ଆମ ଶିଶୁ୍‌: ନା ଭାଗ୍ୟବାନ୍‌ ନା ଆୟୁଷ୍ମାନ୍‌

ଡ. ରମେଶ ଚନ୍ଦ୍ର ପରିଡ଼ା
୨୦୨୪ ମସିହା ବେଳକୁ ଭାରତ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଆମ ପ୍ରଧାନମନ୍ତ୍ରୀ ଆଶା ବାନ୍ଧିଛନ୍ତି। ଫଳରେ ୨୦୩୦ରେ ଏହା ହୁଏତ ୮ କିମ୍ବା ୧୦ ଟ୍ରିଲିୟନକୁ ଟପିଯାଇପାରେ। ଏହା ମନରେ ସ୍ବପ୍ନଟିଏ ଜାଗରୁକ କରୁଛି- ଆମ ଦେଶରେ ଏହା ପରେ କେହି ଗରିବ ରହିବେ ନାହିଁ। ଆମର ଭବିଷ୍ୟତ ବଂଶଧର, ଅର୍ଥାତ୍‌ ବର୍ତ୍ତମାନର ଶିଶୁମାନଙ୍କ ଜୀବନଶୈଳୀ ସେମାନେ ବଡ଼ ହେଲା ବେଳକୁ ବଦଳିଯିବ ଏବଂ ତାହା ହେବ ଯେକୌଣସି ଉନ୍ନତ ଦେଶର ସମକକ୍ଷ। କିନ୍ତୁ ବିଗତ ଦଶକଗୁଡ଼ିକରେ ଘଟିଥିବା ଆମ ଅର୍ଥନୈତିକ ପ୍ରଗତି ଯେଉଁ ଦିଗାଭିମୁଖୀ ହୋଇଛି, ତାହାକୁ ଅନୁଧ୍ୟାନ କରିବସିଲେ ସେ ସ୍ବପ୍ନ ମିଳେଇଯାଉଛି ନିମିଷକରେ। କାରଣ ଏହି ସମୟ ମଧ୍ୟରେ ଆମ ବୃଦ୍ଧିପ୍ରାପ୍ତ ସମୁଦାୟ ଘରୋଇ ଉତ୍ପାଦ ବା ‘ଜିଡିପି’ର ମୁଖ୍ୟ ଅଂଶଟି ଗଡ଼ିଚାଲିଛି ଧନିକ ସମ୍ପ୍ରଦାୟଙ୍କ ଆଡକୁ। ସେଥିପାଇଁ ଏହି ଶ୍ରେଣୀର ପ୍ରଥମ ୧ ଶତାଂଶ ଲୋକଙ୍କ ହାତରେ ଜାତୀୟ ସମ୍ପତ୍ତିର ଭାଗ ୨୦୧୦ ବେଳକୁ ୪୦% ଥିଲାବେଳେ ଏବେ ତାହା ୬୦% ଟପିଯାଇଛି। ପୁନଶ୍ଚ ୧୦% ଧନିକଙ୍କର ସମୁଦାୟ ସମ୍ପତ୍ତି ହେଉଛି ଅବଶିଷ୍ଟ ୯୦ ପ୍ରତିଶତଙ୍କଠାରୁ ୪ ଗୁଣ ଅଧିକ। ଏହାର ପ୍ରତିଫଳନ ଅତୀବ ସ୍ପଷ୍ଟ ହେଉଛି ଆମ ଶିଶୁ ସମାଜ ଉପରେ, ଯାହାକୁ ଆମେ ଦେଶର ଭବିଷ୍ୟତର ପ୍ରମୁଖ ପୁଞ୍ଜି ମାନବ ସମ୍ବଳ ରୂପେ ଉପସ୍ଥାପିତ କରୁଛୁ।
୨୦୧୮ର ‘ଆନୁଆଲ ଷ୍ଟାଟସ ଅଫ୍‌ ଏଜୁକେଶନ ରିପୋର୍ଟ’ ଅନୁସାରେ ଆମ ଦେଶର ୭୦-୭୪ ଶତାଂଶ ଶିଶୁ (୬ରୁ ୧୪ ବର୍ଷ ବୟସ୍କ) ପ୍ରାଥମିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥାନ୍ତି। କିନ୍ତୁ ମାଧ୍ୟମିକ ଶିକ୍ଷା ବେଳକୁ ତାଙ୍କ ସଂଖ୍ୟା ବେଶ୍‌ ହ୍ରାସ ପାଇଯାଏ (ପ୍ରାୟ ୫୫ରୁ ୬୦ ଶତାଂଶକୁ) ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଳଶ୍ରମିକ ପାଲଟି ଯାଆନ୍ତି। ତହିଁରୁ ୭୧% କୃଷି କ୍ଷେତ୍ରରେ ଏବଂ ୬୯% ଏଥିସହିତ ବିନା ପାରିଶ୍ରମିକରେ ପରିବାର ମଧ୍ୟରେ କିମ୍ବା ଅନ୍ୟତ୍ର କାର୍ଯ୍ୟ କରିଥାନ୍ତି। ଏବେ ବି ପ୍ରାୟ ୧.୫ ନିୟୁତ ଶିଶୁଶ୍ରମିକ ସେମାନଙ୍କ ପାଇଁ ବାରଣ କରାଯାଇଥିବା ବିପଜ୍ଜନକ କିମ୍ବା ଆଂଶିକ ବିପଜ୍ଜନକ ବୃତ୍ତି ଆଦରି ନେଇଥିବାର ଅନୁମାନ କରାଯାଏ। ଅନ୍ୟପକ୍ଷରେ ସେମାନଙ୍କ ସ୍ବାସ୍ଥ୍ୟ ଓ ଅପପୁଷ୍ଟି ସମସ୍ୟା ମଧ୍ୟ ବେଶ୍‌ ଉଦ୍‌ବେଗଜନକ ହୋଇ ରହିଛି।
ଏହା ମନକୁ ଆଣିଥାଏ କିଛି ବର୍ଷ ତଳେ ଆମ ପିଲାଙ୍କ ପାଠ୍ୟପୁସ୍ତକରେ ଥିବା କବିତାଟିଏ-‘ଆମେ ତ ଭାଗ୍ୟବାନ୍‌ ପିଲାରେ…’। ଉଡାଜାହାଜରେ ଦେଶବିଦେଶକୁ ଯାତ୍ରା କରି ନୂତନ ଜ୍ଞାନ ଆହରଣ କରିବା ଓ ବିଜ୍ଞାନର ନାନାଦି ନୂତନ ଉଦ୍ଭାବନ ଓ ଆବିଷ୍କାରକୁ ଉପଭୋଗ କରିବା ଇତ୍ୟାଦିର ସୁଯୋଗକୁ ଏହାର କାରଣରୂପେ ତହିଁରେ ଦର୍ଶାଯାଇଛି। ତେବେ ଇତିମଧ୍ୟରେ ଅନେକ ସମୟ ବିତିଯାଇଥିଲେ ହେଁ ଅଧିକାଂଶ ପିଲାଙ୍କ ଭାଗ୍ୟରେ ତାହା ଯୁଟିବାର ସମ୍ଭାବନା ବି ସୃଷ୍ଟି ହୋଇପାରି ନାହିଁ। ବରଂ ସେମାନଙ୍କ ଶିକ୍ଷା, ପୁଷ୍ଟି, ସ୍ବାସ୍ଥ୍ୟ ଆଦି କଥା ବିଚାରକୁ ନେଲେ ଆମେ ଆମଠାରୁ କମ୍‌ ଅର୍ଥନୈତିକ ସମୃଦ୍ଧ ଅନେକ ଦେଶଠାରୁ ପଛରେ ପଡ଼ିରହିଛୁ। ସେଥିପାଇଁ ଆମ ଦେଶର ଶିଶୁମାନଙ୍କ ମଧ୍ୟରୁ ୩ ଲକ୍ଷରୁ ଊର୍ଦ୍ଧ୍ୱଙ୍କ ଭାଗ୍ୟରେ ମୃତ୍ୟୁ ଆସୁଛି ଜନ୍ମ ହେବାର ପ୍ରଥମ ଦିନରେ। ସଂଖ୍ୟା ଦୃଷ୍ଟିରୁ ଆମେ ଏ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରଥମ (୨୯%)। ଏହାର ମୁଖ୍ୟ କାରଣ ହେଲା ଗର୍ଭବତୀ ମା’ମାନଙ୍କର ଅପପୁଷ୍ଟି (୫୧.୪%) ହେତୁ ରୁଗ୍‌ଣ ତଥା କମ୍‌ ଓଜନ ବିଶିଷ୍ଟ ଶିଶୁ ଜନ୍ମ (୪୭.୯%)। ନିକଟରେ ପୃଥିବୀର ୧୯୫ଟି ଦେଶରେ ହୋଇଥିବା ସର୍ଭେ ଅନୁସାରେ ସ୍ବାସ୍ଥ୍ୟ ଯତ୍ନ ସୂଚକାଙ୍କ ମାପରେ ଭାରତର ସ୍ଥାନ ୧୫୪ତମ। ଶ୍ରୀଲଙ୍କା ଏଥିରେ ୭୨.୮ ପଏଣ୍ଟ ପାଇଲା ବେଳେ ବାଂଲାଦେଶ, ଭୁଟାନ ଓ ନେପାଳ ଯଥାକ୍ରମେ ୫୧.୭, ୫୨.୭ ଓ ୫୦.୮ ଏବଂ ଭାରତ ୪୪.୮ ଲାଭ କରିଛି।
