ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ବାହାଡାଝୋଲା ସରକାରୀ  ଚିକିତ୍ସାଳୟ , ଡିମିରିପଲି ସରକାରୀ ଚିକିତ୍ସାଳୟ ,ଜଗନ୍ନାଥପ୍ରସାଦ ସରକାରୀ ଚିକିତ୍ସାଳୟ , ନୂଆଗାଁ ସରକାରୀ ଚିକିତ୍ସାଳୟ । ପ୍ରତି ଚିକିତ୍ସାଳୟରେ ଡାକ୍ତର ଅଭାବ  ସହିତ ବିଭିନ୍ନ ସମସ୍ୟା ରହିଛି । ନୂଆଗାଁ ବ୍ଲକ ୨୨ ପଞ୍ଚାୟତର ଏକ ପ୍ରମୁଖ ଚିକିତ୍ସାଳୟ ଭାବେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚିତ। ଯେଉଁଠି ପ୍ରତିଦିନ ଦେଢଶହରୁ ଦୁଇଶହ ରୋଗୀ ଚିକିତ୍ସିତ ହେବା ପାଇଁ ଆସିଥାଆନ୍ତି । କିନ୍ତୁ ଡାକ୍ତର ଅଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସା ହୋଇ ନ ପାରି ନିରାଶରେ ଫେରିଯିବା ପାଇଁ ବାଧ୍ୟ ହେବା ସହ ପୁନର୍ବାର ଏଠାକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ମହୀପୁର ଚିକିତ୍ସାଳୟରେ ଜଣେ ମେଡିକାଲ ଅଫିସରଙ୍କ ବ୍ୟତୀତ ପ୍ରତି ବିଭାଗର ଜଣେ ଲେଖାଏ ଏପରି ମୋଟ ୬ ଜଣ ଏମବିବିଏସ୍‌ ଡାକ୍ତର ଓ ୨ ଜଣ ଆୟୁଷ ଡାକ୍ତର ରହିବା କଥା । କିନ୍ତୁ ଏଠାରେ  ୩ ଜଣ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ଅଭାବ ରହିଛି । ପ୍ରତି ଡାକ୍ତରଖାନାରେ ଜଣେ ଏମବିବିଏସ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ରହିବା ନିୟମ ଥିବା ବେଳେ ନୂଆଗାଁ ଡାକ୍ତରଖାନାରେ  ଦୀର୍ଘ ୨ ବର୍ଷ ହେଲା  କୌଣସି ଡାକ୍ତର ନାହାନ୍ତି । ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ଡାକ୍ତରଖାନା । ବାହାଡାଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ଆଦିବାସୀ ଲୋକ ନିର୍ଭର କରୁଥିବା ଯୋଗୁ ତାହାକୁ ନବୀକରଣ କରି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମକରଣ କରାଯାଇ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରାଯାଇନାହିଁ  ।  ସେହିପରି ଡିମିରିପଲିରେ  ଜଣେ ଆୟୁଷ ଡାକ୍ତର, ଜଗନ୍ନାଥ ପ୍ରସାଦରେ  ଏମବିବିଏସ ଡାକ୍ତରଙ୍କ ଅଭାବ ରହିଛି । ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ରୋଗୀ ଦେଖିବା ପାଇଁ କିମ୍ବା ଚିକିତ୍ସା କରିବା ପାଇଁ ଗୃହ ମଧ୍ୟ ନାହିଁ । ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ସରି ଗୃହ ପୁରୁଣା ହେବାକୁ ବସିଥିଲେ ମଧ୍ୟ ତାହା ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଉ ନାହିଁ । ଫଳରେ ଡାକ୍ତର ବାହାରେ ଘରଭଡା ନେଇ ରହୁଥିବା ଯୋଗୁ ରୋଗୀ ଦେଖିବାରେ ବ୍ୟାଘାତ ସୃଷ୍ଟି ହେଉଛି ।   ସରକାରୀ ଡାକ୍ତରଖାନାଗୁଡିକର ଏପରି ଅବ୍ୟବସ୍ଥା ଯୋଗୁ ଲୋକମାନଙ୍କ ଭରସା ତୁଟିଯାଉଛି । ତେଣୁ ନୂଆଗାଁ ବ୍ଲକର ଗରିବ ଜନ ସାଧାରଣ   ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚତ୍ତ ହୋଇ ଜମିବାଡି ବିକ୍ରି କରି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଛନ୍ତି। ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଯଜ୍ଞଦତ୍ତ ରଥ  କୁହନ୍ତି, ଆମେ ପ୍ରତି ଡାକ୍ତରଖାନାରେ ଡାକ୍ତର ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ , ନିର୍ବାଚନ ପରେ ଜଣାପଡିବ । ସେହିପରି ଉକ୍ତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପାଣିର ଅଭାବ ରହିଥିବା  ଚିକିତ୍ସାଧିକାରୀ ରଥ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri