ଏମର୍ଜେନ୍ସି ହେଲେ

ଜିତେନ୍ଦ୍ର କୁମାର ନାୟକ

ଏମର୍ଜେନ୍ସି ବା ଜରୁରିକାଳୀନ ପରିସ୍ଥିତି କ’ଣ କେବଳ ଶାସକଙ୍କ ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଥାଏ? ଭାରତର ଗଣତାନ୍ତ୍ରିକ ଇତିହାସରେ ୧୯୭୫ରେ ଲାଗୁ କରାଯାଇଥିବା ଏମର୍ଜେନ୍ସି ଥିଲା ଗାଦି ରକ୍ଷା ପାଇଁ। ଦୀର୍ଘଦିନ ଧରି ଶାସନରେ ରହିବା ସକାଶେ ସେତେବେଳେ ଯେଉଁ ଦୁର୍ବାର ପ୍ରୟାସ କରାଯାଇଥିଲା ତା’ର କୁଫଳ ଭୋଗିଥିଲେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ। ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ଜେଲ ଦେଖାଇ ଦିଆଯାଉଥିଲା। ବାକ୍‌ ସ୍ବାଧୀନତାରେ ତୁଣ୍ଡି ବନ୍ଧା ହୋଇଯାଇଥିଲା। ଏହାର ପ୍ରାୟ ୪୫ ବର୍ଷ ପରେ ମୁହଁରେ ତୁଣ୍ଡି ବାନ୍ଧିବାକୁ ମଣିଷ ବାଧ୍ୟ ହୋଇଛି କୌଣସି ଶାସକଙ୍କ ଜୁଲୁମ୍‌ କିମ୍ବା ନିର୍ଦ୍ଦେଶକୁ ମାନି ନୁହେଁ, ବରଂ ଗୋଟିଏ ଭୂତାଣୁ ଭୟରେ। ସମ୍ଭବତଃ ଏହି ଅଭ୍ୟାସ ଦୀର୍ଘଦିନ ବଜାୟ ରହିବ ବୋଲି ଆଭାସ ମିଳିଲାଣି। ଚାଇନାର ଉହାନ୍‌ରୁ ଆସିଥିବା କୋଭିଡ୍‌-୧୯ ବିଶ୍ୱ ପରିକ୍ରମା କରିଚାଲିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଅଭ୍ୟାସକୁ ପ୍ରତିକାର ସ୍ବରୂପ ଗ୍ରହଣ କରିନେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିବେଦନ କରିଚାଲିଛି। ଭାରତରେ ୩୦ ଜାନୁୟାରୀରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଥିଲା। ୧୮ ମେ’ରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିଲା। ୨୪ ମେ’ରେ ଏହି ସଂଖ୍ୟା ୧ଲକ୍ଷ ୩୧ ହଜାର ୮୬୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୩,୮୬୭ରେ ପହଞ୍ଚତ୍ ସାରିଲାଣି। ସ୍ବାସ୍ଥ୍ୟ ସଙ୍କଟ ଟାଳିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ ବର୍ତ୍ତମାନ ୪.୦ ସଂସ୍କରଣରେ ପଡ଼ି ଗଡ଼ିଚାଲିଛି।
ଦେଶବ୍ୟାପୀ ତାଲାବନ୍ଦ ରୋଗ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ଉଦ୍ଦେଶ୍ୟ ରଖାଯାଇ ଯେଉଁ ଘୋଷଣାମାନ ପ୍ରାରମ୍ଭରେ କରାଯାଇଥିଲା, ଦିନକୁ ଦିନ ତାହା କୋହଳ ହେଉଥିବାରୁ ତା’ର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଲାଣି। ଏଥିପାଇଁ ସବୁ ଦୋଷ ପ୍ରବାସୀ ଶ୍ରମିକଙ୍କ ଉପରେ ଅଜାଡ଼ି ଦିଆଯାଉଛି। କାରଣ ଦେଶର ବିଭିନ୍ନ ସ୍ଥାନରେ ଥିବା ଅନେକ ଶ୍ରମିକ ହଇରାଣ ହରକତ ହୋଇ ନିଜ ଭିଟାମାଟିକୁ ଫେରିବାକୁ ସଡ଼କ ଓ ରେଳପଥ ଆଡ଼କୁ ଧାଇଁ ଚାଲିଛନ୍ତି। କେତେକେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଜଳପଥରେ ନୌକାକୁ ସାହାରା କରୁଛନ୍ତି। ସେମାନଙ୍କ ବେଦନାଦାୟକ ଦୃଶ୍ୟକୁ ଗଣମାଧ୍ୟମରେ ଲୋକେ ଆଖିତରାଟି ଅନେଇ ରହୁଛନ୍ତି। ୧୩୫ କୋଟିର ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର କେଇ କୋଟି ଲୋକଙ୍କୁ ମାସ କେଇଟା ପାଇଁ ଥଇଥାନ କରିବା ଲାଗି କେନ୍ଦ୍ରଠାରୁ ଆରମ୍ଭ କରି ଆଞ୍ଚଳିକ ସରକାର କେହି ସକ୍ଷମ ହୋଇଥିବା ଭଳି ମନେ ହୁଏନାହିଁ। ସମ୍ଭବତଃ ଭାରତରେ ମାନବ ସମ୍ବଳ ସଙ୍କଟର ଏଭଳି କରୁଣଦୃଶ୍ୟ ପୃଥିବୀର ଅନ୍ୟ କୌଣସି ପ୍ରାନ୍ତରେ ନିକଟ ଅତୀତରେ କେହି ଦେଖି ନ ଥିବେ ବୋଲି ଜୋର୍‌ ଦେଇ କହିହେବ। କୃଷିପ୍ରଧାନ ଭାରତ ବର୍ଷରେ ଗଁାଗଣ୍ଡାରେ ଜନ୍ମିଥିବା ଲୋକ ଦେଖିଥାନ୍ତି ଚାଷ କ୍ଷେତରେ ହଳ ବୁଲାଇଲା ବେଳେ ଦୁଇଟି ଗୋରୁକୁ ଯୁଆଳିରେ ଯୋଖାଯାଇଥାଏ। ଲଙ୍ଗଳ କଣ୍ଟି ଚାଷୀ ମୁଠାରେ ଥାଏ। କିନ୍ତୁ ସହରକୁ ରୋଜଗାର ପାଇଁ ଧାଇଁ ଯାଇଥିବା ଶ୍ରମିକ ବେକରେ ଯୁଆଳି ପଡ଼ିବା ହୁଏତ କେଉଁଠି କେବେ କେହି ଦେଖି ନ ଥିଲେ। ଏଇ ଭାରତରେ ନିକଟରେ ଦେଖିବାକୁ ମିଳିଛି ଗୋଟିଏ ଗୋରୁ ଓ ଜଣେ ମଣିଷ ବେକରେ ଯୁଆଳି ପଡ଼ିଛି। ପୁରୁଷଟି ଗୋଟିଏ ଟଣାଗାଡ଼ିରେ ନିଜର ସ୍ତ୍ରୀ ଓ ପିଲାଙ୍କୁ ରାସ୍ତା ଉପରେ ଟାଣି ଟାଣି ନେଉଛି। ପୁଣି ପୁରୁଷ ଥକିଗଲେ ମହିଳା ବେକରେ ଜୁଆଳି ପଡ଼ୁଛି। ମାନବ ସମ୍ବଳ ପରିଚାଳନାରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବିଫଳତା କେବଳ ଏଇ ଗୋଟିଏ ଛବିରେ ଅଟକି ଯିବା ପାଇଁ ଯଥେଷ୍ଟ। ସାମାଜିକ ଦୂରତା କେଉଁ ଗହନର କଥା। ଘରକୁ ଫେରିବା ଲାଗି ଗୋଟିଏ ଗୋଟିଏ ରେଳ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡ୍‌ରେ ଭିଡ଼ର ଆକାର ଦେଖିଲେ ମନେ ହେଉଛି ସତେ ଯେପରି ଏମାନେ ନିଜ ଦେଶରେ ଶରଣାର୍ଥୀ ପାଲଟି ଯାଇଛନ୍ତି। ୯୦୦ କିଲୋମିଟର ଚାଲି ଚାଲି ଜଣେ ଗର୍ଭବତୀ ବାଟରେ ପ୍ରସବ କରିବା ହେଉ ବା ମୁମ୍ବାଇରୁ ବାଲେଶ୍ୱର ଯାଏ ସାଇକେଲରେ ଅବା କେଉଁଠାରେ ୧,୬୦୦ କିଲୋମିଟର ପାଦରେ ଚାଲି ଚାଲି ନିଜ ଗାଁକୁ ଫେରୁଥିବା ଶ୍ରମିକଙ୍କୁ ଦେଖିଲେ ଗଣତାନ୍ତ୍ରିକ ଦେଶର ବାସ୍ତବ ଚିତ୍ର ଦୁନିଆର ଅନ୍ୟାନ୍ୟ ବର୍ଗଙ୍କୁ କେବଳ ଆଲୋଚନାର ଖୋରାକ ଯୋଗାଇଛି।
ଓଡ଼ିଶା କଥା ଦେଖିଲେ ଏଠାରୁ ବାହାରେ ଯାଇ ପ୍ରବାସୀ ଥିବା ଶ୍ରମିକଙ୍କ ଦୁଃଖର କାହାଣୀ ଆଗରୁ ଶୁଣିବାକୁ ପାଉଥିଲୁ। କିନ୍ତୁ ଲକ୍‌ଡାଉନ ସମୟରେ ବାସ୍ତବତା ଏ ଲେଖକ ଜାଣିବାକୁ ପାଇଛି। ସୁରଟ ବୁଲିଯାଇଥିବା ଜଣେ ବନ୍ଧୁ ଏ ପରିପ୍ରେକ୍ଷୀରେ କହିଛନ୍ତି ଯେ, ସେଠାରେ ଶ୍ରମିକମାନେ କିପରି ରହିଥାନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। କଳକାରଖାନାରେ ତିନି ଶିଫ୍ଟରେ ଆଠ ଘଣ୍ଟା ଲେଖାଏ କାମ ହୋଇଥାଏ। ଗୋଟିଏ କୋଠରିରେ ୩ଟି ଖଟ ପଡ଼ିଥାଏ। ଶିଫ୍ଟ ଅନୁଯାୟୀ ଜଣେ କାମକୁ ପଳାଇଲେ ଆଉଜଣେ ଆସି ସେଥିରେ ଶୋଇଥାଆନ୍ତି। ପୁଣି ସେହିଠାରେ ଆସବାବପତ୍ର ଓ ରୋଷେଇ ବ୍ୟବସ୍ଥା। ଗୋଷ୍ଠୀ ପାଇଖାନାରେ ନିତ୍ୟକର୍ମ ସହ ଗାଧୁଆପାଧୁଆ ଲାଗି ସୁବିଧା। ପ୍ରବାସୀଙ୍କ ଏହିଭଳି ଦୟନୀୟ ଚିତ୍ର କୋଲକାତା, ତିରୁପୁର, ମୁମ୍ବାଇ, ପୁଣେ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଆଦି ସହରରେ ମଧ୍ୟ ଦେଖିବାକୁ ମିଳେ। ଅତି କଷ୍ଟରେ ଜୀବନ ବିତାଉଥିବା ଓଡ଼ିଆ ଶ୍ରମିକମାନେ ନିଜ ଅଞ୍ଚଳକୁ ଫେରିବା ବେଳେ ଏସବୁ ଜଣାଇ ନ ଥାନ୍ତି। ନିକଟରେ କେତେଜଣ ପ୍ରବାସୀ ଓଡ଼ିଶାର କେତୋଟି ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବାରୁ ସେମାନଙ୍କୁ ସାଧାରଣରେ ନିନ୍ଦା କରାଯାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସେମାନେ କ୍ଷମା ପ୍ରାର୍ଥନା କରିଛନ୍ତି। ସାମଗ୍ରିକ ଭାବେ ଦେଖିଲେ ଦେଶର ଅନେକ ସ୍ଥାନରେ ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ଓଡ଼ିଆମାନେ ଦୁଃଖରେ ରହି ଏବେ ଘରବାହୁଡ଼ା କଲାବେଳେ ସେମାନଙ୍କ ହୃଦୟତନ୍ତ୍ରୀ ଥରି ଯାଉଥିବ।
ଭାରତୀୟ ସଂଘୀୟ ବ୍ୟବସ୍ଥାର ସ୍ବରୂପକୁ ନିରେଖିଲେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ଜଟିଳ ପରିସ୍ଥିତିର ନିଷ୍ପତ୍ତି ନେବାରେ କେନ୍ଦ୍ର ହିଁ ସର୍ବମାନ୍ୟ। ଯେତେବେଳେ ଚାଇନାର ଉହାନରେ କରୋନା ଭୂତାଣୁ ସଂକ୍ରମିତ ହେବାରେ ଲାଗିଲା ଓ ତାହା ଅନ୍ୟ ଦେଶକୁ ବ୍ୟାପି ଚାଲିଲା, ସେତେବେଳେ ଭାରତ ଅତ୍ୟଧିକ ସତର୍କତା ଅବଲମ୍ବନ କରିଥିଲେ ସ୍ଥିତି ଭିନ୍ନ ହୋଇଥାଆନ୍ତା। କେବଳ ତତ୍‌କ୍ଷଣାତ ଲକ୍‌ଡାଉନ୍‌ କରି ସଂକ୍ରମଣକୁ ରୋକିବା ଦିଗରେ ଚିନ୍ତା କରିଥିବା ସରକାର ଲୋକଙ୍କ ମୌଳିକ ସମସ୍ୟାକୁ ବୁଝିବାରେ ସକ୍ଷମ ହୋଇନାହାନ୍ତି ବୋଲି କୁହାଯାଇପାରିବ। ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ସହ ନିଜ ଅଞ୍ଚଳକୁ ଫେରିଯିବା ଲାଗି ଯଦି ଗୋଟିଏ ସପ୍ତାହର ସମୟ ଦିଆଯାଇ ଥାଆନ୍ତା, ତା’ହେଲେ ଆଜି ହୁଏତ ପରିସ୍ଥିତି ଅସମ୍ଭାଳ ହୋଇ ନ ଥାନ୍ତା। ସେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ ଥିଲା।
