କରୋନାର ନାଗରିକତ୍ୱ

କରୋନା ଭୂତାଣୁ ଅଦ୍ୟାବଧି ୩,୦୦୦ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ବିଶ୍ୱବ୍ୟାପୀ ୯୦,୦୦୦ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭୂତାଣୁ ୭୨ ଦେଶକୁ ବ୍ୟାପିଗଲାଣି। ଭାରତର ଦିଲ୍ଲୀ ଓ ତେଲଙ୍ଗାନାରେ ୨ଟି ସଦ୍ୟ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ନୋଏଡାରେ ଜଣେ ଛାତ୍ରଙ୍କ ପିତାଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ସେ ନିକଟରେ ଇଟାଲିରୁ ଫେରିଥିଲେ। ଘରେ ପିଲାର ଜନ୍ମଦିନ ଉତ୍ସବ ପାଳନ କରୁଥିବା ବେଳେ ସେଠାକୁ ଅନ୍ୟ ପିଲାମାନେ ଆସିଥିଲେ। ଉତ୍ସବରେ ଯୋଗ ଦେଇଥିବା ପିଲାଙ୍କୁ ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରି ସେଠାକାର ଏକ ଘରୋଇ ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଓଡ଼ିଶା କଥା ଦେଖିଲେ ୩ ମାର୍ଚ୍ଚରେ ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ପହଞ୍ଚିଥିବା ଭାରତୀୟ ଦମ୍ପତିଙ୍କଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯିବା ପରେ ଦୁହିଁଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଦମ୍ପତିଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି ଜଣାପଡ଼ିଛି। ଏହିଭଳି ଭାବେ ଭାରତରେ କରୋନା ସଂକ୍ରମିତଙ୍କ କଥା ପଦାକୁ ଆସିବା ଆରମ୍ଭ କରିଥିବାରୁ ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିଶ୍ଚିତ ଭାବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।
ଚାଇନାର ଉହାନରୁ ସୃଷ୍ଟ କରୋନା ଭୂତାଣୁ ଅନ୍ୟ ଦେଶଗୁଡ଼ିକୁ ବ୍ୟାପୁଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛି। ଚାଇନାରେ ଏହା ୨,୯୪୩ ଜୀବନ ନେଇ ସାରିଲାଣି। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚାଇନାରେ ଏଭଳି ରୋଗ ବ୍ୟାପିବା କ୍ଷଣି ଅଧିକ ଲୋକ ପ୍ରଭାବିତ ହେବା ସ୍ବାଭାବିକ। ତେବେ ସେଠାକାର ସରକାର ତୁରନ୍ତ ପଦକ୍ଷେପ ନେଇପାରିଥିବାରୁ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ବୋଲି କୁହାଯାଉଛି। ଭାରତ ତୁଳନାରେ ଚାଇନାରେ ସ୍ବାସ୍ଥ୍ୟସେବା ଉନ୍ନତ ମାନର ହୋଇଥିବାରୁ ଏବଂ ଖୁବ୍‌ କମ୍‌ ଦିନରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଇ ପାରୁଥିବାରୁ ଏହି ରୋଗରେ ଆକ୍ରାନ୍ତଙ୍କ ପାଇଁ ଅଲଗା ଓ୍ବାର୍ଡ ସଙ୍ଗେ ସଙ୍ଗେ ତିଆରି ହୋଇଯାଉଛି। ହେଲେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦେଖିଲେ କରୋନା କରାଳ ରୂପ ନେଲେ ତାହାକୁ ରୋକିବା କଷ୍ଟକର ବ୍ୟାପାର। କେତେ ଜଣଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ବିମାନବନ୍ଦର ଓ ବନ୍ଦର ଦେଇ ଆସୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏତିକି ବ୍ୟବସ୍ଥା କରୋନାକୁ ରୋକିପାରିବ ବୋଲି ମନେହେଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ଲାଗି ଭୟଭୀତ ହେବାର ନାହିଁ। ଅବଶ୍ୟ ବର୍ତ୍ତମାନ ସ୍ଥିତିରେ ଏଥିଲାଗି ଜନସାଧାରଣ ଆତଙ୍କିତ ନ ହେବା ଦରକାର। କିନ୍ତୁ ସରକାର ଏହାକୁ ରୋକିବା ଲାଗି ସବୁ ଦିଗରୁ ପ୍ରସ୍ତୁତ ଅଛନ୍ତି କି ନାହିଁ, ତାହା ହେଉଛି ବଡ଼ କଥା। ଯେହେତୁ କରୋନାକୁ ରୋକିବା ଲାଗି ନିର୍ଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରାଯାଇପାରି ନାହିଁ ଏବଂ ଭାରତରେ ସରକାରୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି, ସେହେତୁ ଏହାକୁ ନିୟନ୍ତ୍ରଣ କରିବା କଠିନ କାର୍ଯ୍ୟ। ସାଧାରଣ ଭାରତୀୟଙ୍କ ପାଇଁ ବ୍ୟୟବହୁଳ ଘରୋଇ ଚିକିତ୍ସା ସେବା ପାଇବା ସହଜ ନୁହେଁ। ଭାରତରେ ସରକାରୀ ବ୍ୟବସ୍ଥା ଦ୍ୱାରା ସେହିଭଳି ସଂକ୍ରାମକ ରୋଗର ମୁକାବିଲା ଲାଗି ଠିକ୍‌ ପ୍ରସ୍ତୁତି କରାଯାଇପାରିବ ବୋଲି ବିଶ୍ୱାସ ହେଉନାହିଁ।
ଗୋଟିଏପଟେ ଭାରତରେ ଲୋକଙ୍କୁ କରୋନା ଆକ୍ରାନ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ସରକାରଙ୍କ ବିଭିନ୍ନ ଆଇନ ଜନସାଧାରଣଙ୍କୁ ହନ୍ତସନ୍ତ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି। ସମ୍ଭବତଃ ସ୍ବାଧୀନ ଭାରତ ଇତିହାସରେ ପୂର୍ବରୁ ଯାହା ଘଟି ନ ଥିଲା, ତାହା ଏବେ ଦେଖିବାକୁ ମିଳୁଛି। ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ, ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ଉଚ୍ଚାୟୁକ୍ତ ମିଶେଲ୍‌ ବାଚେଲ୍‌ ଭାରତର ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଏର କରିଛନ୍ତି। ସେହି ଆବେଦନରେ କୁହାଯାଇଛି ଯେ, ଭାରତର ନୂତନ ନାଗରିକତ୍ୱ ସଂଶୋଧିତ ଆଇନ ଅନ୍ତର୍ଜାତୀୟ ମାନବାଧିକାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଆବେଦନ ମାଧ୍ୟମରେ ଜାତିସଂଘ ଆମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଛି। କିନ୍ତୁ ଯଦି ଜାତିସଂଘର ଇତିହାସକୁ ଦେଖାଯାଏ, ତେବେ ଏହିଭଳି ହସ୍ତକ୍ଷେପ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ବିଭିନ୍ନ ସମୟରେ ହୋଇଛି। ଜାତିସଂଘ ମାନବ ଅଧିକାର ପରିଷଦର ଦାୟିତ୍ୱ ତୁଲାଇବାକୁ ହେଲେ ଏହିଭଳି ପଦକ୍ଷେପ ନେବା ଆବଶ୍ୟକ ପଡ଼ିଥାଏ। ଏହାକୁ ଆଭ୍ୟନ୍ତରୀଣ ବ୍ୟାପାର କହି ଭାରତ ଏଡ଼ାଇ ଦେଇପାରିବ ନାହିଁ। କାରଣ ମାନବାଧିକାର ଭଙ୍ଗ କରୁଥିବା ସବୁ ଦେଶ ନିଜର କୁକର୍ମ ଘୋଡ଼ାଇବା ପାଇଁ ତ୍ରୁଟିପୂର୍ଣ୍ଣ ନୀତିକୁ ଆଭ୍ୟନ୍ତରୀଣ ବିଷୟର ଆଖ୍ୟା ଦେଇଥାଆନ୍ତି। ସେଥିପାଇଁ ଜାତିସଂଘର ଏହି ପରିଷଦ ଦ୍ୱାରା କରାଯାଇଥିବା ଆବେଦନ ନିଶ୍ଚିତ ଭାବେ ଆଇନସମ୍ମତ। କିନ୍ତୁ ଯାହା ୟୁଏନ୍‌ଏଚ୍‌ଆର୍‌ସିର ଆବେଦନରେ ଉଲ୍ଲେଖ କରାଯାଇଛି, ଭାରତର ମୁସଲମାନ ସମ୍ପ୍ରଦାୟ ଏହି ନାଗରିକତ୍ୱ ଆଇନ ଦ୍ୱାରା ଶିକାର ହେବେ, ତା’ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କାରଣ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ, ଆଦିବାସୀ ଓ ଅଶିକ୍ଷିତ ଗରିବ ହିନ୍ଦୁ ଏବଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଏହି ଆଇନକୁ ବ୍ୟବହାର କରି ଆଦିବାସୀମାନଙ୍କ ନାଗରିକତ୍ୱ ଅଧିକାର ଛଡ଼ାଇ ନେବା ସହଜ ହେବ। ସେମାନଙ୍କୁ ନିର୍ମିତ ହେଉଥିବା ଅନେକ ଅଟକ ଶିବିରରେ ରଖି ସେମାନଙ୍କ ଜମି ବଡ଼ ଶିଳ୍ପପତିମାନେ ହାତେଇ ନେଇପାରିବେ। ପେଡ଼ିରୁ ମୁକ୍ତି ଦିଆଯାଇଥିବା ଏହି ମାନବ ଅଧିକାର ବିରୋଧୀ ଆଇନ ଆଜି ମୁସଲମାନ ବିରୋଧୀ ଲାଗିଲେ ମଧ୍ୟ ଭବିଷ୍ୟତରେ ସମସ୍ତଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ଧନୀ ପ୍ରଭାବିତ ହେବେ ନାହିଁ। ମରିବେ ଗରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri