଡ ଲିଜିଂ ଆକ୍ଟ- ଭାଗଚାଷ ଆଇନ, ମଡେଲ କଣ୍ଟ୍ରାକ୍ଟ ଫାର୍ମିଂ ଆକ୍ଟ, ଠିକା ଚାଷ ଏବଂ ମଡେଲ କୃଷି ଉତ୍ପାଦ ଓ ପ୍ରାଣୀଧନ ଉତ୍ପାଦ ବିପଣନ ଆକ୍ଟ। ଏହି ଲେଖକ ଜାଣିବାରେ ଭାଗଚାଷ ଆଇନ ଦୁଇତିନି ବର୍ଷ ଧରି ଓଡ଼ିଶା ସରକାର ପାରିତ କରିବେ କରିବେ ବୋଲି କହି ଏ ପର୍ଯ୍ୟନ୍ତ କରିନାହାନ୍ତି।
କୃଷକମାନଙ୍କ ଆୟ ବୃଦ୍ଧି ନ ପାଇବାର ଏକ ମୁଖ୍ୟ କାରଣ ହେଲା- ଜଳସେଚନ ବ୍ୟବସ୍ଥାର ଅଭାବ। ଆଜି ବି ଓଡ଼ିଶାର ଚାଷୀ ମୌସୁମୀବାୟୁର ପଶା ଖେଳ ମଧ୍ୟରେ ଚାଷ କରୁଛି। ସଦ୍ୟ ପ୍ରକାଶିତ କୃଷି ଗଣନା ରିପୋର୍ଟରୁ ଜଣାଯାଏ ଯେ, ଓଡ଼ିଶାରେ ଚାଷ ହେଉଥିବା ଫସଲର ମାତ୍ର ୨୭ ଭାଗ ଫସଲକୁ ଜଳ ଯୋଗାଇ ଦିଆଯାଇପାରିଛି। ଓଡ଼ିଶାରେ ଜଳାଭାବ ଥିବା ଅନେକ ଜିଲା ଅଛି। ସେହି ଜିଲାଗୁଡ଼ିକରେ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରାଯାଏ। କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ଯେ, ଦେଶର ଅନ୍ତତଃ ୧୦୦ଟି ଜଳାଭାବ ଜିଲାକୁ ଚିହ୍ନଟ କରି ସେହି ଜିଲାରେ କିପରି ସ୍ବଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଅମଳ ହେବ ସେଥିପାଇଁ ପଦକ୍ଷେପ ନିଆଯିବ ଓ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯିବ। ଏହି ସ୍ଥିତିରେ ରାଜ୍ୟ ସରକାର ଓଡ଼ିଶାର ୩୦ ଗୋଟି ଜିଲା ମଧ୍ୟରୁ ଅନୂ୍ୟନ ୫ଟି ଜିଲାକୁ ଚିହ୍ନଟ କରି ମୂଳରୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେବା ଉଚିତ।
ଆମ ରାଜ୍ୟର ଗ୍ରାମାଞ୍ଚଳରେ ବିଦ୍ୟୁତୀକରଣ ବିସ୍ତୃତ ଭାବରେ ହୋଇନାହିଁ। ତେଣୁ ନଳକୂପ ବା କୂପରୁ ଜଳ ଉଠାଇ ଜଳସେଚନ କରିବା ପାଇଁ ଡିଜେଲ ପମ୍ପସେଟ ଉପରେ ନିର୍ଭର କରିବାକୁ ପଡୁଛି। ଏହା ଅଧିକ ବ୍ୟୟବହୁଳ ଏବଂ ବିଦ୍ୟୁତ ସଂଯୋଗ ଥିଲେ ବି ଅନେକ ସମୟରେ ଗ୍ରାମାଞ୍ଚଳରେ କରେଣ୍ଟ ନ ଥିବାରୁ ବିଦ୍ୟୁତ୍‌ ପମ୍ପ କାମ ଦେଉନାହିଁ। ଏବେ ରାଜ୍ୟ ସରକାର ଆଡିବନ୍ଧ ନିର୍ମାଣ କରୁଛନ୍ତି- ଆଡିବନ୍ଧରୁ ଜଳ ଉଠାଇବା ପାଇଁ ପମ୍ପ ଅଭାବରୁ ଜଳର ଉପଯୋଗ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବଜେଟରେ ୨୦ ଲକ୍ଷ ସୌରଶକ୍ତିଚାଳିତ ପମ୍ପ ଯୋଗାଇବାର ବ୍ୟବସ୍ଥା ହୋଇଛି। ଟେକ୍ନୋଲୋଜିର ବିକାଶ ହେତୁ ସୌରଶକ୍ତିଚାଳିତ ପମ୍ପର ପୁଞ୍ଜି ବିନିଯୋଗ ହ୍ରାସ ପାଉଛି ଆଉ ପରିଚାଳନା ଖର୍ଚ୍ଚ ତ ପ୍ରାୟ ନାହିଁ। ତେଣୁ କେନ୍ଦ୍ର ସରକାର ଯେଉଁ ୨୦ ଲକ୍ଷ ସୌରଚାଳିଚ ପମ୍ପସେଟ ରିହାତି ମୂଲ୍ୟରେ ଦେବେ ଓଡ଼ିଶା ସରକାର ୭୫ ହଜାରରୁ ୧ଲକ୍ଷ ଚାଷୀଙ୍କୁ ଚିହ୍ନଟ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରନ୍ତୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ। ସେହିପରି କେନ୍ଦ୍ର ବଜେଟରେ ଶୂନ୍ୟ ବଜେଟ କୃଷି ପ୍ରତି ଗୁରୁତ୍ୱ ଦିଆଯାଇଛି। ଅର୍ଥାତ୍‌ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଇଛି। ଆମର ପ୍ରସ୍ତାବ ରାଜ୍ୟ ସରକାର କନ୍ଧମାଳ ଜିଲାକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏକ ଜୈବିକ ଚାଷ ଜିଲାରେ ପରିଣତ କରିବା ପାଇଁ ଚିନ୍ତାକରି କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରନ୍ତୁ।
ବ୍ଲକ ସ୍ତରରେ ଖାଦ୍ୟଶସ୍ୟ ଗୋଦାମ ସ୍ଥାପନ କରି ସେହିସବୁ ଗୋଦାମକୁ ପଣ୍ୟାଗାର ମାନ୍ୟତା ଦେବା କଥା ବଜେଟରେ କୁହାଯାଇଛି। ଏହାଦ୍ୱାରା ଚାଷୀମାନେ କେବଳ ସେମାନଙ୍କ ଖାଦ୍ୟଶସ୍ୟ ସାଇତି ରଖିବେ ନାହିଁ, ସେହି ରସିଦ ମାଧ୍ୟମରେ ବ୍ୟାଙ୍କରୁ ମଧ୍ୟ ଋଣ ଆଣିପାରିବେ। ଫଳରେ ଏହା ଅଭାବୀ ବିକ୍ରିକୁ ରୋକିପାରିବ। ସୁତରାଂ ଏହି ସୁଯୋଗ ହାସଲ ପାଇଁ ରାଜ୍ୟ ସରକାର ଚେଷ୍ଟା କରନ୍ତୁ। ଗ୍ରାମରେ ମଧ୍ୟ ଖାଦ୍ୟଶସ୍ୟ ସାଇତି ରଖିବା ପାଇଁ ମହିଳା ଏସ୍‌ଏଚ୍‌ଜି ମାଧ୍ୟମରେ ଗୋଦାମଘର ନିର୍ମାଣର ପ୍ରସ୍ତାବ ବଜେଟରେ ଅଛି। ସରକାର କହୁଛନ୍ତି, ଆମ ରାଜ୍ୟରେ ଲକ୍ଷ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠିତ ହୋଇ ବିଭିନ୍ନ କାମ କରୁଛନ୍ତି। ଯେଉଁ ଅଞ୍ଚଳରେ ଆବଶ୍ୟକ ଅଛି ସେହି ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଉପଯୁକ୍ତ ତାଲିମ ଦେଇ ଗ୍ରାମ୍ୟ ସ୍ତରରେ ଗୋଦାମଘର ନିର୍ମାଣ ହେଉ। ଏହି ଗୋଦାମ ଘର ଧାନମଣ୍ଡିର କାମ ଦେବ ଧାନ ସଂଗ୍ରହ ବେଳେ।
ଆମ ରାଜ୍ୟର ଆଦିବାସୀବହୁଳ ଅଞ୍ଚଳର ଚାଷୀମାନେ ଯେଉଁସବୁ ପନିପରିବା, ଫଳ ଉତ୍ପାଦନ କରନ୍ତି ରାଜ୍ୟ ମଧ୍ୟରେ ଖାଉଟିଙ୍କ ଚାହିଦା ନ ଥିବାରୁ ଦର ଅଦରରେ ବିକ୍ରି କରନ୍ତି ଏବଂ ଅନେକ ସମୟରେ ପଚିଶଢ଼ି ନଷ୍ଟ ହୁଏ। କେନ୍ଦ୍ର ବଜେଟରେ ରେଳ ଓ ବିମାନ ମାଧ୍ୟମରେ ଯେଉଁ ପନିପରିବା, ଫଳ ଆଦିର ପରିବହନ ବ୍ୟବସ୍ଥା- କିଷାନ ରେଳ ଓ କୃଷି ଉଡାନ୍‌ ନାମରେ ହେବ ବୋଲି ପ୍ରସ୍ତାବ ଦିଆଯାଇଛି ତାହା ଓଡ଼ିଶା ଚାଷୀମାନେ କିପରି ବ୍ୟବହାର କରିବେ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ବିଶେଷକରି କୃଷକ ଉତ୍ପାଦକ ସଂଘକୁ ତାଲିମ ଦେଇ ଏହି କାମରେ ସହଯୋଗ କରିବା ପାଇଁ ବ୍ୟବସ୍ଥା ହେଉ। ବଡ଼ କଥା ହେଲା ଆମ ରାଜ୍ୟର ଆଦିବାସୀବହୁଳ ଅଞ୍ଚଳରେ ଫଳଚାଷ ପାଇଁ ଅପୂର୍ବ ସୁଯୋଗ ଅଛି। ବଜେଟରେ ଯେଉଁ ବ୍ୟବସ୍ଥା ଅଛି ଯଦି ଗୋଟିଏ ପ୍ରକାର ଫଳ ଗୋଟିଏ ଜିଲାରେ ସଘନ ଚାଷ ହେବ, ଯାହାଫଳରେ ସେସବୁର ପ୍ରକ୍ରିୟାକରଣ ଓ ବିପଣନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିବ, ତା’ର ସୁଯୋଗ ଓଡ଼ିଶା ସରକାର ନିଅନ୍ତୁ। ଆମର ୪୮୦ କିଲୋମିଟର ବ୍ୟାପି ସମୁଦ୍ର ବେଳାଭୂମି ଅଛି। ସମୁଦ୍ରରୁ ମାଛ ଧରିବା ଓ ସେସବୁକୁ ପ୍ରକ୍ରିୟାକରଣ କରି ବାହାର ରାଜ୍ୟକୁ ଏବଂ ବିଦେଶକୁ ରପ୍ତାନି କରିବା ପାଇଁ ଯେଉଁ ସାଗର ମିତ୍ର ଓ ମାଛ କ୍ରୟ ବିକ୍ରୟ କରିବା ପାଇଁ ସ୍ବତନ୍ତ୍ର ମତ୍ସ୍ୟଚାଷୀ ଉତ୍ପାଦକ ସଂଘ ଗଠନର ବ୍ୟବସ୍ଥା କରାଯାଇଛି ତା’ର ଉପଯୋଗ କିପରି ହେବ ସରକାର ଚିନ୍ତା କରନ୍ତୁ।
କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ପଞ୍ଚାୟତିରାଜ ମାଧ୍ୟମରେ ବିକାଶ ପାଇଁ ୧.୨୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆମ ରାଜ୍ୟ ସରକାର ତାଙ୍କର ଆଗାମୀ ବଜେଟ ପ୍ରସ୍ତୁତ କରିବା ବେଳେ ଏହିସବୁ କେନ୍ଦ୍ର ବଜେଟର ପ୍ରସ୍ତାବିତ ବ୍ୟୟବରାଦକୁ ବିଚାରକୁ ନେଇ ବଜେଟ କରିବେ ବୋଲି ଆଶା କରାଯାଏ।
ଏ-୫୦୨, ମୋତି ବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲର କୋହ

