ଅଶାନ୍ତି ବୃଦ୍ଧିପାଉଛି

ଡ. ସନ୍ତୋଷ କୁମାର ମହାପାତ୍ର

 

ସକାଳୁ ଖବରକାଗଜ ଖୋଲିଲେ, ଜିଡିପି ବୃଦ୍ଧି ବା ଆର୍ଥିକ ଅଭିବୃଦ୍ଧି ସମ୍ପର୍କିତ ଲେଖା ବେଶି ଦେଖିବାକୁ ମିଳେ। କିଏ ଲେଖିଲେଣି ଭାରତ ବିଶ୍ୱରେ ସର୍ବାଧିକ ବେଗରେ ବୃଦ୍ଧି ପାଉଛି ତ ଆଉ କିଏ ଲେଖିଲେଣି ଭାରତ ବିଶ୍ୱରେ ଏକ ଉଜ୍ଜ୍ୱଳ ତାରକା। ଆଉ କିଏ ଲେଖିଲେଣି ଭାରତ କିଛିବର୍ଷ ପରେ ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଏବଂ ୨୦୪୭ରେ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ କିଏ କହିଲେଣି ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବେ ଉଭା ହେଲାଣି। ଅବଶ୍ୟ ଅଭିବୃଦ୍ଧି ଢୋଲ ପିଟିଲା ବେଳେ କେହି ଲେଖୁନାହାନ୍ତି ଯେ ଏହାଦ୍ୱାରା ଦାରିଦ୍ର୍ୟ, କ୍ଷୁଧା, ବେକାରି ଓ ବୈଷମ୍ୟ କେତେଦୂର ହୋଇଛି? ଦରଦାମ୍‌ କେତେ ନିୟନ୍ତ୍ରଣ ହୋଇ ଲୋକେ କେତେ ଶାନ୍ତି, ସୁଖ ଓ ଆନନ୍ଦରେ ଅଛନ୍ତି ଓ ଲୋକଙ୍କ ଜୀବନର ଗୁଣାତ୍ମକ ବିକାଶ ଘଟିଛି କି ନାହିଁ? ଅନ୍ୟ ଉନ୍ନତ ଦେଶ ତୁଳନାରେ ଆମର ସ୍ଥିତି କେଉଁଠି? ଯେଉଁ କୋଟି କୋଟି ଲୋକ ମୁଠାଏ ଭାତ ବା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ଚିକିତ୍ସା ଅଭାବରୁ ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଛନ୍ତି, ସେମାନେ କ’ଣ ଜିଡିପି ଖାଇ ବଞ୍ଚିବେ। ସେମାନେ ଭୁଲି ଯାଉଛନ୍ତି ଯେ ଭାରତ ୪୧ଟା ନିମ୍ନ ମଧ୍ୟମ ଆୟକାରୀ ରାଷ୍ଟ୍ର ମଧ୍ୟରୁ ଏକ ରାଷ୍ଟ୍ର। ଅପରପକ୍ଷରେ ଶ୍ରୀଲଙ୍କା ଉଚ୍ଚ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ୧୩୮ଟି ଦେଶ ତଳେ ରହିଛି।
ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ଆମ ସରକାର ତଥା ବିଭିନ୍ନ ଦେଶର ସରକାର ଏହି ଜିଡିପି ବୃଦ୍ଧି ଉପରେ ଖାଲି ଗୁରୁତ୍ୱ ଦେଉଛନ୍ତି। ଜିଡିପି ତତ୍ତ୍ୱର ସୃଷ୍ଟିକର୍ତ୍ତା ନିଜେ ସ୍ବୟଂ ସାଇମନ କୁଜନେଟ ଏହା ଲୋକଙ୍କ ଭଲମନ୍ଦର ବାସ୍ତବ ପ୍ରତିଫଳନ ନୁହେଁ ବୋଲି କହିଥିଲେ। ଏହା କେବଳ ଏକ ବର୍ଷର ଆର୍ଥିକ କାର୍ଯ୍ୟ କଳାପର ପ୍ରତିଫଳନ। ଯଦି ଧନୀ ଅଧିକ ଧନୀ ହୋଇ ଅଧିକ ବ୍ୟୟ କରନ୍ତି ତେବେ ଜିଡିପି ମଧ୍ୟ ବୃଦ୍ଧି ପାଇବ। ଅଧିକ ଲୋକସଂଖ୍ୟା ହେଲେ ଏବଂ ବ୍ୟୟ କଲେ ଜିଡିପି ବୃଦ୍ଧି ପାଇବ; ଯାହା ବର୍ତ୍ତମାନ ଭାରତରେ ଦେଖିବାକୁ ମିଳୁଛି। ଯେପରି ଜଣେ ମଣିଷର ଗୋଦର୍‌ ଗୋଡ଼ ସମସ୍ୟା ହେଲେ ମଧ୍ୟ ଓଜନ ବୃଦ୍ଧି ପାଏ, ବର୍ତ୍ତମାନ ଯେଉଁ ଜିଡିପି ବୃଦ୍ଧି ଘଟୁଛି ତାହା ଯୋଗୁ ଦେଶର ବିକାଶ ବା ଲୋକଙ୍କ ଜୀବନର ଗୁଣାତ୍ମକ ବିକାଶ, ଜୀବନର ମାନଦଣ୍ଡର ଉନ୍ନତି ଘଟୁନାହିଁ; ବରଂ କିଛି ମୁଷ୍ଟିମେୟ ଲୋକ କେବଳ ଧନୀ ହୋଇ ଚାଲିଛନ୍ତି। ଅର୍ଥାତ୍‌ ଯେଉଁ ଅଭିବୃଦ୍ଧି ଘଟୁଛି ତାହାର ସୁଫଳ କେବଳ ନିର୍ଦ୍ଦିଷ୍ଟ ଧନିକ ଶ୍ରେଣୀ ପାଖକୁ ଯାଉଛି। ଦେଶର ମୋଟ ସମ୍ପଦର ୪୦.୫% କେବଳ ୧% ଜନତାଙ୍କ ନିକଟରେ ରହିଲା ବେଳେ ୫୦% ଜନତାଙ୍କ ନିକଟରେ ମାତ୍ର ୩ % ସମ୍ପଦ ରହିଛି।
ପୁନଶ୍ଚ ଋଣ ବୃଦ୍ଧିଜନିତ ସରକାରୀ ବ୍ୟୟ, କଳାଟଙ୍କା ବହୁଳ ବିନିଯୋଗ ବିଶେଷ କରି ଗାଡ଼ି ମୋଟର, ଜମି ଘରବାଡ଼ିରେ ବହୁଳ ବିନିଯୋଗ, ପ୍ରାକୃତିକ ଓ ଖଣିଜ ସଂପଦର ଦ୍ରୁତ, ଅନ୍ଧାଦୁନିଆ ବିନିଯୋଗ, ଆଖିବୁଜା ଶିଳ୍ପାୟନ ଯୋଗୁ ଅଭିବୃଦ୍ଧି ଘଟିଛି। କିନ୍ତୁ ଏହି ପ୍ରକ୍ରିୟାରେ କେତେ କ୍ଷତି ହେଉଛି ତାହା ଆକଳନ ହେବା ଉଚିତ। ଏପରି ପରିସ୍ଥିତି ସୃଷ୍ଟି ହେଲାଣି ଯେ ବାୟୁମଣ୍ଡଳ ଅତ୍ୟନ୍ତ ଦୂଷିତ ତଥା ଉତ୍ତପ୍ତ ହୋଇଛି। ବିଶ୍ୱ ଉତ୍ତାପ ବୃଦ୍ଧି ଯୋଗୁ ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ସରକାର ତଥା ଅର୍ଥନୀତିଜ୍ଞମାନେ ବୁଝିବା ଉଚିତ ଯେ ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦ ଅସରନ୍ତି ନୁହେଁ। ଏହା ଦିନେ ନା ଦିନେ ସରିଯିବ। ଜିଡିପି ବୃଦ୍ଧିର ଆଉ ଏକ କାରଣ ହେଲା ଯୌଥ ପରିବାର ଖଣ୍ଡ ବିଖଣ୍ଡିତ ହୋଇଯିବାରୁ ଲୋକେ ଭିନ୍ନ ଭିନ୍ନ ଜାଗାରେ ରହିବେ, ଅଧିକା ବ୍ୟୟ କରିବେ। ଆଉ ଏକ କାରଣ ହେଲା ଡେମନଷ୍ଟ୍ରେଶନ ଇଫେକ୍ଟ; ଯାହାର ଅର୍ଥ ହେଲା ନିଜର ପଡ଼ୋଶୀ, ବନ୍ଧୁ ବାନ୍ଧବଙ୍କ ଉନ୍ନତ ମାନର ଜୀବନ ପ୍ରଣାଳୀ ଅନୁସରଣ କରିବା। ଅର୍ଥାତ୍‌ ଅନ୍ୟକୁ ଦେଖି ଆବଶ୍ୟକଠାରୁ ଅଧିକ ବ୍ୟୟ କରିବା, ଉପଭୋଗ କରିବା। ଯଦି ଜଣେ ଭଲ ଘର କଲା, ତେବେ ତାକୁ ଦେଖି ଜଣକର ଘର ଥାଉ ପଛେ ଆଉ ଗୋଟେ ଘର କରୁଛି। ସେହିପରି ଜଣକର ଭଲ କାର୍‌ଟିଏ ଥିଲେ ମଧ୍ୟ ଯଦି କିଏ ଆଉ ଦାମିକିଆ କାର କିଣିଲା, ତାହାଠାରୁ ଆଉ ଦାମିକିଆ କିଣିବା ପାଇଁ ପ୍ରୟାସ କରୁଛି। ଦରକାରଠାରୁ ବା ନିଜ କ୍ଷମତା ବହିର୍ଭୂତ ଋଣ କରିବାକୁ ମଧ୍ୟ ପଛାଉ ନାହିଁ। କେତେକେ ଋଣ ଯନ୍ତାରେ ପଡ଼ି ସେଥିରୁ ମୁକୁଳି ପାରୁ ନାହାନ୍ତି। ଜିଡିପି ମଧ୍ୟ ଶୋଷଣ ଯୋଗୁ ବୃଦ୍ଧି ପାଉଛି। ଅର୍ଥାତ୍‌ ଜଣେ ବା କୌଣସି ସଂସ୍ଥା ଅନ୍ୟକୁ ଶୋଷଣ କରି ଅର୍ଥ ଉପାର୍ଜନ କରି ବ୍ୟୟ କଲେ ବା ଅନ୍ୟକୁ ଦରମା ଦେଲେ ଜିଡିପି ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ଜିଡିପି ଆକଳନ ପଦ୍ଧତିରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ଯଦି ସରକାର ପରୋକ୍ଷ କର ବୃଦ୍ଧି କରନ୍ତି ଏବଂ ସବ୍‌ସିଡି ହ୍ରାସ କରନ୍ତି ତେବେ ଜିଡିପି ମଧ୍ୟ ବୃଦ୍ଧି ପାଇବ। ଯେଉଁ ନାମାଙ୍କନ ଜିଡିପି ବୃଦ୍ଧି ଘଟୁଛି ତାହାର ଏକ ମୁଖ୍ୟ କାରଣ ହେଲା ମୁଦ୍ରାସ୍ଫୀତି ବୃଦ୍ଧି।
ଆର୍ଥିକ ଅଭିବୃଦ୍ଧି ସର୍ବଦା ନିଯୁକ୍ତି ବୃଦ୍ଧି, ଟିକସ ବୃଦ୍ଧି, ଜୀବନ ମାନରେ ଉନ୍ନତି, ସୁଖ, ଶାନ୍ତି ତଥା ବିଭିନ୍ନ ସୂଚକାଙ୍କରେ ଉନ୍ନତି ପରିଲଖିତ ହେବା ଉଚିତ। ଜନସଂଖ୍ୟା ବୃଦ୍ଧି ଓ ଆର୍ଥିକ ବୃଦ୍ଧି ଅନୁସାରେ ନିଯୁକ୍ତି ବୃଦ୍ଧି ପାଇବା କଥା। କିନ୍ତୁ ବେକାରି ହାର ବୃଦ୍ଧି ସହିତ ନିଯୁକ୍ତି ହ୍ରାସ ପାଉଛି। ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ, ମୋଟ ନିଯୁକ୍ତି ବ୍ୟକ୍ତିଙ୍କ ସଂଖ୍ୟା ଯାହା ୨୦୧୯-୨୦ରେ ୪୦.୮୯ କୋଟି ଥିଲା, ତାହା ମାର୍ଚ୍ଚ ୨୦୨୩ରେ ୪୦.୭୬ କୋଟିକୁ ହ୍ରାସ ପାଇଛି। ବିଶ୍ୱ ସୁଖ ସୂଚକାଙ୍କ ୨୦୨୩ (୧୪୬ଦେଶ ମଧ୍ୟରୁ ୧୩୬), ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୨ (୧୬୩ଦେଶ ମଧ୍ୟରେ ୧୩୫)ରେ ଭାରତ ରହିଛି। ଭାରତ ନିମ୍ନ ଶାନ୍ତି ଦେଶ ଭାବେ ସ୍ଥାନିତ ହୋଇଛି। ଭାରତରେ ଅଶାନ୍ତି, ଆତ୍ମହତ୍ୟା, ଅପରାଧ ବୃଦ୍ଧି ପାଇଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ୨୦୨୧ ଅନୁଯାୟୀ, ଆତ୍ମହତ୍ୟା ଦେଶରେ କ୍ରମଶଃ ବୃଦ୍ଧି ପାଉଛି। ୨୦୧୭ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧,୨୯,୮୮୭ ଥିଲାବେଳେ ୨୦୨୧ରେ ୧,୬୫, ୦୩୩କୁ ବୃଦ୍ଧି ପାଇଛି। ସେହିପରି ଛାତ୍ର ଆତ୍ମହତ୍ୟା ମଧ୍ୟ ଗତ ପାଞ୍ଚବର୍ଷ ମଧ୍ୟରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୨୦ରେ ଏହା ୧୨,୫୨୬ ଥିଲାବେଳେ ୨୦୨୧ରେ ୧୩,୦୮୯କୁ ବୃଦ୍ଧିପାଇଛି। ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତର ଯୁବକମାନଙ୍କ ମଧ୍ୟରେ ଉଦାସୀନତା ବା ଡିପ୍ରେସନ ହାର ୩୧% ରୁ ୫୭% ମଧ୍ୟରେ ରହିଛି। ଯଦି ଅଶାନ୍ତି ବଢୁଛି, ତେବେ ଜିଡିପି ବୃଦ୍ଧିରେ ଲାଭ କାହାର?
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri