ଅସମାନତାର ପାଚେରି

ନାରାୟଣ ପଣ୍ଡା

ବିଶ୍ୱ ଜନସଂଖ୍ୟାରେ ଦ୍ୱିତୀୟ ଓ ଆୟତନରେ ସପ୍ତମରେ ଥିବା ଆମ ଦେଶ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର। ଏଠାରେ କତିପୟ ଧନଶାଳୀଗୋଷ୍ଠୀ ଯେମିତି ବିଳାସରେ ରହନ୍ତି ତତୋଽଧିକ କୋଟିଗୁଣରେ ଦରିଦ୍ରବର୍ଗ ନୈରାଶ୍ୟ ଓ ଦାରିଦ୍ର୍ୟ ମଧ୍ୟରେ ବାସ କରନ୍ତି। ଧନୀ ଓ ଗରିବଙ୍କ ମଧ୍ୟରେ ଅସମାନତା ବୋଧହୁଏ ବିଶ୍ୱରେ ଭାରତରେ ସର୍ବାଧିକ। ଏଠାରେ ୧୦ପ୍ରତିଶତ ଧନାଢ୍ୟ ବ୍ୟକ୍ତିଙ୍କ ହାତରେ ରହିଛି ଦେଶର ୭୩ ପ୍ରତିଶତ ଅର୍ଥ। ୨୦୧୮ରେ ଅକ୍ସଫାମ୍‌ର ଏକ ରିପୋର୍ଟରେ କୁହାଯାଇଥିଲା, ୨୦୧୭ରେ ଦେଶରେ ଉତ୍ପାଦିତ ସମ୍ପତ୍ତିର ୭୩ ପ୍ରତିଶତ ମାତ୍ର ଏକପ୍ରତିଶତ ଧନଶାଳୀ ବ୍ୟକ୍ତିଙ୍କ ଝୁଲାକୁ ଯାଇଥିବା ବେଳେ ଦେଶର ୬୭ ପ୍ରତିଶତ ଦରିଦ୍ରତମ ଲୋକଙ୍କର ରୋଜଗାର ମାତ୍ର ଏକପ୍ରତିଶତ ବର୍ଦ୍ଧିତ ହୋଇଥିଲା। ସେହି ସମୟ ମଧ୍ୟରେ ଧନଶାଳୀ ବର୍ଗଙ୍କ ରୋଜଗାର ୨୦,୯୧୩ ବିଲିୟନ ବଢିଥିଲା, ଯାହାକି ୨୦୧୭-୧୮ ବର୍ଷର କେନ୍ଦ୍ରୀୟ ବଜେଟ ସହ ସମାନ ଥିଲା। ଅର୍ବୁଦପତିମାନଙ୍କର ସଂଖ୍ୟା ୨୦୦୦ରେ ୦୯ ଥିବାବେଳେ ୨୦୧୭ ରେ ୧୦୧ରେ ପହଞ୍ଚିଥିଲା। ଏହି ହାତଗଣତି ଧନକୁବେରମାନେ ହେଉଛନ୍ତି ଆମର ବଣିକ ଓ ଶିଳ୍ପପତିମାନେ। ଏମାନଙ୍କ ପାଇଁ ସବୁ ସରକାରଙ୍କର ସବୁ ସମୟରେ ଅଧିକ ଦରଦ ଦେଖାଦେଇଥାଏ। ସେମାନଙ୍କ ଋଣ ଛାଡକରିବା, ସେମାନଙ୍କୁ ଟ୍ୟାକ୍ସ ରିହାତି ଦେବା ପାଇଁ ଆମ ସରକାର ଯେମିତି ବଦ୍ଧପରିକର। ନିକଟରେ ଆମ ସରକାର ଭାରତ ପେଟ୍ରୋଲିୟମ କର୍ପୋରେଶନ, ଶିପିଙ୍ଗ କର୍ପୋରେଶନ ଅଫ ଇଣ୍ଡିଆ ଆଦି ଦେଶର ୫ଟି ପ୍ରମୁଖ ଲାଭଜନକ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ବିକ୍ରି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ନିଷ୍ପତ୍ତି ନିଆଯାଇଛି ପ୍ରାୟ ୨ ଡଜନ ରାଷ୍ଟ୍ରାୟତ୍ତ ସଂସ୍ଥାରେ ଥିବା ସରକାରୀ ଅଂଶଧନକୁ ୫୧ ପ୍ରତିଶତ ନିମ୍ନରେ ରଖିବାପାଇଁ, ଯାହା ଦେଶ ଲାଗି ମଙ୍ଗଳକର ହେବ କି ପୁଞ୍ଜିପତିମାନଙ୍କର ସମ୍ପତ୍ତିର ଦକ୍ଷିଣରେ ଆଉକେତୋଟି ଶୂନ୍ୟ ଯୋଗକରିବ ତାହା ଭବିଷ୍ୟତ ହିଁ କହିବ। ଆମ ଦେଶର ମଜୁରି ବା ବେତନର ତାରତମ୍ୟ ଏପରି ଗଗନଚୁମ୍ବୀ ତାହା କଳ୍ପନା କରିବା ସାଧାରଣଙ୍କ ପକ୍ଷେ ଅସମ୍ଭବ। ଭାରତର ଏକ ପ୍ରତିଷ୍ଠିତ କପଡା କାରଖାନାର ଜଣେ ଉଚ୍ଚ ଅଧିକାରୀ ୧୭.୫ ଦିନରେ ଯେତେ ବେତନ ପାଇଥାନ୍ତି ଗ୍ରାମାଞ୍ଚଳର ଶ୍ରମିକଟିଏ ତା’ର ସମଗ୍ର ଜୀବନ କାଳ ବା ୫୦ ବର୍ଷ ମଧ୍ୟରେ ସେତିକି ରୋଜଗାର କରିଥାଏ। ବର୍ତ୍ତମାନ ଦେଶର ଆର୍ଥିକ ବିକାଶରେଖା ନିମ୍ନଗାମୀ। ଚଳିତ ବର୍ଷ ଏହି ହାର ୪.୮ରେ ସୀମିତ ରହିବା ଆଶଙ୍କା କରିଥିଲେ ଅର୍ଥନୀତିଜ୍ଞମାନେ, ତାହା ହିଁ ରହିଲା। ଯୁବକମାନଙ୍କ ପାଇଁ ନିଯୁକ୍ତି ନାହିଁ, କାମକରିବାର ବୟସ ୧୫-୬୪ ମଧ୍ୟରେ ଅର୍ଦ୍ଧେକ ଭାରତୀୟଙ୍କ ପାଖରେ ଆଜି ବିଶେଷ କାମ ନାହିଁ। ଦେଶର ଅର୍ଥନୈତିକ ବ୍ୟାପାରରେ ଅବଦାନ ଏମାନଙ୍କର ଶୂନ୍ୟ। ୨୦୧୭-୧୮ରେ ୫୧.୨ ଲୋକଙ୍କ ହାତରେ କାମ ନ ଥିଲା। ବିଶାଳ ଶ୍ରମଶକ୍ତି ବେକାର ରହିବା କମ ଉଦ୍‌ବେଗଜନକ ନୁହେଁ। ନିକଟରେ ଚେନ୍ନାଇର ୫୦ଟି ପାର୍କିଂ ଏଜେଣ୍ଟଙ୍କ ପଦବୀ ପାଇଁ ୧୫୦୦ରୁ ଅଧିକ ଏମବିଏ ଓ ଇଞ୍ଜିନିୟର ବେକାରିର ଉତ୍କଟତା ପ୍ରଦର୍ଶିତ କରିଥାଏ। ଦେଶର ଗ୍ରାମାଞ୍ଚଳରୁ ଶ୍ରମିକମାନେ ନିଯୁକ୍ତି ବା ଉଚ୍ଚ ମଜୁରି ଆଶାରେ ସହରାଞ୍ଚଳକୁ ଧାଡି ଲଗାଇଥାନ୍ତି। ସେଠାରେ ସେମାନେ ସୁବିଶାଳ ଝୁମ୍ପୁଡି ବସ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ଆବଶ୍ୟକ ଜଳ, ଏପରି କି ବିଦ୍ୟୁତ୍‌ ଅଭାବରୁ ଦୟନୀୟ ଭାବରେ ଜୀବନ କାଟିଥାନ୍ତି। ସେମାନଙ୍କ ସନ୍ତାନମାନଙ୍କୁ ସେଠାରେ ଶିଶୁଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ପଡେ। କଠିନ ପରିଶ୍ରମ ସାଙ୍ଗକୁ ମୁନିବଙ୍କ ଖରାପ ବ୍ୟବହାର ସେମାନଙ୍କ ଶୈଶବର ସମସ୍ତ ପୁଲକତା ଛଡାଇନିଏ। ଅନ୍ୟ ପିଲାଙ୍କଭଳି ନା ଖେଳିବାକୁ ସେମାନଙ୍କୁ ସମୟ ମିଳେ ନା ମିଳେ ଶିକ୍ଷାଲାଭର ସୁଯୋଗ। ୨୦୧୯ ବିଶ୍ୱ କ୍ଷୁଧାପତ୍ରରେ ୧୧୭ଟି ଦେଶ ମଧ୍ୟରୁ ୩୦.