ଭାରତରେ ୩୦ ଜାନୁୟାରୀରେ କୋଭିଡ୍‌-୧୯ର ପ୍ରଥମ ସଙ୍କେତ ମିଳିଥିବା ବେଳେ ଲକ୍‌ଡାଉନ୍‌ର ସ୍ବରୂପ ଓ କଟକଣା ବିଷୟରେ ଜଣାଇ ଦିଆଯାଇଥିଲେ ସମସ୍ତେ ସଜାଗ ହୋଇଥାନ୍ତେ, ବିଶେଷକରି ଶ୍ରମିକଙ୍କ ହାତରେ ଦି ପଇସା ଥିବାରୁ ଘରକୁ ସହଜରେ ଫେରିପାରିଥାଆନ୍ତେ। ବିଦେଶରୁ ବୁହାହେଇ ଆସିଥିବା ଲୋକଙ୍କୁ ଖୁଲମଖୁଲା ଛାଡ଼ିଦେବା ଥିଲା ପ୍ରଥମ ଭୁଲ। ଦ୍ୱିତୀୟରେ ଦେଶରେ ବିଭିନ୍ନ ସ୍ଥାନରେ କଳକାରଖାନାରେ କାମ କରୁଥିବା ଲୋକଙ୍କୁ ମାଲିକମାନେ ସୁରକ୍ଷିତ କରି ରଖି ନ ପାରିବା ସମସ୍ୟାକୁ ବଢ଼ାଇ ଦେଇଛି। ଦୀର୍ଘଦିନ ଧରି ଶ୍ରମ ଦେଇଥିବା ଲୋକଙ୍କୁ ଡଷ୍ଟବିନ୍‌ରେ ଫୋପାଡ଼ିବା ଭଳି ବ୍ୟବହାର କରାଯିବା ଯୋଗୁ ସେମାନେ ଅସହାୟ ହୋଇ ରାସ୍ତାରେ ଚାଲିଲେ। ସେମାନଙ୍କ ମଧ୍ୟରୁ କେତେକେ ସେହି ରାସ୍ତାରେ ପଡ଼ି ହିଁ ମରି ଯାଇଛନ୍ତି। ପ୍ରଥମରୁ ଘଳିଆ ନ ମାରି ବିରାଟ ଘାଇ ହେବା ପରେ ଗାଣ୍ଡୁଏ ଲେଖାଏ ମାଟି ଢାଳିବା ପରି ସରକାରୀ ନିୟମ କୌଣସି କାମରେ ଆସିଲା ନାହିଁ।
ଜୀବନ ଓ ଜୀବିକା ଭିତରେ ସଂଘର୍ଷର ଏ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହାକୁ ଗୋଟିଏ ମାତ୍ର ଏମର୍ଜେନ୍ସି ବଦଳାଇ ପାରିଥାଆନ୍ତା। ଏଠି ବାକ୍‌ ସ୍ବାଧୀନତାର କଣ୍ଠରୋଧ କରିବାକୁ କୁହାଯାଉନାହିଁ। ସକାରାତ୍ମକ ଦୃଷ୍ଟିକୋଣରୁ କେନ୍ଦ୍ର ଜରୁରୀ ଭଳି ପରିସ୍ଥିତି ଘୋଷଣା କରି କହିଥାଆନ୍ତା, ଯିଏ ଯେଉଁଠାରେ ଅଛନ୍ତି ସେଠାରେ ଥାଆନ୍ତୁ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସକ ବା ପ୍ରଶାସକଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଦାୟିତ୍ୱ ନ୍ୟସ୍ତ କରିପାରିଥାଆନ୍ତା। କରୋନା ନିୟନ୍ତ୍ରଣ ଓ ମାନବ ସମ୍ବଳ ପରିଚାଳନା ଲାଗି ଏବେ ଯେଭଳି ଅର୍ଥ ଖର୍ଚ୍ଚ କରାଯାଉଛି ତାହାକୁ ମୂଳରୁ ବ୍ୟବସ୍ଥିତ ଢଙ୍ଗରେ ଆବଣ୍ଟନ କରାଯାଇ ପାରିଥିଲେ ଶିଳ୍ପଠୁ ଶ୍ରମିକ ଯାଏ, କୃଷି କ୍ଷେତଠୁ କୃଷିଜୀବୀ ଯାଏ ସମସ୍ତେ ବଞ୍ଚିବା ଲାଗି ପାଣି ପାଇ ପାରିଥାଆନ୍ତେ। ଶ୍ରମିକମାନଙ୍କୁ ବଞ୍ଚାଇ ରଖିବା ସମ୍ଭବ ନୁହେଁ ବୋଲି ଭାବି ଯେତେବେଳେ ସଂସ୍ଥାଗୁଡ଼ିକ ହାତ ଟେକିଦେଲେ ସେତେବେଳେ ସେଠାକାର ସରକାର କିମ୍ବା ପ୍ରବାସୀଙ୍କ ନିଜ ରାଜ୍ୟ ସରକାର ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇଥିଲେ ଦୁଇଟି ଉପକାର ମିଳି ପାରିଥାଆନ୍ତା। ଗୋଟିଏରେ ସଂକ୍ରମଣସ୍ତର ବହୁତ କମ୍‌ ରହିପାରିଥାନ୍ତା ଓ ଦ୍ୱିତୀୟରେ ପ୍ରବାସୀଙ୍କ ଦୁଃଖକୁ ଲାଘବ କରାଯାଇପାରିଥାଆନ୍ତା। କିନ୍ତୁ ତାହା ହେଲାନାହିଁ। ଶୁଣିବାକୁ ମିଳୁଛି ଶିଳ୍ପସମୃଦ୍ଧ ରାଜ୍ୟରେ ଥିବା ପ୍ରବାସୀମାନଙ୍କୁ ହଟାଇ ଦେବା ପାଇଁ ସମ୍ପୃକ୍ତ ସରକାର ଚାହିଁଲେ। କାରଣ ସେମାନଙ୍କ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ବୋଲି ଦର୍ଶାଇବାକୁ ଚାହୁଁ ନ ଥିଲେ।
କେନ୍ଦ୍ରଠୁ ରାଜ୍ୟ ଯାଏ କେଉଁଭଳି କେଉଁ ଢଙ୍ଗରେ ଲୋକଙ୍କ ନିକଟରେ ସାହାଯ୍ୟ, ସହାୟତାର ବାର୍ତ୍ତା ପହଞ୍ଚିପାରିବ ଏବଂ ଲୋକଙ୍କ ମନ ଜିଣି ହେବ, ସେଇ ଚିନ୍ତାରେ ରହିଲେ ଶାସକ ଓ ପ୍ରଶାସକ। ସବୁଆଡ଼େ ହିସାବ କରାଗଲା ପ୍ରବାସୀମାନଙ୍କୁ କିପରି ଭାବେ ଫେରାଇ ଆଣିଲେ ଆଗକୁ ଭୋଟ୍‌ ମିଳିପାରିବ। ଏହି ବାସ୍ତବତାକୁ ସ୍ବୀକାର କରିବା ଲାଗି ଅନେକେ କୁଣ୍ଠାବୋଧ କରିବେ। ଅନ୍ୟପକ୍ଷରେ ଶହ ଶହ ମାଇଲ୍‌ ଚାଲିଚାଲି ଆସିଥିବା ଲୋକର ଶାସନ ବ୍ୟବସ୍ଥା ଉପରେ ଏବେ ଆଉ ବିଶ୍ୱାସ ରହିବ କି ନାହିଁ ଦେଖିବାକୁ ଅପେକ୍ଷା କରିବା। ଶିଳ୍ପସଂସ୍ଥା ଓ କଳକାରଖାନାର ମାଲିକମାନେ ଦୁର୍ଦ୍ଦିନରେ ସାହାଯ୍ୟ ଯୋଗାଇଦେବାରେ ଯେପରି ବିଫଳ ହେଲେ ଭବିଷ୍ୟତରେ ଶ୍ରମିକମାନେ ସେମାନଙ୍କ ନିକଟକୁ ଫେରିବେ ଓ କାମରେ ଯୋଗଦେଇ ଉତ୍ପାଦ ବଢ଼ାଇବେ ବୋଲି ସହଜରେ ବିଶ୍ୱାସ ହେଉନାହିଁ। ମାନବ ସମ୍ବଳର ଏଭଳି ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ ସକାରାତ୍ମକ ଦିଗକୁ ଅନିଶା କଲା ଭଳି ଗୋଟେ ଏମର୍ଜେନ୍ସି କରାଯାଇପାରିଥାଆନ୍ତା।

ଏଇ-୫୮, ଭିଏସ୍‌ଏସ୍‌ ନଗର, ଭୁବନେଶ୍ୱର
Email: jitu_air2004@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?