କରୋନା ଓ କୃଷି

ଡ. ରବୀନ୍ଦ୍ର କୁମାର ନାୟକ

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ କଲବଲ ହେଉଛି। କୋଭିଡ୍‌-୧୯ ଭୂତାଣୁ ଜୁଆର ପରି ମାଡ଼ିଚାଲିଛି ଓ ହଜାର ହଜାର ନର ସଂହାର କରୁଛି। ଆମେରିକା, ଇଟାଲୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ଚାଇନା ଇତ୍ୟାଦି ପ୍ରତିପତ୍ତିଶାଳୀ ରାଷ୍ଟ୍ର ସମୂହମାନେ ଏହା ଆଗରେ ହାର୍‌ ମାନୁଛନ୍ତି କିନ୍ତୁ ଭାରତ ତଥା ଓଡ଼ିଶାର ସମୟୋଚିତ ଓ ତ୍ୱରିତ୍‌ ପଦକ୍ଷେପ ଏହି ପୃଥିବୀର ଆତଙ୍କ କୋଭିଡ୍‌-୧୯ ଭୂତାଣୁର ସଂକ୍ରମଣ ମାତ୍ରାକୁ ଯଥେଷ୍ଟ କମ୍‌ କରିବାରେ ସକ୍ଷମ ହୋଇଛି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ଆବଦ୍ଧାଞ୍ଚଳ, ଆତ୍ମପ୍ରବାସ, ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଇତ୍ୟାଦି ନିୟମକୁ କଡାକଡ଼ି ପାଳନ କରିବା ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଜୀବନକୁ ପ୍ରାଥମିକତା ଦିଆଯାଇଛି। ରାଜକୋଷରୁ ପ୍ରଚୁର ପରିମାଣରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏହାର ଅନ୍ୟ ଦିଗଟି ହେଉଛି ଜୀବିକାର ସ୍ଥାଣୁତା। ଅଧିକାଂଶ ଜୀବିକା ପ୍ରାୟ ବନ୍ଦ ହୋଇଯାଇଛି। ଏହା ଏକ କଠୋର ବାଧ୍ୟବାଧକତା। ଏହାର ପରିଣାମ ସ୍ବରୂପ ଦେଶ ତଥା ବିଶ୍ୱର ଅର୍ଥନୈତିକ ସ୍ଥିତି ନିମ୍ନଗାମୀ ଓ ଅସମ୍ଭାଳ ପରିସ୍ଥିତିରେ ଉପନୀତ। ସରକାରଙ୍କ ସହାୟତା ଚିରକାଳ ନିମନ୍ତେ ସମ୍ଭବ ନୁହେଁ। କଳକାରଖାନା, ଦୋକାନ, ବଜାର, ବ୍ୟବସାୟ ବନ୍ଦ ଯୋଗୁ ସହରୀ ଚାକିରିଆ ଓ କର୍ମଜୀବୀ ବର୍ତ୍ତମାନ ଗାଁ ଅଭିମୁଖୀ।
ସଭ୍ୟତାର ଇତିହାସ କୁହେ ଅତୀତରେ ମାନବ ଏହି ପ୍ରକାର ପରିସ୍ଥିତିର ବହୁବାର ସାମ୍ନା କରିଛି, କିନ୍ତୁ ବର୍ତ୍ତମାନ ପିଢ଼ିର ଲୋକମାନଙ୍କ ପାଇଁ ଏପରି ସ୍ଥିତି ନୂଆ ଓ ଏହା ସବୁଦିନ ପାଇଁ ମନେ ରହିବ। ବିଧିବଦ୍ଧ ଟିକା/ଔଷଧ ଉଦ୍‌ଭାବନ ହେବା ପର୍ଯ୍ୟନ୍ତ କିମ୍ବା ପ୍ରାକୃତିକ ଉପାୟରେ ଏହି ମହାମାରୀ ଭୂତାଣୁର ଜୀବନ ଚକ୍ର ସମାପ୍ତ ନ ହେବା ପର୍ଯ୍ୟନ୍ତ ପ୍ରତିଷେଧକ ବ୍ୟବସ୍ଥା ହିଁ ଉଚିତ ପ୍ରତିକାର। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରତ୍ୟେକଟି ପ୍ରତିଷେଧକ ନିୟମକୁ ସାଧୁତା ସହ ପାଳନ କରିବା ହିଁ ବ୍ୟକ୍ତି ଓ ସମାଜ ପାଇଁ ହିତକର। ଏହାଦ୍ୱାରା ଏହି ମହାମାରୀଠାରୁ ରକ୍ଷା ପାଇହେବ କିନ୍ତୁ ଜୀବିକା ବଡ଼ ସଙ୍କଟରେ ପଡ଼ିବ। ‘ଜୀବିକା କ’ଣ ଜୀବନ ସହ ଜଡ଼ିତ ନୁହେ?’ ଛୋଟରୁ ବଡ଼ ବ୍ୟବସାୟ, କଳକାରଖାନା, ନିର୍ମାଣ, କୃଷି ତଥା ମାନବ ସମ୍ବଳର ବିନିଯୋଗ ଇତ୍ୟାଦି ସବୁ ବନ୍ଦ। ଏଗୁଡ଼ିକ ରୋଜଗାରର ପନ୍ଥା। ଏହାର ପ୍ରଭାବରେ ଅର୍ଥବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ବିଗତ ୪ ଦଶନ୍ଧିରେ ଆଜିର ଅର୍ଥନୈତିକ ସ୍ଥିତି ସର୍ବନିମ୍ନ । ଗ୍ରାମୀଣ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ। ଗାଁର ଶ୍ରମିକଙ୍କ ପାଖରେ କୌଣସି ଧନ୍ଦା ନାହିଁ। ଗ୍ରାମ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ନିକଟରେ କର୍ମସଂସ୍ଥାନ ବା ଆସିବ କେଉଁଠୁ। ଜନସଂଖ୍ୟାର ଦୁଇ ତୃତୀୟାଂଶ ଗାଁରେ ବାସ କରନ୍ତି ଏବଂ ଜାତୀୟ ଅର୍ଥ ବ୍ୟବସ୍ଥାକୁ ଏମାନଙ୍କର ଅବଦାନ ଅଧାରୁ ଅଧିକ ତେଣୁ ଅର୍ଥନୈତିକ ବ୍ୟବସ୍ଥା ଦୁର୍ବଳ ହେବା ସ୍ବାଭାବିକ।
ସାମ୍ପ୍ରତିକ ପରିସ୍ଥିତିରେ କୃଷି ଓ ଆନୁଷଙ୍ଗିକ ବୃତ୍ତି ରାଜ୍ୟ ଓ ଦେଶ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର କର୍ମ ସଂସ୍ଥାନ ଯୋଗାଣ ନିମନ୍ତେ। ଏଣୁ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେଲେ ଜୀବିକା ସୃଷ୍ଟିହେବା ସହ ଭାରତ ପରି ଏକ ବିଶାଳ ଜନବହୁଳ ରାଷ୍ଟ୍ରରେ ଖାଦ୍ୟ ନିରାପତ୍ତା ଅକ୍ଷୁଣ୍ଣ ରହିପାରିବ। ଏଥିପାଇଁ ଚାଷୀ, ବେସରକାରୀ ସଂସ୍ଥା ଓ ସରକାର ସମସ୍ତେ ଚାଷର ଅଗ୍ରଗତି ନିମନ୍ତେ ଆଗଭର ହେବା ଆବଶ୍ୟକ ଓ ଉପଯୁକ୍ତ ଖସଡ଼ା ପ୍ରସ୍ତୁତ କରି ସ୍ଥାନ ବିଶେଷରେ ଏହାର କାର୍ଯ୍ୟାନ୍ବୟନ କରିବା ଉଚିତ।
କୃଷି କ୍ଷେତ୍ରରେ କରୋନା ଯୋଗୁ କେତେଗୁଡ଼ିଏ ସଙ୍କଟ ସୃଷ୍ଟି ହୋଇଛି। ତାଲାବନ୍ଦକୁ ନେଇ ଚାଷୀ ବା କୃଷି ଶ୍ରମିକ ଘରୁ ବାହାରକୁ ବାହାରିବା ପାଇଁ ଦ୍ୱିଧାବୋଧ କରୁଛନ୍ତି। ସେମାନଙ୍କ ମନରେ କରୋନା ସଂକ୍ରମଣର ଭୟ ରହିଛି କିନ୍ତୁ ସାଧାରଣତଃ କ୍ଷେତ ଚାଷୀର ଘର ନିକଟରେ ଥାଏ। କ୍ଷେତ କରୋନା ଜୀବାଣୁ ଉତ୍ପନ୍ନ କରେ ନାହିଁ। ଜଣେ ସଂକ୍ରମିକ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ହିଁ ଏହି ରୋଗ ହେବାର ସମ୍ଭାବନା ଥାଏ। ପ୍ରକୃତିରେ କୃଷି କ୍ଷେତ୍ର ଅଦି ନିର୍ମଳ ଓ ଶୁଦ୍ଧ । ଦୂରରେ ଥିବା କ୍ଷେତରେ ପହଞ୍ଚିବା ପାଇଁ ଯାନବାହନ ବ୍ୟବହାର ଅନୁମତି ଚାଷୀଙ୍କୁ ମିଳିବା ଉଚିତ। ଚାଷୀ ଏହି ସୁବିଧାର ଦୁରୁପଯୋଗ କରିବା ଅନୁଚିତ। ଏପରିସ୍ଥିତିର ମୁକାବିଲା ପାଇଁ ଗୋଟିଏ ଶୃଙ୍ଖଳିତ ବଜାର ବ୍ୟବସ୍ଥା ସରକାରଙ୍କ ତତ୍ତ୍ୱାବଧାନରେ ହେବା ଉଚିତ। ନିର୍ଦ୍ଦିଷ୍ଟ ଅଞ୍ଚଳର ଚାଷୀ ଉତ୍ପାଦିତ ସାମଗ୍ରୀକୁ ନିକଟରେ ଥିବା ଗାଁ, ହାଟ/ବଜାରରେ ବିକ୍ରି କରିବା ସୁବିଧାଜନକ ଏବଂ ବଳକା ସାମଗ୍ରୀକୁ ନିକଟସ୍ଥ ସହରକୁ ଚାଲାଣ ସୁବିଧା ହେଲେ ଚାଷୀ ଉପକୃତ ହୋଇପାରିବ। ଏହା ବ୍ୟତୀତ ସ୍ଥାୟୀ ଓ ଅସ୍ଥାୟୀ ଉତ୍ପାଦ ସଂରକ୍ଷଣ ସୁବିଧା ହେବା ସହ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ମିଳିପାରିବ।
କୋଭିଡ୍‌-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ଚାଷୀ, କୃଷି ଶ୍ରମିକ ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତି ସୁବିଧା ଅନୁସାରେ ମାସ୍କ, ଗାମୁଛା କିମ୍ବା ରୁମାଲରେ ମୁହଁକୁ ଘୋଡ଼ାଇ ପାରିବେ। ସାମାଜିକ ଦୂରତ୍ୱ ରକ୍ଷା ପାଇଁ କ୍ଷେତରେ ଥିବା ପ୍ରତ୍ୟେକ ବ୍ୟକ୍ତି ପରସ୍ପର ମଧ୍ୟରେ ସର୍ବନିମ୍ନ ୧.୫ରୁ ୨ ମିଟର ଦୂରତା ରଖିଲେ ଭଲ। ସାଧାରଣତଃ ବିଶ୍ରାମ ଓ ଜଳପାନ କରିବା ସମୟରେ ଶ୍ରମିକମାନେ ଏକାଠି ହୋଇଥାନ୍ତି। ଏ ସମୟରେ ସତର୍କତାର ସହ ଦୂରତା ରକ୍ଷା କରିବା ନୀତିସଙ୍ଗତ। ଦ୍ରବ୍ୟ ଆଦାନପ୍ରଦାନ ସମୟରେ ସାମାଜିକ ଦୂରତା ରକ୍ଷା ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଛିଙ୍କ, କାଶ, ଜ୍ୱର କିମ୍ବା କରୋନା ଲକ୍ଷଣ ଥିବା ବ୍ୟକ୍ତି କ୍ଷେତକୁ ଯାଇ କାମ କରିବା ନୀତିସଙ୍ଗତ ନୁହେଁ।
ଅଳ୍ପଦିନ ପରେ ଖରିଫ୍‌ ଚାଷ ଆରମ୍ଭ ହେବ। ଏହା ଚାଷର ମୁଖ୍ୟ ଋତୁ। ଏବେଠାରୁ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ। ନିମ୍ନୋକ୍ତ କୃଷି କାର୍ଯ୍ୟକୁ ଚାଷୀମାନେ ହାତକୁ ନେବା ଦରକାର। କାଳବୈଶାଖୀ ବର୍ଷାକୁ ଉପଯୋଗ କରି ମାଟିର ଉତ୍ତମ ବତର ଅବସ୍ଥାରେ ଖରାଟିଆ ଚାଷ କରାଯାଉ। ଶେଷ ଓଡ଼ ଚାଷ ପୂର୍ବରୁ ପ୍ରଚୁର ପରିମାଣରେ ଖତ ଜମିର ସବୁଆଡ଼େ ବିଞ୍ଚତ୍କରି ପ୍ରୟୋଗ କରିବା ଉଚିତ। ଢିପ ମଧ୍ୟମ ବା ଖାଲ ଜମିର କିସମ ଅନୁଯାୟୀ ଫସଲ ଖସଡ଼ା ସ୍ଥିର କରିବା ଆବଶ୍ୟକ। ଦରକାର ମୁତାବକ ସ୍ଥିରୀକୃତ ଫସଲ ପାଇଁ ଉତ୍ତମ ବିହନ, ବିଶୋଧକ, ରୋଗପୋକ ନାଶକ ଔଷଧ, ସାର, ଭରସାଯୋଗ୍ୟ ଉତ୍ସରୁ ଏବେଠାରୁ ସଂଗ୍ରହ କରି ରଖିବା ଦରକାର। ଏହା ଉପଯୁକ୍ତ ସମୟରେ କାମରେ ଆସିବ। ଧାନ ତଳିଘେରା ପାଇଁ ଜମି ପ୍ରସ୍ତୁତି କରିବା ଦରକାର। ଢିପ ଜମିରେ ଅଣଧାନ ଫସଲ ଯଥା- ପନିପରିବା, ଡାଲି ଓ ତୈଳବୀଜ ଫସଲ ଚାଷ ପାଇଁ ଖସଡ଼ା ପ୍ରସ୍ତୁତ ହେବା ଉଚିତ। ସେହିପରି ମଧ୍ୟମ ଓ ଖାଲ ଜମିରେ ଧାନର କିସମ ସ୍ଥିର କଲେ ଅମଳ ଅଧିକ ହେବାର ସମ୍ଭାବନା ଥାଏ। ବ୍ୟବସାୟଭିତ୍ତିକ କୃଷି ପାଇଁ ବଜାରର ସୁନିଶ୍ଚିତତା ନିହାତି ଜରୁରୀ। କୃଷି ଉତ୍ପାଦର ପରିବହନ, ସଂରକ୍ଷଣତା ଓ ପ୍ରକ୍ରିୟାକରଣ ସୁବିଧାର ସ୍ଥିତିକୁ ଅନୁଧ୍ୟାନ କରି ସିଦ୍ଧାନ୍ତ ନେବା ଆବଶ୍ୟକ। ସରକାରଙ୍କର ପ୍ରୋତ୍ସାହନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମମାନଙ୍କର ଲାଭ ନିଅନ୍ତୁ।
ପ୍ରବାସୀ ଓଡ଼ିଆ ଏହି ମାଟିର ସନ୍ତାନ। ସେମାନେ ନିଜ ପରିବାରର କୃଷି କାର୍ଯ୍ୟରେ ସକ୍ରିୟ ଯୋଗଦାନ କାରି ସମୟର ସଦୁପଯୋଗ କରିବା ସହ ସ୍ବାବଲମ୍ବୀ ହେବାର ସୁବର୍ଣ୍ଣ ସୁଯୋଗ ରହିଛି।
କୃଷିକାର୍ଯ୍ୟ ଏକ ଚିରନ୍ତନ ସତ୍ୟ, ମାନବ ସଭ୍ୟତା ସହ ଏହା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜୀବନ ପାଇଁ ଖାଦ୍ୟ ଆବଶ୍ୟକ। ତେଣୁ କୃଷି କାର୍ଯ୍ୟକ୍ରମ ଏକ ପ୍ରାଥମିକ ଜୀବିକା। କରୋନାର ବିଭୀଷିକା ଏକ ସାମୟିକ ସତ୍ୟ। ଏହାର ପ୍ରତିରୋଧ ବ୍ୟବସ୍ଥା ଖୁବ୍‌ ପ୍ରଭାବଶାଳୀ, ପ୍ରତିକାର ନିଶ୍ଚୟ ଉଦ୍‌ଭାବନ ହେବ। କିନ୍ତୁ ସମାଜ ତିଷ୍ଠିବା ପାଇଁ ଖାଦ୍ୟର ବିକଳ୍ପ ନାହିଁ। କୃଷି ହିଁ ଏହାର ଏକମାତ୍ର ସମାଧାନ। ଏହା ସହ ଚାଷୀର ସମ୍ମାନ ଜଡ଼ିତ। ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ, ରୋଗ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ ସମସ୍ୟା ବିରୋଧରେ ଅତୀତରେ ବିଜୟ ଲାଭ କରିଛି କୃଷକ। ସୁତରାଂ କରୋନା ମହାମାରୀର ପ୍ରାଦୁର୍ଭାବକୁ ନ ଡରି ଯଥାସମ୍ଭବ ସତର୍କତାର ସହିତ କୃଷିକାର୍ଯ୍ୟକୁ ଆଗେଇ ନେବା ହିଁ ସମୟୋପଯୋଗୀ ଏବଂ ଏହା ହିଁ କୃଷି, କୃଷକ ଓ ସମାଜ ପାଇଁ ମଙ୍ଗଳକାରୀ।
ପ୍ରାଧ୍ୟାପକ, ଓୟୁଏଟି
ମୋ:୯୪୩୭୧୬୮୬୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଏକ ଦରଘା ସାମ୍ପ୍ରଦାୟିକ ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ଦେଇ ଆସୁଛି। ଝୁନ୍‌ଝୁନ ଜିଲା ନରହର ସହର ସ୍ଥିତ ବାବା ହାଜିବ ଶକରର୍ବର ଶାହାଙ୍କ...

ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଯୁଗ

ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ଏହାର ସଦ୍ୟ ପ୍ରମାଣ ସେପ୍ଟେମ୍ବରରେ ଦେଖିବାକୁ ମିଳିଛି। ଉକ୍ତ...

ଆମ ଶିଶୁ୍‌: ନା ଭାଗ୍ୟବାନ୍‌ ନା ଆୟୁଷ୍ମାନ୍‌

ଡ. ରମେଶ ଚନ୍ଦ୍ର ପରିଡ଼ା ୨୦୨୪ ମସିହା ବେଳକୁ ଭାରତ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଆମ ପ୍ରଧାନମନ୍ତ୍ରୀ ଆଶା...

ବିପଜ୍ଜନକ ବର୍ଷ

ଆକାର ପଟେଲ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ...

ସମାପ୍ତି ଦିଶୁ ନାହିଁ

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୧ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ସଙ୍କେତ ମିଳୁନାହିଁ। ୟୁକ୍ରେନ୍‌ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଭିତିରି ସମର୍ଥନ...

ପେଟେଣ୍ଟମୁକ୍ତ ଟିକା

ଡ. ନରେନ୍ଦ୍ର ସେଠୀ ଟିକାକରଣ ଏକମାତ୍ର ଉପାୟ ଯାହା କରୋନା ମହାମାରୀ ସଙ୍କଟରୁ ଉଦ୍ଧାର କରିପାରିବ। ଯଦି ଦ୍ରୁତ ଗତିରେ ଟିକାକରଣ ନ ହୁଏ, ତା’ହଲେ...

ପୁରାଣରେ ବିଜ୍ଞାନ: ବିଶ୍ୱାସରୁ ଅନ୍ଧବିଶ୍ୱାସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ନିକଟରେ ଲୋକ ସଭାର ଦୁଇଜଣ ମହିଳା ସଦସ୍ୟ ସୁପ୍ରିୟା ସୁଲେ (ମହାରାଷ୍ଟ୍ର) ଏବଂ ଥାମିଝାଚି ଥାଗାପାଣ୍ଡିଆନ୍‌ (ତାମିଲନାଡୁ) ଦେଶର ଏକ...

ଏଇ ଭାରତରେ

ଭଲ ଚାକିରି ଓ ଭଲ ଜାଗାରେ ବାହା ହୋଇ ଘରସଂସାର କରିବା ଲାଗି ସ୍ବପ୍ନ ଦେଖନ୍ତି ଯୁବପିଢି। କିନ୍ତୁ ସ୍ବାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ମଧ୍ୟ...

Advertisement
Archives

Model This Week