୩ ଅଙ୍କ ଲାଭକରି ଭାରତ ୧୦୨ ସ୍ଥାନରେ ରହିଥିବା ଜଣାଯାଏ, ଯାହା ସୂଚାଇଦିଏ ଦେଶର କ୍ଷୁଧାସମସ୍ୟା କିପରି ଶୋଚନୀୟ ଓ ସାଂଘାତିକ। ୧୫ ପ୍ରତିଶତ ଭାରତୀୟ ରାତିରେ ଭୋକିଲା ଶୋଉଥିବା ଏକ ପରିସଂଖ୍ୟାନରୁ ଜଣାଯାଏ। ସେହିପରି ବିଶ୍ୱବ୍ୟାଙ୍କର ଏକ ବିବରଣୀକୁ ଆଧାରକରି ୬ ଅକ୍ଟୋବର ୨୦୧୯ରେ ପିଟିଆଇ ପ୍ରକାଶ କରିଥିଲା, ଭାରତ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମକରି ୧୯୯୦ରୁ ଆଜି ମଧ୍ୟରେ ଏହାର ହାରକୁ ଅଧା କରିବାରେ ସକ୍ଷମ ହୋଇଛି। ଦୀର୍ଘବର୍ଷ ଧରି ଦେଶର ବିକାଶ ହାର ୭ ପ୍ରତିଶତରୁ ଅଧିକ ରହିଛି ଭାରତରେ। ଭାରତର ଦାରିଦ୍ର୍ୟପାଇଁ ରାଜନେତା ଓ କାର୍ଯ୍ୟପାଳିକାର ଧଳା ହାତୀମାନେ ଅଧିକ ପରିମାଣରେ ଦାୟୀ ରହିଛନ୍ତି। ଦେଶର ଓ ଜନସାଧାରଣଙ୍କର ସମ୍ପତ୍ତି କ୍ଷମତା ବଳରେ ନିଜ ବ୍ୟକ୍ତିଗତ ଲାଭ ନିମନ୍ତେ ଆହରଣ କରିବା ଭାରତର ପ୍ରଭାବୀ ପୁରୁଷଙ୍କ ଏକ ବିକୃତ ମାନସିକତା। ପ୍ରିୟାପ୍ରୀତି ତୋଷଣ, ଉତ୍କୋଚ ଦାନ ବା ଗ୍ରହଣ, ପୃଷ୍ଠପୋଷକତା, ସରକାରୀ ଅର୍ଥର ବାଟମାରଣା ଓ କ୍ଷମତାଦାରା ବଳପୂର୍ବକ ସମ୍ପତ୍ତି ହାତେଇବା ବର୍ତ୍ତମାନ ଭାରତରେ ସର୍ବତ୍ର ନିର୍ଲଜକର ଦୃଶ୍ୟ। ରାଜନୀତିର ଜୀବନ ରକ୍ତରେ ଏବେ ଅବୈଧ ଅର୍ଥ ଲହଡି ଭାଙ୍ଗୁଛି। ମନେହୁଏ ଆଜି ଭାରତ ରାଜନୀତି କେବଳ ଅପରାଧୀଙ୍କ ପାଇଁ ଏବଂ ଅପରାଧୀ ହିଁ ରାଜନେତା ହେବା ଲାଗି ଅଭିପ୍ରେତ। ନିଜର ପ୍ରଭାବକୁ ଉପଯୋଗକରି ଅନୈତିକ ଉପାୟରେ ଅର୍ଥ ରୋଜଗାର କରିବା, ଟିକସ ଫାଙ୍କି କଳାଟଙ୍କାର ଭଣ୍ଡାର ଅଭିବୃଦ୍ଧି କରିବା ଅନେକଙ୍କ ଜୀବନର ବ୍ରତ ହୋଇଗଲାଣି। ବିଶ୍ୱ ଦୁର୍ନୀତି ମାପକାଠିରେ ଚଳିତବର୍ଷ ଭାରତ ୧୭୬ଟି ଦେଶ ମଧ୍ୟରୁ ୭୮ତମ ସ୍ଥାନରେ ରହିବା ନିଶ୍ଚୟ ନୈରାଶ୍ୟଜନକ। ଡେନମାର୍କ, ନ୍ୟୁଜିଲାଣ୍ଡ ଓ ଫିନ୍‌ଲାଣ୍ଡ ପରି ସାନ ସାନ ଦେଶମାନଙ୍କ କପାଳରେ ଦୁର୍ନୀତିମୁକ୍ତ ଦେଶର ମୋହର ବାଜୁଥିଲା ବେଳେ ସତ୍ୟ, ନ୍ୟାୟ ଓ ଅହିଂସାର ବାଣୀ ପ୍ରଚାର କରିଥିବା ମହାତ୍ମା ଗାନ୍ଧୀଙ୍କ ମାଟିରେ ଦୁର୍ନୀତିର ଦୁର୍ବାରବିଷଚକ୍ର କାୟାବିସ୍ତାର କରିଛି। ଅବଶ୍ୟ ସମସ୍ତ ରାଜନେତା ଦୁର୍ନୀତିପରାୟଣ ନୁହନ୍ତି। ଅନେକ ରାଜନେତାଙ୍କ ରାଷ୍ଟ୍ରପ୍ରେମ, ସଚୋଟତା ଓ ସାଧୁତା ଭାରତୀୟ ସମାଜକୁ ବିମୁଗ୍ଧ କରିଥାଏ। ଭାରତୀୟ ଅର୍ଥନୀତିର ଅନ୍ୟଏକ ଅନ୍ଧାରିବିଜେର ଦୃଶ୍ୟରହିଛି, ଯେବେ ତେଲିଆ ମୁଣ୍ଡରେ ତେଲଦେଇ ସରକାର ସରକାରୀ ଆଭିଜାତ୍ୟ ପ୍ରଦର୍ଶନ କରିବାକୁ ଯାଇ କେତେକ ଧନଶାଳୀ ରାଜନେତାଙ୍କୁ ଆର୍ଥିକ ଅନୁକମ୍ପା ପ୍ରଦାନ କରିଥାନ୍ତି। ଏହିକ୍ରମରେ ଦେଶର କେତେକ ରାଜ୍ୟରେ କିଛି ମନ୍ତ୍ରୀଙ୍କୁ ଦରିଦ୍ର ବିବେଚନା କରାଯାଇ ସେମାନଙ୍କୁ ଆୟକର ରିହାତି ଦିଆଯାଇଥିଲା। ସମ୍ପୃକ୍ତ ରାଜ୍ୟର ସରକାର ସେମାନଙ୍କର ଆୟକର ଭରଣା କରୁଥିଲେ। ଏହିଭଳି କେତେଜଣ ମନ୍ତ୍ରୀଙ୍କ ଉଦାହରଣ ଦିଆଯାଇପାରେ ମଧ୍ୟପ୍ରଦେଶର ଶିବରାଜସିଂହ ଚୌହାନ, କମଲ ନାଥଙ୍କର ସମ୍ପତ୍ତି ଯଥାକ୍ରମେ ୨୦୧୩ ଓ ୨୦୧୮ରେ ୬ ଓ ୨୦୬ କୋଟି ଥିଲା। ଛତିଶଗଡ଼ର ରମଣ ସିଂହ ଓ ଭୁପେଶ କୁମାର ବାଘେଲଙ୍କର ସମ୍ପତ୍ତି ୨୦୧୩ ଓ ୨୦୧୮ରେ ରହିଥିଲା ୫ ଓ ୨୩ କୋଟି। ହିମାଚଳ ପ୍ରଦେଶର ପ୍ରେମକୁମାର ଧୁମାଲ, ବୀରଭଦ୍ର ସିଂହ ଓ ଜୟରାମ ଠାକୁର ୨୦୦୭, ୨୦୧୨ ଓ ୨୦୧୭ରେ ଯଥାକ୍ରମେ ୯୬ ଲକ୍ଷ, ୩୩ କୋଟି ଓ ୩ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ। ଉତ୍ତରାଖଣ୍ଡର ବିଜୟ ବହୁଗୁଣା, ହରିଶ୍ଚନ୍ଦ୍ର ସିଂହ ରାୱତ ଓ ତ୍ରିବେନ୍ଦ୍ର ସିଂହ ରାୱତ ଥିଲେ ଯଥାକ୍ରମେ ୨୦୦୯, ୨୦୧୭,୨୦୧୭ରେ ୧ , ୬ ଓ ୧ କୋଟି ସମ୍ପତ୍ତିର ମାଲିକ। ଏମାନେ କିନ୍ତୁ ସରକାରଙ୍କୁ ଆୟକର ଦେଉ ନ ଥିଲେ। ସାଧାରଣ ନାଗରିକଙ୍କ ଟିକସ ପଇସାରୁ ସରକାର ଏହା ଭରଣା କରୁଥିଲେ। ଏହି ତାଲିକାରେ ମଧ୍ୟ ଅଛନ୍ତି ଉତ୍ତରପ୍ରଦେଶରେ ମାୟାବତୀ, ଅଖିଳେଶ ଯାଦବ ଓ ଆଦିତ୍ୟ ନାଥ ଓ ପଞ୍ଜାବର ଅମରେନ୍ଦ୍ର ସିଂହ, ପ୍ରକାଶ ସିଂହ ବାଦଲ ପ୍ରମୁଖ। ବିଭିନ୍ନ ନିର୍ବାଚନରେ ଏମାନେ ଦାଖଲ କରିଥିବା ଆୟ ସମ୍ପର୍କିତ ଘୋଷଣାନାମା ଅନୁଧ୍ୟାନ କରି ଏଡିଆର ଏହି ବିସ୍ମୟକର ବିବରଣୀ ପ୍ରକାଶ କରିଛନ୍ତି, ଯାହାକେବଳ ଲଜ୍ଜାଜନକ ନୁହେଁ ଚିନ୍ତା ଉଦ୍ରେକକାରୀ ମଧ୍ୟ। କେବଳ ଏତିକି ନୁହେଁ ଚିକିତ୍ସା ସହାୟତା ପାଇଁ ଧନାଢ୍ୟ ରାଜନେତା ଓ ରାଜା ମହାରାଜାମାନେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ସହାୟତା ପାଇବା ଆମ ଦେଶରେ ବିରଳ ନୁହେଁ।
ଏହିସବୁ ଭାରତର ଦାରିଦ୍ର୍ୟକୁ ଉତ୍କଟତର କରୁନାହିଁ, ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ, ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ହିମାଳୟପରି ପାଚେରି ସୃଷ୍ଟି କରୁଛି। ‘ସଂ ଗଛଧଂ’- ବେଦର ଏହି ମହାନ୍‌ବାଣୀ ଆଜି ଅସାର ହୋଇପଡିଛି। ଦେଶର ଏହି ଅଗଣିତ ଗରିବଙ୍କୁ ଏଥିରୁ ମୁକ୍ତିଦେବାପାଇଁ ସେମାନଙ୍କୁ ଉଚ୍ଚ ମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା, ସର୍ବନିମ୍ନ ମଜୁରି ବୃଦ୍ଧି, ଆକର୍ଷଣୀୟ ମଜୁରି ସହିତ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟିକରିବା ଓ ସେମାନଙ୍କ ହୃଦୟରେ ସମ୍ମାନର ସହିତ ବଞ୍ଚିବାପାଇଁ ସ୍ବପ୍ନସୃଷ୍ଟି କରିବା ବର୍ତ୍ତମାନ ସରକାରଙ୍କର ପ୍ରମୁଖ ଦାୟିତ୍ୱ। ସରକାର ଦେଶର ସୁରକ୍ଷା, ନିରାପତ୍ତା ଓ ଅସ୍ମିତା ପାଇଁ କାର୍ଯ୍ୟକରିବା ଯେପରି ଜରୁରୀ ଦେଶର ସଂଖ୍ୟାଧିକ ଦରିଦ୍ର ଓ ବଞ୍ଚିତଙ୍କ ମୁହଁରେ ଶାନ୍ତି, ସନ୍ତୋଷ ଓ ତୃପ୍ତିର ହସ ଫୁଟାଇବା ତତୋଽଧିକ ଆବଶ୍ୟକ।
ନୂଆବନ୍ଧସାହି, ନବରଙ୍ଗପୁର
ମୋ-୯୪୩୭୧୧୮୯୬୨