ଉପଯୁକ୍ତ ପ୍ରଶିକ୍ଷଣ ଲାଭ କରିଥିବା ଧାଈ ବା ଡାକ୍ତରଙ୍କ ପ୍ରସବକାଳୀନ ସହଯୋଗ ଏବଂ ଶିଶୁ ଓ ଜନନୀକୁ ପ୍ରସବ ପରବର୍ତ୍ତୀ ସ୍ବାସ୍ଥ୍ୟଯତ୍ନ ସୁବିଧାର ଅଭାବକୁ ଏଥିପାଇଁ ଦାୟୀ କରାଯାଏ। କିନ୍ତୁ ଉପରୋକ୍ତ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ ଡାକ୍ତରଖାନାରେ ହେଉଥିବା ପ୍ରସବ ସଂଖ୍ୟା ବେଶ୍‌ ଅଧିକ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡ଼ିିଶାରେ ଏ ପ୍ରକାର ପ୍ରସବ ଯଥେଷ୍ଟ ବେଶି ହୋଇଥିଲେ ହେଁ ଶିଶୁମୃତ୍ୟୁ (୦ରୁ ୭ ଦିନରେ) ହାର ମଧ୍ୟ ଅଧିକ। ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁ ଉପଯୁକ୍ତ ପରିମାଣରେ ପୁଷ୍ଟିପ୍ରାପ୍ତ ନ ହେବା ସମ୍ଭବତଃ ଏହାର ଅନ୍ୟତମ ମୁଖ୍ୟ କାରଣ।
ସେହିପରି ନିକଟରେ (୨୦୧୮) ହୋଇଥିବା ଏକ ଆକଳନ ଅନୁସାରେ ଆମ ଦେଶରେ ପ୍ରତିବର୍ଷ ୧.୦୪ ନିୟୁତ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ଅକାଳ ମୃତ୍ୟୁବରଣ କରନ୍ତି। ସେମାନଙ୍କ ମଧ୍ୟରୁ ଦୁଇତୃତୀୟାଂଶଙ୍କର ଏହା ଘଟେ ଅପପୁଷ୍ଟି ଯୋଗୁ। ସମଗ୍ର ବିଶ୍ୱରେ ଏମାନଙ୍କ ସଂଖ୍ୟା ପ୍ରାୟ ୧୪୨ ନିୟୁତ। ଏହା ବ୍ୟତୀତ ଏହି କାରଣରୁ ଶରୀରର ଠିକ୍‌ ଅଭିବୃଦ୍ଧି ନ ହେବା ଏବଂ ସାରା ଜୀବନ ଅଳ୍ପ ବହୁତ ଶାରୀରିକ ଅକ୍ଷମତା ଲାଗିରହିବା ମଧ୍ୟ ଘଟିଥାଏ। ଗଣନାରୁ ଜଣାପଡ଼ିଛି ଯେ, ୫ ବର୍ଷରୁ କମ୍‌ ବୟସ୍କ ଭାରତୀୟ ଶିଶୁଙ୍କ ମଧ୍ୟରୁ ୪୫%ଙ୍କର ତାଙ୍କ ବୟସ ଅନୁସାରେ ଉଚ୍ଚତା କମ୍‌ ହେଲାବେଳେ ୪୮%ଙ୍କର ଶାରୀରିକ ଅଭିବୃଦ୍ଧି ଯଥେଷ୍ଟ ହୋଇ ନ ଥାଏ। ଅବଶ୍ୟ ନିକଟରେ ଦ ଲାନସେଟ ଚାଇଲ୍‌ଡ ଆଣ୍ଡ ଆଡୋଲୋସେଣ୍ଟ ହେଲ୍‌ଥ ଦ୍ୱାରା ପ୍ରଦତ୍ତ ସୂଚନା ଅନୁସାରେ ୧୯୯୦ ରୁ ୨୦୧୭ ମଧ୍ୟରେ ଆମ ଦେଶରେ ଅପପୁଷ୍ଟି ହ୍ରାସ ପାଇଛି, ତଥାପି ଏବେ ମଧ୍ୟ ତାହା ହିଁ ଏଠାରେ ସର୍ବାଧିକ ଶିଶୁ ମୃତ୍ୟୁର କାରଣ ହୋଇ ରହିଛି। ଏହାର ଅନ୍ୟ ମୁଖ୍ୟ କାରଣଗୁଡିକ ହେଉଛି ରକ୍ତ ସ୍ବଳ୍ପତା ଜନିତ ହୃଦ୍‌ରୋଗ (୧୫.୬%), ମସ୍ତିଷ୍କରୋଗ (୭.୮%), ଆମାଶୟ (୪.୭୫%), ମଧୁମେହ (୩.୩୭%) ଏବଂ ଜନ୍ମ ପୂର୍ବରୁ ଥିବା ଜଟିଳତା (୨.