ସଂପ୍ରତି ଅଷ୍ଟ୍ରେଲିଆ ମହାଦେଶରେ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଅଗ୍ନିର ପ୍ରକୋପରେ ଧ୍ୱଂସ ହେଉଥିବାର ଘଟଣା ସାରା ବିଶ୍ୱ ପାଇଁ ଉକତ୍ଟ ଚିନ୍ତାର କାରଣ ହୋଇଛି। ଗତ...

ଅର୍ଥ ବ୍ୟବସ୍ଥା ଓ ଭାରତ

ଭାରତ ବିଶ୍ୱର ଏକ ଷଷ୍ଠମାଂଶକୁ ପ୍ରତିନିଧିତ୍ୱ କରିଥାଏ ଏବଂ କ୍ରୟଶକ୍ତି କ୍ଷମତା ଅନୁଯାୟୀ ଆଜିର ଦିନରେ ଭାରତ ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଉଭା...

ଏଇ ଭାରତରେ

ବିହାରର ରାଜେଶ କୁମାର ସୁମନ ମାଗଣା କୋଚିଂ ଦେବା ସହ ଏକ ନିଆରା ପଦ୍ଧତିରେ ୯୦,୦୦୦ ଗଛ ଲଗାଇସାରିଲେଣି। ସମସ୍ତିପୁରରେ ଥିବା ରାଜେଶଙ୍କ କୋଚିଂ ସେଣ୍ଟର୍‌ର...

ଧନୀଙ୍କ ପୃଥିବୀ

ଅତ୍ୟଧିକ ତାପଜ ବିଦ୍ୟୁତ ଉତ୍ପାଦନ, ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଏବେ ମଣିଷକୁ ମୃତ୍ୟୁମୁଖକୁ ଠେଲୁଛି। ମଣିଷ ନିଜେ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ଓ ଏହା...

ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି   ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ,...

ଏଇ ଭାରତରେ

କରୋନାର ଦ୍ୱିତୀୟ ଲହର ପ୍ରକାଶ ପାଇବା ପରଠାରୁ ଏଯାବତ୍‌ ଦିନଟିଏ ବିଶ୍ରାମ ନେବାକୁ ଭୁଲି ଯାଇଛନ୍ତି ପୁଣେର ଆଶାକର୍ମୀ ସୁମନ ଧେବେ। ମହାରାଷ୍ଟ୍ରର ଭେଲେ ବ୍ଲକ୍‌...

ଏଇ ଭାରତରେ

କଦଳୀ ବର୍ଜ୍ୟରୁ ଆକର୍ଷଣୀୟ ଜିନିଷ ତିଆରିକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌। ସେ ପରିବେଶ ଉପଯୋଗୀ ଷ୍ଟାର୍ଟଅପ୍‌ ‘ମେହୁଲ ଇଣ୍ଡଷ୍ଟ୍ରିଜ୍‌’ ପ୍ରତିଷ୍ଠା...

ଏଇ ଭାରତରେ

ଇ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ପସନ୍ଦର ଜିନିଷ ଘରେ ପହଞ୍ଚୁଥିବା ଭଳି ଏବେ ବେଙ୍ଗାଲୁରୁର ୨ ଭଉଣୀ ଯଶୋଦା ଏବଂ ରେହା କାରୁତୁରି ଲୋକଙ୍କୁ ପୂଜାଫୁଲ...

Advertisement
Archives

Model This Week