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ମନସ୍କ

ବାବୁମାନେ ରାଜନୀତିରେ ଯୋଗଦେବା ଧାରା ପୁନର୍ବାର ଆରମ୍ଭ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଏକ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ୍‌ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ...

ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା...

ଲେଖକ ସୃଷ୍ଟି ପାଇଁ ସାହିତ୍ୟ କର୍ମଶାଳା

ଡ. ଛାୟାକାନ୍ତ ଷଡ଼ଙ୍ଗୀ   କିଛିଦିନ ତଳେ ଖବରକାଗଜରେ ପ୍ରକାଶିତ ଏକ ଖବର ‘ବିଦ୍ୟାଳୟରୁ ସୃଷ୍ଟି ହେବେ ଲେଖକ’ ମୋତେ ବିସ୍ମିତ କରିଥିଲା। ଖବର ଅନୁସାରେ...

ନିଦ୍ରାହୀନତାର ନିଦାନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ କର୍ମକ୍ଲାନ୍ତ ଜୀବନରେ କେବଳ ସୁନିଦ୍ରା ହିଁ ମଣିଷକୁ ସୁଖ ଦିଏ। ବିଶିଷ୍ଟ ନାଟ୍ୟକାର ଓ କବି ସେକ୍ସପିଅରଙ୍କ ଭାଷାରେ ନିଦ୍ରା ହେଉଛି...

ଦୃଷ୍ଟିଭଙ୍ଗ ହେଲାଣି

କରୋନା ମହାମାରୀଜନିତ ସ୍ଥିତିକୁ ପରିଚାଳନା କରିବାରେ ଭାରତ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌-୧୯...

ବିଚାରର ଦୁଇଟି ମାର୍ଗ

ଡ. ବାସୁଦେବ ମିଶ୍ର ପ୍ରବୃତ୍ତି ଆଉ ନିବୃତ୍ତି: ବିଚାରର ମାର୍ଗ ଦୁଇଟି- ଜୀବନକୁ ସୁନ୍ଦର ସୁଠାମ କରି ଗଢି ତୋଳିବା ପାଇଁ। ମନୁଷ୍ୟତାର ମହକକୁ ଚତୁର୍ଦ୍ଦିଗରେ...

ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ...

ଗୁଜବ ପ୍ରତି ସାବଧାନ

ବୈକୁଣ୍ଠନାଥ ମିଶ୍ର ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍‌ ଜନମାନସରେ ଜାଗ୍ରତ ହୋଇ ତଡିତ୍‌ ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ...

Advertisement
Archives

Model This Week