ଆମ ବ୍ୟବସ୍ଥାରେ ଦଲାଲ

ରୁଦ୍ର ପ୍ରସନ୍ନ ରଥ
ରାଜ୍ୟରେ ଏବେ ଦଲାଲମାନଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା। ଡାକ୍ତରଖାନା ଏବଂ ପରିବହନ କାର୍ଯ୍ୟାଳୟ ଆଗରେ ଚକ୍କର କାଟୁଥିବା ଦଲାଲ ଏବେ ପ୍ରଶାସନର କୋପଦୃଷ୍ଟିରେ। କିଛି ବନ୍ଧା ହୋଇ ଥାନା ଭିତରକୁ ଗଲେଣି ତ ଆଉ କିଛି ଭିତରକୁ ଯିବା ଅପେକ୍ଷା କିଛିଦିନ ପାଇଁ ଗାଏବ ହୋଇଯିବାକୁ ଉଚିତ ମନେ କରୁଛନ୍ତି। ଆଗାମୀ କିଛିଦିନ ଦଲାଲମାନଙ୍କ ଅବସ୍ଥା ଏହିପରି ରହିବ ବୋଲି ଜଣାପଡୁଛି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ଅନେକେ ସ୍ବାଗତ କରୁଛନ୍ତି।
ଆମ ସାମାଜିକ ଏବଂ ପ୍ରଶାସନିକ ବିଧିବ୍ୟବସ୍ଥା ଭିତରେ ଦଲାଲ ଗୋଟିଏ ବେଶ୍‌ ସାଧାରଣ ବ୍ୟକ୍ତି। ବାହାଘର ହେଉ କିମ୍ବା ଜମିକିଣା, ମନ୍ଦିର ତୋଳା କିମ୍ବା ଡାକ୍ତରଖାନାରେ ରୋଗୀ ଦେଖାଇବା ଏ ସବୁ କାମ ଯେ ଦଲାଲର ବିନା ଉପସ୍ଥିତିରେ ହୋଇପାରିବ ତାହା ଚିନ୍ତା କରିବା ବି କଷ୍ଟକର। ଏ ଦଲାଲମାନଙ୍କୁ ଚିହ୍ନିବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼େନାହିଁ। ଆପଣ ତାଙ୍କ ରୂପଭେକ, ବୟସ କିମ୍ବା ଶିକ୍ଷାଗତ ଯୋଗ୍ୟତା ଜାଣି ନ ଥାଅନ୍ତୁ ପଛେ ସେମାନେ କିନ୍ତୁ ଆସି ଆପଣଙ୍କ ପାଖରେ ପହଞ୍ଚତ୍ୟିବେ। ସମ୍ପୂର୍ଣ୍ଣ ଅଚିହ୍ନା ହୋଇଥିଲେ ବି ଚିହ୍ନିବାର ମିଥ୍ୟା ଅଭିନୟରେ ଏମାନେ ପାରଙ୍ଗମ। କୌଣସି କଥାକୁ ଏମାନେ ନା କହିବା ଶିଖିନାହାନ୍ତି। ଯେକୌଣସି ପରିସ୍ଥିତିରେ ଆପଣ ଥିଲେ ବି ସେମାନେ ଆପଣଙ୍କ କାମ କରିଦେବେ। ଅବଶ୍ୟ ଆପଣଙ୍କ ପରିସ୍ଥିତି ଜଟିଳ ହୋଇଥିଲେ ଦଲାଲଙ୍କ ପାଉଣା ବି ଅଧିକ ହୁଏ। ସବୁଠୁ କମ୍‌ ସମୟରେ, ସବୁଠାରୁ କମ୍‌ ଖର୍ଚ୍ଚରେ ଆଉ ସବୁଠାରୁ କଡ଼ା ହାକିମ ପାଖରୁ କାମ କରାଇ ଆଣିବାର ବାହାଦୁରି ସବୁ ଦଲାଲ ନିଜ ନିଜ ଗରାଖ ପାଖରେ ମାରିବାରେ ପଛାନ୍ତି ନାହିଁ। ଆଉ ବୋଧହୁଏ ଆମ ଦେଶର ଜମିଜମା, ପରିବହନ, ଖଣି କାର୍ଯ୍ୟାଳୟ, ଡାକ୍ତରଖାନା ଆଦି ସାମ୍ନାରୁ ଏହିପରି ଲକ୍ଷ ଲକ୍ଷ ଦଲାଲ ପ୍ରତିବର୍ଷ ନିଜର ପାଉଣା ବାବଦରେ କୋଟି କୋଟି ଟଙ୍କା ଜନସାଧାରଣଙ୍କ ପାଖରୁ ସରକାରୀ କାମ କରିବା ଆଉ ସହଜରେ କରାଇଦେବାର ବାହାନା ଦେଇ ଲୁଟି ନିଅନ୍ତି।
ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଦଲାଲମାନଙ୍କର ନିଜସ୍ବ ପୁଞ୍ଜି ବିନିଯୋଗ ନ ଥାଏ, ଏ କଥା ସତ। କିନ୍ତୁ ସରକାରୀ ଦପ୍ତରରେ ବସୁଥିବା ବାବୁମାନଙ୍କର ‘ଭୋକ’କୁ ସେ ଦଲାଲମାନେ ବେଶ୍‌ ଭଲଭାବେ ଜାଣିଥାଆନ୍ତି। କାହାକୁ କିପରି ଏବଂ କେତେରେ ସନ୍ତୁଷ୍ଟ କରାଯିବ ସେ ବିଦ୍ୟା ଯେଉଁ ଦଲାଲ ଜାଣିପାରିଲା, ସେ ସେତେ ଆଗକୁ ଯାଏ। ଏହି ଦଲାଲମାନଙ୍କୁ ଧରିସାରିଲା ପରେ ତାଙ୍କୁ ଦଣ୍ଡ ବିଧାନ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଅମଲାତନ୍ତ୍ର ଏବଂ ଦଲାଲର ମଧୁଚନ୍ଦ୍ରିକା ଭିତରେ ଉଭୟେ ଲାଭରେ ରହିଥିବା ବେଳେ ସାଧାରଣ ଲୋକଙ୍କୁ ଅର୍ଥ ବ୍ୟୟ ଏବଂ ସମୟ ନଷ୍ଟର ଭୟ ସବୁବେଳେ ସବୁ ଜାଗାରେ ଘାରୁଥାଏ। ଏ ଭିତରେ ଭାଣ୍ଡିଆ ହୁଏ ପୋଲିସ। ଦଲାଲମାନଙ୍କୁ ବାନ୍ଧି ପକାଏ ସିନା ପ୍ରମାଣ ଯୋଗାଡ଼ କରିପାରେ ନାହିଁ। ଦଲାଲମାନେ ପୁଣି ଜେଲରୁ ବାହାରି ନିଜ କାରନାମା ଦେଖାଇ ଦେଇଥାନ୍ତି। ଅବଶ୍ୟ ଛୋଟମୋଟର ଦଲାଲମାନଙ୍କୁ ଦିନେ ଅଧେ ପୋଲିସ ବାନ୍ଧିପାରେ। କିନ୍ତୁ ଅସ୍ତ୍ରଶସ୍ତ୍ରରେ ଦଲାଲି କରୁଥିବା, ଜମି କାରବାରରେ, ଖଣିରେ, ପାଣିରେ ଦଲାଲି କରି କୋଟି କୋଟି ଟଙ୍କା ଗୋଟାଉଥିବା ଦଲାଲ ପାଖରେ ପୋଲିସ ପହଞ୍ଚିପାରେ ନାହିଁ କାରଣ ସେମାନଙ୍କ ମୁଣ୍ଡ ଉପରେ ରାଜନୈତିକ ନେତାଙ୍କର ହାତ ଥାଏ। ଦେଶର ବଡ଼ ବଡ଼ କେସ୍‌ରେ ଏପରି ଦଲାଲ-ରାଜନେତା ମଧୁଚନ୍ଦ୍ରିକା ବହୁବାର ପ୍ରମାଣିତ। ଏପରି ଅନେକ କ୍ଷେତ୍ରରେ ଦଲାଲମାନେ ଧରାପଡିଛନ୍ତି, ନେତାଙ୍କ ସହ ସେମାନଙ୍କର ଦଲାଲି ଧରାପଡିଛି କିନ୍ତୁ ତା’ପରେ ବି ଅବସ୍ଥା ଯାହାକୁ ତାହା।
ଆମ ବ୍ୟବସ୍ଥାକୁ ଯେ ଆମେ ସରଳ କରିବାରେ ଏବଂ ସାଧାରଣ ଲୋକଙ୍କର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ଦିଗରେ ବିଫଳ ହୋଇଛେ ତାହାର ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଏହି ଦଲାଲମାନେ। ନିଜ କାମ ପାଇଁ ଡାକ୍ତରଖାନା, କୋର୍ଟ, ଥାନା ଦଉଡ଼ିଥିବା ଲୋକଟିକୁ ବେଳେବେଳେ ଅନାବଶ୍ୟକ ଭାବେ କାଗଜ ଜାଲରେ ଛନ୍ଦି ଦିଆଯାଏ। ଏ ଅଫିସର ପାଖରୁ ଦସ୍ତଖତ, ସେ ଅଫିସର ପାଖରୁ ମୋହର, ଏ ଫର୍ମ ପୂରଣ କରି ଦିଅ, ସେଠାରେ ଲାଇନ୍‌ରେ ଠିଆ ହୋଇ କାଗଜ ଦାଖଲ କର, ଆଜି ନୁହେଁ କାଲି ଆସ, ତୁମ କାମ କେବେ ହେବ ମଁୁ କହିପାରିବି ନାହିଁ, ଏତେ ଦିନଯାଏ କ’ଣ କରୁଥିଲ, ଆଜି କାହିଁକି ଆସିଲ, ସେ ଅଫିସର ନ କଲେ ମଁୁ କାହିିଁକି କରିବି ଆଦି ବାକ୍ୟ ଅଫିସ୍‌ର ବଡ଼ବାବୁ, ସାନବାବୁଙ୍କଠାରୁ ଶୁଣି ଶୁଣି ସାଧାରଣ ଲୋକଟି ସତରେ ଡରିଯାଇଥାଏ। ତା’ କାମ ନ ହେଲାଯାଏ କାମଟି କେବେ ନ ହେବାର ଭୟ ଆଉ ଆଶଙ୍କା ଭିତରେ ସେ ସବୁବେଳେ ସନ୍ତୁଳିତ ହୋଇଥାଏ। ନିଜେ ପାରିବ, ଆଜି ତା’ କାମ ହୋଇଯିବ ଏହି ଭରସା ତା’ର ମରିମରି ଆସୁଥାଏ। ଏ ସବୁ ହିଁ କାଳକ୍ରମେ ଦଲାଲର ମୂଳପୁଞ୍ଜି ପାଲଟିଯାଏ। ଆଉ ସରକାରୀ ଅଫିସ୍‌ର ଶୀତତାପ ନିୟନ୍ତ୍ରିତ କୋଠରିରେ ବସୁଥିବା ବାବୁମାନେ ବାହାରେ ଖରାରେ ସିଝି, ବର୍ଷାରେ ଭିଜି ନିଜ କାଗଜ ଉପରେ ସରକାରୀ ମୋହର ଖଣ୍ଡିଏ ପାଇଁ ବ୍ୟାକୁଳ ହେଉଥିବା ଲୋକମାନଙ୍କ ଦୁଃଖକୁ ଜମା ବୁଝିବାକୁ ପ୍ରସ୍ତୁତ ନ ଥିବା ଓ କାମ ନ କରି ଘରକୁ ପଳାଇବାର ମାନସିକତା ହିଁ ଏହି ଦଲାଲମାନଙ୍କୁ ମଲାଇ ଖାଇବାକୁ ସୁଯୋଗ ଦିଏ। ଆଉ ଥରେ ବ୍ୟବସ୍ଥାରୁ ମଲାଇ ବାହାର କରି ଜାଣିଥିବା ଦଲାଲମାନେ ପରବର୍ତ୍ତୀ ସମୟରେ ଏହି କଳାରେ ଉତ୍କର୍ଷ ଲାଭ କରନ୍ତି ସିନା ତାଙ୍କ ବାଟ ବନ୍ଦ କରିବାକୁ କେହି ନ ଥାନ୍ତି।
ଦଲାଲମାନଙ୍କୁ ବାନ୍ଧି ଜେଲରେ ପୂରାଇବା ହୁଏତ ଦଲାଲମୁକ୍ତ କରିବାକୁ ଏକ ସାମୟିକ ବ୍ୟବସ୍ଥା ହୋଇପାରେ। ତେବେ ଏହା ସର୍ବଶ୍ରେଷ୍ଠ ଏବଂ ସର୍ବଶେଷ ବ୍ୟବସ୍ଥା ନୁହେଁ। ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ପରିବହନ, ଡାକ୍ତରଖାନା, ଥାନା ଆଦିର ଭିତ୍ତିଭୂମିରେ ଅଭିବୃଦ୍ଧି, ସବୁ କାମ ପାଇଁ ସମୟ ଧାର୍ଯ୍ୟ କରି ଏହାକୁ ସମୟ ଭିତରେ ସାରିପାରୁ ନ ଥିବା ଅଫିସରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟକ୍ଷେତ୍ରରେ ସୂଚନା ଏବଂ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରଚାର ଓ ପ୍ରଶାସନିକ ବ୍ୟବସ୍ଥାର ସରଳୀକରଣ କରାଗଲେ ହିଁ ଦଲାଲରାଜ୍‌ର ଆତଙ୍କ ଓ ବଳୟରୁ ମୁକ୍ତି ମିଳିବ। ଏ ସବୁ ଛଡ଼ା ଆଉ ଯାହା ବି ହେଉଛି ତାହା କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri