ଇଚ୍ଛା ପୂରଣ ଯନ୍ତ୍ର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଏ ଯନ୍ତ୍ରଟି ସେସବୁ ଯନ୍ତ୍ରମାନଙ୍କ ପରି ନୁହେଁ, ଯେମିତିକି ଟେଲିଫୋନ୍‌, ଟେଲିଭିଜନ, କମ୍ପ୍ୟୁଟର ବା ରୋବୋଟ୍‌। ବିଜ୍ଞାନର ବରଦାନ ଲାଭ କରି ଆଧୁନିକ ମଣିଷ ଏସବୁ ଯନ୍ତ୍ର କେବେଠୁଁ ହାସଲ କରିସାରିଲେଣି। ଜୀବନକୁ ସହଜ, ସୁନ୍ଦର ଓ ସୁଖମୟ କରିବାକୁ ଏସବୁ ଯନ୍ତ୍ରସେବାର ଉପଲବ୍ଧି ପାଇଁ ଲୋଡ଼ାପଡ଼େ ଅର୍ଥ। ଯେଉଁମାନଙ୍କ ପାଖରେ ଅର୍ଥ ଥାଏ, ସେଇମାନେ ହିଁ ଏହି ବିଜ୍ଞାନ ପ୍ରସୂତ ଯନ୍ତ୍ରଗୁଡିକର ଅଧିକାରୀ ହୁଅନ୍ତି। ଅର୍ଥ ବିନିମୟରେ ଅପ୍ରାପ୍ୟ ହୋଇ ରହିବ, ଏମିତି ଚିଜ ଦୁନିଆରେ କିଛି ନାହିଁ ବୋଲି ଏମାନେ ଭାବନ୍ତି ଓ ସାରା ଜୀବନ ଅଧିକରୁ ଅଧିକ ଅର୍ଥ ଅର୍ଜନ କରିବାରେ ଲାଗିପଡିଛନ୍ତି। ଅବଶ୍ୟ ଏମାନଙ୍କ ପ୍ରତିପକ୍ଷ ଅବଶିଷ୍ଟ ଅନ୍ୟମାନେ, ଯେଉଁମାନେ କେବଳ ବଞ୍ଚିବା ପାଇଁ ଅର୍ଥର ଉପଯୋଗିତା ଅନୁଭବ କରନ୍ତି, ସେମାନେ ବି ଅର୍ଥମୋହରେ ଘାଣ୍ଟି ହୁଅନ୍ତି ସାରା ଜୀବନ। ସୁତରାଂ, ଅର୍ଥ ମୋହରୁ କାହାର ବି ମୁକ୍ତି ନାହିଁ। ଧନୀ ଚାହେଁ ଅଧିକରୁ ଅଧିକ ଅର୍ଥ ବିନିମୟରେ ସଂସାରର ଯାବତୀୟ ସୁଖ କିଣିବା ପାଇଁ। ନିର୍ଦ୍ଧନ ଲାଗି ଲୋଡା ପଡେ ଅର୍ଥ ବଞ୍ଚିବାକୁ ନିଃଶ୍ୱାସ କିଣିବା ପାଇଁ। ଅର୍ଥ ହିଁ ସମସ୍ତଙ୍କର ପହିଲି ପ୍ରେମ, ପ୍ରଥମ ଇଚ୍ଛା!
ଏମିତି କ’ଣ ହୁଅନ୍ତାନି! ବହୁବିଧ ଯନ୍ତ୍ର ଉଦ୍ଭାବନ କରୁଥିବା ବିଜ୍ଞାନ ଏମିତି ଏକ ଯନ୍ତ୍ର ନିର୍ମାଣ କରନ୍ତା, ଯାହାର ନାମ ହୁଅନ୍ତା ‘ଇଚ୍ଛା ପୂରଣ ଯନ୍ତ୍ର’ ବା ଅର୍ଥ ନିର୍ମାଣ ଯନ୍ତ୍ର। ଯନ୍ତ୍ରଟିକୁ ଛୁଇଁ ଦେଇ ‘ଆ’ କହିଲା ମାତ୍ରେ ଅଜାଡି ପଡନ୍ତା ଅସୁମାରି ଅର୍ଥ। ପୁଣି ‘ଯାଆ’ କହିଲେ ଚାଲି ଯାଉଥାନ୍ତା ଯୁଗଯୁଗର ଦାରିଦ୍ର୍ୟଜନିତ ଯନ୍ତ୍ରଣା। ସମଗ୍ର ଜୀବନକାଳରେ ଥରେ ମାତ୍ର ଯଦି ଏ ଯନ୍ତ୍ର ସମସ୍ତଙ୍କୁ ଉପଲବ୍ଧ ହୁଅନ୍ତା, ତେବେ ସବୁଦିନ ପାଇଁ ଲୋପ ପାଇଯା’ନ୍ତା ଅଭିଧାନରୁ ଦରିଦ୍ର, ଦାରିଦ୍ର୍ୟ ଆଦି ଶବ୍ଦଗୁଡିକ।
ଇଚ୍ଛା ଯଦି ଘୋଡା ହୁଅନ୍ତା, ତା’ହେଲେ କାଙ୍ଗାଳ ଭିକାରିଟିଏ ମଧ୍ୟ ତା’ ଉପରେ ବସି ଘେରାଏ ବୁଲିଆସନ୍ତା। ଆପାତତଃ ସବୁ ଅସମ୍ଭବକୁ ସମ୍ଭବ କରିପାରୁଥିବା ବିଜ୍ଞାନ ପାଇଁ ଯାହା ଅପହଞ୍ଚ, ସେଭଳି ଇଚ୍ଛା ପୂରଣ ଯନ୍ତ୍ର କିନ୍ତୁ ସହଜରେ ନିର୍ମାଣ କରିପାରୁଛନ୍ତି କିଛି ଲୋକ ଓ ଗରାଖ ସାଜି ସେସବୁ ଯନ୍ତ୍ରକୁ ଆଗ୍ରହରେ କିଣି ନେଉଛନ୍ତି ଆଉ ଥୋକେ ଲୋକ। ଜ୍ଞାନରେ ଦକ୍ଷତା ନାହିଁ, ବିଜ୍ଞାନରେ ପ୍ରବେଶ ନାହିଁ, ଶିକ୍ଷାଦୀକ୍ଷା ସମ୍ପୂର୍ଣ୍ଣ ବିବର୍ଜିତ। ତଥାପି ଏମାନଙ୍କ ପଛରେ ବେଶ୍‌ ଭିଡ ବିନା ଶ୍ରମରେ ପୁଳାଏ ଅର୍ଥ ଅର୍ଜନ କରିବାକୁ ଚାହିଁଥିବା ଲୋକମାନଙ୍କର। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରିଚୟ ଏମାନଙ୍କର। କେଉଁଠି ଶ୍ମଶାନ ବାବା କାଳୀ ସାଧକ, ଅନ୍ୟ କେଉଁଠି ସଂସାରତ୍ୟାଗୀ ସନ୍ନ୍ୟାସୀ ତ ପୁଣି କେଉଁଠି ସଂସାରୀ ସିଦ୍ଧ ସାଧକ।
ଏମାନଙ୍କ କୃପା ଓ କୃତିତ୍ୱ ସମ୍ପର୍କରେ ଚମକପ୍ରଦ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୁଏ। ଏମାନଙ୍କ ଚରଣାଶ୍ରିତ ଭକ୍ତମାନେ ଯେଉଁ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି, ସେ ସମ୍ପର୍କରେ ବିଶଦ ବିବରଣୀ ପ୍ରକାଶ ପାଏ। ତଥାପି ଜନମାନସରେ କମି ନ ଥାଏ ଏମାନଙ୍କ ମହତ୍ତ୍ୱ। ବିନା ଶ୍ରମରେ କିଛି ଉଦ୍ୟମ ନ କରି ବି ଯେଉଁଠି ପୁଳାଏ ଅର୍ଜନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ସଂଖ୍ୟା ବଢି ବଢି ଚାଲିଛି, ସେଠି ଚମତ୍କାରୀ ବାବାମାନଙ୍କ ମହତ୍ତ୍ୱ କମିଯିବ ବା କାହିଁକି?
ଅତଏବ, ମୁଣ୍ଡରେ ଜଟାଜୁଟ ଧାରଣ କରି କପାଳରେ ରକ୍ତଚନ୍ଦନର ତିଳକ ଆଙ୍କି ଗୈରିକ ବସନଧାରୀ ସିଦ୍ଧ ପୁରୁଷଙ୍କର ଆବିର୍ଭାବ ହେବ। ଗୃହସ୍ବାମୀ ସପତ୍ନୀକ ମହାତ୍ମା ପୁରୁଷଙ୍କ ସେବା କରି ନିଜକୁ କୃତାର୍ଥ ମଣିବେ। ଭକ୍ତପ୍ରବରଙ୍କ ଉପରେ ପ୍ରୀତ ହୋଇ ଉଠିବେ ସିଦ୍ଧ ମହାରାଜ। ପୂର୍ବରୁ ନିଜସ୍ବ ସୂତ୍ରରୁ ସଂଗୃହୀତ ହୋଇଥିବା ତାଙ୍କ ଅତୀତର ପୃ୍‌ଷ୍ଠା ମେଲାଇ ଧରି ମହାତ୍ମା ତାଙ୍କ ଚମତ୍କାରିତାର ପ୍ରମାଣ ଦେଲା ପରେ ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକ ହୋଇ ଉଠିବେ ପତିପତ୍ନୀ। ବାବା ଧ୍ୟାନମୁଦ୍ରାରେ ବସି ଏକ ଭୟଙ୍କର ଭବିଷ୍ୟତର ସୂଚନା ଦେବେ ଓ ରିଷ୍ଟ ଖଣ୍ଡନ ବା ସଙ୍କଟମୋଚନ ପାଇଁ ତତ୍‌କ୍ଷଣାତ୍‌ ଏକ ବିଶେଷ ପୂଜାର ପରାମର୍ଶ ଦେବେ। କହିବେ ଏକାନ୍ତରେ ଏକ ନିଭୃତ କକ୍ଷରେ ସେ ରିଷ୍ଟ ଖଣ୍ଡନ ପାଇଁ ପୂଜାପାଠ ସମ୍ପାଦନ କରିବେ। ପୂଜା ମଣ୍ଡପରେ ଗଚ୍ଛିତ ରହିବ ଗୃହସ୍ବାମୀଙ୍କର ଯେତେ ଯାହା ଗଚ୍ଛିତ ଅର୍ଥ ଓ ସ୍ବର୍ଣ୍ଣାଭ ସମ୍ପଦ। ବିଶେଷ ପୂଜା ସମ୍ପନ୍ନ ହେବା ପରେ ଚମକାଇ ଦେଲା ଭଳି ପରିଣାମ ଆଗକୁ ଆସିବ। ଏକ ବିଶେଷ ମନ୍ତ୍ରର ପ୍ରଭାବରେ ଭାଗ୍ୟଦେବୀ ପ୍ରସନ୍ନ ହେବେ। ପୂଜାବେଦିରେ ସମର୍ପିତ ସମସ୍ତ ସମ୍ପଦ ପାଞ୍ଚଗୁଣ ହୋଇଯିବ।
ବିନା ଶ୍ରମରେ ସମ୍ପତ୍ତି ପାଞ୍ଚଗୁଣ ହୋଇଯିବାର ପ୍ରସ୍ତାବ ଶୁଣି ଖୁସିରେ କୁରୁଳି ଉଠିବ ପତିପତ୍ନୀଙ୍କର ମନ। ନିଜ ସଞ୍ଚତ୍ତ ସମସ୍ତ ଅର୍ଥ ଓ ଅଳଙ୍କାର ପୂଜାବେଦିରେ ସମର୍ପଣ କରିଦେବେ ସେମାନେ। ପୂଜା ସରିଲା ପରେ ନିଭୃତରେ ମନ୍ତ୍ର ଉଚ୍ଚାରଣ ପାଇଁ ସାଧୁଙ୍କୁ ଏକାକୀ ଛାଡି ଦୂରେଇଯିବେ ଦମ୍ପତି। କିଛି ସମୟ ପରେ ମହାତ୍ମା ପୂଜାକକ୍ଷରୁ ବାହାରି ସେମାନଙ୍କୁ ଯଜ୍ଞ ବିଭୂତି ଦେବେ ଓ ପରଦିନ ସେ ଆସିବା ଯାଏ ପୂଜା କକ୍ଷରେ ନ ପଶିବାକୁ ତାଗିଦ କରି ଚାଲିଯିବେ। ପାଞ୍ଚଗୁଣା ଧନପ୍ରାପ୍ତିର ସ୍ବପ୍ନ ଦେଖି ଦେଖି ରାତି ପୁହାଇଦେବେ ପତିପତ୍ନୀ। ପରଦିନ ଚାତକ ଭଳି ଚାହିଁରହିବେ ସିଦ୍ଧ ମହାତ୍ମାଙ୍କ ଆଗମନକୁ। ମାତ୍ର ସେ ଆସିବେ ନାହିଁ। ଅଥୟ ହୋଇ ପୂଜା କକ୍ଷ ଖୋଲିଲା ପରେ ଜଣାପଡିବ ପାଞ୍ଚଗୁଣ ତ ଦୂରର କଥା, ମୂଳଧନ ବି ଉଭେଇ ଯାଇଛି। ନିଜ ଲୋଭ ଉପରେ ଲୁହ ଢାଳିବା ବ୍ୟତୀତ ଅନ୍ୟ କିଛି କରିବାର ନ ଥିବ।
ବିନା ପରିଶ୍ରମରେ ନିଜ ପ୍ରାପ୍ୟଠାରୁ ଅଧିକ ପାଇବାକୁ ଚାହୁଁଥିବା ଲୋକଙ୍କର ଶେଷ ଗତି ଏମିତି ହିଁ ହୋଇଥାଏ। ଏ ପ୍ରସଙ୍ଗରେ ଏକ ହିନ୍ଦୀ କାହାଣୀର ଶେଷକଥା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରୌଢ଼ାବସ୍ଥା ଅତିକ୍ରମ କରି ବାର୍ଦ୍ଧକ୍ୟ ଛୁଇଁବାକୁ ଯାଉଥିବା ଏକ ବୟସ୍କ ଦମ୍ପତିଙ୍କୁ କୌଣସି ଏକ ସୂତ୍ରରୁ ଏକ ଇଚ୍ଛା ପୂରଣ ଯନ୍ତ୍ର ପ୍ରାପ୍ତ ହେଲା। ଯନ୍ତ୍ର ବୋଇଲେ ମଲା ମାଙ୍କଡର ହାଡ଼ଟିଏ। ହାଡ଼ଟିର ଶକ୍ତି ଏମିତି ଯେ ତାକୁ ଧରି ଜଣେ ଯାହା ଇଚ୍ଛା କରିବ, ଅବିଳମ୍ବେ ତାହା ଉପଲବ୍ଧ ହେବ। କିନ୍ତୁ ସର୍ତ୍ତ ହେଉଛି ସେଇ କାଉଁରୀ ମାଙ୍କଡ ହାଡ଼ଟି ତିନୋଟିରୁ ଅଧିକ ଇଚ୍ଛା ପୂରଣ କରିବ ନାହିଁ। ସୁତରାଂ, ମାମୁଲି ଇଚ୍ଛା ପୂରଣ ପାଇଁ ହାଡ଼ଟିର ଶକ୍ତି ଖର୍ଚ୍ଚ ନ କରିବାକୁ ତାଗିଦ୍‌ କରିଥିଲେ ତାହାର ଦାତା।
ସଂସାରର ଅନ୍ୟ ବହୁ ଲୋକଙ୍କ ପରି ପୁଳାଏ ଅର୍ଥପ୍ରାପ୍ତିକୁ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ବୋଲି ବିଚାରୁଥିଲେ ପ୍ରୌଢ ଦମ୍ପତି। ସୁତରାଂ ସେମାନେ କେବେ ବି ଏକକାଳୀନ ଦେଖି ନ ଥିବା ଭଳି ମୋଟା ଅଙ୍କର ଅର୍ଥ ପ୍ରାପ୍ତ ହୁଅନ୍ତୁ ବୋଲି କାଉଁରୀ ହାଡ଼ଟିକୁ ଧରି ଇଚ୍ଛା ପ୍ରକଟ କଲେ ସେ ଦୁହେଁ। କାଉଁରୀ ହାଡ଼ର ମହିମାରୁ ତାଙ୍କ ଇଚ୍ଛା ପୂରଣ ହେବାକୁ ବେଶି ବିଳମ୍ବ ହେଲା ନାହିଁ। ଲକ୍ଷେଟଙ୍କାର ଚେକ୍‌ଟିଏ ଡାକରେ ଆସି ସେମାନଙ୍କ ପାଖରେ ପହଞ୍ଚିଲା। ଚକିତ ହୋଇ ପତିପତ୍ନୀ ଦୁହେଁ ଏତେଗୁଡିଏ ଟଙ୍କା କେଉଁଠୁ ଆସିଲା ବୋଲି ଯାହା ଜାଣିଲେ, ତହିଁରେ ସେମାନଙ୍କ ଆନନ୍ଦ ମହା ଦୁଃଖରେ ପରିଣତ ହେଲା। ବିବାହର ବହୁବର୍ଷ ପରେ ଜନ୍ମ ହୋଇଥିବା ସେମାନଙ୍କର ଏକମାତ୍ର ପୁତ୍ର ଦୂରବର୍ତ୍ତୀ ଏକ ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା। ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା ତା’ର। ଲକ୍ଷେ ଟଙ୍କାର କ୍ଷତିପୂରଣ କମ୍ପାନୀ ପଠାଇ ଜଣାଇଥିଲା ଯେ ଖଣି ଭିତରେ ପୋତି ହୋଇ ଯାଇଥିବା ପୁଅର ଶବ ପାଞ୍ଚଦିନ ପରେ ବି ଉଦ୍ଧାର ହୋଇପାରି ନାହିଁ।
ବିପୁଳ ଅର୍ଥ ପାଇ ବି ଘନ ଘନ ମୂର୍ଚ୍ଛା ଯାଉଥିଲା ମା’। ବାପା ବି ଥିଲା ଅର୍ଦ୍ଧମୃତ ପ୍ରାୟ। ନିଜର ଏକମାତ୍ର ପୁଅକୁ ଶେଷଥର ପାଇଁ ଦେଖିବାର ଇଚ୍ଛା ପ୍ରକଟ କରି କାଉଁରୀ ହାଡ଼କୁ ଛୁଇଁ କାମନା କଲା ମା’- ମୋ ପୁଅର ଶବ ଖଣି ଭିତରୁ ଉଦ୍ଧାର ହୋଇ ଏଠାକୁ ପଠାଯାଉ। ମା’ର ଏମନ୍ତ କାମନା ଶୁଣି ବାପାର ଚିନ୍ତା ବଢିଗଲା। ସେ ଭାବିଲା, ଦୁର୍ଘଟଣାର ପାଞ୍ଚଦିନ ପରେ ଶବ ମିଳିଲେ ବି ତାହା ପଚିଶଢି ଯାଇଥିବ। ପୁଅର ଗଳିତ ବିକୃତ ଚେହେରା ଦେଖି ଶୋକଦଗ୍ଧା ମା’ ହୁଏତ ସମ୍ଭାଳି ନ ପାରେ! ଏମିତି ବି ହୋଇପାରେ, ପୁଅକୁ ଦେଖୁ ଦେଖୁ ମା’ର ପ୍ରାଣ ଛାଡି ଯାଇପାରେ!! ତେଣୁ କାଳବିଳମ୍ବ ନ କରି କାଉଁରୀ ହାଡ଼କୁ ଛୁଇଁ ସେ ଇଚ୍ଛା ପ୍ରକାଶ କଲେ, ”ପୁଅର ଶବ ଏଠାକୁ ନ ଆସୁ। ସେଇଠି ସତ୍କାର ହୋଇଯାଉ।“ବାସ୍‌, ଏମିତି ପୂରିଗଲା ତିନୋଟି ଇଚ୍ଛା। ଶେଷ ହୋଇଗଲା ଇଚ୍ଛା ପୂରଣ ଯନ୍ତ୍ରର ସକଳ ସାମର୍ଥ୍ୟ। ଅଲୌକିକ ଭାବେ କିଛି ହାସଲ କରିବାକୁ ଆଶା ରଖିଥିବା ପତିପତ୍ନୀ ଦୁହେଁ ବଞ୍ଚିରହିଲେ ବାକି ଜୀବନ ଲକ୍ଷେ ଟଙ୍କାର ସମ୍ବଳ ନେଇ।
ଜୀବନରେ ସ୍ବପ୍ନ ଦେଖାର ଶେଷ ନ ଥାଏ। ସବୁ ଇଚ୍ଛା ପୂରଣ ହୁଏନା। ନିଜ ସମ୍ବଳ, ଶକ୍ତି ଓ ସାମର୍ଥ୍ୟ ବାହାରେ ଇଚ୍ଛା ପୋଷଣ କଲେ କିମ୍ବା ତନ୍ତ୍ର, ମନ୍ତ୍ର ବା ଯନ୍ତ୍ର ବଳରେ ନିଜ ଭାଗ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ ଲାଭ ତ ମିଳେନା, ବରଂ ଅତ୍ୟନ୍ତ ଦୟନୀୟ ଭାବେ ମୂଳ ବି ଉଜୁଡିଯାଏ। ସୁତରାଂ ସାଧୁ ସାବଧାନ!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧...