୯୯%)। ଅପପୁଷ୍ଟି ଏବଂ ଏ ପ୍ରକାର ବିବିଧ ୩୨ଟି ରୋଗ ବିଚାରକୁ ନେଇ ୧୮୮ଟି ଦେଶ ଉପରେ ସର୍ବେକ୍ଷଣ ଚଳାଇଥିଲେ ‘ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍‌’(ବା ଜିବିଡି) ନାମକ ଏକ ଆନ୍ତର୍ଜାତିକ ପ୍ରଯୋଜନାରେ କାର୍ଯ୍ୟରତ ୨୩୦୦ ଗବେଷକ। ଏହି କାର୍ଯ୍ୟକ୍ରମକୁ କୁହାଯାଉଛି ହେଲଥ ଆକ୍‌ସେସ ଆଣ୍ଡ କ୍ୱାଲିଟି ଇଣ୍ଡେକ୍‌ସ। ଏଥିରେ ରଖାଯାଇଥିଲା ୧ରୁ ୧୦୦ ପର୍ଯ୍ୟନ୍ତ ପଏଣ୍ଟ। ତହିଁରେ ଭାରତକୁ ମିଳିଛି ମାତ୍ର ୧୪। ଶିଶୁମୃତ୍ୟୁ ଓ ଅପପୁଷ୍ଟି ରୋକିବା କ୍ଷେତ୍ରରେ ଆମେ ଯେ କେତେ ପଛୁଆ ତାହା ଏଥିରୁ ସୁସ୍ପଷ୍ଟ।
ସେଭ୍‌ ଦ ଚିଲ୍‌ଡ୍ରେନ ଇନ୍‌ ଇଣ୍ଡିଆର ମୁଖ୍ୟ ଟମାସ ଚାଣ୍ଡିଙ୍କ ମତରେ ଦେଶର ଅର୍ଥନୈତିକ ସ୍ଥିତି ସହିତ ଏହା ସର୍ବୋଚ୍ଚ ଭାବେ ସମାନୁପାତିକ ନୁହେଁ। ନଚେତ୍‌ ଏ ଦୃଷ୍ଟିରୁ ଆମଠାରୁ ବହୁ ପଛରେ ଥିବା ଉପସାହାରୀୟ ଦେଶ ତୁଳନାରେ ଆମ ଦେଶ ତଥା ସମଗ୍ର ଦକ୍ଷିଣ-ଏସିଆରେ ଏଭଳି ଅଧିକ ଶିଶୁମୃତ୍ୟୁ ହୁଅନ୍ତା କାହିଁକି। ଅବଶ୍ୟ ୧୯୯୦ରୁ ସମନ୍ବିତ ଶିଶୁ ବିକାଶ ଯୋଜନା, ଅଙ୍ଗନଓ୍ବାଡି, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷଣ ଅଭିଯାନ ସହିତ ଗର୍ଭବତୀ ମା’ମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ବିବିଧ କାର୍ଯ୍ୟକ୍ରମର ପ୍ରଚଳନ ଫଳରେ ଏ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିଛି। ତେବେ ତାହା ଯଥେଷ୍ଟ ନୁହେଁ। ଏପରିସ୍ଥଳେ, ଏ କ୍ଷେତ୍ରରେ ପ୍ରଗତି ଦ୍ରୁତ ନ ହେଲେ ଆମ ସହସ୍ରାବ୍ଦୀ ଲକ୍ଷ୍ୟ ସାଧନ ସମ୍ଭବ ହେବ ନାହିଁ। ସେଥିପାଇଁ ପ୍ରଥମତଃ ଲୋଡ଼ା ଦୁଇଟି କଥା- ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ ସୁଷମ ଅର୍ଥନୀତି। ତା’ ନ ହେଲେ ଆମ ଶିଶୁମାନେ ନା ଭାଗ୍ୟବାନ୍‌ ହୋଇପାରିବେ, ନା ଆୟୁଷ୍ମାନ୍‌। ପରିଣାମସ୍ବରୂପ ଦେଶର ଆଗାମୀକାଲିର ପୁଞ୍ଜି ରୂପେ ଉପସ୍ଥାପିତ ଯୁବ ସମ୍ପଦର ଆଶାନୁରୂପ ବିକାଶ ହୋଇପାରିବ ନାହିଁ।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ପାକ୍ଟ ଆକାଉଣ୍ଟିଂ

ଆମର ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକ କିଭଳି ପରସ୍ପରସହ ଜଡିତ ହୋଇ ରହିଛି ତାହା କୋଭିଡ-୧୯ ସଙ୍କଟ ପ୍ରକାଶ କରିଦେଇଛି । ଜୈବବିବିଧତା ହ୍ରାସ ଏବଂ ଅସମାନତା ବୃଦ୍ଧି...

ଏଇ ଭାରତରେ

ଲୋକଙ୍କୁ ସଚେତନ କରିବା ଲାଗି ରାମଭାଇ ଚରଣ ୫୦,୦୦୦ ଚିଠି ଲେଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁଜରାଟର ସାବରକନ୍ଥ ଜିଲାର ଏକ ପ୍ରାଥମିକ ବିଦ୍ୟାଳୟରେ...

ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ...

ଏଇ ଭାରତରେ

ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍‌ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ...

ଇଲେକ୍ଟୋରାଲ ବଣ୍ଡ: ଆର୍‌ବିଆଇକୁ ଉପେକ୍ଷା

ନୀତୀନ ସେଠୀ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚିତ ହେବାର ଅଳ୍ପଦିନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ଗୋପନରେ ପାଣ୍ଠି ଯୋଗାଣ ଲାଗି ତରତର ହେଉଥିବା ମୋଦି ସରକାର ଏ...

ପୋଲିସବାବୁ ମୁହାଁମୁହିଁ

ସଂଘୀୟ ବ୍ୟବସ୍ଥାରେ ଏହା ଏକ ଭୟାନକ ପରିଣାମ ଆଣିବ ବୋଲି ଆମେ ମନେକରୁଛୁ । ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ଏବେ...

ମୁଆଁ ଖାଇବାକୁ ମନ

ସଂଗ୍ରାମ କେଶରୀ ପୃଷ୍ଟି ମୁଆଁ ପ୍ରସଙ୍ଗରେ ମନେ ପଡ଼ିଯାଏ, ପିଲାଦିନେ ଶୁଣିଥିବା ଗୋଟିଏ ପଦ, ଯାହାର କି ତିନି ପ୍ରକାରର ଅର୍ଥ ବାହାରିଥାଏ। ତାହା ହେଲା...

ମୋଦି କାହିଁକି ଜିଣିଲେ

ସହଦେବ ସାହୁ ମେ ୨୧ର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ସତ ହେଲା- ଆଉ ୫ବର୍ଷ ମିଳିଗଲା ମୋଦିଙ୍କୁ। ଭାରତର ପସନ୍ଦ- ଆମର ମୋଦି ନା ଏକ...

Play 250+ Trending Games
Archives

Model This Week

Why Dharitri