କରୋନାର ନାଗରିକତ୍ୱ

କରୋନା ଭୂତାଣୁ ଅଦ୍ୟାବଧି ୩,୦୦୦ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ବିଶ୍ୱବ୍ୟାପୀ ୯୦,୦୦୦ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭୂତାଣୁ ୭୨ ଦେଶକୁ ବ୍ୟାପିଗଲାଣି। ଭାରତର ଦିଲ୍ଲୀ ଓ ତେଲଙ୍ଗାନାରେ ୨ଟି ସଦ୍ୟ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ନୋଏଡାରେ ଜଣେ ଛାତ୍ରଙ୍କ ପିତାଙ୍କଠାରେ କରୋନା ଭୂତାଣୁ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ସେ ନିକଟରେ ଇଟାଲିରୁ ଫେରିଥିଲେ। ଘରେ ପିଲାର ଜନ୍ମଦିନ ଉତ୍ସବ ପାଳନ କରୁଥିବା ବେଳେ ସେଠାକୁ ଅନ୍ୟ ପିଲାମାନେ ଆସିଥିଲେ। ଉତ୍ସବରେ ଯୋଗ ଦେଇଥିବା ପିଲାଙ୍କୁ ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରି ସେଠାକାର ଏକ ଘରୋଇ ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଓଡ଼ିଶା କଥା ଦେଖିଲେ ୩ ମାର୍ଚ୍ଚରେ ସିଙ୍ଗାପୁରରୁ ଆସି ପାରାଦୀପ ବନ୍ଦରରେ ପହଞ୍ଚିଥିବା ଭାରତୀୟ ଦମ୍ପତିଙ୍କଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯିବା ପରେ ଦୁହିଁଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଦମ୍ପତିଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି ଜଣାପଡ଼ିଛି। ଏହିଭଳି ଭାବେ ଭାରତରେ କରୋନା ସଂକ୍ରମିତଙ୍କ କଥା ପଦାକୁ ଆସିବା ଆରମ୍ଭ କରିଥିବାରୁ ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିଶ୍ଚିତ ଭାବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।
ଚାଇନାର ଉହାନରୁ ସୃଷ୍ଟ କରୋନା ଭୂତାଣୁ ଅନ୍ୟ ଦେଶଗୁଡ଼ିକୁ ବ୍ୟାପୁଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛି। ଚାଇନାରେ ଏହା ୨,୯୪୩ ଜୀବନ ନେଇ ସାରିଲାଣି। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚାଇନାରେ ଏଭଳି ରୋଗ ବ୍ୟାପିବା କ୍ଷଣି ଅଧିକ ଲୋକ ପ୍ରଭାବିତ ହେବା ସ୍ବାଭାବିକ। ତେବେ ସେଠାକାର ସରକାର ତୁରନ୍ତ ପଦକ୍ଷେପ ନେଇପାରିଥିବାରୁ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ବୋଲି କୁହାଯାଉଛି। ଭାରତ ତୁଳନାରେ ଚାଇନାରେ ସ୍ବାସ୍ଥ୍ୟସେବା ଉନ୍ନତ ମାନର ହୋଇଥିବାରୁ ଏବଂ ଖୁବ୍‌ କମ୍‌ ଦିନରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଇ ପାରୁଥିବାରୁ ଏହି ରୋଗରେ ଆକ୍ରାନ୍ତଙ୍କ ପାଇଁ ଅଲଗା ଓ୍ବାର୍ଡ ସଙ୍ଗେ ସଙ୍ଗେ ତିଆରି ହୋଇଯାଉଛି। ହେଲେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦେଖିଲେ କରୋନା କରାଳ ରୂପ ନେଲେ ତାହାକୁ ରୋକିବା କଷ୍ଟକର ବ୍ୟାପାର। କେତେ ଜଣଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି। ବିମାନବନ୍ଦର ଓ ବନ୍ଦର ଦେଇ ଆସୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏତିକି ବ୍ୟବସ୍ଥା କରୋନାକୁ ରୋକିପାରିବ ବୋଲି ମନେହେଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ଲାଗି ଭୟଭୀତ ହେବାର ନାହିଁ। ଅବଶ୍ୟ ବର୍ତ୍ତମାନ ସ୍ଥିତିରେ ଏଥିଲାଗି ଜନସାଧାରଣ ଆତଙ୍କିତ ନ ହେବା ଦରକାର। କିନ୍ତୁ ସରକାର ଏହାକୁ ରୋକିବା ଲାଗି ସବୁ ଦିଗରୁ ପ୍ରସ୍ତୁତ ଅଛନ୍ତି କି ନାହିଁ, ତାହା ହେଉଛି ବଡ଼ କଥା। ଯେହେତୁ କରୋନାକୁ ରୋକିବା ଲାଗି