ବିପଦରେ ବଣ୍ଡା ସଂସ୍କୃତି

ଦ୍ୱିତୀ ଚନ୍ଦ୍ର ସାହୁ ଘୋଡେଇ ହୋଇଛି ମାଛକାତିଆ ଆକାଶ। ନୀଳ ଓ ଧଳାର ଅପୂର୍ବ ସମନ୍ବୟରେ ଆକାଶ ଆହୁରି ଆକର୍ଷଣୀୟ ହୋଇଉଠିଛି ଶରତର ପହିଲି ଛୁଆଁରେ।...

ଶ୍ରମ ଆଇନର କାମଚଳା ସଂସ୍କାର

ଶକ୍ତି ପ୍ରସାଦ ଦାସ ଅନେକ ଜୀବନହାନି ସହିତ କୋଭିଡ୍‌ ମହାମାରୀର ସଂକ୍ରମଣ ଜାତୀୟ ବିପର୍ଯ୍ୟୟର ରୂପ ନେଇସାରିଛି। ସମାଜ ତା’ର ନିଜସ୍ବ ଶକ୍ତି ଦ୍ୱାରା ବିପର୍ଯ୍ୟୟର...

ଏଇ ଭାରତରେ

ଗାଁ ଗାଁରେ ଏବେ କଥା କଥାକେ ଝଗଡା ହୋଇ ମାମଲା ଥାନାରେ ପହଞ୍ଚିଯାଉଛି। କିନ୍ତୁ ହରିୟାଣାର ଜିନ୍ଦ୍‌ ଜିଲାର ଏକ ଗାଁରେ ଆଜକୁ ୫୦ ବର୍ଷ...

ଅନ୍‌ଲାଇନ ପାଠପଢ଼ା ଓ ଅପହୃତ ଶୈଶବ

ଡ. ମନୋରଞ୍ଜନ ପ୍ରଧାନ ମନେପଡ଼େ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ କଥା-ତୋମରା କେଉ ଫୁଲ ଫୋଟାତେ ପାରବେନ୍‌ ନା,କେନୋନା ଯେ ଫୋଟେ ସେ ଆପନି ଫୋଟେ। ଅର୍ଥାତ୍‌...

ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା

କିଶୋର ମେହେର କୃଷି ପରେ ବୟନ କ୍ଷେତ୍ର ହିଁ ସବୁଠାରୁ ବେଶି କର୍ମନିଯୁକ୍ତି ସୃଷ୍ଟି କରେ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁ ପୁରୁଣା...

ଅସ୍ଥାନା ଭରସା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ)ରୁ ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବହୁଚର୍ଚ୍ଚିତ ବିଦାୟ ଘଟଣାର ଦୁଇ ବର୍ଷ ପରେ ତାଙ୍କୁ ସୀମା ସୁରକ୍ଷା ବଳ(...

Coronavirus Update


Archives

Model This Week

Why Dharitri