ନିର୍ଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରାଯାଇପାରି ନାହିଁ ଏବଂ ଭାରତରେ ସରକାରୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି, ସେହେତୁ ଏହାକୁ ନିୟନ୍ତ୍ରଣ କରିବା କଠିନ କାର୍ଯ୍ୟ। ସାଧାରଣ ଭାରତୀୟଙ୍କ ପାଇଁ ବ୍ୟୟବହୁଳ ଘରୋଇ ଚିକିତ୍ସା ସେବା ପାଇବା ସହଜ ନୁହେଁ। ଭାରତରେ ସରକାରୀ ବ୍ୟବସ୍ଥା ଦ୍ୱାରା ସେହିଭଳି ସଂକ୍ରାମକ ରୋଗର ମୁକାବିଲା ଲାଗି ଠିକ୍‌ ପ୍ରସ୍ତୁତି କରାଯାଇପାରିବ ବୋଲି ବିଶ୍ୱାସ ହେଉନାହିଁ।
ଗୋଟିଏପଟେ ଭାରତରେ ଲୋକଙ୍କୁ କରୋନା ଆକ୍ରାନ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ସରକାରଙ୍କ ବିଭିନ୍ନ ଆଇନ ଜନସାଧାରଣଙ୍କୁ ହନ୍ତସନ୍ତ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି। ସମ୍ଭବତଃ ସ୍ବାଧୀନ ଭାରତ ଇତିହାସରେ ପୂର୍ବରୁ ଯାହା ଘଟି ନ ଥିଲା, ତାହା ଏବେ ଦେଖିବାକୁ ମିଳୁଛି। ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ, ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ଉଚ୍ଚାୟୁକ୍ତ ମିଶେଲ୍‌ ବାଚେଲ୍‌ ଭାରତର ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଏର କରିଛନ୍ତି। ସେହି ଆବେଦନରେ କୁହାଯାଇଛି ଯେ, ଭାରତର ନୂତନ ନାଗରିକତ୍ୱ ସଂଶୋଧିତ ଆଇନ ଅନ୍ତର୍ଜାତୀୟ ମାନବାଧିକାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଆବେଦନ ମାଧ୍ୟମରେ ଜାତିସଂଘ ଆମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଛି। କିନ୍ତୁ ଯଦି ଜାତିସଂଘର ଇତିହାସକୁ ଦେଖାଯାଏ, ତେବେ ଏହିଭଳି ହସ୍ତକ୍ଷେପ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ବିଭିନ୍ନ ସମୟରେ ହୋଇଛି। ଜାତିସଂଘ ମାନବ ଅଧିକାର ପରିଷଦର ଦାୟିତ୍ୱ ତୁଲାଇବାକୁ ହେଲେ ଏହିଭଳି ପଦକ୍ଷେପ ନେବା ଆବଶ୍ୟକ ପଡ଼ିଥାଏ। ଏହାକୁ ଆଭ୍ୟନ୍ତରୀଣ ବ୍ୟାପାର କହି ଭାରତ ଏଡ଼ାଇ ଦେଇପାରିବ ନାହିଁ। କାରଣ ମାନବାଧିକାର ଭଙ୍ଗ କରୁଥିବା ସବୁ ଦେଶ ନିଜର କୁକର୍ମ ଘୋଡ଼ାଇବା ପାଇଁ ତ୍ରୁଟିପୂର୍ଣ୍ଣ ନୀତିକୁ ଆଭ୍ୟନ୍ତରୀଣ ବିଷୟର ଆଖ୍ୟା ଦେଇଥାଆନ୍ତି। ସେଥିପାଇଁ ଜାତିସଂଘର ଏହି ପରିଷଦ ଦ୍ୱାରା କରାଯାଇଥିବା ଆବେଦନ ନିଶ୍ଚିତ ଭାବେ ଆଇନସମ୍ମତ। କିନ୍ତୁ ଯାହା ୟୁଏନ୍‌ଏଚ୍‌ଆର୍‌ସିର ଆବେଦନରେ ଉଲ୍ଲେଖ କରାଯାଇଛି, ଭାରତର ମୁସଲମାନ ସମ୍ପ୍ରଦାୟ ଏହି ନାଗରିକତ୍ୱ ଆଇନ ଦ୍ୱାରା ଶିକାର ହେବେ, ତା’ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କାରଣ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ, ଆଦିବାସୀ ଓ ଅଶିକ୍ଷିତ ଗରିବ ହିନ୍ଦୁ ଏବଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଏହି ଆଇନକୁ ବ୍ୟବହାର କରି ଆଦିବାସୀମାନଙ୍କ ନାଗରିକତ୍ୱ ଅଧିକାର ଛଡ଼ାଇ ନେବା ସହଜ ହେବ। ସେମାନଙ୍କୁ ନିର୍ମିତ ହେଉଥିବା ଅନେକ ଅଟକ ଶିବିରରେ ରଖି ସେମାନଙ୍କ ଜମି ବଡ଼ ଶିଳ୍ପପତିମାନେ ହାତେଇ ନେଇପାରିବେ। ପେଡ଼ିରୁ ମୁକ୍ତି ଦିଆଯାଇଥିବା ଏହି ମାନବ ଅଧିକାର ବିରୋଧୀ ଆଇନ ଆଜି ମୁସଲମାନ ବିରୋଧୀ ଲାଗିଲେ ମଧ୍ୟ ଭବିଷ୍ୟତରେ ସମସ୍ତଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ଧନୀ ପ୍ରଭାବିତ ହେବେ ନାହିଁ। ମରିବେ ଗରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri